Unknown

 

 

 

 

 

 

 

 

 

 

ଅର୍ଚ୍ଚନା

କୁନ୍ତଳା କୁମାରୀ ସାବତ

 

ମୁଖପତ୍ର

 

ଯେତେବେଳେ ମୁଁ କଲିକତା ବିଶ୍ୱବିଦ୍ୟାଳୟ ପକ୍ଷରୁ ଓଡ଼ିଆ ସାହିତ୍ୟର ପ୍ରାଚୀନ ଓ ଆଧୁନିକ ସୁରଚିତ କାବ୍ୟମାନଙ୍କରୁ ରଚନା ଚୟନ କରୁଥିଲି, ସେତେବେଳେ ଦୈବାତ୍ କୁମାରୀ କୁନ୍ତଳାକୁମାରୀଙ୍କ କେତୋଟି ପଦ୍ୟ ରଚନା ପଢ଼ିବାକୁ ପାଇଥିଲି । ସେତେବେଳେ ଲେଖିକାଙ୍କର କୌଣସି ପରିଚୟ ମତେ ଜଣା ନ ଥିଲା; ମୁଁ କେବଳ ତାହାଙ୍କ ଭାଷାର ବିଶୁଦ୍ଧତା ଓ ସରଳତା ଏବଂ ଭାବର ମାଧୁରୀ ଓ ପବିତ୍ରତା ଦେଖି ତାହାଙ୍କ ରଚିତ ଯେଉଁ କେତୋଟି କବିତା ପାଇଥିଲି, ତାହା ବିଶ୍ୱ-ବିଦ୍ୟାଳୟ କର୍ତ୍ତୃକ ପ୍ରକାଶିତ ଓଡ଼ିଆ ସାହିତ୍ୟ ପରିଚୟର ତୃତୀୟ ଭାଗରେ ସାଦରେ ମୁଦ୍ରିତ କରିଥିଲି । ଏହି ସାହିତ୍ୟ ପରିଚୟ ଗ୍ରନ୍ଥ ପ୍ରକାଶିତ ହେବାର ଅନେକ ଦିନ ଉତ୍ତାରେ କବିଙ୍କ ରଚିତ କେତେକ ଖଣ୍ଡି ଗ୍ରନ୍ଥର ପରିଚୟ ପାଇଲି ଓ ତାହାଙ୍କୁ ପ୍ରଣୀତ । ଏହି କାବ୍ୟଗ୍ରନ୍ଥ ଖଣ୍ଡିକର ମୁଖପତ୍ର ଲେଖିବାକୁ ଅନୁରୁଦ୍ଧ ହେଲି ମୁଁ ସାନନ୍ଦରେ ଏହି କାର୍ଯ୍ୟଟି କରିବାକୁ ପ୍ରସ୍ତୁତ ହୋଇଅଛି । ମୋର ପ୍ରଶଂସାବାଣୀ ଉପରେ ଓଡ଼ିଶାରେ କବିଙ୍କ ଯଶର ପ୍ରତିଷ୍ଠା ନିର୍ଭର କରୁନାହିଁ । କାରଣ ମୁଁ ଦେଖୁଛି ଯେ ଓଡ଼ିଶାର ସୁଧୀ ପାଠକମାନେ ଏହି ତରୁଣୀ କବିଙ୍କ ରଚନା ଯଥେଷ୍ଟ ଆଦରରେ ଗ୍ରହଣ କରିଅଛନ୍ତି ; ପୁଣି ପୁରୀର ଚିରପ୍ରସିଦ୍ଧ ‘ମୁକ୍ତି ମଣ୍ଡପ’ ନାମରେ ପଣ୍ଡିତ- ସଂଘ, ଏହାଙ୍କ କାବ୍ୟ-ପ୍ରତିଭାର ପ୍ରଶଂସା କରିଅଛନ୍ତି; ପୁଣି ପୁରୀର ‘ମହିଳାବନ୍ଧୁ ସମିତି’ ଏହାକୁ ‘ଉତ୍କଳ-ଭାରତୀ ଉପାଧି ଦେଇଅଛନ୍ତି । ଗୁଣର ଏହି ଆଦର ଓ ପ୍ରତିଭାର ଏହି ସମ୍ମାନ ଦେଖି ମୁଁ ଆନନ୍ଦିତ ହୋଇଅଛି ।

ଏହି ଗ୍ରନ୍ଥକର୍ତ୍ତୀ ଆଜନ୍ମ କବି ଓ ବାଲ୍ୟକାଳରୁ ନିଜର ବୁଦ୍ଧି ଓ ଅଧ୍ୟବସାୟ ବଳରୁ ଉଚ୍ଚଅଙ୍ଗର ଇଂରାଜୀ ସାହିତ୍ୟ ପ୍ରଭୃତି ପଢ଼ି ବିଦୂଷୀ ହୋଇଅଛନ୍ତି । ଅତି ଶୈଶବରେ ଓ ବାଲ୍ୟରେ ଏ ଏହାଙ୍କ ପିତାଙ୍କ କର୍ମସ୍ଥାନ ବ୍ରହ୍ମଦେଶରେ ବାସ କରିବା ସମୟରେ ଆପଣାର ମାତୃଭାଷାରେ ନିଜ ପ୍ରବୃତ୍ତିରେ କବିତା ଲେଖନ୍ତି, କିନ୍ତୁ କାବ୍ୟଙ୍ଗୀରେ କେତେବେଳେ ହେଲେ କୌଣସି ପ୍ରକାର ଉତ୍ସାହ ପାଇନାହାନ୍ତି । ନିଜର ଚେଷ୍ଟାରେ ପ୍ରୟୋଜନୀୟ ପରୀକ୍ଷାରେ ଉତ୍ତୀର୍ଣ୍ଣା ହୋଇ କଟକ ମେଡ଼ିକେଲ ସ୍କୁଲରେ ଡାକ୍ତରି ଶିଖିଥିଲେ ଓ ସେହି ସମୟରେ ପ୍ରତି ଶ୍ରେଣୀର ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରି ଅନେକ ପୁରସ୍କାର ଓ ସ୍ୱର୍ଣ୍ଣପଦକ ଅର୍ଜନ କରିଥିଲେ। ଏବେ ଏ କାମ କରନ୍ତି- ଚିକିତ୍ସାବିଭାଗରେ, କିନ୍ତୁ ସାହିତ୍ୟର ଆଲୋଚନା ଓ କବିତା ଲେଖା ଜୀବନର ଭୂଷଣସ୍ଵରୂପ ରହିଅଛି । ଏକଆଡ଼େ ଦକ୍ଷତା ସହିତ ଚିକିତ୍ସା-ବିଭାଗର କର୍ତ୍ତବ୍ୟ ପାଳନ କରୁଅଛନ୍ତି, ଅନ୍ୟଆଡ଼େ ସ୍ୱଭାବସିଦ୍ଧ ଆକର୍ଷରୁ ଅତି ମନୋହର କବିତା ରଚନା କରୁଅଛନ୍ତି । ଏ ପର୍ଯ୍ୟନ୍ତ କବିଙ୍କର ଯେଉଁ କେତେଖଣ୍ଡି ପୁସ୍ତକ ପ୍ରକାଶିତ ହୋଇଅଛି ସେଗୁଡ଼ିକର ନାମ, ଯଥା- ପ୍ରାନ୍ତି, ଅଞ୍ଜଳି, ଉଚ୍ଛାସ, ପରଶମଣି, କାଳୀବୋହୁ, ନଅତୁଣ୍ଡୀ ଓ ଅର୍ଚ୍ଚନା ।

 

ଏହାଙ୍କର ଯେଉଁ ସକଳ ଗଦ୍ୟ ରଚନା ଧର୍ମପ୍ରାଣତାର ସୂଚନା କରେ ତହିଁରୁ କେତୋଟି ବଙ୍ଗଭାଷାରେ ପ୍ରକାଶିତ ହୋଇଅଛି । ଏହାଙ୍କର ସାହିତ୍ୟିକ ଭବିଷ୍ୟତ ଅତି ଉଜ୍ଜ୍ୱଳ; ମୁଁ ମନେକରେ, ଏ ନିଜର ବିଶିଷ୍ଟତାରେ ଓଡ଼ିଆ ସାହିତ୍ୟରେ ଗୋଟିଏ ବିଶେଷ ଉଚ୍ଚ ସ୍ଥାନ ଅଧିକାର କରିବେ ଓ ଉତ୍କଳ ଗୌରବରେ ତାହାଙ୍କ ପ୍ରଦତ୍ତ ଅଙ୍ଗକାର ଚିରଦିନପାଇଁ ଧାରଣ କରିବ ।

ଆଶୀର୍ବାଦ କରେ, କବି ନିରାମୟ ଦୀର୍ଘ ଜୀବନରେ ଉତ୍କଳବାସୀକି ଆନନ୍ଦିତ ଓ ଧନ୍ୟକରି ନିଜେ ଧନ୍ୟ ହୁଅନ୍ତୁ ।

କଲିକତା,

 

୨୨ ତାରିଖ ଫେବୃଆରୀ ୧୯୨୭

ଶ୍ରୀ ବିଜୟଚନ୍ଦ୍ର ମଜୁମ୍‍ଦାର

 

ଭୂମିକା

 

ମୋହର ପ୍ରଣୀତ ଗଦ୍ୟ ଓ ପଦ୍ୟ ପୁସ୍ତକମାନ ଉକଳର ସୁଧୀବୃନ୍ଦଙ୍କଦ୍ୱାରା ବିଶେଷ ସମାଦୃତ ହେଉଥିବାରୁ ମୁଁ ସାହସୀ ହୋଇ ଏ ପୁସ୍ତକ ଖଣ୍ଡିକ ପ୍ରକାଶ କଲି । ପୁସ୍ତକାନ୍ତର୍ଗତ ଅନେକଗୁଡ଼ିଏ ପଦ୍ୟ ଉତ୍କଳ ସାହିତ୍ୟ, ମୁକୁର, ପ୍ରଦୀପ ଇତ୍ୟାଦି ପତ୍ରିକାମାନଙ୍କରେ ସମ୍ପାଦକମାନଙ୍କର ଆନୁକୁଲ୍ୟବଶତଃ ସ୍ଥାନ ପାଇ ବିଭିନ୍ନ ପତ୍ରକାମାନଙ୍କରେ ଏକାଧିକ ଥର ସମାଲୋଚିତ ଓ ପ୍ରଶଂସିତ ହୋଇଅଛି । ।

ପୁସ୍ତକଟିର ଚାରୋଟି ଅଧ୍ୟାୟ - 'ବିଲ୍ୱଦଳ, 'ଦୂର୍ବାଦଳ’, ‘ଚମ୍ପାଦଳ’, ‘ଶତଦଳ’ରେ ବିଭିନ୍ନ ବିଷୟକ ପଦ୍ୟମାନ ସନ୍ନିବିଷ୍ଟ କରି ଅର୍ଚ୍ଚନା ନାମରେ ପ୍ରକାଶ କଲି । ସହୃଦୟ ପାଠକପାଠିକାମାନେ ଦୟାବହି ଥରେ ଆମୂଳ ପାଠକଲେ ମୋହର ସମସ୍ତ ଶ୍ରମ ସାର୍ଥକ ଜ୍ଞାନ କରିବି ।

ପୂଜନୀୟ ଶ୍ରୀଯୁକ୍ତ ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ବି.ଏଲ୍., ଓ. ବି.ଇ. ମହୋଦୟଙ୍କର ଚେଷ୍ଟା ଓ ଯତ୍ନଦ୍ଵାରା ଏଥର କେତେକ କବିତା ସ୍ଵର, ତାଳ ସଂଯୁକ୍ତ ହୋଇଥିବାରୁ ମୁଁ ତାଙ୍କ ନିକଟରେ କୃତଜ୍ଞତା ସ୍ୱୀକାର କରୁଅଛି ।

କଟକ

ବନୀତା

ତା୮ରିଖ ଫେବୃଏରୀ, ୧୯୨୬ ମସିହା

ପ୍ରଣେତ୍ରୀ

 

 

ସୂଚୀପତ୍ର

 

୧.

ବିଲ୍ୱଦଳ

୨.

ଦୁର୍ବାଦଳ

୩.

ଚମ୍ପାଦଳ

୪.

ଶତଦଳ

 

ପ୍ରାର୍ଥନା

 

କାହୁଁ ପାଇବି ସେ ମୋହିନୀ,

କି ଘେନି ମୋହିବି ମେଦିନୀ ?

କାହୁଁ ପାଇବି ସେ ଅମୃତ ଭାଷା,

କିଏ ପୂରାଇବ ମୋ’ ଦୀନ ଆଶା,

ଝରିବ ଝର୍ଝର ସଙ୍ଗୀତ ନିର୍ଝର,

ଆକୁଳି ସକଳ ଅବନୀ ?

ନୀରବ ନିରାଶ ଲେଖନୀ –

ଅୟସ ମୂଳେ ମୋ’ ନାହିଁ ସେ ଗୀତ,

ଶୁଣି ତା’ ଜଗତ ହେବ ମୋହିତ,

ତବ ଶ୍ରୀ-ଚରଣ-କରୁଣା-ଝରଣା-

କୃପା-କଣାଟିକ କାମନା,

ନ ହେବି ଯେସନେ ବିମନା,

ଶୁଣାନାହିଁ କାହିଁ ଊଣା ଦୟାପଣ,

ତେଣୁ ଜଣାଏ ଏ ପ୍ରାର୍ଥନା

 

କବିବର ୰ ରାଧାନାଥ

ରାୟ ବାହାଦୂରଙ୍କ ଉଦ୍ଦେଶେ

 

(୧)

କ୍ଷୁଦ୍ର ମୁହିଁ, ଦୀନ ମୁହିଁ, ଦେବ ଅରଚନେ

କି ଘେନି ଆସିବି ଭାଳେ, ବିଷାଦିତ ମନେ ।

କେ କେତେ ମୁକୁତାମାଳା, ହୀରକ ହିରଣ୍ୟ

ଅଜାଡ଼ି ପୂଜିଲେ ପଦପଙ୍କଜ ବରେଣ୍ୟ ।

ଉତ୍କଳର କବିବର ! ସାହିତ୍ୟସମ୍ରାଟ !

ସାହିତ୍ୟ ମନ୍ଦିରେ ଯୁଗେ ଯୁଗେ ଥିବ ଥାଟ ।

ଯୁଗେ ଯୁଗେ ଧୂପ ଧୂନା ସରି ଭକ୍ତିଭରେ

ପୂଜିବେ ଉତ୍କଳୀ କବିବରଙ୍କ ଆଦରେ ।

ଉତ୍କଳ, ଉତ୍କଳ ବୋଲି କେ ଚିହ୍ନନ୍ତା କାହିଁ,

ଅମର ତୂଳିକା ଯଦି ନ ଥା’ନ୍ତା ରଙ୍ଗାଇ ।

ଆମରି ଜନନୀ-ରାଣୀ ଆଲେଖ୍ୟ ଅମୂଲ୍ୟ,

ତିଲୋତ୍ତମା ମନୋରମା, ଅପୂର୍ବ, ଅତୁଲ୍ୟ ।

ବିଚିତ୍ର ବିବିଧ ବର୍ଣ୍ଣେ ପୂର୍ଣ୍ଣ ପ୍ରତି ପତ୍ର,

କବିତା କି କାରୁକଳା, ଅବା ଶୋଭା ଛତ୍ର,

କୁବେର-ଭଣ୍ଡାର-ଶିରୀ-ମାଣିକ୍ୟ ମଞ୍ଜୁଷା,

ନନ୍ଦନ-ମନ୍ଦାରମାଳା-ମଞ୍ଜୁ ପୁଷ୍ପଭୂଷା ।

ଉତ୍କଳ ଭାରତୀ ପୂତ ଭବନ ଶୋଭନ

ଅମର କବିତା-କୁଞ୍ଜ ଲୀଳା ଉପବନ ।

ଶାରଳା ଶ୍ରୀକର-ବୀଣା-ଲଳିତ ରାଗିଣୀ

କଳ-କୋକିଳ କଳିଙ୍ଗ-କାନନ-ଖଞ୍ଜଣୀ

(୨)

ଚିଲିକା, ମହେନ୍ଦ୍ର, ମାଲ୍ୟଗିରି, ମେଘାସନ

ତବ ପ୍ରଭାତେ ଲଭିଲେ ଗୌରବ ଆସନ ।

ଉତ୍କଳର ଗିରି, ଦରୀ, ନଦୀ, ନିର୍ଝରିଣୀ,

ଦଣ୍ଡ, ପାଟ, ବନ, ବିଲ, ହ୍ରଦ, ପୁଷ୍କରିଣୀ

ଚିହ୍ନିଲେ ସରବେ ତବ କବିତା ପ୍ରସାଦେ,

ପୂର୍ବପୁରୁଷର କୀର୍ତ୍ତୀ ସ୍ମରିଲେ ଆହ୍ଲାଦେ ।

ଶତତୀର୍ଥ ପୂଣ୍ୟପୀଠ ମନ୍ଦିରଦେହଳୀ

ଅଙ୍କିତ ଆଲେଖ୍ୟ ସରି ନବରଙ୍ଗେ ଝଳି,

ଯା’ ଘେନି ଉତ୍କଳ ଗର୍ବ ଗୌରବ ଜଗତେ,

କହ ହେ ଚିତ୍ରିଛି ଦେବ ! ସୁନ୍ଦର ଏମନ୍ତେ ?

ଉତ୍କଳର କାଳିଦାସ ! କବିକୁଳମଣି !

ଶୋଷିତେ ସ୍ପନ୍ଦିତ ଯେତେ ଉତ୍କଳ ଧମନୀ,

ଯେତେ ଦେହ ଧରେ ପୂତ ଉତ୍କଳ ଅନ୍ତର,

ସରବେ ପୂଜିବେ ପାଦ ଯୁଗଯୁଗାନ୍ତର ।

(୩)

ଉତ୍କଳର ରାଧାନାଥ, କବି-କୀର୍ତ୍ତିମାନ,

ସ୍ୱଦେଶେ ବିଦେଶେ ଚିରପୂଜିତ ମହାନ !

କିପରି ଭରସି ତବ ସିଂହାସନ କତି

ଆଣିବି ମୋ’ ଉପହାର ତୁଚ୍ଛ ବେଲପତ୍ରି ?

ମାଣିକ୍ୟ ରତନ ଯହିଁ ଶୋଭଇ ଯତନେ

କ୍ଷୁଦ୍ର ‘ବିଲ୍ୱଦଳ’ ତହିଁ ଦେବି ମୁଁ କେସନେ ?

ଏତିକି ଭରସା ମହାଦେବ ପୂଜା ଯହିଁ

କବିକୁଳ-ଦେବ ପୂଜା ଯୋଗ୍ୟ କି ନୁହଇ !

ଅଯୋଗ୍ୟ ହେଲେ ହେଁ ଲଭି ଶ୍ରୀପାଦ ପରଶ

ବିରାଜିବ ଚିରଦିନ ସୁନ୍ଦର ସରସ ।

ଢାଳିଦିଅ କୃପାବିନ୍ଦୁ ବସି ଦେବାସନେ,

କବିତାଶାମୁକା ଶୋଭୁ ମୁକୁତାରତନେ ।

ପଙ୍କିଳ ସଲିଳେ ପଦ୍ମ ପିଇ ରବିକର

ପୀୟୁଷ ସୁହାସେ ମୋହ ଯଥା ଚରାଚର,

ଉଚ୍ଚ ଚରଣ ଶରଣେ ନୀଚ କ୍ଷୁଦ୍ର ମମ

ସୁଦୀନ ଲେଖନୀ ଦିନେ ହେବ ସୁଧାସମ ।

ତା ୦୮।୦୨।୨୬                                     ଗୁଣମୁଗ୍‌ଧା କୁନ୍ତଳାକୁମାରୀ

 

ନବବର୍ଷ -୧୯୩୧

 

(୧)

ସ୍ୱାଗତ!

ସ୍ୱାଗତ! ସ୍ୱାଗତ ! ନବବର୍ଷ ଏ ଭୁବନେ

ତବ ସ୍ନେହ ସମ୍ଭାଷଣ ବୈଶାଖ ପ୍ରଥମେ !

ଡାକଇ ସିନ୍ଦୂରମୁଣ୍ଡି ସ୍ୱାଗତ ! ସ୍ୱାଗତ !

କାକ, କୋଳିକ, ମଇନା, ହଳଦୀବସନ୍ତ;

ଘନ କଲ୍ଲବିତ ଡାଳେ,

ଚମ୍ପା-ଦୂତ ଅନ୍ତରାଳେ,

ଘନସ ପୁନାଙ୍ଗ ବନେ, ବଟ ବିଟପିରେ,

କମ୍ପିତ ପଲ୍ଲବ ତରଙ୍ଗି କଳଗିରେ ।

 

(୨)

ସ୍ୱାଗତ ! ସ୍ୱାଗତ ! ନବବର୍ଷ ଏ ଭୁବନେ

ଦରିଦ୍ର କୁଟୀରେ ରମ୍ୟରାଜେନ୍ଦ୍ର ସଦନେ,

କାହିଁ ଷୋଡ଼ଶୋପଚାର,

କାହିଁ ତୁଚ୍ଛା ଅଶ୍ରୁସାର,

କାହିଁ ହରଷି-ହିଲ୍ଲୋଳେ ସୁହାସ ଲହରେ,

କାହିଁ ଅର୍ଦ୍ଧ ଅନଶନେ ଛିନ୍ନ ବସନରେ,

କାହିଁ ଉତ୍ସବ ଆମୋଦ ମଧୁର ବାଜଣା,
କାହିଁ ଗଭୀର ବିଷାଦ କରୁଣ କାନ୍ଦଣା ।

ପ୍ରାଣଭେଦୀ ଦୀର୍ଘଶ୍ୱାସ,

କାହିଁ ପୂର୍ଣ୍ଣ ପ୍ରେମୋଚ୍ଛ୍ୱାସ,

ଯୁଗଳ ମିଳନେ ଶୁଭ, ନିଷ୍ଠୁର ବିରହେ,

ମିତ୍ର ଆଲିଙ୍ଗନେ ଅବା ଅମିତ୍ର କଳହେ ।

 

(୩)

ସ୍ୱାଗତ ! ସ୍ୱାଗତ ! ନବବର୍ଷ ଏ ଭୁବନେ

ତବ ସ୍ନେହ ସମ୍ଭାଷଣ ବୈଶାଖ ପ୍ରଥମେ,

ଅବହିତ ଅବନୀ କି ତପସ୍ୟା ସାଧନେ

ପାଳିବ ପ୍ରତିଜ୍ଞା କ୍ଳେଶ ଅସହ୍ୟ ସହନେ ।

ରୁକ୍ଷବକ୍ଷ ହେବ ଧରା,

ଦହିବ ପ୍ରଚଣ୍ଡ ଖରା,

ନାଶିବ କଳୁଷରାଶି ସାରା ବରଷର;

ଆଦ୍ୟ ମନ୍ତ୍ର ତପସ୍ୟା କି ନିବୃତ୍ତି ପଥର !

 

(୪)

ସ୍ୱାଗତ ! ସ୍ୱାଗତ ! ନବବର୍ଷ ଏ ଭୁବନେ

ବାର୍ଷିକ ଅତିଥି ମମ ଦୀନ ନିକେତନେ;

କିବାଦେବି ଉପହାର,

ନାହିଁ ଷୋଳ ଉପଚାର,

ଦେବି ମାତ୍ର ଯା’ ସୁଲଭ ଉତ୍କଳଭୁବନେ,

କୁଟୀରେ, ପ୍ରାସାଦେ, ଗିରି, ବନେ, ଉପବନେ,

ହେଉ ସରସ, ନାରସ, ନାହିଁ କ୍ଷୋଭ ତହିଁ,

ମୋ ଜନମଭୂମି ଦ୍ରବ୍ୟେ ମୁଁ ସ୍ନେହ ବହଇ;

ତହୁଁ ବଳି ପ୍ରିୟତର,

ସୁପବିତ୍ର ମନୋହର,

ନାହିଁ କିଛି ତ୍ରିସଂସାରେ ମୋ’ ଆଖି ଆଗରେ,

ତା’ ବିନା କି ଦେବି ତବ ପଙ୍କଜ ପୟରେ ?

 

(୫)

ଓଡ଼ିଶାର ଘରେ ଘରେ ଆଜି ସେ ଆନନ୍ଦ

ସେ ଶୁଭ ଆନନ୍ଦେ ତବ ବନ୍ଦିବି ଶ୍ରୀପଦ,

ପକ୍ୱ ଶ୍ରୀଫଳ ରସାଳେ,

ପ୍ରଫୁଲ୍ଲ ମଲ୍ଲିକାମାଳେ,

ତରାଟ, ତୁଳସୀଦଳେ, କରବୀରହାରେ,

ପାଟଳୀ, କାମିନୀ, କାଠରଙ୍ଗଣୀ, ମନ୍ଦାରେ ।

 

(୬)

ପବିତ୍ର ଚଉରାମୂଳେ ପଲ୍ଲୀ-ବାଳାକୂଳ

ସଜାଡ଼ିଦେଲେଣି ଆର୍ଦ୍ରଆତପ ତଣ୍ଡୁଳ,

ପେଡ଼ିରେ ଚନ୍ଦନ ଘଷି,

ଥାଳୀରେ ଦେଲେ ପରଷି

ନୈବେଦ୍ୟ ମଧୁର ଶକ୍ତୁ ଶର୍କରା ମିଶ୍ରିତ

ଧୂପପାତ୍ରେ ଧୂମ ଧୂନାଗନ୍ଧେ ସୁରଭିତ ।

ବାଳକ ବାଳିକା ମହା ହରଷେ ମୋହିତ,

ଅଙ୍ଗ ସୁଗନ୍ଧିତ ଚାରୁ ଚନ୍ଦନଚର୍ଚ୍ଚିତ,

ପିଇ ବେଲପଣା ସୁଖେ,

ବୁଲନ୍ତି ପବନ ମୁଖେ,

ଶୁଭ୍ର ମଲ୍ଲୀମାଳ ଗଳେ ମୃଦୁ ଆନ୍ଦୋଳିତ,

ହସିତ ବଦନେ ପୂର୍ଣ୍ଣ ଚନ୍ଦ୍ରମା ବିମ୍ୱିତ ।

 

(୭)

ମଧୁର ମୁରଲୀ ତାନେ ଦୂରେ ଧେନୁଦଳ

ଆଶ୍ରିଲେଣି ଦ୍ୱିପହରେ ଗ୍ରାମ ବଟତଳ,

ଗୋପବାଳକ ହରଷେ,

ସଙ୍ଗୀ ସଙ୍ଗେ ଖେଳି ବସେ,

କେ ଶିଶୁ ବୁଲଇ ସୁଖେ ପ୍ରଜାପତି ଧରି,

କେ ଉଚ୍ଚେ ତୋଳଇ ସୁଧା-ସୁସ୍ୱର ଲହରୀ ।

 

(୮)

ସ୍ୱାଗତ ! ସ୍ୱାଗତ ! ନବବର୍ଷ ଏ ଭୁବନେ

ତବ ସ୍ନେହ ସମ୍ଭାଷଣ ବୈଶାଖ ପ୍ରଥମେ;

ସ୍ନେହ କହିବି କିପରି

ଆକୁଳ ପିପାସା ଧରି,

କଣ୍ଠାଗ୍ରତ ପ୍ରାଣ ମୋର ତପ୍ତ ଝଞ୍ଜା ବାୟୁ

ଦିଗନ୍ତେ ସଞ୍ଚରି ପରା ହରିନିଏ ଆୟୁ ।

ମାଡ଼ି ମାଡ଼ି ଆସେ ଖରା, ଦିନ ଯାଏ ବଢ଼ି,

ଧୂଳି ଉଡ଼ି ପୂର୍ଣ୍ଣ ଦାଣ୍ଡ, ଶୁଖେ ଫୁଲକଢ଼ି

ଶୁଷ୍କ ଆଜି ଝର, ସର,

କୁଶ ନଦୀ କଳେବର,

ଘନ ଘର୍ମ୍ମବାରି ଝରି ବିକଳ ଶରୀର,

‘ଜଳ ଜଳ’ କହି ପ୍ରାଣୀ ଆକୁଳ ଅଧୀର ।

 

(୯)

ଉର୍ଦ୍ଧ୍ୱଶ୍ୱାସେ ମହିଷୀଏ ଧାଇଁଲେ ତ୍ୱରିତ,

ବନାନ୍ତ ବାପୀରେ ବପୁ ବୁଡ଼ିଲା ସ୍ୱେଦିତ,

ସତେ ଖଣ୍ଡେ ମେଘଦଳ

ଘୋଡ଼ାଇଲା ନୀଳ ଜଳ!

କାଳ ବଇଶାଖ ନଭେ ଆସିଲା ଗରଜି,

ଅଜାଡ଼ିଲା ଶିଳାବୃଷ୍ଟି ଆତଙ୍କ ସରଜି;

ଧାଉଁ ଧାଉଁ ଖରତର

ପଥଶ୍ରାନ୍ତ ଆର୍ତ୍ତ ନର

ଘନ ଅଶ୍ୱତ୍‌ଥମୂଳେ ସେ ବସଇ କାତରେ,

ହସଇ ପ୍ରକୃତିରାଣୀ ପୁଣି କ୍ଷଣପରେ ।

 

(୧୦)

ହସଇ ହରତ କୁଞ୍ଜ ଶଗଡ଼ବାଟୁଆ,

ଚଷା ଚଷିଲାଣି ଭୂଇଁ ଭାଳି ଧାନରୁଆ,

ବରଷିଲା ପିତ୍ତପାଣି

ଧାନବୁଣା ମନ ଜାଣି-

ଝିଁ ଝିଁ ନାଦେ ନିନାଦିତ କ୍ଷେତ୍ର, ବନଭୂମି,

ଉଡ଼ଇ ଖଣ୍ଡିଆଭୂତ ଭୈରବେ ନିଃସ୍ୱନି ।

ଗଗନ ପବନ ଗ୍ରାସି

ଉଡ଼େ ଧୂଳି ରାଶି ରାଶି,

ଝଡ଼ିପଡ଼େ ଶୁଷ୍କ ପତ୍ର, କୁସୁମ ମଞ୍ଜରୀ,

କର୍ଷିତ ମୃତ୍ତିକା ଗନ୍ଧ ସମୀରେ ସଞ୍ଚରି ।

 

(୧୧)

ଫଳଭାରେ ନତଲଙ୍କା ଆମ୍ୱ, ଜନ୍ଦାଖାଇ,

କେହୁ ପଲ୍ଲବ ପଙ୍କଜ ରଖିଛି ଫୁଟାଇ,

ଗଇଶ, ଶିରୀଷ ଶୋଭା,

କ୍ଷୀରକୋଳି ମନୋଲୋଭା

ବଟ ସୁଶୋଭିତ ରଙ୍ଗ ଫଳ ମଣିମାନେ,

ପୀତ ପକ୍ୱଫଳ ଗୁନ୍ଥା ନରକୋଳି ଡାଳେ !

ନିମ୍ୱ, କପିତ୍‌ଥ, ତେନ୍ତୁଳି

ଫଳ, ପେନ୍ଥା ପଡ଼େ ଝୁରି

ଶୋଭାଞ୍ଜନ, ସ୍ୱର୍ଣ୍ଣରମା ମାନସଭଞ୍ଜନ,

ସଜାଡ଼ିଛି ନଦୀପଠା ଗୃହସ୍ଥ ବ୍ୟଞ୍ଜନ ।

 

(୧୨)

ସ୍ୱାଗତ ! ସ୍ୱାଗତ ! ନବବର୍ଷ ଏ ଭୁବନେ

ତବ ସ୍ନେହାସମ୍ଭାଷଣ ବୈଶାଖ ପ୍ରଥମେ,

ସ୍ନେହ କି ଦୁଃଖର ସାଥି,

ବଢ଼େ ଦିନ, ଚଢ଼େ ରାତି,

ବେଳୁଁ ବେଳୁଁ ସୂର୍ଯ୍ୟକର ହେଲାଣି ପ୍ରଖର,

ଘୋର ସନ୍ତାପ ସୂଚନା ଦେଲାଣି ଏଥର ।

ଜଳି ଉଠିଲାଣିଦାବ ଦହନ ଗହନେ,

କାତର ପଶୁଏ ଆଶୁ ପ୍ରାଣ ବିସର୍ଜ୍ଜନେ;

ପାଟ ପଲ୍ୱଳେ ଶିକାରୀ,

ପ୍ରାଣ ହରେ ଶର ମାରି,

ତୃଷା-କାତର କୁରଙ୍ଗ କୋମଳ ଶାବକ,

ଧୁକ ତୁ ମାନବ ଗର୍ବ ଧରଣୀ ଶାସକ ।

 

(୧୩)

ଜଳେ ବେଣାବନେ ବହ୍ନି କରାଳ ମୂରତି,

ପୂର୍ଣ୍ଣତୋୟା ପୟସ୍ୱିନୀ କରେ ତଳେ ଗତି,

ବକ୍ଷେ ତା’ କରୁଣାବାରି

ନ ପାରେ କ୍ଷଣେ ନିବାରି,

ମରମ ବିଦାରି ଭୀମ ମରଣ ଯାତନା,

ଦଗଧ ସହସ୍ର ଜୀବ କ୍ରୁର କର୍କଥନା ।

ଉଠେ ଘୋର ହାହାକାର,

କମ୍ପେ ନଭୋ ଦିଗ୍‌ବାର ;

ପବନ ପରଶେ ଅଗ୍ନି ବଢ଼େ ଶତଶିଖା,

ଅବନୀର ଏ କି ଦୁଃଖ ଭୀଷଣ ପରୀକ୍ଷା ?

 

(୧୪)

ଲୋଳଜିହ୍ୱା ଶ୍ୱାନକୁଳ ଗ୍ରାମ ବୃକ୍ଷମୂଳେ

‘ଜଳ ଦେ ଜଳ ଦେ’ ଡାକେ ଚାତକ ଆକୁଳେ,

ବୃକ୍ଷରୁ ଝିଡ଼ି ବାଦୁଡ଼ି

ସ୍ରୋତଜଳେ ମରେ ବୁଡ଼ି,

ଶୁଖେ ଶ୍ୟାମ ଦୁର୍ବାଦଳ, ଫାଟଇ ଟାଙ୍ଗର,

ପ୍ରାଣସଂହାରୀ ନିଦାଘ କିବା ଭୟଙ୍କର !

 

(୧୫)

ସ୍ୱାଗତ ! ସ୍ୱାଗତ ! ବନ୍ଧୁ କହିବି କିପରି

ଆସିଲୁ କି କ୍ଷଣେ ରୁଦ୍ର ରୌଦ୍ର ସଙ୍ଗେ ଧରି,

ଚିର ସଙ୍ଗୀମାନବର ଦୁଃଖ କି ଜୀବନେ,

ଦୁଃଖ ବିନା ସୁଖ କାହିଁ କହୁ କି ମଉନେ,

ଶତ୍ରୁର ଚୁମ୍ୱନ ବିଷ,

ମିତ୍ର ପ୍ରହାର ଆଶିଷ,

କ୍ଳେଶ ଶେଷେ ସୁଖରାଶି ଉଦୟ ନିଶ୍ଚୟ,

ଦାରୁଣ ନିଦାଘ ଅନ୍ତେ ବରଷା ସମୟ ।

 

(୧୬)

ବରଷା ଆଶାରେ ବସି ରହିଛି ଧରଣୀ,

ବିଭୁ-କରୁଣା- ଆସାର ମୋ ଦୀନ ମାଗୁଣି;

ନିଦାଘ ତପତ ଖରା

ନୀରବେ ସହିଣ ଧରା

ହସିବ ଶ୍ୟାମଳ-ସୁଖେ ବରଷା ବାସରେ,

ଶୀତଳିବ ଆତ୍ମା ମୋର ପ୍ରଭୁ ପ୍ରସାଦରେ ।

ଏ ଜୀବନ ଖରା ଶେଷେ

ଆନନ୍ଦ ମଧୁର ଦେଶେ

ସ୍ନେହ ମୋହନ ସୁବେଶେ ଶୋଭିବି ସୁନ୍ଦର,

ଲଭିବି କି ପୁରସ୍କାର ଚରଣ-ପୁଷ୍କର !

 

ଉତ୍କଳ ବନ୍ଦନା

 

କୋଟି କୀର୍ତ୍ତି ମୁକ୍ତାମାଳିନୀ,

କାନ୍ତି କମଳା କଳାକୁଶଳା ଶାନ୍ତିଶାଳିନୀ । ଧ୍ରୁବ ।

 

(୧)

କୋଟିସୁତ ସ୍ନେହଶୀଳା,

କୋଟିତୀର୍ଥ ସ୍ୱର୍ଗ ଲୀଳା-

ରତ୍ନହାରା ଚ୍ରିତ୍ରୋତ୍ପଳା,

ସିନ୍ଧୁ ଧୌତ ପୁଣ୍ୟବେଳା

ନୀଳାଚଳ-ଚିଲିକା-ପ୍ଳାବିନୀ-

ଶକ୍ତି, ମୁକ୍ତି, ଭକ୍ତିଦାନେ ଭକ୍ତପାଳିନୀ ।

 

(୨)

ତାଳ-ତମାଳ-ତାଳୀନୀଳା,

ଶତ ତଟିନୀ ପୂତ ସଲିକା,

କାବ୍ୟକୁଞ୍ଜ-କଳକୋକିଳା,

ପୂଜିତ ପାଦ, ଭଞ୍ଜ, ଶାରଳା,

ଶୁଭଗୀତ-ସୁଧା-ସ୍ୟନ୍ଦିନୀ,

ବିଶ୍ୱଚନ୍ଦନ, ଚିତ୍ତମୋହନ, ନୟନ ହ୍ଲାଦିନୀ ।

 

(୩)

ବିଶାଳ ଶୈଳ ବିପିନ ମାଳୀ,

କେଦାର କାନ୍ତ ପକ୍ୱଶାଳୀ,

କାନନ ଫୁଲ୍ଲ ପ୍ରସୂନାଞ୍ଜଳି,

ପୂର୍ଣ୍ଣ ପକ୍ଷୀ କଳ କାକଳି,

ରତ୍ନ ଜ୍ୟୋତି ଉଜ୍ଜଳାନନୀ,

ଚୁଆ ଚନ୍ଦନ କର୍ପୂର ମୃଗମଦ ମୋହିନୀ ।

 

(୪)

ଅନଙ୍ଗ, ଯଯାତି, ଐର ଜନନୀ,

ବୀର ରୁଧିର ସିକ୍ତ ଅବନୀ,

ବିଦ୍ୟାଧର୍ମ ମୋକ୍ଷ ମେଦିନୀ,

ଶୁଦ୍ର ବ୍ରାହ୍ମଣେ ସାମ୍ୟ ବାଦିନୀ,

ଜାତିଭେଦ-ବନ୍ଧ ଭଞ୍ଜିନୀ,

ନିଖିଳ ଭାରତ ଭକତ-ଚରଣରେଣୁ ରଞ୍ଜିନୀ ।

 

(୫)

ଜୟ, ଜୟ, ବୀର ବରଣ୍ୟେ !

ଜୟ ଭକତ ଚିତ୍ତ-ଶରଣ୍ୟେ !

ଜୟ ଧନ୍ୟେ ! ଜୟ ପୁଣ୍ୟେ !

କୋଟି ସନ୍ତାନ ଅନ୍ନପୂର୍ଣ୍ଣେ!

ସର୍ବଶୁଭଶାନ୍ତି ଦାୟିନୀ,

ଚିତ୍ତେ କାମନା କଳିତ ଲଳିତ ଚରଣମାଳିନୀ ।

 

କି ଗୀତ ଗାଇବି, କା’ ଚିତ୍ତ ମୋହିବି

ଆଜି ଏ ବିଜନେ ବସି,

ସ୍ତବ୍‌ଧ ରୁଦ୍ଧ କଣ୍ଠ ଜଡ଼ ମୋ ରସନା,

ସ୍ୱର ବିସୋରିଛି ବଂଶୀ । ଧ୍ରୁ-

ମରମେ ମର୍ମ୍ମରି ଉଠେ ତୀବ୍ର ବ୍ୟଥା,

ଲାଜ ନତ ଶିର ସ୍ମରି ଶତ କଥା,

ଭାଇ ଭାଇ ଯହିଁ ଛିନ୍ନଭିନ୍ନ ରହି

ବୋଳିଛୁଁ କଳିଙ୍ଗ ନାମେ ଘନ ମସୀ ।୧।

 

ନାହିଁ ପୂର୍ବ ତେଜ ଗରିମା, ମହିମା,

ଘେରିଛି ସରବେ ଅମାର କାଳିମା,

ଅଶ୍ରୁ କାତର ଆଖିପତା ଭାର

କାନ୍ଦୁଛୁ କବାଟ କୋଣେ ଲୁଚିବସି ।୨।

 

ନ ବିଳସେ ଆଉ ଓଡ଼ିଆର ତରୀ

ଘନ ନୀଳ ନୀର ଚିଲିକା ଲହରୀ,

ଧଳା ପାଲ ତୋଳି ନ ଖେଳେ ସେ ଦୋଳି

ନ ଆଣେ ରତନ ପାରାବାରେ ପଶି ।୩।

 

ଜାଭା, ବାଲି, ଲଙ୍କା, ବୋର୍ଣ୍ଣିଓ ବିଜୟ

ଭୁଲି ତ ଗଲାଣି ଓଡ଼ିଆତନୟ,

ହର୍ଷ ହୁଳହୁଳି ବନ୍ଦାପନା ଥାଳୀ

ନ ଦିଏ ସାଧବବୋହୂ ପରଷି ।୪।

 

ଆଜି ଏ ଶ୍ମଶାନ ଶ୍ୱାନ ଶିବା ସ୍ଥାନ,

ନାହିଁ ଦେଶପ୍ରେମ, ଆତ୍ମବଳୀଦାନ,

ବିଫଳ ରୋଦନ, ବିଫଳ ଜୀବନ

କି ଗୀତ ଗାଇବି ତହିଁ ଉଲ୍ଲସି ? ୫।

 

ଦେଖ ବିଶ୍ୱ ଆସ ଆହ୍ୱାନେ ଦ୍ୱାରେ

ରୁଦ୍ର ଗମ୍ଭୀର ବିଶାଳ ମୂର୍ତ୍ତି !

ଉଠ ହେ ଉତ୍କଳ, ଉଠ ହେ ଉତ୍କଳ,

ଜାଗୁ ଜୀବନେ ନବୀନ ସ୍ଫୁର୍ତ୍ତି!

ବାଜେ ଘନ ଘନ ଶୃଙ୍ଗ ବେଣୁ,

ଚମକେ ସ୍ୱନେ ଧରଣୀ-ରେଣୁ,

ପବନେ ପର୍ବତେ, ସମୁଦ୍ର ସୈକତେ

ଶୁଭଇ ସଙ୍ଗୀତ ବୀରେନ୍ଦ୍ର କୀର୍ତ୍ତି ।

 

ନଦୀ ନୀଳଜଳ ଲହରୀମାଳେ

ନାଚେ ନବୋତ୍ସାହ ତାଳେ ତାଳେ,

ତୀର-ତରୁ-ଶ୍ରେଣୀ କୁସୁମ ବେଣୀ

ସଞ୍ଚରେ ସୌରଭେ ବିଶ୍ୱ-ପ୍ରୀତି।

ଜଡ଼ତା ଆଳସ୍ୟ ଫିଙ୍ଗ ହେ ଦୂରେ,

ଉଠ ହେ କର୍ମ୍ମୀ, ଉଠ ହେ ଶୂରେ !

ଦେଖ ଅଦୂରେ ଆକାଶ-ବକ୍ଷେ

ଉଜ୍ଜ୍ୱଳ ତବ ଅତୀତ ସ୍ମୃତି ।

ଉଠ ଉଠ ଉତ୍କଳ ! ଜାଗୁ ଜୀବନେ

ନବୀନ ଆନନ୍ଦ, ନବୀନ ଧୃତି

 

ଇମନ୍‌ ପୁରବୀ – ଏକତାଲା

 

ବନ୍ଦି ମାତା ପୟରେ

ଆସ ଭାଇଭଗ୍ନୀ ହୋଇ ଏକ ପ୍ରାଣ,

ଭୁଲ ହିନ୍ଦୁ ଜୈନ ବୌଦ୍ଧ ମୁସଲମାନ,

ଭାରତସନ୍ତାନ ନୋହୁ ଭିନ୍ନ, ଭିନ୍ନ,

ମା ଦୁଃଖିନୀ ତବ ଏ କରେ ।୧।

 

ଏକ ଦେଶେ ବାସ, ଏକ ସ୍ୱାର୍ଥେ ଆଶ,

ଏକ ପ୍ରେମଭକ୍ତି, କରମବିଶ୍ୱାସ,

ଏକ ସୁଖ ଦୁଃଖ, ଏକ ଶାନ୍ତି ମୋକ୍ଷ

ମା ଦୁଃଖିନୀ ତବ ଏକ ରେ ।୨।

 

ନୀଚ ସ୍ୱାର୍ଥେ କିପାଁ ଦଳି ଭାଇ-ପ୍ରାଣ

କ୍ଷୁଣ୍ଣ କର ତବ ଜନନୀ ସମ୍ମାନ,

କର କଳୁଷିତ ଭାଇର ଶୋଣିତେ,

ମା ଦୁଃଖିନୀ ତବ ଏକ ରେ ।୩।

 

ଏକତା ମଙ୍ଗଳମନ୍ତ୍ର ଭଜେ ଗାଇ

କୋଳେ ଘେନାଘେନି କର ଭାଇ ଭାଇ,

କେ ମିତ୍ର ଅମିତ୍ର, ଏ ଭୂମି ପବିତ୍ର,

ତ୍ରିଂଶ କୋଟି ପରା ଏକ ରେ ।୪ ।

 

ଭୈରବୀ କୱାଲି

 

ଜୟ ହେ ଉତ୍କଳରାଣୀ (ମା !)

ବୀରକେଶରୀ – ଶ୍ରେଣୀ-ଲୀଳା- ବନଭୂମି,

କରାଳ-କୃପାଣ-ପାଣି ।

ଯୁଗେ ଯୁଗେ ତୁ ପରମ ତୀର୍ଥ,

ଭକତ ମନୋରଥ-ବିଧାୟିନୀ ମନୋହାରୀ,

ନୀଳ ଊର୍ମି ଚୁମ୍ୱେ ଚରଣତଳ,

ତୋ ନୀଳାଚଳେ ଆସୀନ ଚକ୍ରଧାରୀ ।

 

କନକକିରୀଟ ଭାରତଭୂମି –

କାନ୍ତି ରତନ ମା ଗୋ !

ଗଙ୍ଗା, ଗୋଦାବରୀ ତୋ’ ବସନ ଅଞ୍ଚଳ,

ମହାନଦୀ ମୁକୁତାମାଳି ।

ପ୍ରେମ-ସୁବିଶାଳ କରୁଣାକୋମଳ କୋଳେ

ଧରିଛୁ କୋଟି କୋଟି ପ୍ରାଣୀ,

ଅମୃତ ସ୍ତନ ଦାନେ ପାଳିଛୁ, ସନ୍ତାନେ,

କେତେ କବି, ବୀର, ଗୁଣୀ, ଜ୍ଞାନୀ

 

କର୍ମ ମୋହର ପ୍ରେମମନ୍ତ୍ର

ମର୍ମ ମୋ’ ଧର୍ମ ଦୀକ୍ଷା;

କର୍ମ ଲକ୍ଷ, କର୍ମ ମୋକ୍ଷ,

କର୍ମ ପରମ ଶିକ୍ଷା ।

ବସିବି ହରଷେ ଦୀନ ଦୁଆରେ,

କାନ୍ଦିବି ତା’ ଦୁଃଖ ଘନ ଅନ୍ଧାରେ,

ଢାଳିବି ପ୍ରାଣ ବିଶ୍ୱସେବାରେ,

ଆସୁ ବିପଦ ପରୀକ୍ଷା,

ପର ଲାଗି ମୋର ଜୀବନ ଦେବାର

ନିତ୍ୟ କରିବି ଶିକ୍ଷା;

ଭିକାରୀ ବେଶେ ମୁଁ ବିଶ୍ୱ ବଜାରେ

ମାଗିବି ଆନର ଭିକ୍ଷା ।

ଆନେ ଦାନେ ମେର ପରମ ତୃପ୍ତି,

ଆନ ଆନନ୍ଦେ ମୁଁ ଲଭିବି ଶାନ୍ତି,

ଆନର ବନ୍ଧନ ମୋଚନ ମୋହରି

ଚିରବାଞ୍ଚିତ ମୁକ୍ତି ।

 

ଭାରତ ! ଭାରତ ! କିପାଁ ହୋଇଲୁ ଦୀନ,

ଛଅକୋଟି ମାନବକୁ କରିଲୁ ହୀନ ।

 

ଛଅକୋଟି ନରନାରୀ ପଶୁଠୁ ହୀନ ବିଚାରି

ବକ୍ଷେ ଶସ୍ତ୍ର-ଛୁରୀ ମାରି ହେଲୁ ତୁ କ୍ଷୀଣ ।୧।

 

ଦିନେ ମନେ ନ ସୁମରି ପୂରୁବ ଗୌରବଶିରୀ

ବୃଥା ଅହଙ୍କାରେ ପୂରି ଶରୀର ଶୀର୍ଣ୍ଣ ।୨।

 

ଶୋଭା ସରିଲା ତୋ’ ଦେହୁଁ, ତେଜିଲୁ ସନ୍ତାନ ସ୍ନେହୁଁ,

ନିଜ ପରିବାର ସୁତେ କଲୁ ତୁ ଭିନ୍ନ ।୩।

 

ଘେନ ମୋ ଘେନ ମୋ ଆଜି ଭେଦଭାବ ଦୂରେ ତେଜି

ତୋହରି ସନ୍ତାନ କୋଳେ ଆମ୍ଭେ କି ହୀନ ? । ୪।

 

ଉଠ ହେ ଓଡ଼ିଆ, ଉଠ ହେ ଓଡ଼ିଆ,

ଉଠ ହେ ଓଡ଼ିଆ ବହନ,

ଗାଏ ମହୋଦଧି, ଗାଏ ମହାନଦୀ,

ଗାଏ କାଠଯୋଡ଼ି-ଜୀବନ ।

 

ଗଞ୍ଜାମ ଶ୍ରୀକ୍ଷେତ୍ର ବାଲେଶ୍ୱର ସଙ୍ଗେ

ଗଡ଼ଜାତବାସୀ ବସ ଆସି ରଙ୍ଗେ,

ଅଙ୍କେ ଆଲିଙ୍ଗନ କର ଭାଇ ଭାଇ

ଭୁଲି ଭେଦଭାବ ବନ୍ଧନ ।୧।

 

କଳା-କାବ୍ୟ-ଶିଳ୍ପଖଣି ଏ ଉତ୍କଳ,

ନିସର୍ଗ କମଳା-ଲୀଳା-ଶତଦଳ,

ଆଜି ସେ ବିକଳ, ଆଜି ହୀନବଳ,

ଅଛି କି ନ ଅଛି ଜୀବନ ।୨।

 

ସିଂହ ଗଜପତି ଯେ ଦେଶ ଭୂପତି,

ଯେ ଦେଶେ ଦେବତା ବିରଜା, ଶ୍ରୀପତି,

ଅତୁଳ କୀରତି, ସେ ତ ବୀର ଜାତି,

କିପାଇଁ ନିର୍ଜୀବ ଭବନ ? । ୩ ।

 

ବିଖ୍ୟାତ ଭାରତେ ତବ ଦେଶ ଯଶଃ,

ତୁମେ ପୁଣି ଜଡ଼, ଅଜ୍ଞାନ, ଅଳସ,

ନ ଝରେ କି ଲୁହ ନିର୍ଲ୍ଲଜ ଲୋଚନେ,

ହଜିଛି କି ହୃଦସ୍ପନ୍ଦ ? ୪ ।

 

ଇମନ୍‌ - କୱାଲି

 

କର ଘରେ ଘରେ ପ୍ରଚାର ଗମ୍ଭୀରେ

ଦେଶ ପ୍ରାଣେ (ଆଜି) ନବ ଜାଗରଣ,

ଶ୍ୱେତ ଖଦୀ ପୂତ ବସନ ଶୋଭିତ

ନିଖିଳ ଉତ୍କଳ ନିକେତନ;

ଏକତା ଉତ୍କଳ ମୁକତି-ନିଦାନ

ବୁଝ ଜ୍ଞାନେ, ଧ୍ୟାନେ ଉତ୍କଳ ସନ୍ତାନ,

ଅଳସ ବିଳାସ- ବ୍ୟସନ ଲାଳସା

ଦିଅ ଦିଅ ଦୂରେ ବିସର୍ଜ୍ଜନ । ୧।

 

ନୀଳାଚଳ ଚୂଳେ ଉଡ଼ୁ ଶଙ୍ଖସ୍ୱନ,

ଚିଲିକା କଲ୍ଲୋଳେ ହୁଳହୁଳି ଛଳେ

ହେଉ ମହାମନ୍ତ୍ରେ ଉଦ୍‌ବୋଧନ । ୨ ।

 

ଭାରତ କୀରତି ପୁଣ୍ୟ ଗୀତ ଗାଇ

ମୋଟ ଖଦି ପିନ୍ଧି ସାଜ ସାଜ ଭାଇ,

ଉତ୍କଳ କମଳା- ମନ୍ଦିର ଯତନେ

ସଞ୍ଜ ରତ୍ନମଣି ଆଭରଣ । ୩ ।

 

ଦେଶ ଦରିଦ୍ରତା ଦୂରେ ଯାଉ ଲୁଚି,

ଆସୁ ଦେଶପ୍ରାଣେ ସୁନୀତି ସୁରୁଚି,

ଜାତିଭେଦ ବନ୍ଧ ଛେଦ ପ୍ରେମାନନ୍ଦେ,

ହେଉ ତ୍ରିଂଶକୋଟି ସମ୍ମିଳନ ।

 

ଛାମୁରେ ଚିରଦୁଃଖୀ ଜଣାଣ

ନ ଶୁଣିବ କିହେ ଜଗତରାଣ,

ଜୀବନ୍ତ ମରଣେ ମରିଲୁଣି ଆମେ,

କେବେ ଲବିଭୁଁ ଏ ଦୁଃଖରୁ ତ୍ରାଣ ?

କେତେ ସହିବ ଏ ଓଡ଼ିଆ ପ୍ରାଣ;

ବିଶାଳ ବିଶ୍ୱେ ଚିରନିଃସ୍ୱ ଏବେ

ନାହିଁ ପରାଣେ ସେ ପୂରୁବ ଟାଣ ।

ଆମ ଦୁଃଖ ଦେଖି ଫାଟେ ପାଷାଣ । ୧।

 

ଗ୍ରାମ ଗ୍ରାମ ଆସି ହେଲା ଶମଶାନ,

ବସା କଲେ ସର୍ପ ଶୃଗାଳ ଶ୍ୱାନ,

ନଈବଢ଼ି ମାଡ଼ି ଘରଦ୍ୱାର ବୁଡ଼ି

ଛାଡ଼ି ପଳାଇଲେ ମାତା ସନ୍ତାନ ।୨।

 

ଓଡ଼ିଆ ଅଙ୍ଗରୁ ଛାଡ଼ିଲା ଶିରୀ,

ମ୍ୟାଲେରିଆ ଜ୍ୱର ଦେଲାଣି ଘାରି,

ତାପ ସନ୍ନିପାତ, ବିକାର ବିଷାଦ

ଜୀବନସଙ୍ଖାଳି କୁଇନାଇନ୍‌ ।୩।

 

ପଖାଳ ଭାତକୁ ନ ମିଳେ ଲୁଣ,

ତବତ ସାଥିକୁ ନାହିଁ ତିଅଣ,

ଗୋରୁ ହେଲେ ହଡ଼ା, ଲୋକେ ହେଲେ ମଡ଼ା,

ସାର, କୁଲିଗିରି ଚାହା ବଗିଚା କାମ ।

 

କହ ରେ ଧୀର ଦକ୍ଷିଣା ପବନ,

ମଲ୍ଲୀକୁଞ୍ଜେ କୁଞ୍ଜେ ଫୁଲ ପୁଞ୍ଜେ ପୁଞ୍ଜେ

ଗାଉ କି ଗୀତ ମନମୋହନ !

ନବ ଆଶା କଥା ଅଛି କି କିଛି,

ନିର ଅମାନିଶା ଅବା ସରିଛି,

ନବରବି ଆଶେ ଚାହିଁଛୁ ବିଶ୍ୱାସେ

ନବ ଜାଗରଣ ଦେଖୁ ସ୍ୱପନ ?

ଚାରି ଭିନ୍ନ ଦେଶେ ରହିଲୁ ଛନ୍ନ,

ଜରାଜୀର୍ଣ୍ଣ ଶୀର୍ଣ୍ଣ ଜଗତେ ହୀନ,

ଧନମାନେ ବଳୀ ପାଦେ ଦେଲେ ଦଳି

ଅଙ୍ଗ ଖଣ୍ଡ ଖଣ୍ଡ ଅସ୍ଥି ଭବନ ।

 

କୋଣାର୍କ କନକଶିରୀ ସରିଲା,

ଦୁଃଖେ ଚିଲିକାର ବକ୍ଷ ଶୁଖିଲା,

ତନୁ ଚର୍ମସାର କଙ୍କାଳ ମାତର,

ମଉଳିଲା ମାତା ପଦ୍ମ-ବଚନ ।

ବହୁଦିନ ଏବେ ହେଲାଣି ଆସି,

ସହି ନ ପାରୁଁ ଏ କଷଣ ରାଶି,

ବହି ଘରେ ଘରେ ପ୍ରଚାର ଗମ୍ଭୀରେ

‘‘ଉଠ ହେ ଓଡ଼ିଆ, ଉଠ ବହନ।’’

 

ଆଉ କିପାଁ ଅଛ ଶୋଇ, ଉଠ ହେ ବହନ,

ପୂର୍ବଦିଶେ ଦିଶେ ଛବି ତପନ ମୋହନ !

ଉଠ ହେ ବହନ !

ଦିନେ ଦିନେ ଗଲା ଦିନ, ସମାଜ ସଦା ସୁଦୀନ,

ନିଜେ ତ ରହିଛ କ୍ଷୀଣ, ନାହିଁ କି ଚେତନ ?

 

ଆଜି ନବ ଜାଗରଣେ ସର୍ବ ଭାରତ ସନ୍ତାନେ

ଉଇଁଲେଣି ନବ ପ୍ରାଣେ, ତୁମ୍ଭେ ଅଚେତନ ।

 

ଉଠ ହେ ଉତ୍କଳବୀରେ, ଉଠ ହେ ସାହସଭରେ,

ବହି ଦୁଃଖଭାର ଶିରେ ସାଧ ଦେଶତ୍ରାଣ ।

 

ଉଠ ବାଳକ ଯୁବକ, ଉଠ ହେ ପ୍ରବୀଣ ପକ୍ୱ,

ଉଠ ହେ ଯୁବତୀ ବାଳା ଶୁଣି ଏ ଆହ୍ୱାନ ।

 

ଡାକୁଛି ଉତ୍କଳ ଆଜି, ହିତେ ତାର ଦେହ ତେଜି

ପ୍ରଭୁଙ୍କ ପୟର ପୂଜି ଲଭ ହେ କଲ୍ୟାଣ ।

 

ଦେଶର ଦଶର ହିତେ ବାହାର ହେ ପ୍ରେମଚିତ୍ତେ

ପରମ ସେବକ ବ୍ରତେ ସମର୍ପ ଜୀବନ ।

 

ଜୟ ମା ଜନନୀ,ଜନମ ଭୂମି !

ଜୟ ମା ଗିରି ଗଗନ ଚୁମ୍ୱି !

ଆନନ୍ଦମୟ ତୋ’ ହୀରଣ୍ୟ କ୍ଷେତ୍ର,

ଫୁଲ୍ଲ ପ୍ରସୂନ-ଶୋଭା ପବିତ୍ର,

ଚିତ୍ର ଉତ୍ପଳ-ବିଳାସିନୀ,

ଚାରୁ ଚିଲିକା-ଉର୍ମିମାଳିକା

ମଲ୍ଲିକାକୁଞ୍ଜବାସିନୀ ।

 

ଶତ ବୀର ଜାତି ଲୀଳାବିହାର

ଶୋଭେ ବାରବାଟୀ, ଚଉଦୁଆର,

ତାମ୍ର ଲିପ୍ତ ବୋଇତ ବାହି

ଚାଲିଥିଲେ ବୀର ଅନୀକିନୀ ।

ବୋର୍ଣ୍ଣିଓ, ବାଲି, ଜାଭା, ଲଙ୍କା,

ବାଜିଥିଲା ତହିଁ ସମର ଡଙ୍କା,

କୀର୍ତ୍ତି-କଳିଙ୍ଗ ଜଗତ ଶଙ୍କା,

ଦେବୀ ସିଂହବାହିନୀ ।

 

ଇମନ କଲ୍ୟାଣ –ଏକତାଳ

 

କି ବାଣୀ ସମୀର କରୁଛି ପ୍ରହାର

କମ୍ପାଇ କୁସୁମରାଜି ?

ଝରେ ଝର ଝର ସଙ୍ଗୀତ ନିର୍ଝର

ଗଗନେ ପବନେ ବାଜି ।

 

କାନେ କାନେ କିଏ କହିଗଲା କଥା

କିପାଁ ବୀର ଜାତି ପୋତିଅଛ ମଥା,

କିପାଁ ଏ ଭୀରୁତା କିପାଁ ଏ ଜଡ଼ତା ?

ବାହାର ହେ ବିଶ୍ୱେ ଆଜି ।

 

ପ୍ରାଚୀପଟେ ଫୁଟେ ନବୀନ କିରଣ,

ନବୀନ ଉତ୍କଳେ ନବଜାଗରଣ,

ଜୀବନ ଚେତନା ବାଜେ ରୁଣୁ ଝୁଣୁ

ଶୁଣ ଶୁଣ କର୍ଣ୍ଣେ ଆଜି ।

 

ଅମ୍ୱରୁ ଅମୀୟ ଆନନ୍ଦ ବଦନେ

ଓହ୍ଲାଏ କିଶକ୍ତି ସବିତା ବାହାନେ,

ଦେଖ ଜଳେ ସ୍ଥଳେ ଶକ୍ତି ଲୀଳା ଖେଳା

ଉଠ ଉଠ ନିଦ୍ରା ଭାଳି।

 

ଉଠ ହେ ଉତ୍କଳ କୁମାର କୁମାରୀ

ତୁମ ଲାଗି ବିଶ୍ୱ ଗଲାଣି ହଜାରି,

ଅଛି ପ୍ରତିଧ୍ୱନି ଆକାଶେ ବତାସେ,

ଉଠ ଉଠ କର୍ମ୍ମେ ସାଜି ।

 

ମାଲ୍ୟବନ୍ତ-ମେଘାସନ-ମହେନ୍ଦ୍ରଭୁଷା

କନକରବି ଚୁମ୍ୱନେ ଆଲିଙ୍ଗେ ଉଷା

କୋଟି କୁସୁମ ସୁବାସ ଶିରୀଧାରିଣୀ,

ଶତ-ସରିତ-ଅମୃତେ ତୃଷାବାରିଣୀ,

କବି ବୀର ଭକ୍ତ ବୁଧ ସାଧୁ ଜନନୀ,

ଯତନେ ରତନରାଜି ସଞ୍ଚା ମଞ୍ଜୁଷା ।

 

ମଞ୍ଜୁଳ ମନ୍ଦିରମାଳେ ମହୀମୋହନା,

ଧରମ, କରମ ଜ୍ଞାନେ ଶିଳ୍ପେ ଶୋଭନା,

ଜନମିଥିଲେ ତୋ କୋଳେ ବୀର ଲଳନା,

ପୂତ ପାଦପଦ୍ମ ପ୍ରେମ ହେମ ପୀୟୁଷା ।

 

ଆଜି ନବ ଜୀବନେ !

ଜାଗିଛି ଅବଶ ତନୁ ନବଶକ୍ତି ସାଧନେ ।

ଉଠିଛି ଆଜି କି ଫୁଟି ଆଶାବନେ ଫୁଲ କୋଟି,

ପଞ୍ଚମେ କୋକିଳ ରଟି ଗାଉଛି ନବ ତାନେ ।

ଲୋତକ ଆସାର ଭରା କାସାରେ ଫୁଟିଛି ତୋରା

ନବ ତାମରସ ହେରି ନବରବି ଗଗନେ ।

 

ଭୁଜେ ଭୁଜେ ନବ ଶକ୍ତି, ହୃଦେ ହୃଦେ ନବଭକ୍ତି,

ପ୍ରାଣେ ପ୍ରାଣେ ନବପ୍ରୀତି ଜାଗିଛି ଏସୁକ୍ଷଣେ ।

ପ୍ରେମର ମିଳନ ଧର୍ମ, ଶାନ୍ତି ପ୍ରୀତି ପୂତ ମର୍ମ୍ମ,

ପ୍ରେମ ଭକ୍ତି କର୍ମ୍ମ ଶକ୍ତି ଜାଗେ ଆଜି ପରାଣେ ।

ଆସ ତେବେ ଭାଇ ଭାଇ ଭେଦଭାବ ଭୁଲିଯାଇ,

ଉଚ୍ଚ ନୀଚ ମିଳିବା ହେ ପ୍ରେମପୂତ ମିଳନେ ।

 

ଆଜି ଗାଇବି, ଆଜି ଗାଇବି

କଳିଙ୍ଗ ମାତାର ଜୟ ।

ଆଜି ଉଠିବି, ଆଜି ଉଠିବି

ତେଜି ମୋ’ ଜଡ଼ତା ଭୟ ।

 

ନହେଁ ମୁହଁ ହୀନ, ନୁହେଁ ମୁହଁ ହୀନ

ନୁହେଁ ଆଧୁନିକ, ନୁହେଁ ଅର୍ବାଚୀନ,

ଶୋଣିତେ ବୀରତ୍ୱ ବହେ ଯୁଗେ ଯୁଗେ,

ପାଇନାହିଁ ତାହା ଲୟ ।

 

ଗିରି ଗୁହାମାନ ମୂକ ସାକ୍ଷୀ ମୋର,

ମୁଁ ଆର୍ଯ୍ୟ ସନ୍ତାନ, ନୁହେଁ ମୁଁ ବର୍ବର,

ଯାଉ ଅବସାଦ, ଯାଉ ମୋ’ ବିଷାଦ

ଉଠିବି ଗାଇ ମୁଁ ଜୟ,

ମାତା କଳିଙ୍ଗର ଜୟ ।

 

ଐର ଖାରବେଳ, ସିଂହ, ଗଜପତି,

ନବକୋଟି ବର୍ଗେଶ୍ୱର ଯା’ ଭୂପତି

ସେତ ମୋର ଜାତି, ମୁଁ କି ହୀନ ଅତି,

ମୁଁ ଯେ ଶୂର ତେଜୋମୟ

ଉଠିବି ଗାଇ ମୁଁ ଜୟ,

ମାତା କଳିଙ୍ଗର ଜୟ !

 

ବିଶ୍ୱବାସୀ-ଅଙ୍ଗନେ

ରଙ୍ଗେ ଭଙ୍ଗେ ଆସେ ଉତ୍କଳ-

ଲକ୍ଷ୍ମୀ-ଚାରୁ-ଚରଣେ ।

 

ଦିଶେ ଦିଶେ ତାର ବିମଳ ଶୋଭା,

ବସନେ ଭୂଷଣେ ମୋହନ ପ୍ରଭା,

ବର୍ଷେ ନୟନେ ନନ୍ଦନ-ହର୍ଷ

ପୁଣ୍ୟ ପ୍ରତିଭା-ସ୍ଫୁରଣେ ।

 

ଅଙ୍ଗେ ଅଙ୍ଗେ ଲାବଣ୍ୟଲୀଳା,

କର୍ମ୍ମ, ଶକ୍ତି, ଭକ୍ତି ଖେଳା,

ମୁକ୍ତି ଦପାପଦ୍ମ ତଳେ

ଯୁକ୍ତ-ଦିବ୍ୟ-ଚୁମ୍ୱନେ ।

 

ବରାଭୟବର କରଯୁଗଳେ

ବକ୍ଷେ ସ୍ନେହ-ପ୍ରୀତି-ସୁଧା ଉଚ୍ଛୁଳେ,

ଆନନ୍ଦ ବାଣୀ ରମ୍ୟାଧରେ

ଜାଗେ ଜୀବନ ଜୀବନେ ।

 

(ମୁଁ) ନ ଜାଣେ ଧରମ କରମ କିଛି ହେ,

ଜାଣେ ମାତ୍ର ତୋର ସେବା,

ଜାଣେ ମାତ୍ର ତୋର ପୟରପଙ୍କଜେ

ପ୍ରାଣ ଆତ୍ମା ବଳି ଦେବା ।

 

ମୋର ଦେହ ଘେନି ରଚିବି ତୋ’ ପୂଜା,

ତୁ ମୋହରି ଲକ୍ଷ୍ମୀ, ଦୁର୍ଗା ଦଶଭୂଜା,

ତୁ ପଦ୍ମଆସନା-ବାଣୀ-ବୀଣାପାଣି,

ଗଙ୍ଗା ଗୋଦାବରୀ ଯମୂନା ରେବା ।

 

ତୁ ମୋ ଗଣ୍ଠିଧନ ଗଜମୋତିହାର,

ତୁ ନନ୍ଦନନ୍ଦନ ମୋହନ ମନ୍ଦାର,

ତୁ ମଳୟ ଶୈଳ ସୁରଭି ଚନ୍ଦନ,

ମୋ ଗର୍ବ ତୋ ପଦ କିଙ୍କର ହେବା ।

କେବେ ଆସିବ ହେ ଜୀବନେ ଚେତନା

ଉତ୍କଳ, ତୋ’ ସ୍ପନ୍ଦ-ରହିତ ହୃଦେ ?

କେବେ ଏକ କୋଟି ଏକ କଣ୍ଠ ସ୍ୱରେ

ଗାଇବେ ତୋ ସ୍ତବ ସଙ୍ଗୀତ ମୁଦେ ?

ଗାଇବେ ତୋ ସ୍ତବ ସଙ୍ଗୀତ ମୁଦେ ?

 

ପ୍ରାଣେ ପ୍ରାଣେ ଭ୍ରାତୃଭାବ ବିରାଜିତ,

ଦ୍ୱନ୍ଦ୍ୱ ହିଂସା ଦ୍ୱେଷ ଅତୀତେ ହଜିବ,

ପରସ୍ପର ପାଇଁ ବେଦନା ବାଜିବ

କେବେ ପରସ୍ପର ଅନ୍ତରେ ?

 

ଏକ ପ୍ରେମଡ଼ୋରେ ବନ୍ଧା ହେବ ସବୁ,

ଏକ ପୂଜାବେଦୀ, ଏକ ହେବେ ପ୍ରଭୁ,

ଏକର ଆନନ୍ଦେ ଆନମହାସୁଖୀ,

ଯୁକତ ଏକତା ମନ୍ତରେ ।

 

ଉଠ ଉଠ ହେ ଉତ୍କଳ ! ଉଠ ହେ ବୀର !

ଉଠ ହେ ଦେଶସେବକ ! ହେ ଜ୍ଞାନୀ ଧୀର !

ଉଠ ହେ ମାତୃଭୁମି ନାମ ମହାମନ୍ତେ,

ସ୍ୱଦେଶ ହିତ ବାଜୁ ହୃଦ-ତନ୍ତ୍ରେତନ୍ତ୍ରେ,

ଉଠ ହେ ଗରବେ ଉଠ ହେ ଆଜି,

ଉଠ ହେ ଧର୍ମ-ବର୍ମ୍ମେ ସାଜି,

କର୍ମ ତବ ମୁକ୍ତି ମୋକ୍ଷ,

ଶକ୍ତି ସାଧନ ଲକ୍ଷ୍ୟ ହେ !

ଉତ୍କଳମାତା ତବ ପୁଣ୍ୟତୀର୍ଥ,

ତବ ପୂଣ୍ୟ ସଦ୍ମ ତାର ବିଶାଳ ବକ୍ଷ,

ତାର ପାଦପଦ୍ମ ତଳେ ତବ ଆଶ,

ତାର ଭାଷା ତବ ପ୍ରଣୟ ପାଶ,

ତାର ସନ୍ତାନ ତବ ସହୋଦର,

ହେଉ ସେ ରାଜା, ହେଉ ଫକୀର ।

 

ମା ମୋର କାହିଁ ଗୋ ମା ମୋର କାହିଁ,

କେଉଁ କୋଣେ ବସି କାନ୍ଦଇ ଗୋ ?

କାନ୍ଦୁଛି ବିଷାଦେ ଜନନୀରାଣୀ,

ବିକଳେ ତେଣୁ ମୋ’ ନେତ୍ରୁଁ ବହେ ପାଣି,

ମା ଦୁଃଖ ଦର୍ଶନେ ନ କାନ୍ଦିବ କେହି

ଏପରି ସନ୍ତାନ ନାହି ହେ ।୧।

ଖାଇବାକୁ ନାହିଁ ଘରେ ମୋଟ ଦାନା,

ପିନ୍ଧିବାକୁ ଖଣ୍ଡେ ନାହିଁ ଛିଣ୍ଡା କନା,

ସରୁଛି ଆମର ଦିବସ ରଜନୀ

ପର ଦୁଆରକୁ ଚାହିଁ ହେ ।୨।

ମିଳୁନାହିଁ ଆଉ ମୂଲିଆକୁ ମୂଲ,

ପେଟଭୋକେ ପ୍ରାଣ ହେଲାଣି ଆକୁଳ,

କେତେ କଲବଲ ସହିବୁଁ ଜୀବନେ

କହ ଭାଇ କାହାପାଇଁ ହେ ? ୩ ।

ଆସ ଅଣ୍ଟା ଭିଡ଼ି ଲାଗିବା କରମେ,

ବସିବା କିପାଇଁ ମଉନେ ସରମେ ?

ଭୋଗିବା କପାଳେ ଯା’ ଥିବ ଅନ୍ତିମେ,

ଯା ଦେବେ ଜଗତସାଇଁ ହେ । ୪।

 

ବିତର ବିତର ଶ୍ରୀମହାପ୍ରସାଦ

ବିଶ୍ୱ-ସଭା ଅଙ୍ଗନେ,

ଆଣ ଆଣ ଟାଣି ବ୍ରାହ୍ମଣ ଚଣ୍ଡାଳେ

ପବିତ୍ର ପ୍ରେମାଲିଙ୍ଗନେ । ଧ୍ରୁବ ।

 

ଉତ୍କଳ ତୁ ପରା ହରି ଶିରୀକ୍ଷେତ୍ର,

ଜାତିଭେଦ-ଭଞ୍ଜୀ ତୁ ମହାପବିତ୍ର

ତୋ’ ସ୍ନେହ ଅଞ୍ଚଳେ ନାହିଁ ବ୍ୟବଧାନ,

ବିସ୍ତାରିତ ବିଶ୍ୱ-ଧାରଣେ ।

ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିୟାନ, ଜୈନ,

ନାହିଁ ଭିନ୍ନ ଭାବ, ନାହିଁ ସ୍ନେହେ ଦୈନ୍ୟ,

ସରବେ ସନ୍ତାନ ତୋ’ ଆଦରେ ମାତ,

ତୋହରି ଯତନେ ପାଳନେ । ୧।

 

ତୋର ଅନ୍ନ ଜଳ, ତୋର ଫୁଲ ଫଳ,

ତୋ’ ଶ୍ୟାମଳ କୋଳ ସବୁରି ସମ୍ୱଳ,

ତୋର ନଦୀନୀରେ ତୋର ସିନ୍ଧୁତୀରେ,

ତୋର ଗିରି, ତୋର କାନନେ ।

ହାତ ଧରାଧରି ପ୍ରେମେ କୋଳାକୋଳି,

ବସିବେ ତୋହରି ସନ୍ତାନମଣ୍ଡଳୀ,

ଆଣି ସ୍ୱର୍ଣ୍ଣଥାଳୀ ଦେବୁ କି ଗୋ ଢାଳି

ମାତୃସ୍ନେହ ଅନ୍ନ-ବ୍ୟଞ୍ଜନେ ।୨।

 

ବ୍ୟଜନିବ ଆସି ମଳୟ ମାରୁତ,

ଉଚ୍ଛୁଳିବ ବନେ ବନେ ପିକରୁତ,

ଭକ୍ତି ପ୍ରୀତି - ଶୁଭ ଶରତ-ବସନ୍ତ

ଓହ୍ଲାଇବେ ତୋର ଗଗନେ ।

 

ତୋ’ ଗୋଲାପ ଗନ୍ଧେ, ଶେଫାଳୀ ସୌରଭେ

କରମ, ଶକତି ମିଶିବ ଗୌରବେ,

ବିଶ୍ୱ-ସଭାଜନେ ଦେଖି ମୁଗ୍‌ଧ ମନେ

ନମିବେ କି ପଦବନ୍ଦନେ ?

 

କିପାଇଁ କାନ୍ଦିବି ଆକୁଳେ ଜନନୀ

କରି ନ ପାରିଲି ସେବା ଗୋ,

କିପାଇଁ ନନ୍ଦିବି କରମକୁ ମୋର

ହୋଇବି ମୁଁ ଯାହା ହେବା ଗୋ ।

 

ଊଣା ନୁହେ ମୋର ଶକତି ଭକତି,

ତୋ ଲାଗି ବନ୍ଧନ ସେ ମୋର ମୁକତି,

ବସି ତୋ ପୟରେ ପୂଜିବି ଆଦରେ

ବହିବି ଯା ବହିନେବା ଗୋ ।

 

ପର ପୀଡ଼ା ଦୁଃଖ ବହିବି ମୁଁ ଶିରେ,

ସହବି ଗ୍ରୀଷମ ବରଷା ଶିଶିରେ,

ପୋଡ଼ୁ ପ୍ରାଣ ମୋର, ଆସୁ ଦୁଃଖ ଘୋର,

ଦେବି ଜଗତେ ଯା ଦେବା ଗୋ ।

 

ଭାଇ ଭାଇ ବୋଲି କେତେ ମୁଁ ଡ଼ାକିବି

ତୋହରି ସକଳ ସନ୍ତାନେ,

ବନ୍ଧୁ ବୋଲି ମୋର କୋଳେ ଆଲିଙ୍ଗିବି

ଦୁର୍ବଳ ଅଧମ ଅଜ୍ଞାନେ ।

 

ଊଣା ଯେ ମୋ’ଠାରୁ ନୁହେ ସେ ତ ସାନ,

ନଥାଉ ତାହାର ଧନ ସନମାନ,

ହେଉ ସେ ଚଣ୍ଡାଳ, ଜଗତ ଜଞ୍ଜାଳ,

ଜାଗିବ ସ୍ନେହ ମୋ ପରାଣେ ।

 

ସେ ତ ତୋ ସନ୍ତାନ, ତୋ’ ଶୋଣିତ ବିନ୍ଦୁ,

ହେଉ ମୁସଲ୍ମାନ, ଶିଖ୍, ଜୈନ୍‌, ହିନ୍ଦୁ,

ସେ ମୋହରି ଭାଇ, ଜାତି ତାର ନାହିଁ,

ସେ ମୋହରି ପ୍ରିୟ ଭୁବନେ ।

 

ଇମନ୍‌ କଲ୍ୟାଣ – ଏକତାଲା

 

ଏ ଶୁଭ ଯୋଗରେ ଏ ପୁଣ୍ୟବାସରେ

ଦେଶସୁସନ୍ତାନ ବୀର,

ଉଠ ହେ ସରବେ ବରଜି ବିଳାସ,

ହେ ଦେଶସେବକ ଜ୍ଞାନୀ ଧୀର,

ମନ୍ଦିରେ ତବ ମୋହନ ଛନ୍ଦେ ପୁଣ୍ୟ ମନ୍ତ୍ର ଝଙ୍କାର

ଉଠ ଉତ୍କଳ ଉଠ ଉତ୍କଳ ପାହିଲା ଅନ୍ଧାର ।୧।

 

ପ୍ରଫୁଲ୍ଲ ଆନନ୍ଦେ, ଉତ୍କଳ-ପଦ୍ମ-

ବଦନ ତପନ ଦର୍ଶନେ,

ସିକ୍ତ- କୁସୁମ ହର୍ଷେ ଉଲ୍ଲାସେ ଶୁଭ୍ର

ଶିଶିର ସୁଧା ବର୍ଷଣେ,

ଗମ୍ଭୀରେ ଘୋଷେ ସାଗର ଉର୍ମ୍ମି ପୁଣ୍ୟମନ୍ତ୍ର ଝଙ୍କାର,

ଉଠ ଉତ୍କଳ ଉଠ ଉତ୍କଳ ପାହିଲା ଅନ୍ଧାର ।୨।

 

ଘେନ ନରନାରୀ ଅରଟ ସର୍ବେ

ମୁକ୍ତିମନ୍ତ୍ର ସୁମହାନ,

ପବିତ୍ର ହସ୍ତରଚିତ ବସନେ ବିଶ୍ୱେ

ଲଭ ହେ ଉନ୍ନତ ସ୍ଥାନ ।

ଦୈନ୍ୟ ଦୁଃଖ ହରିବ ହେଲେ ପୁଣ୍ୟମନ୍ତ୍ର ଝଙ୍କାର,

ଉଠ ଉତ୍କଳ ଉଠ ଉତ୍କଳ ପାହିଲା ଅନ୍ଧାର ।୩।

 

ଭୈରବୀ – କୱାଲି

 

ଉତ୍କଳ ରାଣୀ ! ଭାରତ ମଣି !

କୋଟି କଳିତ-କଳା ଲଳିତ ଖଣି ।

 

କଞ୍ଜ ସୁହାସିନୀ, ସୁମଧୁର ଭାଷିନୀ,

ଜନମନ ତୋଷିନୀ ମୋହିନୀ ରେ,

ସାଗରଚୁମ୍ୱିତ ପୁଷ୍ପ-କରମ୍ୱିତ

କୋଣାର୍କ-କାରୁ- ଚାରୁ- ଅଙ୍ଗିନୀରେ ।

 

ଗୁଞ୍ଜିତ ଭ୍ରମର, କୁଞ୍ଜ ସୁରଙ୍ଗିଣୀ

ଚିତ୍ରିତ ଚିଲିକା ତରଙ୍ଗିଣୀ ରେ ।

ଭବଦୁଃଖବାରିଣୀ ତାପ-କ୍ରୟ-ତାରିଣୀ,

ଶୋଭିତା ବ୍ରାହ୍ମିଣୀ-ବୈତରଣୀ ରେ ।

 

କବିଦା –ବିଳାସିନୀ ଏକାମ୍ର- ଆମୋଦିନୀ

ଉଜ୍ଜ୍ୱଳ ମଞ୍ଜୁଳ ବେଶିନୀ ରେ ।

ଚୂତ-ତମାଳିନୀ ଶୈଳେଶ ମାଳିନୀ,

ଗହନ ଘନ ମୋହନ କେଶିନୀ ରେ ।

 

କାହାକୁ ଡାକୁଛ ଆକୁଳେ ଜନନୀ,

କିଏସେ ତୋ’ ବୀର ସନ୍ତାନ

ହୋଇ ଆଗୁସାର ପ୍ରାଣ ବିନିମୟେ

ବଞ୍ଚାଇବ ତୋର ପରାଣ ?

 

ତେଜିବ ତୋ’ଲାଗି ସବୁ ସୁଖ ଆଶା,

ତୋ’ ପଦ-ପଙ୍କଜ ଚିର ପ୍ରତିଆଶା,

ତୁ ମୁକ୍ତି ତାହାର ଅର୍ଘ୍ୟ ଭକ୍ତିହାର

ତୁ ସାଧନ ଧନ ମହାନ ।

 

ଜପି ନାମ ତୋର ଯାପିବ ଜୀବନ,

ମୋଟ କନ୍ଥା ତୋର କମଳ ବସନ,

ତୋର ମୋଟ ଭାତ, ଦୁଃଖଦୈନ୍ୟାଘାତ

ମଣିବ ସୁଖ ସେ ପ୍ରଧାନ ।

 

କାହିଁ ସେ ସନ୍ତାନ ସୁଶୀଳ ଚରିତ୍ର,

କାହିଁ ସେ ଉତ୍କଳୀ ମହତ ପବିତ୍ର,

ହେବୁଁ କେଉଁଦିନ ତୋ’ ସେବାଭାଜନ,

ଆମେ ତ ଅଳସ ଅଜ୍ଞାନ ।

 

ଯଯାତି, ଅନଙ୍ଗ, ପୁରୁଷ ଉତ୍ତମ,

ଦେଶେ ଜନ୍ମି ଆଜି ହେଲୁଁ ନରାଧମ,

ଦେଖି ତୋ’ ବିକଳ ବସିଛୁଁ ଅଚଳ,

ଏହି କି ବିଧାତା ବିଧାନ ?

 

ବନ୍ଦି ମାତା ଚରଣେ

 

ଉଠ ହେ ଭଗିନୀ ଭାଇ ଉଠ ନବପରାଣେ ।

ଆସିଛି ଆହ୍ୱାନ ଆଜି, କିପାଁ ଗୃହ କାନ ବୁଜି,

ବିଳାସ ଲାଳସେ ମଜ୍ଜି କିପାଁ ଅଛ ଶୟନେ ?

ବହେ ଓଡ଼ିଆ ଶୋଣିତ ତବ ଧମନୀରେ ଭ୍ରାତ,

ସୁର ତୁମ୍ଭେ ଆର୍ଯ୍ୟସୁତ, ଉଠ ଉଠ ବହନେ ।

 

ଉଠ ଶିକ୍ଷକ ସମାଜ, ଦେଶହିତେ ପ୍ରାଣ ତେଜ,

ଉଠାଅ ଦୁର୍ବଳେ ଆଜ, ଉଦାର ଦେଶପ୍ରେମେ ।

ଉଚ୍ଚନୀଚ ଭେଦଜ୍ଞାନ ଭୁଲ ହିନ୍ଦୁ ମୁସଲ୍ମାନ,

ଉତ୍କଳି ! ସରବେ ଲାଗି ଦେଶହିତ ସାଧନେ

 

 

କହ କହ ଉତ୍କଳେ !

ନାହିଁ କି ହିତୈଷୀ ଜଣେ ପ୍ରାଣ ଦେବ ସେ ହେଳେ ?

ସ୍ୱଦେଶ ଦୀନ ସୁଚିର, ନୟନରୁ ବହେ ନୀର,

ନାହିଁ କାହିଁ କର୍ମ୍ମବୀର, ବାକ୍ୟବୀର ସକଳେ ।

 

ହେଲୁ କି ଓଡ଼ିଆ ହୀନ, ଭୁଲିଲୁ କି ଦେଶପ୍ରେମ.

ସ୍ୱାର୍ଥ ଅର୍ଥ ଚିନ୍ତା ଘେନି ବୁଡ଼ିଗଲୁ କି ଭୋଳେ ?

ଭୁଲିଲ ପୂରୁବ କୀର୍ତ୍ତି, ପୂର୍ବପୁରୁଷର ଖ୍ୟାତି,

ଭାରତେ ଆଜି ସୁଦୀନ, କି ଦୁଃଖ ଏଥୁଁ ବଳେ !

 

ଧନେ ମନେ ଜ୍ଞାନେ ପୁଣି ଥିଲା ଉତ୍କଳ ଅଗ୍ରଣୀ,

ଶିଳ୍ପ-କଳା, ଏ ଭାରତେ ବିଖ୍ୟାତ ସର୍ବ କାଳେ ।

ଗଲାଣି ଯିବାର ଯାହା, କାନ୍ଦିଲେ କି ହେବ ଆହା,

ଉଠିବ ନାହିଁ କି ମାତା ଉତ୍କଳ ନବ ବଳେ ?

 

ଜାଗିବ ହେ କେଉଁ ଦିନ ପ୍ରାଣେ ଦେଶପ୍ରେମ,

ଭାଇଭଗ୍ନୀ ଦେଶ-କାର୍ଯ୍ୟେ ମିଳିବେ କୁତୂହଳେ ?

ପରିବାରେ ପରିବାରେ ଦେଶପ୍ରେମୀ କର୍ମ୍ମବୀରେ

ଜନମିବେ ଶତ ଶତ ଧନ୍ୟ କରି ଉତ୍କଳେ ।

 

ଆଜି ନବ ଜୀବନେ ଜାଗ ବହନ,

ଆଉ କି ଆସିବ ବଳି ଶୁଭଦିନ !

ନ ବସ ଅଳସେ ଆଉ ଆଜିକର ପାଇଁ,

ବାଞ୍ଛିତ ଶୁଭ ଦିବସ ଆସେ କେବେ ଭାଇ?

ବାଜୁ ପ୍ରେମତନ୍ତ୍ରେ ପ୍ରତି ପ୍ରାଣଯନ୍ତ୍ରେ

ଆଶାପୂର୍ଣ୍ଣ ତବ ଗୀତି ମନ୍ତ୍ର ତାନ ।୧।

ନାହିଁ ଶକ୍ତି, ନାହିଁ ଶୌର୍ଯ୍ୟ, ନାହିଁ ଧନ ମାନ,

ମଳିନ ଆନନ ଜ୍ୟୋତି, ହୃଦ ତବ ମ୍ଳାନ,

ଆସ ତେବେ ଭାଇ ! ଆସ ଏକ ହୋଇ

ତେଜ ଲାଜ, ଗର୍ବ, ଦମ୍ଭ, ଅଭିମାନ ।୨।

ନାହିଁ ଯେବେ କିଛି, ଅଛି ଦେହ ପ୍ରାଣ ଦୁଇ,

ଜନ୍ମଭୂମି ମାତୃପଦେ ଆଜି ବଳି ଦେଇ,

ହୃଦ ଉଦ୍ଦୀପନା ନୀରବ ସାଧନା

ଜାଗିଉଠୁ ପ୍ରାଣେ ପ୍ରାଣେ ଦେଶପ୍ରେମ । ୩ ।

ଆସ ଆସ ଭାଇଭଗ୍ନୀ ଆସ ପ୍ରେମାନନ୍ଦେ,

ଆସ ଆଜି ବନ୍ଦି ବିଭୁପାଦ-ଅରବିନ୍ଦେ,

ଦେବେ ସେହି ଭକ୍ତି, କ୍ଷୁଦ୍ର ପ୍ରାଣେ ଶକ୍ତି,

ମରମେ ମରମେ ଶୁଭ କର୍ମ, ଜ୍ଞାନ ।୪।

 

ଉତ୍କଳ, ସାରଳା ଲୀଳା ବିଳାସିନୀ

ବୀଣା ବିନୋଦିନୀ, ରସାଳିନୀ,

କୋଟି-କମ କଞ୍ଜ କଞ୍ଜ-କାନନ

ମଞ୍ଜୁ ମଲ୍ଲିକା-ମାଳିନୀ ।

 

ନବୀନ ବାସନ୍ତୀ-କାନ୍ତି-ମାଳି

ନବ ବିକଶିତ ଚୂତ ନିଆଳି,

ପୂତ-ପର୍ଣ୍ଣ-ପୂର୍ଣ୍ଣ- ଶୋଭା,

ତୁଳସୀ-ପଳାଶ-ମୃଣାଳିନୀ ।

 

କଳ-କୋକିଳ-କାକଳି-ଭୋଳେ,

ଘନ ବନ ବୀଥି ନିତି ଉଚ୍ଛୁଳେ,

ଅମୀୟ-ଅରୁଣ ବ୍ୟୋମ ଉଜ୍ୱଳେ

ଗାଏ ତାନେ ତାନେ କଲ୍ଲୋଳିନୀ,

 

ଉତ୍କଳ, ଶାରଦ ଶୋଭା ସୁହାସିନୀ,

ଲଳିତ ଶେଫାଳି-ସୁବସିନୀ;

ପୂର୍ଣ୍ଣ-ଥାଳୀ-ପକ୍ୱ-ଶାଜି ସମ୍ଭାରେ

କାଶ-ହାସେ ମତ୍ତ- କାଶିନୀ ।

 

ଶୁଭ୍ର-ଅଭ୍ର-ଚାନ୍ଦିନୀବୋଳା,

ଖେଳେ ତାରାମାଳୀ ବିମାନ ଦୋଳା,

ଉଜ୍ୱଳ-ବିମ୍ୱ-ଚୁମ୍ୱ ନୀଳାମ୍ୱୁ

ସ୍ୱରଗଶିରୀ ବିକାଶିନୀ ।

 

ସଦ୍ମେ ସଦ୍ମେ ଶକ୍ତିପୂଜା,

ଦୈତ୍ୟ-ଦଳିନୀ ଦଶଭୂଜା,

ଘରେ ଘରେ ଉମା ଆନନ୍ଦମୟୀ,

ଭକତି-ମୁକତି-ବିଳାସିନୀ

 

ଜନନୀ ତୋହରି ଅଧମ ସନ୍ତାନେ

ପାଳୁଛୁ ତୁ ସ୍ନେହଭୋଳେ,

ଦୁର୍ବଳ ତୋର କ୍ଷୁଦ୍ର ଶିଶୁଙ୍କୁ ରଖିଛୁ ତୁ ସ୍ନେହକୋଳେ ।

ତେଣୁ ଗୋ ତୋହରି ଚରଣ ତଳେ

ଆଜି ମୁଁ ଆଶିଷ ମାଗେ,

ଜନନୀ ଜନନୀ ପ୍ରାଣେ ମୋହର, ସତତ ଯେହ୍ନେ ଜାଗେ

ଜନନୀ ଜନନୀ ଉତ୍କଳ ଜନନୀ !

ବିଶ୍ୱେ ତୁ ବରଣୀୟା,

ଜନନୀ ଜନନୀ ଉତ୍କଳ ଜନନୀ !

ହୃଦେ ତୁ ଆଦରଣୀୟା । ଧ୍ରୁ-

 

ଜନନୀ ତୋହର ମଧୁର ଆସ୍ୟେ

ମଧୁର ହାସ୍ୟରାଶି,

ସୁନୀଳ ତୋହର ବିମଳ ଅମ୍ୱରେ ଉଜ୍ୱଳ ତାରାଶଶୀ,

ମୋହନ ତୋହରି ଫୁଲ ଉପବନେ

ସୁରଭି ସୁମନରାଜି,

ରଖିଛୁ କା’ପାଇଁ ସାଜି ମାଆ ଗୋ, ରଖିଛୁ କା’ ପାଇଁ ସାଜି ?

 

ଜନନୀ ତୋହର କ୍ଷେତ୍ରେ କ୍ଷେତ୍ରେ

ପୀତ ଶସ୍ୟ-ଶୋଭା,

ଦୁର୍ବାଦଳେ ତୋ’ ଅଙ୍କ-କୋମଳ ମଞ୍ଜୁଳ ଶ୍ୟାମ ଆଉ;

ପବିତ୍ର ତୋହର ଅମଳ କମଳ

ଚରଣେ ଫେନିଳ ସିନ୍ଧୁ,

ମାଆ ଗୋ ପୟରେ ମାଗେ ତୋହରି ଆଶିଷ ଅମୀୟ ବିନ୍ଦୁ !

 

ଜନନୀ ! ତୋହରି ଚାରୁ ଚିତ୍ରୋତ୍ପଳା,

ପୂଣ୍ୟତୋୟା କାଠଯୋଡ଼ୀ,

ଭୁବନେଶ୍ୱରେ ତୋ’ ଏକାମ୍ରକାନନ, ସୁନ୍ଦର କଟକ ପୁରୀ;

ରମ୍ୟ ତୋହର ଶତ ଗିରିବନ

ତୋହରି ଆଶିଷ ମାଗେ,

ଦିଅ ଗୋ ଜନନୀ ! ଦିଅ ଗୋ ଆଜି ଐକ୍ୟ କର୍ମ୍ମଯୋଗେ ।

 

ଆଜି ହେ ଶାରଦ-ଲକ୍ଷ୍ମୀ ତୋହରି

ପୟର ପୂଜିବି ମାତଃ,

ତରୁମୂଳ ଝରା ଶେଫାଳୀ-ମାଳାରେ

ସଦ୍ୟ-ଶିଶିର ସ୍ନାତ ।

 

କାଶ-କୁସୁମ ଶୁଭ୍ର ଚନ୍ଦନ,

ଶୀତ ଚାନ୍ଦିନୀ ନେତ୍ରନନ୍ଦନ,

ବିଶ୍ୱବନ୍ଦନ-ପଦ-କୋକନଦେ

ଦେବି ଅର୍ଘ୍ୟ ସନ୍ଧ୍ୟା ପ୍ରାତଃ ।

 

ମାନସେ ପୀୟୁଷ ହରଷ ଭରି

ଅଦୃଶ୍ୟ ସୋମ-ସୁମନ ସରି,

ନଦୀ-ନିର୍ମ୍ମଳ-ଜଳ ମୁକୁତା ଧାରେ,

ଶ୍ରୀପଦ ପୂଣ୍ୟ ଶରଧାସାରେ,

 

ଆଦରେ ଧୋଇବି,

ଶସ୍ୟ ଶ୍ୟାମଳ ଆସ୍ତରଣେ

ଆସନ ଥୋଇବି,

ବ୍ୟଜନିବ ଆସି ସେବକ ସମ

ସ୍ନିଗ୍‌ଧ ମୃଦୁଳ ବାତ !

 

ଆସ ଆସ ଭାଇ ଭଉଣୀର ଡାକେ

ଆଉ ନ ରହିବା ଅଳସେ,

ଲାଞ୍ଛନା-ବେଦନା ଦୈନ୍ୟ ଅବହେଳି

କରିବା କରମ ହରଷେ ।

 

ନୁହେ ଏ ଜୀବନ ଅସାର ଖେଳନା,

ଏ ଜୀବନ ପରା ଆନନ୍ଦ-ଚେତନା,

ଶକତି ସାଧନା ଶକ୍‌ତି ବନ୍ଦନା

ସଙ୍ଗୀତେ ଜୀବନ ବିଳସେ ।

 

ଶକ୍ତି ରଙ୍ଗମଞ୍ଚେ ଆସ ଆସ ଧାଇଁ,

ହେବା ବଡ଼ ବିଶ୍ୱେ ଶକ୍ତି ଦେଖାଇ,

ଶକ୍ତି ପୂଜା ଧର୍ମ ଶକ୍ତି ପୂଜା କର୍ମ୍ମ,

କିପାଇଁ ବସିଛ ବିରସେ ?

 

ଉଠ ବୀର ଭାଇ, ଉଠ ହେ ସାଧକ,

ଉଠ ଆତ୍ମତ୍ୟାଗୀ, ବିଶ୍ୱର ସେବକ,

ଗଲା ବହି ଦିନ, ଗଲା ବହି ଦିନ,

ଲାକେ କିପାଁ ବସ ଅବଶେ ?

 

ବହୁଥାଉ ବହୁଥାଉ ଦିବସ ରଜନୀ

ଝର ଝର ମର୍ମ୍ମଭେଦୀ ନୟନ-ଝରଣା

ମଉନେ ମରିବି, କିଛି ନ କହିବି,

ଦେବି ତୋ’ ଦୁଆରେ ଧାରଣା ।

 

ସରିଛି ସର୍ବସ୍ୱ, ମୁଁ ଆଜି ସୁଦୀନ,

ତୋ’ ଚିନ୍ତାରେ ମୋର ତନୁ ହେଲା କ୍ଷୀଣ,

ତୋ’ ମାଟିରେ ମିଶି ହେବି ଶେଷେ ଲୀନ,

ଊଣା ନ ହେବ ମୋ’ କାନ୍ଦଣା

ଖଣ୍ଡ ଖଣ୍ଡ ତୋର ସୁକୋମଳ ଅଙ୍ଗ,

ଭାଇ ଭାଇ ଛିନ୍ନଭିନ୍ନ ଏ କଳିଙ୍ଗ,

କେ ରହିଲେ କାହିଁ କେହି ଲୋଡ଼େ ନାହିଁ

ସହୁଛୁଁ କେବଳ ଯନ୍ତ୍ରଣା ।

ଦେଖି ତା’ ଦୁର୍ଦ୍ଦଶା ଉଡ଼େ ମୋ ହଂସା,

ମୁଖେ ନାହିଁ ଭାଷା, ନାହିଁ ମୋ’ ଭରସା,

ଏଡ଼େ ବଡ଼ ଜାତି ଆଲିଙ୍ଗିରେ କ୍ଷିତି,

ପ୍ରାଣ କେ ଧରିବ କହନା !

 

ଜନନୀ ତୋହର ମୋହନ ମୂରତି

ମୋ’ ପରାଣ-ପ୍ରୀତିଚନ୍ଦନ,

ଜନନୀ ମୋହର ଘନ ଗିରିବନ

ମୋ’ ପାରିଜାତକ ଚନ୍ଦନ ।

ମଞ୍ଜୁଳ ମନ୍ଦାର ତୋର କାନଫୁଲ,

ତୋ’ ଶ୍ୟାମ-ସରସେ ସୁଧାନନ୍ଦ ଠୁଳ,

ତୋର ମହାନଦୀ ଭବ ବିଷ୍ଣୁପଦା,

ତୋ’ ସିନ୍ଧୁ ଇନ୍ଦିରା-ସଦନ ।

ତୋ’ ମନ୍ଦିରମାଳା ମୋ’ ନେତ୍ରସଙ୍ଖାଳି,

ପୁଣ୍ୟ ତୋର ପୁରୀ ଚକ୍ରତୀର୍ଥ ବାଲି,

ଦୁର୍ଗ ବାରବାଟୀ ବୀରସୃଷ୍ଟ ମାଟି

କପାଳ-ତିଳକ-ରଚନ ।

ବେଦନାରେ ତୋର ପ୍ରାଣ ମା କାତର,

ଝରେ କି ଗୋ ମାତ, ତୋ’ ଅଶ୍ରୁ ନିର୍ଝର,

ପଦେ ପ୍ରାଣ ବାନ୍ଧି ତୋ’ ସଙ୍ଗେ ମୁଁ କାନ୍ଦି

ସାରିବି ସଂସାର ଜୀବନ ।

 

ବିଶ୍ୱ-ଚନ୍ଦନୀୟା ବାଣି ! ତୋର ଚରଣେ

ଆଣିଛି ଚରଣ-ଡାଲା ସଜ ସୁମନେ ।

ହାତରେ ପିନ୍ଧାଇ ତୋର

ଲଭିବି ତୃପ୍ତି ଅପାର,

ଶୋଭିବ ପ୍ରେମମନ୍ଦାର ଚାରୁ ଚରଣେ ।

 

ପ୍ରେମମଲ୍ଲୀମାଳେ ଗଳା,

ଭୁଲିବ ମୁକୁତାମାଳା,

ଯିବ ଏ ଜୀବନ ମୋର ପାଦ ଅର୍ଚ୍ଚନେ ।

 

ମାଳତୀମୁକୁଟ ଗୁନ୍ଥି

ସଜାଇବି କେଶପନ୍ତି,

ବସାଇବି ରାଣୀ ମୋର ହୃଦଆସନେ ।

 

କେତକୀ ବକୁଳ ଗନ୍ଧେ

ଗୋଳାପ ପଦ୍ମ ଆନନ୍ଦେ

ଛନ୍ଦିବି ଶ୍ରୀଅଙ୍ଗ ଚମ୍ପାଚୂତ ବନ୍ଧନେ ।

 

ତରାଟ ତୁଳସୀ ମାଳି,

କୁନ୍ଦ ଶେଫାଳୀ ନିଆଳି

ସଜାଇବି ଅର୍ଘ୍ୟଥାଳୀ ଚୂଆ ଚନ୍ଦନେ ।

 

ହେଲେ ମୁଁ ଦୀନ ଉତ୍କଳ ! ଦୀନ ଉଜ୍ୱଳ !

ମୋ ଭରସା ସିନା (୩)

ଓଡ଼ିଆ ବଳ ।

 

ଓଡ଼ିଆର ଦେହେ ଯେ ଶୋଣିତ ବହେ,

ଓଡ଼ିଆ ପରାଣେ ଯେ ପ୍ରୀତି ଶୋହେ,

ସେ ତ ମୋ’ ସମ୍ୱଳ (୩)

 

ପୂର୍ଣ୍ଣ ସମ୍ୱଳ !

କିପାଁ ଦୁର୍ବଳ ମୁଁ କିପାଁ ଦୁର୍ବଳ !

ହେଲେ ମୁଁ ଦୀନ ଉତ୍କଳ ।୧।

 

ହେଲେ ମୁଁ ହୀନ ଓଡ଼ିଶା ! ହୀନ ଓଡ଼ିଶା!

ମୋ ’ ଭରସା ସିନା

ଓଡ଼ିଆ ଭାଷା;

ଓଡ଼ିଆ ବଦନେ ଓଡ଼ିଆ ସଦନେ,

ରଚନେ ପଠନେ, ଯେ ଜାଣି ସ୍ୱନେ,

ସେ ତ ମୋ‘ ସାଧନ (୩)

 

ପୂର୍ଣ୍ଣ ସାଧନ;

କିପାଁ ନିର୍ଦ୍ଧନ ମୁଁ କିପାଁ ନିର୍ଦ୍ଧନ,

ହେଲେ ମୁଁ ହୀନ ଓଡ଼ିଶା ।

 

 

ନବବର୍ଷେ

 

ନିଶାନ୍ତ ସମୀର ବହିଗଲା ଧୀରେ,

କୁଆତାରା ହୀରା-ହସ ଲିଭିଲା,

ପୂର୍ବାଶା ସିନ୍ଦୂର ଦୁଆର ମୁକୁଳି

ଉଛୁଳିଲା ପ୍ରେମ-ପ୍ରବାଳ-ଲୀଳା ।

 

ନବ ବରଷର ନବୀନ ଅତିଥି

ଉଭା ଗଗନରେ ମୋହନ ବେଶେ,

କଳିଙ୍ଗ କୁଟୀରେ ଜାଗିଲା ମଧୁରେ

ପ୍ରଭାତ ସଙ୍ଗୀତ ହର୍ଷ ଆବେଶେ ।

 

ମନ୍ଦିରେ ଶୁଭିଲା ଶୁଭ ଶଙ୍ଖ ସ୍ୱନ

ପାହାନ୍ତା ପବନ ମୃଦୁହିଲ୍ଲୋଳେ ।

ଘନବନବୀଥି ପଡ଼ିଲା ଉଛୁଳି

ତରଳ କାକଳି କୋମଳ ରୋଳେ ।

 

ସାରା ସୃଷ୍ଟି ଆଜି ହରଷ ଆଧାର

ନବବର୍ଷ ଶୁଭ ପର୍ବ ପାଳନେ,

ବସିଲା ବିଶାଳ ଆନନ୍ଦ ବଜାର

ବିଶ୍ୱରାଜ ସଭା-ଶୋଦନ-ସଦନେ ।

 

ଅପସରା ପରା ଖେଳିଲେ ଅବିର

ଜ୍ୟୋତିଃ-ସୀମନ୍ତିନୀ ଉଷା ଅଙ୍ଗନେ,

ଚମ୍ପାଗୋରା ତୋରା ତରୁଣ ତପନ

ବସିଲା ଅର୍ଣ୍ଣିବ ସ୍ୱର୍ଣ୍ଣ ଆସନେ।

 

ଅମଳ ଆନନ୍ଦ ସିନ୍ଧୁ-ସୁଧା ସ୍ନାନ

ସାରି ଶୋଭେ ରବି ରୁଚିର ହାସ,

କନକ-କାରଣ- ବାସ କଭକ୍ଷେୟ

ପାଦେ ପଦ୍ମ-କାନ୍ତି ଉଷା ବିଳାସ ।

 

ଜୀବନ ସ୍ପୃନ୍ଦନ ଜାଗିଲା ମୋହନ,

ନନ୍ଦିଲା ଆନନ୍ଦେ ନିଖିଳ ଧରା,

ବନ୍ଦିଲା ବହନେ ନବ ରବି ଛବି

ଅତୁଳ ଅମଳ ଜ୍ୟୋତି-ପସରା ।

 

ଗାଇଲେ କଳିତ କଣ୍ଠେ ସୁଲଳିତ

ଜ୍ୟୋତି ଜନ୍ମତିଥି ନବୀନ ଗାନ ।

ଉଭା-ଶୋଭା-ଫୁଲଗଭା ହେମପ୍ରଭା

ଅମରାଏ ତୋଳି ଅମୀୟ ତାନ ।

 

ଉଷା ସୁଷମାରେ ଶୋଭିଲା ସ୍ୱରଗ

ପ୍ରେମ ହେମ କମ-କମଳ କାନ୍ତି,

ଚକିତ ଚଞ୍ଚଳ ଚିତ୍ତ ଚରାଚର

ନିରେଖିଲେ ନବ ମଙ୍ଗଳ ଶାନ୍ତି ।

 

ଲୁହ ଝରା ଜ୍ୟୋତି ମୋତି ହିମପନ୍ତି

ସରମ ସୁନ୍ଦରସ୍ନେହ କୋମଳ

ସରସ-ଶ୍ୟାମଳ ଘନ ଦୁର୍ବାଦଳ

ପାତିଲା ପୃଥିବୀ ପଥେ ଅଞ୍ଚଳ ।

 

ଅମ୍ୱୁଜ-ବରଣ- ଗୁରୁ ଚୁମ୍ୱନର

ଆଶେ ବିଳସିଲେ କୁଞ୍ଜ କିଶୋରୀ,

ରଚିଲେ ରଭସେ ଫୁଟା ଫୁଲ-ପାଶ

ମନ୍ଦାର, ମଲ୍ଲୀକା, କେତକୀ ଗୋରୀ ।

 

ଜଳ ଢଳ ହିଆ ନବ ଅରବିନ୍ଦ

ଅଶ୍ରୁ ଟଳ ମଳ ସଜ ଗୋଳାପ,

ବିପିନ-ବରଳ ବର୍ଷରାଜ ସ୍ତୃତି

ଭୃଙ୍ଗ-ମୃଦଙ୍ଗରେ କଲେ ଆଳାପ ।

 

ନିବିଡ଼ ଉଲ୍ଲାସେ ପଳାଶ, ଶାଳ୍ମଳୀ,

ଛୁରୀକ, ଅଶୋକ, ନାଗକେଶର,

ରଙ୍ଗ ଚରଣର ଲାଳସୀ ରଙ୍ଗଣୀ

ଢାଳିଲେ ବାସନାଶିକ୍ତ ଅନ୍ତର ।

ବିଶ୍ୱ ବୀଣା ତାନେ ବାଜିଲା ସହସା

ଚମ୍ପା ଚୂତ କୁଞ୍ଜେ ପଞ୍ଚ ଲହରୀ,

ମରମେ ମମ୍ମରି ମୃଦୁଳ ମଳୟ

ମୁଦେ ନିମିଷକେ ଗଲା ସଞ୍ଚରି ।

 

ନବ ବରଷର ନବୀନ ହରଷେ

ସଜାଡ଼ିଲେ ସର୍ବେ ଅର୍ଚ୍ଚନାଥାଳୀ,

କି ଦେବୁ ଲୋ ପାଦେ ଆଜି ତୁ ଉତ୍କଳ,

ଚିତ୍ତ ଚିର ରକ୍ତ ପକା ଲୋ ଢାଳି।

 

ତୁଚ୍ଛା ସଜବାଜ ନ ପିନ୍ଧ ଲୋ ଲୋକେ

ଛିନ୍ନ ପୁରାତନ ମଳିନ ଶାଢ଼ୀ,

ପଡ଼ିଥା ପତର କୁଡ଼ିଆ କୋଣରେ

କେଶ ବେଶ ହାସ ହରଷ ଛାଡ଼ି ।

 

ପରଦେଶୀୟାର ବସନ ଭୂଷଣେ

ବିଳାସିନୀ ବେଶେ ନ ହୁଅ ବାଇ,

ପକା ମନେ ତୋର ପୁରୁବର ଶିରୀ

କି ଥିଲୁ କ ହେଉ ତୁ କାହିଁପାଇଁ ?

 

କାହିଁ କୁଶ କରେ କନକ କଙ୍କଣ

କାଚ ଚୁଡ଼ି ପଟେ ଏଡ଼େ ଆଦର,

କୁଙ୍କୁମ କସ୍ତୁରୀ କେତକୀ କର୍ପୂର

ଛାଡ଼ିଲୁ ରସିଣ ପର ଅତର ।

 

ତୁଟିଛୁ ତୋହର ଫୁଟା ପଦ୍ମ ଶୋଭା

କିମ୍ପା ସାବୁନରେ ଘଷୁ ତୋ ମୁଖ,

ନ ବୋଳ ଅଳତା ଦୁର୍ବଳ ଚରଣେ,

ରୋଗଶେଯେ ପଡ଼ି ରହିଥା ମୂଳ ।

 

ଜରାଜୀର୍ଣ୍ଣ ଶୀର୍ଣ୍ଣ ଶିରୀ ତୁ ଦୁଃଖିନୀ,

ନିଃସ୍ୱ ନିଃସମ୍ୱଳ ନିତି ଲାଞ୍ଛିତା,

ବାଞ୍ଛିତେ ବଞ୍ଚିତା ପର ପଦାନତା

ମଉନେ କବାଟ କୋଣେ ପଡ଼ିଥା ।

 

ଥାଉ ଥାଉ ତୋର ଚନ୍ଦନ-ରଚନା

ନ ସଜାଡ଼ି ଆଉ ବନ୍ଦନ ଦେବୀ,

ଦୀର୍ଘଶ୍ୱାସ ଉଠୁ ଦୀର୍ଘ ମନ୍ଦିରେ

ଜୀର୍ଣ୍ଣ ପ୍ରତିମା ପଞ୍ଚରାଭେଦି ।

 

ନ ଖଞ୍ଜ ଆୟାସେ ରୁକ୍ଷ କର୍କଶ

ଭଙ୍ଗା ଖଞ୍ଜଣୀରେ ବିକଳ ସ୍ୱର,

ନୀରବ ନିର୍ଜନ ଦେଉଳ ମୂଳରୁ

କରୁ ହାହାକାର ଫଟା ପଥର ।

 

କାନ୍ଦୁ କଲ୍ଲୋଳିନୀ ସିକତା ଶୟନେ

ଜଳୁ ବେଣା-ବନେ ଅନଳ ଶିଖା,

ବରଶୁଷ୍କ ସରେ କାନ୍ଦୁ ଲୋ ସଫରୀ,

କାନ୍ଦୁ ହତଶିରୀ କ୍ଷୀଣ ଚିଳିକା ।

 

ଯା ନୀଳ ବେଣୀରେ ନ ଶୋଭେ ତରଣୀ,

ଚମ୍ପାଫୁଲ ଶ୍ରେଣୀ ସୁଷମା ଜିଣି,

ଆଉ ତ ଓଡ଼ିଆ ଦୂର ବିଦେଶରୁ

ନ ଆଣେ କୁବେର ଭଣ୍ଡାର କିଣି ।

 

ଶିବ ଶିରୀପତି ସରଳା ପାର୍ବତୀ

ପୟର ପରଶେ ପୂତ ବିମଳ,

ତରଙ୍ଗ ତରଳା ଚାରୁ ଚିତ୍ରୋତ୍ପଳ

ଲୀଳା ଶତଦଳ ରମ୍ୟ ଉତ୍କଳ ।

 

କୋଳେ ଯା’ ଜନମ ଐର ଅରିନ୍ଦମ

ପୁରୁଷ ଉତ୍ତମ, ଭୀମ, ଯଯାତି,

କେଶରୀ କରୀ ଯା’ ବାହନ ଆଜି ସେ

ତପନର ତଳେ ଅଧମ ଜାତି ।

 

ଶିଳାଶିଳ୍ପ ଛଳେ ଛନ୍ଦି କାବ୍ୟକଳା

କବିତାରେ ରଚି କୌଶଳ କାରୁ

ପାରାବାର ପର- ପାରେ ଯା’ ସଭ୍ୟତା

ଶୋଭିଲା ମନ୍ଦିର ମଣ୍ଡପେ ଚାରୁ,

ଆଜି ସେ ବର୍ବର ଆଜି ସେ କିଙ୍କର,

କା’ ପ୍ରାଣ ପାଷାଣ ସହିବ ଆଉ?

 

ଅଳସ ବିଳାସୀ ଆମେ ଲୋ ସରବେ,

କୋଟିକଷ୍ଟ ନିକି ଅଙ୍ଗେ ନିଭାଉ !

ଗଲା ଧର୍ମ୍ମ କର୍ମ୍ମ ସାଧନ ଭଜନ,

ନେଲେଣି ମେଲାଣି ଶିରୀଶାରଦା,

ଅନ୍ନପୂର୍ଣ୍ଣା ମାତା ଅନ୍ନ ଅଭାବରେ

ବସି ଶମଶାନେ ବାହୁନେ ସଦା ।

 

ଶୈଳମାଳ ତେଜି ଜ୍ୱର ମେଲେରିଆ

କମଳ ପ୍ରଫୁଲ୍ଲ ପଲ୍ୱଳେ ପଶି

ପଲ୍ଲବ-ପାଟଳ ପଲ୍ଲୀସୁଷମା

ସାରିଲାଣି ସବୁ, ଦେଖୁଛୁ ବସି ।

 

ଲକ୍ଷେ ରାଜାଙ୍କର ମଉଡ଼ମଣିର

ରାଇଜର ଲୋକେ ମଶାଣିମଡ଼ା,

ଦୁର୍ଭିକ୍ଷ ବନ୍ୟା- ବିପତ୍ତି କଲାଣି

ଲକ୍ଷେ ପରଜାଙ୍କୁ ରାଇଜଛଡ଼ା ।

 

ପୋଡ଼ ବେଲପଣା ଗଜାମୁଗ କନ୍ଦ,

ଚକଟା ଛତୁରେ ନ ବଳେ ମନ,

ତଳସୀର ତଳେ ମନ୍ତ୍ର ବିସୋରି

ଛିନ୍ନ ଚିତ୍ତଁ ଉଠେ ଘନ ରୋଦନ ।

 

କୃପା-ସିଂହାସନ ଟଳିବ କି ହେଳେ,

ଢାଳେ ଚାହିଁବେ ସେ ଶ୍ରୀହରି ଥରେ ?

ଓଡ଼ିଆର ଦଶା ଓଡ଼ିଆର ଆଶା

ହେବ କି ସଫଳ ଏ ଜଗତରେ ?

 

ଚରଣେ ମାଗୁଣି ଏତିକି ହେ ହରି

ନବ ବରଷର ଶୁଭ ଆଶିଷେ,

(ଯେହ୍ନେ) ଛିନ୍ନ ସୁଷମା ଭିନ୍ନ କଳିଙ୍ଗ

ଅଚିରେ ଆନନ୍ଦେ ଏକାଠି ମିଶେ ।

 

ଦୂର୍ବାଦଳ

 

ନନ୍ଦନ ମନ୍ଦାରେ କାହୁଁ ବା ପୂଜିବି

ଅଛି, ଯୋଡ଼ିଏ ତୁଳସୀ ପତର,

ସୁନା, କୁନ୍ଦୁରୁ ମୁଁ କାହୁଁ ଆଣିବି ଗୋ,

ନାହିଁ ମୋ, ଚନ୍ଦନ, ଅତର ।

ଦୁବ, କୋଳିପତ୍ର, ଆତପ ତଣ୍ଡୁଳେ

ସଜାଡ଼ିଛି ପୂଜାସମ୍ଭାର,

ହୀରା ମୁକୁତା ମୁଁ କାହୁଁ ପାଇବି ଗୋ,

ଗୁନ୍ଥିଛି ସୁମନ ସୁହାର ।

 

ପନୀରେ କାହୁଁ ବା ସଞ୍ଚିବି, ଲୋଚନ-

ସଲିଳେ ରଖିଛି ତିନ୍ତାଇ,

ଜଣାନାହିଁ ବଡ଼-ପଣିଆ ମୋତେ ଗୋ,

ଅଛି ନିର୍ମଳ ପ୍ରୀତି ବଢ଼ାଇ

ହୃଦୟ ମନ୍ଦିରେ ଆଜି ଆନନ୍ଦରେ

ଆସିଲ କି ଦେବ ସୁମନ ?

କେ ତୁମେ ହେ ବନ୍ଧୁ, କେ ତୁମେ ଅତିଥି,

କେ ତୁମେ ମୋ’ ପ୍ରିୟ ସୁଜନ !

 

ମୁଖ ଚିହ୍ନା, ଚିହ୍ନା, ତଥାପି ଅଜଣା,

କ୍ଷଣେ ମନକିଣା ତହିଁ କି ବେଦନା,

ସାରା ଜୀବନର      ଯାତନା ମଧୁର

କଲାଣି ମରମ ଦହନ।

ମହାନ ମୋହନ ମୁରତି ନୟନେ,

ଥକା ମୋ’ ଚରଣ, ନ ଚାଲେ ଅୟନେ,

ଶୟନେ, ସ୍ୱପନେ, ଗୋପନେ ଗୋପନେ

ଜପିଥିଲି ସାରା ଜୀବନ !

 

ଅଧବାଟେ କାହୁଁ ଆସି ମିଲିଗଲ,

ଲୋଚନୁଁ ଆନନ୍ଦ ଅଶ୍ରୁ ବୁହାଇଲ,

ହରିଲ ନିମିଷେ ପ୍ରଣୟ ପରଷେ

ପରାଣ-ପାତକ ବନ୍ଧନ !

 

ମୋ’ ସ୍ନେହ ରତନ ଆଦରେ ଯତନେ

ଦେଲି ମୁଁ ମଉନେ ଶ୍ରୀପଦ-ବନ୍ଦନେ,

ପ୍ରୀତିର ବନ୍ଧନେ ବାନ୍ଧ ନିଶିଦିନେ

ହେ ମନନୟନ-ନନ୍ଦନ !

 

ବେହାଗ ଖମ୍ୱାଳ – ଦେଓରା

 

ମୋର ନିଭୃତ ଗୋପନ ମରମେ

ଆସଇ କେ ଆସଇ,

ପ୍ରେମ ମୋହନ ମଧୁର ପରଶେ

ରସଇ କେ ରସଇ!

 

ଏହି ଅପାର ସୁନ୍ଦର ସଂସାରେ,

ପୟର ସଧୀର ସଞ୍ଚାରେ

ଆସଇ କେ ଆସଇ !

 

ଚାରୁ ତାରକା-କୁସୁମ-ସୁହାସେ

ହସଇ କେ ହସଇ,

ସୁଧା ବସନ୍ତ ଅନିଳ ହିଲ୍ଲୋଳେ,

ସାଗର ସୁନୀଳ କଲ୍ଲୋଳେ

ଭାସଇ କେ ଭାସଇ !

 

ମୋର ଅସ୍ଫୁଟ ଗୋପନ ରୋଦନେ,

ଆସଇ କେ ଆସଇ !

 

ବେହାଗ ଖାମ୍ୱାଜ-କାଓ୍ୟାଲି

 

ତବ ପ୍ରେମ ପାଇଁ ତୃଷିତ ହେ ବନ୍ଧୁ,

ତୃଷିତ ମୋ’ସାରା ପରାଣ,

ଶକତି, ମୁକତି, ବିତ୍ତ ବିଭୂତିରେ

ନ ହେବ ଏ ଦୁଃଖ ବାରଣ ।

 

ସପତ ସୁରଗ ଭୋଗଲାଗି ପ୍ରଭୁ

ନାହିଁ ମୋ’ ତିଳେକ ବାସନା,

ବିନା ତବ ଧ୍ରୁବ-ଶିବ ପଦପ୍ରାନ୍ତ

ନାହିଁ ମୋର ଆନ ସାଧନା ।

 

ନ ଚାହେଁ ମୁଁ ରମ୍ୟ ରତନ କନକ,

କି ହେବ ଅସାର ମୁକୁତା ମାଣିକ,

ବିନା ପାଦୋଦଳ ନ ମେଣ୍ଟିବ ଦଳ,

ଶୁଷ୍କ ମୋ’ କଣ୍ଠ-ରସନା !

 

ବାହାର-ଏକତାଲା

 

ଆସ ମୋର ପ୍ରାଣେ ହେ ଶକ୍ତି ମୋହର

ଜ୍ୟୋତିର୍ମୟ ଶ୍ୟାମସୁନ୍ଦର,

ନିବିଡ଼ ଜଳବ-ମାଳାରେ ବରଷି

ବିଜୁଳି ପ୍ରବଳ ପୁଲକେ ଉଚ୍ଛ୍ୱସି

ବ୍ୟାପ ମୋ’ ହୃଦୟ-ଅବନୀ-ଅମ୍ୱର ।

 

କନକ-କିରଣେ ରବି- ତାରକାର

ହର ମୋ’ ଅନ୍ତର ଗର୍ବ ଅନ୍ଧକାର,

ଭାଙ୍ଗିଯାଉ ଲଭି ଚରଣ-ପ୍ରହାର

ତୁଚ୍ଛ ଅହଂକାର-ଉନ୍ନତ ଶିଖର ।

 

ତବ ଶ୍ରୀମହିମା ନଭୋନୀଳିମାରେ

ଫୁଟିଉଠୁ ମୋର ଅନ୍ତରେ ବାହାରେ,

ଲାଜ ଅପମାନ ଲଭୁ ଅବସାନ

ହୃଦପଦ୍ମେ ପାର ଆସନ ସୁନ୍ଦର ।

 

ସିନ୍ଧୁ-ଖାମ୍ୱାଜ-କାଓ୍ୟାଲି

 

କେବେ କରିଥିଲି ମନା

ହୃଦପଦ୍ମେ ଆସନ,

ମୋ’ ନିଜ କର-ରଚନା

ବସିବେ ମୋ’ ପ୍ରିୟତମ !

 

ବିଶାଳ ବିଶ୍ୱର ରାଜା,

ଘେନିବେ ମୋ’ ତୁଚ୍ଛ ପୂଜା,

ଏ ତ ମୋର ଅହଂକାର

ଦେବମାନବ-ବନ୍ଦନ !

 

ପଦ ଧରି ଡାକେ ହରି,

ହୀନ ମନେ ନ ବିଚାରି

ଆସ ମୋ’ ଦୀନ କୁଟୀରେ,

ଆସ ମୋ’ ମନମୋହନ !

 

ନୁହେଁ ଯିବି ମୁଁ ସୁନ୍ଦର,

ଦରିଦ୍ର ଛାର ଇତର,

ବିତର କରୁଣା କର,

ତବ ପ୍ରୀତି ପୁଣ୍ୟଧନ ।

 

ମିଶ୍ର କାନାଡ଼ା- ଏକତାଲା

 

ପ୍ରେମ କରେଁ କିପାଁ କହିବି ଗରବେ,

ପ୍ରେମ କରିବା ମୋ’ କରଣୀ,

ପ୍ରେମ ଅଧିକାର ଦେଲ ବୋଲି ସଖା

କୃତାର୍ଥ ମୁଁ ଦୀନ ପରାଣୀ ।

 

ପାରକଉଡ଼ି ମୋ’ ନାହିଁ ବୋଲି ବନ୍ଧୁ,

କଲି ଯା ଆରତେ ମାଗୁଣି,

ସେ ନୁହେଁ ମୋ’ ଟାଣ ମୋ’ ଗରବପଣ

ଦେଲ ଯଦି ପଦ-ତରଣୀ ।

 

ଭବ-ବିପିନେ ମୁଁ ବୁଲି ମନୋଭ୍ରମେ

କାନ୍ଦିଲି ତିନ୍ତାଇ ଧରଣୀ,

ସେତିକି ନୁହେ ମୋ’ ବଡ଼ିମାପଣିଆ

ଦେଖାଇଦେଲ ଯେ ସରଣୀ ।

 

କିଙ୍କର ବୋଲି କି ଦରପ ମୋହର

ବଢ଼ାଇ ଶ୍ରୀମୁଖ ଖଟଣି,

‘‘ଆପଣାର ଲୋକ’’ ବୋଲି ଯା’ କହିଲ,

କରିନେଲ କର-ସାରଣୀ।

 

ମିଶ୍ରକାନାଡ଼ା – ଏକତାଲା

 

ଅକୂଳ ସାଗରେ      ଭସାଇଲି ତରୀ

ଶ୍ରୀପଦ ସୁମରି ହେ !

ମଲେ ତ ମରିବି,       ତାରିଲେ ତରିବି,

ଯାହା ଇଚ୍ଛା କର ହରି ହେ !

 

(୧)

ଚଉଦିଗେ ଦେଖ ବିଶ୍ୱାଳ ବିସ୍ତାର,

ଭୀଷଣ ଏ ଭବ ମହାପାରାବାର,

ଦୁଃଖ-ଝଞ୍ଜାଘନେ କମ୍ପେ ଅପଘନ,

କେହି ନାହିଁ ସାହା ମୋହରି ହେ ।

 

(୨)

ପ୍ରେମ-ନାଉରି ! କର ମୋତେ ପାରି

ଦୀନନାଥ ନାମ ସାର୍ଥକ ବିଚାରି,

ମୋ’ ପରି ସୁଦୀନ ଭବେ କେହି ଆନ

ଅଛି କି କରୁଣା ବିତରି ହେ ?

 

(୩)

ଅକୂଳ ଅତଳେ ନାବ ଟଳମଳ,

କାତରେ ପରାଣ ଅନ୍ତରେ ବିକଳ,

ଶେଷ ଆଶା ମୋର ସୁଦୟା ତୁମର

ନୋହିଲେ ଗ୍ରାସିବ ଲହରୀ ହେ ।

 

କାନାଡ଼-ଏକତାଲା

 

ଦୁଃଖ ଦେଉ ମୋତେ ଦୁଃଖରୁ ଯେସନେ

ଲଭିବି ମୁଁ ଚିର ତରାଣ,

ସଂଶୟ-ଡ଼ୋରେ ଗୁନ୍ଥି ଅବିଶ୍ୱାସ,

ଧରୁ ମୋର ମୀନ-ପରାଣ । ଧ୍ରୁ-

ଭବ-ମାୟାଜାଳେ ରହିଛି ମୁଁ ବୁଡ଼ି,

ମୋ’ ଚିର-ସମ୍ପଦ ପ୍ରେମାନନ୍ଦେ ହୁଡ଼ି,

ନେଇ ମୋତେ ଧରି, ମୋ’ ହୃଦୟ ଚିରି

ଦଳି କାଢ଼ୁ ତପ୍ତ ଶୋଷିତ ବିଷାଣ ।୧।

 

ମରି ମୁଁ ଜୀଇବି ତୋ’ ପ୍ରେମଲାଗି,

ପାଇବି ସରବ ତ୍ୟାଗି,

ହଜିବ ଯା’ ମୋର ହରିବ ଯା’ ତୋର,

ପୂରଣ କରିବୁ ହେ ଜଗତରାଣ ।୨।

 

ଆସିଲି ବିକି ଗୋ ପାଦରେ ତୁମର

ପ୍ରେମମୟ ମୋର ହୃଦୟ,

ନ ମୂଲାଇ ତୁମେ ଛଡ଼ାଇନେଇ ଗୋ

କାହି ମୁଁ ହେଉଛି ଅଥୟ ।

ଆସିଲି ପୂଜି ମୁଁ ପୟର ତୁମ୍ଭର,

ସୁନ୍ଦର ମୋ’ ମନୋକମଳେ,

ଗାଇଲି ବସି ମୁଁ ଦୁଆରେ ତୁମର

ଦିବାନିଶି ଦୁଃଖରାଗିଣୀ,

ଶୁଣିବା କଥା ତ ଦୂରେ ଥାଇ, ତୁମେ

ଭାଙ୍ଗିଦେଲ ମୋ ଖଞ୍ଜଣୀ ।

ଘୁଞ୍ଚିଆସିଲି ମୁଁ ଯେତେ କତି କତି

ତେତିକି କରିଲ ପର ଗୋ,

ଯେତେ ବନ୍ଧୁପଣ ଭିଆଣ କରିଲି

ତେତିକି କରିଲ ଦୂର ଗୋ ।

ତେବେ କିନ୍ତୁ ସଖା ନଯିବି ବାହୁଡ଼ି,

ଜାଣିଛି ମୁଁ ତୁମ ଛଳନା,

ଉପର କଠୋର ବେଭାରେ ଭିତର

ପ୍ରୀତିଟି କରିଛି କଳନା

କଟୁ ବଚନର ଅନ୍ତରାଳେ ଲୁଚି

ରହି ନ ପାରୁଛି ହସଟି,

ମନର ପରଖ ମନ ସିନା ସଖା,

ସୁନାର ପରଖ କଷଟି ।

 

 

ଭୈରବୀ – ଏକତାଲା

 

ଆଦର ସୁଧୀରେ ଡାକିଲି ପ୍ରଭୁ ହେ,

ଆଦର ତ ହେଲା ମଳିନ,

ଝରିଗଲା କେତେ ଅଶ୍ରୁ ଶିଶିର,

ଶୁଖିଲା ତ ଚିତ୍ତ-ନଳିନ ।

 

ଦ୍ୱାରେ ଦ୍ୱାରେ ବୁଲି ଏ ଭିକାରୀ ଦଶା,

କାନ୍ଦି କାନ୍ଦି ଲାଜେ ହେଲାଣି ବିବଶା,

ନ ଶମିଲା ତୃଷା, ନ ପୂରିଲା ଆଶା,

ଅନାଇ ତପତ ପୁଲିନ।

 

ଧୂଳି ମୁଠା ଘେନି ଥିଲ କି ହେ ଗଢ଼ି,

କିପାଁ ଫୁଟାଇଲ ହୃଦ କୁନ୍ଦକଢ଼ି,

ଝଡ଼ିଲା ଅକାଳେ, ସଢ଼ିଲା ଜଞ୍ଜାଳେ,

ଧୂଳିରେ ତ ହେଲା ବିଲୀନ ।

 

ବଡ଼ ଆଶା କରି ଆସିଥିଲି ପ୍ରଭୁ,

ପଦଟିଏ କଥା ଶୁଣିବି,

ବଡ଼ ଆଶା କରି ବସିଲି ଦୁଆରେ

ନୟନ ପୂରାଇ ଚାହିଁବି

 

ତୁମ ଦାସ-ଦଳେ ମୁଁ ସବୁଠୁଁ ଊଣା,

ତେଣୁ କି ବାଞ୍ଚିତ ନ ହେଲା କରୁଣା ?

ଆସିଥିଲି ମନେ ଘେନି ଯା’ ଫୁରୁଣା,

(ଏବେ) ନିରାଶେ ଲେଉଟି ଚାଲିବି ।

ଥାଉ ଥାଉ ତବ ପ୍ରେମିକପଣିଆ,

ମୁଁ ଥିବି ସଂସାର ଜଞ୍ଜାଳ ଅଳିଆ,

ମୋ’ ନୀଚପଣରେ ଥିବି ମଉନରେ

(ତହିଁ) ଜୀବନ ସଫଳ ମଣିବି ।

 

ପାଏ ଯଦି ପ୍ରଭୁ ଚାଖଣ୍ଡକ ଭୁଇଁ

ଶ୍ରୀଚରଣ-ପଦ୍ମ ଛାୟାରେ,

ଆଉ ନ ଭୁଲିବି, ଦୂରେ ପଳାଇବି,

ଅସାର ସଂସାରମାୟାରେ ।

 

(୧)

ମଣିବି ଜୀବନ ଚରମ ସାର୍ଥକ,

ହୃଦୟୁଁ ତୁଟିବ ବୃଥା ଭୟ ଦକ,

ପିଇ ପାଦୋଦକ ଭୁଲିବି ମୋ ଶୋକ,

ଲଭିଛି ନିତି ଯା କାୟାରେ ।

 

(୨)

ବହି କେତେ କ୍ଳେଶ କେତେ ପଥ ଚାଲି

କେତେ ମରୁଭୂମି ଦୁଃଖ-ତପ୍ତ ବାଲି,

କେତେ ଭୀମ ବାରି ନଦୀ ସିନ୍ଧୁ ପାରି

ପାଇଛି ତୋହରି ଦୟାରେ ।

 

(୩)

ଏବେ ତୋ’ ଚରଣେ ସେବକର ସ୍ଥାନ,

ଅକୁଣ୍ଠିତେ ପ୍ରଭୁ କର ମୋତେ ଦାନ,

ସେ ମୋ ମହାମାନ, ସେ ରାଜସମ୍ମାନ,

ସେତିକି ଆଶା ମୋ’ ହିଆରେ ।

 

ନିବିଡ଼ ଘନତାମସୀ ରାତ୍ରି,

ହୁଅ ସଙ୍ଗୀ ମୋର ଦୁର୍ବଳ ଯାତ୍ରୀ ।

ଆକାଶେ କଳା ନୀରଦ ଭାସେ,

ଦିଗ୍‌ବଳୟ କୋଳେ ବିଜୁଳି ହସେ,

ନିରାଶ ପ୍ରାଣ, କମ୍ପିତ ତନୁ,

ବୁଡ଼ିବ ତରୀ ଭାବନା ଭାରେ

ଗଭୀର ଏ ଭୀମ ସାଗର ତଳେ ।

ହୁଅ ସଙ୍ଗୀ ମୋର ଭବଭୟହର,

ଦୁର୍ବଳ ମୁହିଁ ଯାତ୍ରୀ,

କ୍ଷୁବ୍‌ଧ ସାଗର, କ୍ଷୁଦ୍ର ତରଣୀ,

ଝଞ୍ଜା-ଭୀଷଣ ରାତ୍ରୀ ।

 

ଚତୁର ବଣିଆ ପରାଭବ-ବଜାରେ,

ମଉଜେ ମାରିଛ ମନ କିଣାବିକାରେ ।

କାହିଁ ଲାଭ କାହିଁ ତୁଟି,

କାହିଁ ହସ ଉଠେ ଫୁଟି,

କାହିଁ ବିଷାଦ ଭ୍ରୁକୁଟୀ,

କାହିଁ ବା ସର୍ବସ୍ୱ ହାରେ ।୧।

 

ଆସନ୍ତି ଖାତକ ଛଳେ

ଦାଣ୍ଡେ କେତେ ଦଳେ ଦଳେ,

ଅସଲ ଜଣକ ଚିହ୍ନା,

ନ ପଡ଼େ ଏଡ଼େ ଧନ୍ଦାରେ ।୨।

 

ତା ମୁଖ ଦେଖିବା ଲାଗି

ଆଖି ମୋ ରହିଛି ଜାଗି,

ହେବି ମୁଁ ସର୍ବସ୍ୱତ୍ୟାଗୀ

ଦେଖିଲେ ବଦନ ବାରେ ।୩।

 

ଛାଡ଼ି ଏ ଭବପସରା

ଧାଇଁଯିବି ପଛେ ତ୍ୱରା

ସକଳ ଅନର୍ଥ-ସରା

ସେ ପ୍ରେମ-ମନ୍ଦିର-ଦ୍ୱାରେ ।୪।

 

ଲୁଟିଖାଇ କେ ମୋ’ ଧନ,

ତହିଁ ନ ହେବି ଉଚ୍ଛନ୍ନ,

ସେ ହବ ମୋ’ ଜ୍ଞାନ ଧ୍ୟାନ

ମୋ ସରବ ସଂସାରେ ।୫।

 

ଖଟ୍‌ ଭୈରବୀ – ଏକତାଲା

 

ସେ ତ ଆଦରର ଧନମଣି,

ମୋ’ ପ୍ରାଣରତନ, ହୃଦୟମୋହନ,

ପୂର୍ଣ୍ଣ ପ୍ରେମ-ସୁଧା-ଖଣି । ଧ୍ରୁବ।

ପରମସୁନ୍ଦର ପ୍ରେମ-ପ୍ରଭାକର

ମୋ’ ଆତ୍ମାକମଳ, ବନ୍ଧୁ ସୁବିମଳ,

ମୋର ସର୍ବସାର ଶକତି ଆଧାର

ପୂଣ୍ୟମୟ ଗୁଣମଣି ।୧।

 

ପବନେ ଉଛୁଳେ ତା’ ସୁରଲହରୀ,

ଫୁଲେ ଫୁଲେ ଫୁଟେ ତା’ ରୂପମାଧୁରୀ,

ବାତୁଳ କଲା କି ଅତୁଳ ଆନନ୍ଦେ,

ମନ ମୋର ନେଲା କିଣି ? ।୨।

 

କି କହିବି ଆଉ ନ ଆସଇ କଥା,

ଚରାଚରେ ପରା ବାଜଇ ମୋ’ ବ୍ୟଥା,

ପୁଲକ ଆକୁଳେ ଭାସେ ନେତ୍ରଜଳେ

ଦିବାନିଶି ଗୁଣ ଗୁଣି ।୩।

 

ଅସାର ସଂସାରେ ନାହିଁ ମୋର ଆଶ,

ମାଗେଁ ଶୀତଛାୟା ଶ୍ରୀପଦ ସାରସ,

ସେ ଏକା ମୋ ଧନ, ସେ ଏକା ମୋ’ ଧନ

ଚିତ୍ତେ ପ୍ରେମଚିନ୍ତାମଣି !

 

ସିନ୍ଧୁ ଖାମ୍ୱାଜ୍‌ - ଜଲଦ ଏକତାଲା

 

ସୁନ୍ଦରେ ସୁନ୍ଦରେ ହୃଦୟ ମୋହର

ହେଉ ନାଥ ଚିରସୁନ୍ଦର !

ମଧୁରେ ମଧୁରେ ହୃଦୟ ମୋହର

ହେଉ ନାଥ ଚିରମଧୁର । ଧ୍ରୁ୧

 

(୧)

କ୍ଷୁଦ୍ର ମୁହିଁ ପ୍ରଭୁ ଯଦି ବଳହୀନ,

ନୁହେଁ ତୁ କୃପା କରଣେ ନିଉନ,

ମଉନେ ବସିବି ଚରଣ ନଳିନ-ତଳେ

ଚିର ତବ କିଙ୍କର ।

 

(୨)

ଭୁଲାଇବ ମୋତେ କି ଦେଇ ହେ ପ୍ରଭୁ,

ତୃଣ ତୁଲ୍ୟ ମଣେ ତୁମ ବିନା ସବୁ,

ହେ ଭୁବନେଶ୍ୱର ତୁମେ ମୋ’ ଈଶ୍ୱର,

ମୋ ଚରମ ଶାନ୍ତିସାଗର ।

 

(୩)

ଚାହେଁ ନାହିଁ ନାଥ ମାନ ଗଉରବ,

ଚାହେ ନାହିଁ ସୁଖସମ୍ପଦ-ଗରବ,

ସବୁ ତ ଝରିବ ତବ ଅସରନ୍ତି ଦିଅ ପ୍ରେମସୁଧା ନିର୍ଝର ।

 

ବେହାଗ ଖମ୍ୱାଳ – କୱାଲି

 

ସକାଳରୁ ସଞ୍ଜେ       ତୁମରି ଲାଗି ମୁଁ

ଅନାଇ ବସିଛି ପଥେ,

ଛାତି ଥରେ ଥରେ ଆଖି ଝରଝରେ

ଆସିଲ ଆସିଲ ସତେ । ଧ୍ରୁ।

ସାରା ପରାଣଟା ତୃଷାରେ ପୁରି

ସାରା ମରମଟା ହେଉଛି ଝୁରି,

ଶିରାରେ ଶିରାରେ ଚମକେ ବିଜୁଳି

ଛଳିକୁ ଛଳିଲ ପରା,

ଝିମି ଝିମି ଦେହ ଗୋଟାକ ମୋହରି,

ଅବିଶ୍ୱାସ ଘରେ ତ୍ୱରା ।

ତୁଚ୍ଛାକୁ ତୁଚ୍ଛାକୁ କାନ୍ଦିବସେ ମାନେ

ଜୀବନ ରହିବ ସତେ,

ଏତେ ଦୁଃଖ ଯଦି ଦେବ ଭାଳିଥିଲ,

ବେଳୁ ନ କହିଲ ମୋତେ !

 

ସିନ୍ଧୁ ଆଡ଼ାଠେକା

 

କହରେ ମନ ଥରେ,

ମନେ ସେ କି ନ ପଡ଼େ ରେ ?

ହେରି ଅଗୁଣ ଛବି ସ୍ମରୁ କିରେ ମୁଖରବି,

ଲୋଚନୁ ପଡ଼େ ସ୍ରବି,

ଦ୍ରବି ଅନ୍ତର ଅଶ୍ରୁରେ ।

ପଥେ ହେଲା ପଥହରା,

ଖୋଜିବୁଲୁ ବିଶ୍ୱସାରା,

ନ ଲଭି ପ୍ରାଣପ୍ରିୟ

ପଥପ୍ରାନ୍ତେ ତୁ ବସୁ ରେ ।

ନୀଳ ଗଗନ ଚାହିଁ

କାହିଁ ଯାଉ ମନ ଧାଇଁ,

କିଏ ତୋ ହୃଦସାଇଁ

କାହା ପାଦେ ତୁ ରସୁ ରେ ?

ତୃଣ ତୁ କରୁ ଜ୍ଞାନ,

ସରବସଂସାର ମାନ,

ସେ ତୋର ଜ୍ଞାନ,

କାହା ଶରଣ ପଶୁ ରେ ?

 

ବେହାଗ ଖାମ୍ୱାଜ – କୱାଲି

 

ଆସିଲା କେ ଏ ନିଶୀଥେ ମୋହରି କୁଟୀରତ୍ୱାରେ ,

କି ଘେନି ପୂଜିବି ପାଦ ମାଗିବି ମୁଁ କାହାଠାରେ ?

ମଳିନ ହୃଦୟଭୂଇଁ, ପୀଡ଼ିତ କାତର ମୁହିଁ,

ଆସନଟି ସୁଦ୍ଧା ନାହିଁ ଏ ଭଗନ କୁଡ଼ିଆରେ ।

ଦୀନେ ଅତି ଦୀନତମ ଜାଣିଛ କି ପ୍ରିୟତମ,

ଅଛି ମୋ ମନ-ସୁମନ ନୟନଭରା ଆସାରେ ?

ଦେବି ମୁଁ ଚରଣେ ଢାଳି, ଯାହା ଜୀବନ ସଙ୍ଖାଳି,

ଦୀନତା ହୀନତା ମୋର ହଜିବ ହେ ପୂର୍ଣ୍ଣତାରେ ।

 

କହ କୋକିଳ, କି ଗାନ ଗାଉ ହରଷେ ?

ଆକୁଳ ବ୍ୟାକୁଳ ହିଆ,

ନିମିଷେ ପରାଣନିଆ,

ନୀଚେ ମନ ଥେୟା ଥେୟା

ଭାବଉଲ୍ଲାସେ;

କହ ତୋ’ ପଞ୍ଚମ ତାନେ,

କି ସୁଧା ବରଷେ କାନେ,

ଉଭା କି ବସନ୍ତ ପ୍ରାଣେ

ମୋହନ ବେଶେ ? ୧।

ଦିଶେ ଦିଶେ ଫୁଲରାଶି,

ଦିଶେ ଦିଶେ ବାଜେ ବାଜେ ବଂଶୀ,

ଉନ୍ମତ୍ତ ପରାଣ ମୋର

ପ୍ରେମ ଆବେଶେ;

ଯବି କି ରହିବି ଘରେ,

ତନୁ ଥରେ, ଆଖି ଝରେ,

ଚଞ୍ଚଳେ ଚମକେ ଚିତ୍ତ

ଲାଜ ପରଶେ ୨।

 

ଆସ ଆସ ବୁଲି ଦକ୍ଷିଣା ପବନ,

ଚୁମ୍ୱି ଧୀରେ ଫୁଲଶିରେ ମହକି ମୋ ହୃଦବନ ।

ଫୁଟିଉଠୁ ଶଶୀ-ହାସ,

ଝରିପଡ଼ୁ ଫୁଲବାସ,

ଗଗନେ ଗହନେ ରସି ପରଶ ମୋ’ ପ୍ରାଣମନ,

ଜାଗୁ ଜୀବନେ ମୋହନ ମୂରତିଟି ଘନ ଘନ ।

ବାଜୁ ମରମେ ସେ ବୀଣା,

ଚଉଦ ଭୁବନକିଣା.

ଆକୁଳ ଅଧୀର ହିଆ ଲଭୁ ଆନନ୍ଦ-ବନ୍ଧନ,

ଅରପୁ ପୟରପଦ୍ମେ ଆତ୍ମା ମୋ’ ସର୍ବସ୍ୱ ଧନ ।

 

କହ ମନ କାହା କଥା ଭାବୁ ବିରଳେ?

କିଏ ସେ ତୋ’ ପ୍ରାଣସଖା,

କା’ ପାଦେ ତୋ ଚିତ୍ତ ଯୋଖା,

ଚମକେ ପୁଲକେ ଚିତ୍ତେ ପ୍ରେମ ଉଚ୍ଛୁଳେ ।

କାହାର ସେ ରୂପ ତୋରା,

କୋଟି ଭୂବନ-ପାସୋରା,

ରବି ଶଶି ତାରକାରେ ଛବି ଉଜ୍ଜ୍ୱଳେ ।

ନୀରବେ ନୟନାସାରେ

ଗୁନ୍ଥକି ମୁକୁତାହାରେ,

ଅରପି ଗଳାରେବାରେ ଚାହିଁବୁ ଭୋଳେ ?

ନୁହେଁ ଦିନକର ପ୍ରୀତି,

ଜନ୍ମ ଜନ୍ମ ଗଲା ବିତି,

ତୁ ତାହାର ସେ ତୋହର ଯୁକ୍ତ ଯୁଗଳେ ।

 

ଆହା! ଶୁଣିଲି ସତେ କି ଗାନ,

ସ୍ୱରଟି ରହିଲା ମରମରେ ଜାଗି, ଭୁଲିଗଲି କଥାମାନ ।

କେଉଁ ଦୂରବନେ ବାଜିଲା ବୀଣା.

କାନେ ନ ପଶୁଣୁ ମରମକିଣା,

କେତେ ଯେ ବିଷାଦ, କେଡ଼େ ଅବସାଦ,

ଶୁଣି ସେ ଲଳିତ ତାନା ।୧।

 

ମୋ’ ଜୀବନକୁଞ୍ଜେ ରାଗିଣୀ ତା’ର,

ଗଗନେ ପବନେ ଶୁଣେ ସେ ସ୍ୱର,

ଭ୍ରମର ଗୁଞ୍ଜନେ କୋକିଳ ପଞ୍ଚମେ

ତା’ ସୁକଣ୍ଠ କରେ ଜ୍ଞାନ ।୨।

 

ଜାଗ୍ରତେ ସ୍ୱପନେ କରମ ଧ୍ୟାନେ,

ଶୁଣେ କି ତା’ସ୍ୱର ବାଜୁଛି କାନେ,

ନୀର ଝରେ ଝରେ, ପତର ମର୍ମ୍ମରେ

ଚମକିଉଠେ ମୋ’ ପ୍ରାଣ ।୩।

 

ଅଦୃଶ୍ୟ ସେ କା’ର ଅଙ୍ଗୁଳି ସ୍ୱର୍ଶେ,

ବାଜିଉଠେ ହୃଦ-ତନ୍ତ୍ରୀ କି ହର୍ଷେ ?

ସ୍ୱର ଦେଇ ତହିଁ ଗାଏ କେ ଗୋପନେ,

କରି ନବ ଜୀବ ଦାନ ।୪।

 

ଦୁଆରେ ଆସି ତୁମେ ଡାକିଗଲ ବାରମ୍ୱାର,

ଶୁଣି ନ ଶୁଣିଲା ପରି ରହିଲି ମଉନେ,

ଯାଚିଦେଇ ହାତେ ଆଣି ଆନନ୍ଦସମ୍ଭାର,

ଚାହିଁ ନ ଦେଖିଲି, ମଥା ରହିଲା ନିଊନେ,

ତଳେ ନିବେଶିଲି ଆଖି ମାୟାଭୋଳେ,

ଶୁଣି ନ ପାରିଲି ଡାକ ଭବଗୋଳେ,

ଡାକିଲ ନେବାକୁ କୋଳେ,

ଫେରି ନ ଚାହିଁଲି ଡୋଳେ,

ଏବେ ବଞ୍ଚିବି କହ କିପରି ତୁମ ବିହୁନେ ? ୧।

 

ଏବେ ମନ ମାୟା ଭ୍ରମ ହେଲା ଛିନ୍ନ

ଖୋଜିବୁଲେ ଚରାଚରେ ପଦଚିହ୍ନ;

ଏବେ ମୋ’ ଝରୁଛି ଲୁହ,

ବକ୍ଷ ବିଦାରୁଛି କୋହ,

ଏବେ ଆସ ସଖା ହୃଦେ, ଆସ ଡାକେ କରୁଣେ ।

 

ପାର ଯଦି କଳି ମୋର ହୃଦୟର ଆକୁଳତା,

ସରମେ ଚରଣତଳେ କହିବି ମରମ କଥା ।

 

ପୋଛିଦେବ ଯଦି ମୋର ନୟନର ଅଶ୍ରୁଜଳ,

ଲିଭାଇବ ଯଦି ମୋର ଅନ୍ତରର ଦାବାନଳ,

 

ତେବେ ନାଥ ଚରଣର ଜୀବନରେ ମରଣରେ

ଥିବି ବନ୍ଧା, ଥିବି ନିତି ତରୁପଦେ ଲତା ଯଥା ।

 

ସିଞ୍ଚିଦେବ ଯଦି ପ୍ରାଣେ ସଞ୍ଜିବନୀ ସୁଧାଧାର,

ଫୁଟାଇବ ହୃଦ-ବନେ ନବ ଆଶା-ଫୁଲହାର,

 

ତେବେ ନାଥ ଚରଣରେ, ଜୀବନରେ ମରଣରେ

ରହିବି ଚିତ୍ତ ଆଶ୍ରିତ ତେଜି ଜଗତ ମମତା ।

 

ମୋର ବ୍ୟର୍ଥ ନୟନଧାରା

କଠିନ ତୋହରି ପାଷାଣ ପରାଣେ

ବାଜି ନ ବାଜଇ ପରା,

ହସେ ନିଜ ମନେ, କାନ୍ଦେ ନିଜ ମନେ

ନିଜ ଗାନେ ଆତ୍ମହରା ।

 

ନିଜର ବେଦନା ନିଜେ ମୁଁ ସଞ୍ଚେ,

ନିଜ କରମରେ ମରେଁ ବା ବଞ୍ଚେ,

ବୁଲେ ମିଛେ ମିଛେ ଦୁଆରେ ଦୁଆରେ

ସହି କେତେ ଶୀତ ଖରା ।

 

ତେବେ ତବ ଦୟା ନୋହିଲା ତିଳେକ,

କେତେ ସହିବ ଏ ଅଧମ ସେବକ,

କେତେ ବହିବି ମୁଁ ଏ ବିଶ୍ୱ -ବଜାରେ

ଲାଜର ମଳିନ ପସରା ?

 

ଯାହା ଥିଲା ମୋର ଶୁଝିଲି ତୋ ଦେଣା

ପାଉଣା କାହିଁ ମୋ’ କହ ରେ,

ମୋ’ ଠାରୁ ମୋହର ସକଳ ଘେନିଣ

ଛଳନା କି ପାଇଁ କହ ରେ !

 

ଶୁଝିଲି ତୋ’ ଋଣ କରୁଣା ଆଶାରେ,

ବୁଡ଼ାଇ ମାରୁ ତୁ କିପାଁ ନିରାଶାରେ ?

ବସିବି ଦୂଆରେ କେତେ ଦିନ ଆଉ,

ଝରୁଛି ମୋ ଆଖି ଲୁହ ରେ !

 

ମଧୁର ବଚନେ ହରିଲୁ ମୋ ମନ,

ଏବେ ନିଜରୂପ କରୁ ତୁ ଗୋପନ,

ଅନାଇଁ ଅନାଇଁ ହୁଏଁ ମୁଁ ଉଚ୍ଛନ୍ନ,

ଚିନ୍ତାତାପେ କିପାଁ ଦହ ରେ ?

 

ହରଷେ ପୂରିଛି ବିଶ୍ୱ,

ପୂରିଛି ସାରା ପରାଣ,

ଦେଖେଁ ସେ ଦିନେ ଯେ ଦିନେ

ତମସୁଁ ଲଭେ ତରାଣ ।

 

ଯାହାକୁ ମଣେ ମୁଁ ଦୁଃଖ,

ସେ ତ ମୋ ପରମ ସୁଖ,

ପିତା ପାଣି ପାନେ ପରା,

ଛାଡ଼େପୀଡ଼ା ଅଙ୍ଗମାନ ।

 

ଥିଲି ଅବା ସୁନାଖଣ୍ଡ,

ଅନଳେ ଦେଲି କି ଦଣ୍ଡ,

ଖାଦ-କଳଙ୍କ ଛଡ଼ାଇ

ଦେଲ କି ରମ୍ୟ ରସାଣ ?

 

ସ୍ତବ୍‌ଧ ଗଭୀର ମଧ୍ୟ ନିଶାରେ ଡାକିଲେ

ପ୍ରଭୁ ଆସିବ କି,

ପର୍ଣ୍ଣ କୁଟୀରେ ମାଟିରେ ଲୋଟି କାନ୍ଦିଲେ

ପ୍ରଭୁ ଶୁଣିବ କି ?

ତୁଙ୍ଗ-ଶିଖରୀ-ଉଚ୍ଚ ଶିଖରେ,

କ୍ଷୁବ୍‌ଧ-ତରଙ୍ଗ-ଭୀମ ସାଗରେ,

ଘନ ବିପନେ ଡାକିଲେ ଦିନେ ଆସିବ କି ?

ଅଶ୍ରୁ-କାତର ମ୍ଳାନ ମୁଖେ ଧ୍ୟାୟିଲେ ଦୁଃଖ ନାଶିଦ କି ?

ରୋଗେ ଶୋକେ ସୁଖେ ହରଷେ,

କୁଟୀରେ, ହର୍ମ୍ମ୍ୟେ, ଦେଶେ, ବିଦେଶେ,

ଆସିବ ପ୍ରାଣେ ଶାନ୍ତି-ବେଶେ,

ସରବ ଶାନ୍ତି ହରିବ କି,

ଭବ-ବିଜନ-କଣ୍ଟକ ବନେ

ଚାଲିଲେ ହାତ ଧରିବ କି ?

ପ୍ରେମ ପରଶେ କଳୁଶ ନାଶି

ର୍ବଳ ଆତ୍ମା ତୋଷିବ କି,

ସର୍ବେ ତ୍ୟାଗ କରିବେ ଯେ ଦିନେ

ସେ ଦିନେ ପାଶେ ବସିବ କି ?

 

ବରଷ ବରଷ ପଥ ପରିଶ୍ରମି

ହରଷେ ପୟରେ ମିଳିଲି,

ନଦୀ ସିନ୍ଧୁ ସଙ୍ଗେ ମିଶିଲା ପରାଏ

ସକଳ ଦୁଃଖ ମୁଁ ଭୁଲିଲି ।

ଶତଦଳ ଦଳେ କନକ କିରଣ,

କୁମୁଦେ ଚାନ୍ଦିନୀ-ସୁଧା ବରଷଣ,

ଫୁଲ କୋଳେ ଅବା ହିମବିନ୍ଦୁ ଶୋଭା,

ତବ ପ୍ରେମ ହୃଦେ ଲଭିଲି ।୧।

 

ତବ ପ୍ରେମ ସାର, ସରି କି ଭୁବନେ,

ସାଗର ଶୋଭିତ ସେ କେଉଁ ରତନେ ?

ଖଣିକି ମଣିରେ ଜିଣେ ପ୍ରେମଜ୍ୟୋତି,

ଉପମା କାହିଁ ନ ପାଇଲି ।୨।

 

ସଫଳ ଆନନ୍ଦ, ସଫଳ ଜୀବନ,

ଦେବତା ସଙ୍ଗେ ଏ ମଙ୍ଗଳ ମିଳନ,

ଭକତି, ମୁକତି, ମିଶି ମୋକ୍ଷ, ଶାନ୍ତି,

ପଦତଳ ଧୂଳି ହୋଇଲି ।୩।

 

ଦଗଧ ମରୁପ୍ରାନ୍ତରେ, ତାପିତ ତୃଷିତ ଅନ୍ତରେ

ମାୟା-ମରୀଚି-ଭ୍ରାନ୍ତ, କ୍ଷୀଣ କ୍ଷୁଦ୍ର ପାନ୍ଥ,

ଚାଲି ଚାଲି ତତଲା ବାଲିରେ

ପୟର ଯୋଡ଼ିକ ଶ୍ରାନ୍ତ,

ବଡ଼ ଦୀନ ଦୁର୍ବଳ,

ଶେଷ ପଥ-ସମ୍ବଳ,

ଆରତି ଏଥି ଶୁଣିବ କେହି

(ଏତ) ନିର୍ଜ୍ଜନ ଏକାନ୍ତ,

ତବ କୃପା ଦୁଆର,

କରୁଛି ଜୁହାର !

କହ ଆଉକେତେ ଦୂର

(ପ୍ରଭୁ) ଅନାଥ ନାଥ !

 

ଜୀବ ଯଦି ଯିବ ଛାଡ଼ି

କୃପା କରି କି ହେବ ହେ !

ଚାହୁଁ ଚାହୁଁ ନ ପାଇବି, ନ ଚାହିଁଲେ କି ଦେବ ହେ ?

ବଞ୍ଚିଥିବି ଯେତେ ଦିନ,

ନିତି କଷଣେ ମୁଁ କ୍ଷୀଣ,

ଧୂଳିରେ ହେଲେ ବିଲୀନ,

ଦୟା ଢାଳି କି ହେବ ହେ ?

ଅବା ଆଶିଷ-ଆସାର

ହରିବ ଅଗ୍ନି ଚିତାର,

ହେବି ଯହିଁ ଭସ୍ମସାର

ତହିଁ କି ଲାଭ ହେବ ହେ ?

କଡ଼ାକର ମୂଲ ନାହିଁ ମୋର

କି ଦେଇ ମୂଲାଇବ,

ଚିର ଅପୂର୍ଣ୍ଣ ମୁଁ ପ୍ରଭୁ

କି ଦେଇ ତୁଲାଇବ ?

ସବୁ ମୋର ଅଧାଅଧି,

ମାୟାମୋହେ ଛନ୍ଦାଛନ୍ଦି,

ତିଳେ ପ୍ରୀତି ନାହିଁ ପ୍ରାଣେ

କି ଦେଖି ଭୁଲାଇବ ?

ଶିରେ ମୋ ସହସ୍ର ଧନ୍ଦା,

କରଚରଣ ମୋ ବନ୍ଧା,

କଠିନ ଭାବ-ନିଗଡ଼େ

କି ବାଟେ ବୁଲାଇବ ?

 

ଦୂର ପଥ ଧାଇଁ ଆସିଛି ହେ ବନ୍ଧୁ

ବ୍ୟଗ୍ର ଚଞ୍ଚଳ ଚରଣେ,

ତବ ସ୍ନେହାଞ୍ଚଳେ ମୁଞ୍ଚିବି ଲୋଚନ

ବେନି ମୋ’ ଭରସା ପରାଣେ ।

ସଞ୍ଚିଛି ସୁହାଗେ ଅନୁରାଗରାଶି,

ବଞ୍ଚିଛି ତୁମ୍ଭରି ଆଦର ପ୍ରତ୍ୟାଶି,

କେତେ ଯାଏ ଫେରି କେତେ ଆସି ଆସି

ଲାଜ-ବିଜଡ଼ିତ ଚରଣେ ।

ସାରା ସଞ୍ଜେ ବସି ବିଫଳ ରୋଦନ,

ଆକାଶେ ଭାଷିଲି ହୃଦୟ ବେଦନ,

ସମୀରେ ସରାଗେ କଲି ନିବେଦନ

ନିରାଶା-ଦଗଧ ପରାଣେ ।

ସହି ନ ପାରିଲି ଆଉ ଏ ଯାତନା,

ଧାଇଁଲି ତୋ ପାଶେ ଆକୁଳ ଉନ୍ମନା,

ଏବେ ଯା’ ବିହିତ କର ତୁ ଦଇତ

କରିବି ମଉନେ ମରଣେ ।

 

ହେଲେ ମୁଁ କ୍ଷୁଦ୍ର କମଳ, କ୍ଷୁଦ୍ର କମଳ ହେ,

ହେ ପ୍ରେମ-ମଞ୍ଜୁଳ, ହେ ରବି ଉଜ୍ଜ୍ୱଳ,

ମୋ’ ଭରସା ସିନା ଚରଣତଳ,

ହେ ପ୍ରେମ-ବିମଳ !

ଦୀନ ଶତଦଳ, ହସ ଢଳ ଢଳ, ପୂର୍ଣ୍ଣ ପରିମଳ

ପ୍ରେମ ପ୍ରଫୁଲ୍ଲ,

ଭରସା ସିନା ହେ ଚରଣତଳ,

ମୋ’ ରବି ଉଜ୍ଜ୍ୱଳ

ହେ ପ୍ରେମ-ନିର୍ମଳ !

ପଙ୍କଖାତେ ଲୋଟି ଉଠିବି ତ ଫୁଟି,

ରବିକର ଲଭି, ମୋହନ ଛବି

ଭରସା ସିନା ହେ ଅମୃତ-କର,

ହେ ରବି ସୁନ୍ଦର,

ହେ ପ୍ରେମ-ସୁନ୍ଦର !

ହେଲେ ମୁଁ କ୍ଷୁଦ୍ର ପୁଷ୍କର,

ହେ ପ୍ରେମମଧୁର, ହେପ୍ରେମଉଦାର,

ମୋ’ ଭରସା ସିନା ଅମୃତ କର ହେ,

ହେ ପ୍ରିୟ ସୁନ୍ଦର !

 

ତୁମରି ଅରୁଣ ହିରଣ-ହରଷ

ହିଲ୍ଲୋଳେ ମାନସ-ମୃଣାଳେ

ହସିବ ଉଜ୍ଜ୍ୱଳ ସ୍ନେହେ ଢଳ ଢଳ

ଭକତି କମଳ କି ଲୋଳେ!

ଏତିକି କରୁଣା ନୋହୁ ଊଣା ବନ୍ଧୁ,

ଝରିପଡ଼ୁ ତୋର ଅଶ୍ରୁ ହିମବିନ୍ଦୁ,

ଶୋଭିବ ସୁନ୍ଦର ମନୋଇନ୍ଦୀବର

ରବି-ଖର-କରମାଳେ ।

ଦଳେ ଦଳେ ତାର ସୁଷମା-ଲହରୀ

ନୀଳ ଜଳ କୋଳେ ପ୍ରେମାବଶେ ଥରି

ଶତ ପ୍ରତିବିମ୍ୱ ସରାମ୍ୱୁ ଚୁମ୍ୱନେ

ସରଜିବ ଇନ୍ଦ୍ରଜାରେ ।

 

ମିଛେ ଅଭିମାନେ ମନର ଗୁମାନେ

କାନ୍ଦେ ହୃଦେ କର ହାଣି,

ନିଶିଦିନ ମୋତେ ରଖିଛ ମନରେ

ଭୁଲେ ତାହା ଜାଣି ଜାଣି ।

 

ଦୁନିଆ ଯାକର ଜଞ୍ଜାଳରାଶି

ଗୋଟାଏ ମୁଁ ରୋଷେ ମୋ ସୁଖ ନାଶି,

କେତେ କକର୍ଥନା ଦାରୁଣ ଯନ୍ତ୍ରଣା

ଗଦାଏଁ ପରାଣେ ଆଣି ।୧।

 

ତବ ସ୍ୱଚ୍ଛ ପ୍ରେମେ ବୋଳେ କେତେ କାଳି,

ମନୋବଳ ଦୁଃଖ-ଦାବାନଳେ ଜାଳି

ଦିଏଁ କେତେ ଗାଳି, ମରେଁ କେତେ ଭାଳି,

ଅବିଶ୍ୱାସ ଆଣେ ଟାଣି ।୨।

 

ତଥାପି ତୁମରି ନାମ ଜପାମାଳି,

ତବ ଶ୍ରୀଚରଣ ଜୀବନସଙ୍ଖାଳି,

ଚାହେଁ ଆଶା ପଥ ହୋଇ ମୁଁ ଉଷତ

ବୁହାଇ ତପତ ପାଣି ।୩।

 

ଫୁଟିଉଠୁ ପ୍ରଭୁ ପରାଣ-ବେଦନା

କନକ କେତକୀ-କୁସୁମେ,

କଣ୍ଟା କୋଣେ କୋଣେ ସୁବାସ ବିତରି

ରହୁ ଅନ୍ତରାଳେ ମଉନେ ।

ନୟନ କାହାରି ନ ଦେଖୁ ତା ଶିରା,

ମଧୁ ଚୋରି ଭୃଙ୍ଗ ନ କରୁ ଗୁଞ୍ଜରି,

ଦୂରେ ଦୂରେ ଯାଉ ସମୀର ସଞ୍ଚରି

କମ୍ପାଇ କୋମଳ ବଦନେ ।

ହୃଦୟ ତାହାର ଲାଜ-ଆବରଣେ

ହେବ ନିବେଦିତ ଦେବତା ଚରଣେ,

ଝରି ସ୍ୱର୍ଣ୍ଣ-ରେଣୁ ପଦରେଣୁ ସଙ୍ଗେ

ମିଶିବ ପ୍ରେମାଲିଙ୍ଗନେ ।

 

ସତକୁ ଲୁଚାଇ ନିଜକୁ ବଞ୍ଚାଇ

ମିଛର ପସରା ଧରିଛି,

କୁରୁପ ଯତନେ ଲୁଚାଇ ରତନେ

ଆନ ବେଶ ଅଙ୍ଗେ ବହିଛି ।

 

ଛଦ୍ରମ ଛଳନା ଚିର ବ୍ୟବସାୟ,

ହୀନତା ଢାଙ୍କିବା ନିତି ଅଭିପ୍ରାୟ,

ଆନ ସ୍ୱରେ କଥା କହି ସୁଗମ୍ଭୀରେ

ନିଜର ମହତ୍ତ୍ୱ ବହିଛି ।୧।

 

ନୁହେ ଯେଡ଼େ ଉଚ୍ଚ ତାହୁଁ ବଡ଼ ମାନ,

ସାରା ବିଶ୍ୱେ ଲୋଡ଼େ ନୃପେଶ ସମ୍ମାନ,

ଉଠାଇ ଗଗନେ ଅହମିକା-ଶିଖା

ସରବେ ଚରଣେ ଦଳିଛି ।୨।

 

ତୁମରି ଆଗରେ ପଡ଼ିଲି କି ଧରା,

ଚହଟ ଚିକ୍‌କଣ ପୋଛିଗଲା ତ୍ୱରା,

ଲାଗେ ଥକାମରା, ନ ଚାଲେ ଚରଣ,

କହ ମୁଁ କିପରି ବଞ୍ଚିବି ? ୩।

 

ତୁମରି ଦୟାର ଏବେ ମୁଁ ଭିକାରୀ,

ନ ଦିଅ ଘଉଡ଼ି କର୍କଶେ ଧିକ୍‌କାରି,

ଚାଲି ବିଷଛୁରୀ ହୃଦୟ କତୁରି

ବଡ଼ପଣ ମୋର ହଜିଛି ।୪।

 

ପ୍ରାଣ-ପଲ୍ୱକେ ପ୍ରଭୁ ! ଆଉ ତ ନ ଫୁଟେ

କମ କମଳକଳିକା,

କି ଘେନି ଥୋଇବି, ପୂଜା ସଜାଡ଼ିବି,

ରଚିବି ରମ୍ୟ ମାଳିକା । ଧ୍ରୁ।

 

ନନ୍ଦ-ନନ୍ଦନ ଗନ୍ଧ ହିଲ୍ଲୋଳେ,

ନ ରଞ୍ଜେ ଉଜ୍ଜ୍ୱଳ କାଞ୍ଚନ-ମଞ୍ଜୁଳ,

ରବି ରୁଚିର କର-ତୂଳିକା ।

 

ଉଡ଼ି ପଳାଇଛି ଆନନ୍ଦ-ଅଳି,

ନାହିଁ ସେ ଝଳି, ନାହିଁ କାକଳି,

ଶୂନ୍ୟ କୋକିଳ କାନନସୁଳୁ,

ଶୁଖିଛି ପ୍ରୀତି ମଲ୍ଲିକା ।

 

ସଫଳ ମୋହର ବିଜୟଗର୍ଦେ ଭାଗ ଦସାଇବ ଆସି କି,

ସଂଯତ ଏଦେ ନ କର କିପାଁ ମୋ ତୀବ୍ର ଦାସନାରାଶି କି ?

ବହୁଦୂର ପଥ ଚାଲିବି ଆୟାସେ,

ପ୍ରତି ପଦକ୍ଷେପେ କଣ୍ଟକ ପରାସେ,

ଛିଣ୍ଡିବ ଅଙ୍ଗ-ବସନ ଖଣ୍ଡିକ

କଣ୍ଟାବାଡ଼େ ବାଜି କି ?

ଖାଇବି କେତେ ମୁଁ ବରଷା ଖରା,

ଲୁହେ ଯିବ ତିନ୍ତି ତପତ ଧରା,

ଦୂରେ ଦୂରେ ଥିବ, କଥା ନ କହିବ

ଛଳି ମୋ’ ଯାତନାରାଜିକି ?

ଶେଷେ ପହୁଞ୍ଚିବି ବାଞ୍ଛିତ ବନ୍ଦରେ,

ଧରିବ ସଙ୍ଗ କି ପ୍ରେମହୁନ୍ଦରେ,

ପକାଇ ଫାନ୍ଦେ, କପଟ ଛନ୍ଦେ,

ପଦତଳେ ଦେବ ବାନ୍ଧି କି ?

ଚିର ଜୀବନ ମୋ ଅଶ୍ରୁ-ଅର୍ଜ୍ଜିତ,

ଫଳେ ଶେଷେ ହେବି ବଞ୍ଚିତ ବର୍ଜ୍ଜିତ,

ଥିବ ଯା ସଞ୍ଚିତ କଞ୍ଜଚରଣେ

ଦେବି ମୁଁ ଆନନ୍ଦେ କାନ୍ଦି କି ।

 

ଲୋଡ଼ା ନାହିଁ ମୋର ମଣିଭୂଷଣ ଗୋ,

ସୁବାସେ ନୋହିବି ସଜ,

ଲୋଡ଼ା ନାହିଁ ମୋର ବିଶ୍ୱ ଐଶ୍ୱର୍ଯ୍ୟ,

ମାଗେଁ ମାତ୍ର ପାଦରଜ ।

 

ଲୋଡ଼ା ନାହିଁ ମୋର କୀରତି-କେତନ

ଉଚ୍ଚ ସ୍ତବସ୍ତୁତି ଦାଣ୍ଡରେ,

ମାଗେଁ ମାତ୍ର ତବ କରତପଣିଆ

ମୋର ହୃଦ-ଧରାଖଣ୍ଡରେ ।

 

ସଖା ! ପୋଛିଦେବୁ ଅଶ୍ରୁଧାର,

କୁଟୀରଦୁଆରେ ଅତିଥି ତୋହରି

କରିବୁ ମୋତେ କି ଦୂର,

ସଖା, ହେବୁ କି ଏଡ଼େ ନିଷ୍ଠୁର ?

ଆସିଅଛି ସଖା ମୁଁ ଦୀନ ବେଶେ,

ବିରସ ବଚନେ ଦୁଃଖ ଆବେଶେ,

ଯୁଗ ଯୁଗ ମୋର ଆଖି ଝର ଝର,

ମର୍ମ୍ମବ୍ୟଥା ହାହାକାର,

ଦେଖି ପାରିବୁ କି କରି ଦୂର ?

 

ଯେତେ ପଳାଇବୁ ଯିବି ଗୋଡ଼ାଇ,

ନିରମଳ ପ୍ରୀତି ଦେବି ବଢ଼ାଇ,

ପାଦେ ଲୋଟିଯାଇ କରିବି ଗୁହାରି
‘‘ତାରପ୍ରଭୁ ମୋତେ ତାର !’’

 

ତେବେ, ପାରିବୁ କି କରି ଦୂର ?

କାନ୍ଦିବ ଗୋପନେ ତୋ କମଳ ଆଖି,

ବହିବ କରୁଣା ସାର ।

 

ଯେତେ କରୁଥିବ ମନା ମୁଁ ଆସିବି

ତୁମରି ଦୁଆର କତିକି,

ତୁମ ଗାଳିମାଡ଼ ସହିବା କାରଣେ

ଦୃଢ଼ କରିଥିବି ଛାତିକି ।

ଫୁଲ ଚାନ୍ଦ ବେନି ହସନ୍ତି କାନ୍ଦନ୍ତି,

ଫୁଲ ଚାନ୍ଦ ସରି ହୋଇବି,

ତୁମ ଗଞ୍ଜଣାକୁ, ତୁମ ଲାଞ୍ଚନାକୁ

ପିଠି ପତାଇଣ ସହିବି ।

 

ମୃତ୍ୟୁରୂପେ ଯଦି ଆସିବି କତିକି

ସୁଖେ ମୁଁ ଘେନିବି କୋଳରେ,

ଆଦରେ ମରଣ ବରଣ କରି ଗୋ

ମରିବି ଚରଣ ତଳରେ ।

 

କରିବି କିପରି ସେବା

ନ ଜାଣେ କେଉଁ ଧରଣ,

କାହୁଁ ଆଣିବି ମୁଁ ଅନ୍ନ

କରବି ପରିବେଷଣ ?

ଆଣିବି ଅବା ମୁଁ ଜଳ

ବିଦାରି ମୋ ମର୍ମ୍ମସ୍ଥଳ,

ବହିବ ରୁଧିର ଧାର,

ତହିଁ ଧୋଇବ ଚରଣ ।୧।

 

ମୋ ଆଶା କାମନାରାଶି

ପ୍ରେମ-ଆଳୀରେ ପରଷି

ଦୂରେ ଠିଆ ହୋଇ ହସି

ଦେଖିବି ତୃପ୍ତ ଭୋଜନ ।୨।

 

ଅଞ୍ଚଳେ ପୋଛିବ ହାତ,

ଧରିବି ପୟର ପ୍ରାନ୍ତ,

ବସିବି ବାଟ ଓଗାଳି

କରି ଗମନ ବାରଣ ।୫।

 

ମୋର ବହିଯାଉ ଅଶ୍ରୁଧାର,

ଅଭିମାନେ ଜଡ଼ି ପଡ଼ିଥିବି ପାଦେ,

ଅଛି ସ୍ନେହ ଅଧିକାର ।

 

ମରମେ ମରି ମୁଁ ଗାଇବି ଗାନ

ପରଶି କାହାର ହୃଦତନ୍ତ୍ରୀମାନ,

ନିଜେ ସେ ଆକୁଳ ହୋଇବ ବ୍ୟାକୁଳ

ବୁହାଇ ନୟନାସାର ।୧।

 

କେତେ ଟାଣପଣ କରିବ ସଖା,
ଦୂରେ ଦୂରେ ଘୁଞ୍ଚି ବଢ଼ିବ ଦକା,

ଏତେ ପ୍ରେମ ସଞ୍ଚି, ନ ପାରି ମୂରୁଛି

ବଢ଼ିବି ହୃଦୟ-ଭାର ।୨।

 

ସରମେ ମରି ମୁଁ ଚରଣ-ତଳେ

ଭାସେ ଆଜି ସଖା ନୟନ-ଜଳେ,

ମରମର କଥା, ପରାଣର ବ୍ୟଥା

ତୁମେ ସିନା ବୁଝିପାର ।୩।

 

କିପରି କହିବି ପ୍ରଭୁ,

ଆନନ୍ଦ ରାଜେ ଭୁବନେ,

ଆନନ୍ଦ ନ ପାଏ କାହିଁ

ପାଇଛି ପରା ସ୍ୱପନେ ।

ନିତି ବହି ଦୁଃଖରାର

ଭାଙ୍ଗେ ମଝିପିଠି ହାଡ଼,

ନିତି ମୋ ଖଟଣି ସାର,

ନିତି ଲୋତକ ଲୋଚନେ ।

ନିତି ଆକାଶ ଅନ୍ଧାରି,

କରାଳ ବିଜୁଳି ମାରି,

ଭୀଷଣ ବଜ୍ର ପ୍ରହାରି

ଘୋଟେ ମହାମେଘ କ୍ଷଣେ ।

ଶତ ରୋଗ, ଶୋକ, ଜରା

କରେ ପ୍ରାଣ ଦରମରା,

ବହି ବେଦନାପସରା

ଜଳେଁ ମୁଁ ଶତ ଦହନେ ।

 

ନାହିଁ ଯଦି ପ୍ରଭୁ ଭିକ୍ଷୁକ ସ୍ମାନ

ତବ ଦିବ୍ୟ ସ୍ୱର୍ଗସଭାରେ,

ଏତିକି କରୁଣା କର ତେବେ ବାରେ

ବସିବି ବାହାରେ ।

ନାହିଁ ମୋର ଜ୍ୟୋତିର୍ମୟ ସାଜ,

ସମ୍ୱଳ ମୋର ମଳିନ ଲାଜ,

ନତ ମସ୍ତକେ ଦୂରେ ଦୂରେ ଦୀନ,

ଜଗିବି ଦୂଆରେ ।୧।

 

ନାହିଁ ମୋର ଉଚ୍ଚପଦମାନ,

ତୁଚ୍ଛ ଅତି ମୁଁ, ସବୁଠୁଁ ସାନ,

ନତ ନୟନେ କବାଟ କୋଣେ

ରହିବି ଅନ୍ଧାରେ ।୨।

 

ତୁମରି ଆଦେଶେ ନେଲି ମୁଁହି ବହି

ଦୁଆରେ ଦୁଆରେ କହିବି,

ଆନ କରମର ଆଶା ନ ରଖିଣ

ତୁମରି ସେବକ ରହିବି ।

 

ସନ୍ତାନ ଯଦି ନ ମଣ ଅଧମେ,

ଦୁଆରେ ବସିବି ମଳିନ ସରମେ,

ସଖା ହେବା ମୋର ନାହିଁ ଅହଙ୍କାର,

କିଙ୍କର ନାମ ବହିବି ।

 

କର ଯେତେ ଘୃଣା, ନ ଦିଅ ବେତନ,

ବଢ଼ାଇବି ସେବା କରି ମୁଁ ଯତନ,

ତବ କଥାପଦ ମୋ ରାଜସମ୍ପଦ,

ମୁଖ ଦେଖି ସବୁ ସହିବି ।

 

ତୁମେ ମୋର ବନ୍ଧୁ,

ତୁମ ବିନା କେ ଦେବ ହେ ଭକ୍ତି-ପ୍ରେମ ମଧୁ ?

ତୁମେ ମୋର ସଖା,

ତୁମ ବିନା ଘୁଞ୍ଚିବ କି ମୋ ଜଞ୍ଜାଳ ଦକା ?

ତୁମେ ମୋର ପ୍ରିୟ,

ତୁମ ବିନା ପାଇବି କି କରୁଣା ଅମୀୟ ?

ତୁମେ ମୋର ପତି,

ତୁମ ବିନା ତ୍ରିଭୁବନେ ନାହିଁ ଅନ୍ୟ ଗତି ।

ତୁମେ ମୋର ନାଥ,

ତୁମ ବିନା ଦୁର୍ବଳର କେ ଧରିବ ହାତ ?

ତୁମେ ମୋର ରାଜା,

ତୁମେ ବିନା କେ ପାଇବ ମୋ ପରାଣପୂଜା ?

ତୁମେ କର୍ଣ୍ଣଧାର,

ତୁମ ବିନା କେ ତାରିବ ଭବ-ପାରାବାର ?

 

ହେ ଭବସାଗର ମାଝି,

କୂଳେ ଲଗା ତୋ ନାହା,

ନାହିଁଟି ପାର କଉଡ଼ି,

ନେ’ ଅଛି ଯାହା ।

 

ଆସୁଛି ମାଡ଼ି ଅନ୍ଧାର,

ଜଳ ଥଳ ଏକାକାର,

ଜଳିଉଠୁଛି ବିଜୁଳି, ହୁଅ ତୁ ସାହା ।

 

ମୁଁ ଦୀନ ବାଟୋଇ ଜଣେ,

ଭ୍ରମେ ପଶିଲି ଏ ବଣେ,

କାହିଁ ଯିବି, କି କରିବି, ନ ଦିଶେ ରାହା ।

 

ପଛକୁ ଚାହିଁଲେ ବଣ,

ଆଗେ ସାଗର ଭୀଷଣ,

ଆକାଶେ ମେଘ ଅନ୍ଧାର, ଥରୁଛି କାୟା,

ବିସର୍ଜି ଦେଲିଣି ଆଜି ପରାଣମାୟା ।

 

ଆହେ ଅପାର କୃପାସାଗର,

ପରମ-ମୁକ୍ତି ମୋହର,

ମଳିନ, ଚରଣ- ନଳିନତଳେ

ଆସିଛି ସାହସ ବହି,

ମୁଁ ଅତି ପାତକୀ କଳୁଷ କଳଙ୍କୀ

(ମୋତେ) ଅନାଥ ହେ ଦୟା ବହି ।

 

ତୋଷ ଘେନି ଯଦି କରିବ ବିଚାର

ହୋଇପାରିବ କି ଛିଡ଼ା,

କାହୁଁ ନିବାରିବି ଦେବ ଯଦି ଦେବ !

ଲକ୍ଷ ଯାତନା ପୀଡ଼ା ?

ଯାହା ଭଲ ଦିଶେ କର,

ହେ କୋଟି ଭୁବନେଶ୍ୱର !

 

ମୁଁ ହୀନ, ମୁଁ ଦୀନ ରହିବି ମଉନେ

ତବ ଦଣ୍ଡ-ପ୍ରହାର ସହି !

ଶେଷେ ତବ ଦୟା ପ୍ରେମ ଝରଝର,

ଶୀତଳିବ ମୋର ତୃଷିତ ଅନ୍ତର,

ସଫଳ ଜୀବନ ହେବ ଶ୍ରୀଚରଣ-

ମଙ୍ଗଳ ମିଳନେ ରହି ।

 

ପ୍ରେମ-ପୀୟୁଷ କାନ୍ତି ହେ,

ମୋର ପରମ ଶାନ୍ତି ହେ,

ଦୟା ବହି ଦୀନ ହୃଦୟ ନାଶ ସରବ ଭ୍ରାନ୍ତି ହେ!

ନିତି ଯାଅ ଏହି ପଥେ,

ନିତି ନତନେତ୍ରେ ମୋତେ

ଦେଖପ୍ରାସାଦ ଦୁଆରେ, ବସିଛି ଭିକ୍ଷା ଆଶାଙ୍ଗେ

କ୍ଷୀଣଅଙ୍ଗେ ବହି ଅଶେଷ ଶ୍ରାନ୍ତି ହେ ।

 

ତବ ମଧୁର ବଚନ ପଦେ

ଶୁଣିବା ଶରଧା ପୂରିଛି ହୃଦେ,

ଲାଜେ ନ ଫିଟେ ଅଧର, ଅପାର ଦୟାସାଗର

ବୁଝ ମୋ ମଉନ ମିନତି କ୍ଳାନ୍ତି ହେ ।

 

ସୁନ୍ଦର ବିଶ୍ୱେଶ୍ୱର ବାରେ ଅନାଅ,

ମୋ ମନ ସୁଦୀନ ଦୁଃଖେ ବାରେ କି ଚାହଁ ।

ମୁଁ ସିନା ମାନବ ହୀନ, ତୁମେ ତ ମହାମହିମ,

ନପାରିଲେ ଉଚ୍ଚେ ଉଠି ତୁମେ ଓହ୍ଲାଅ ।

 

ସହସ୍ର ସୂର୍ଯ୍ୟକିରଣ ଯଦି ସ୍ୱର୍ଣ୍ଣ ସିଂହାସନ,

ମୋ ହୃଦ-କାରାରେ ବନ୍ଦି ଦଣ୍ଡେକ ରହ ।

ସରବ କ୍ଷିତି-ସମ୍ପତ୍ତି,

ଲଭି ତୃପ୍ତ ନୁହେ ମତି,

ବିନା ପାଦପଦ୍ମ ପ୍ରଭୁ ଚିତ୍ତ ଅଥୟ ।

 

ଦିବାନିଶି ପ୍ରଭୁ ଚିନ୍ତେ ମୁଁ ଚରଣ,

(ତୁମେ) ଭୁଲେ କ୍ଷଣେ ଭାଳି ବସ କି ?

ପ୍ରାଣାନ୍ତ କରି ମୁଁ ପ୍ରେମ କରେଁ

(ତୁମେ) କ୍ଷଣମାତ୍ର ସ୍ନେହ ବହ କି ?

ଦିବାନିଶି ମୁଁ ତ ତୁମରି ପ୍ରୟାସୀ,

ଦିବାନିଶି ମୁଁ ତ ବୁଲଇ ଉଦାସୀ,

ହୃଦପୂର୍ଣ୍ଣ ଆଶା, ଆକୁଳ ପିପାସା,

ବୁଝି ହେ ବୁଝି ନ ପାର କି ? ।୧।

 

ବୃଥା କିପାଁ ତେବେ ପ୍ରେମେ ଆଡ଼ମ୍ୱର,

ତପନ ତାରକା ବେଶ ମନୋହର,

ଶଶି-ହାସେ ହସି, ଫୁଲବାସେ ମିଶି

ବିଜୁଳିରେ ଉଠ ଝଟକି ? ୨।

 

କହ କିପାଁ ଆସି ଲୁଚି ଦେଖିଯାଅ,

ଧରିଲାବେଳକୁ କେଣିକି ପଳାଅ,

ଏ ପ୍ରେମଚାତୁରୀ, ମୋ ହୃଦକତୁରୀ,

ରକ୍ତ ଝରଝରେ ବୁଝ କି ? ୩।

 

ପ୍ରଭୁ ପ୍ରଭୁ କରି କଲି ମୁଁ ଗୁହାରି,

ନ ଶୁଣିଲ ଦୟା କରି ଗୋ,

ଶ୍ରୀ ଚରଣ ଧରି ଦୁଃଖ ଜଣାଇଲି

ନ ଶୁଣିଲ ଦୁଃଖହାରୀ ଗୋ ।

 

ନେଇଥିଲି ତୋଳି କୋଳେ କୃପା କରି,

(ଯେବେ) ପଡ଼ିଥିଲି ପାଦ ଧରି ଗୋ,

ମରମରେ ମରି ସରମରେ ସରି

ପ୍ରେମର ଭିକାରୀ ପରି ଗୋ ।

 

ଏବେ ମୁଁ ତୁମରି ସେ ଚରଣ ଧରି

ବୁହାଉଛି ଅଶ୍ରୁବାରି ଗୋ,

ପୂରୁବର ପରି କିପାଁ କୃପା କରି

ନ ଶୁଣୁଛ କୃପାକରୀ ଗୋ ?

ଦିଅ ପ୍ରାଣସରି ପ୍ରେମାମୃତ ଭରି

ଡାକେ ଯଦି ଅନୁସରି ଗୋ,

କେଉଁ ଦୋଷ ଧରି ନ ଚାହୁଁଛ ଫେରି,

ଚିନ୍ତେ ଦିବା-ବିଭାବରା ଗୋ।

 

ନେଉଟାଇ ନିଅ ନେଉଟାଇ ନିଅ

ତବ ଯାତନାର ଦାନ,

ସରବ କଷଣ ଦୂରେ ଯାଉ ମୋର,

ଦୁଃଖ ଲଭୁ ଅବସାନ। ଧ୍ରୁ।

 

ବିତ୍ତ ବିଭବରେ ନ ବଳାଏଁ ମତି,

ସୁନ୍ଦରସଂସାରେ ନାହିଁ ଆସକ୍ତି,

ମାଗେଁ ନିତି ପରା ପାଦତଳ ଧୂଳି,

ସେତିକି ଚାହେଁ ମୋ ପ୍ରାଣ ।୧।

 

ନ ଜାଣେଁ ମୁଁ ଧର୍ମ କରମ ସାଧନା,

ଜପ ତପ ଜ୍ଞାନ ଧିଆନ ଧାରଣା,

ତବ ନାମ ଘୋଷି ତୋଷ ମୋ ମାନସ,

ସେତିକି ମୋ ପୂଜା ଗାନ ।

 

ଯେତେ ପଥ ଦେବ ଚାଲିବି ଧୀରେ,

ଦେବ ଯେତେ ଭାର ବହିବି ଶିରେ,

ହସ ହସ ମୂଖ ହୋଇବ ମୋହର

ଲଭି ତବ ଦାସ ସ୍ଥାନ।

 

ତବ ମଙ୍ଗଳ ଇଚ୍ଛା, ମଙ୍ଗଳମୟ

ଜୀବନେ କର ହେ ପୂର୍ଣ୍ଣ

ଦିଅ ଯାତନା, ବହିବି,--

ଦିଅ ବେଦନା, ସହିବି –

ଗର୍ବ କର ହେ ଚୂର୍ଣ୍ଣ ।

 

ପାଦଧୂଳି ତଳେ ରଖ ହେ ଚାପି,

ନତ ଶିରେ ମୋର ଆସନ ସ୍ଥାପି

ବିଶ୍ୱଜନେ ବିତର ସୁଖସମ୍ଭାର,

ମୋତେ ଦୁଃଖେ କର ହେ ପୂର୍ଣ୍ଣ,

ଅହମିକା କରି ଚୂର୍ଣ୍ଣ ।୧।

 

ରାଜସିଂହାସନେ ବସାଅ ଆନେ,

ରଖ ମୋତେ ପ୍ରଭୁ ସେବକ ସ୍ଥାନେ,

କର ମୋର ଅନ୍ତର ରକ୍ତଜର୍ଜର,

ମୋତେ ଆଘାତେ କର ହେ ଚୂର୍ଣ୍ଣ,

ପ୍ରେମପୀୟୁଷେ ପୂର୍ଣ୍ଣ ।୨।

 

ଦୋଷ ଧରି ଯଦି କରିବୁ ବିଚାର

କର ତୁ ବିହିତ ଶାସନ ।

ଯେତେ ଦେବୁ ମୋତେ ଦାରୁଣ ଯନ୍ତ୍ରଣା,

ବଢ଼ିବ ତେତିକି ମୋପ୍ରତି କରୁଣା,

ଫାଟି ମୋ ଶରୀର ଝରିଲେ ରୁଧିର

ଝରିବ ତୋହରି ଲୋଚନ ।୧।

 

ଯେତେ ଭାର ଦେବୁ ବହିବି ସବୁ,

ବ୍ୟଥାରେ କଥା ନ କହିବି ପ୍ରଭୁ,

ଆଦରେ ଆଉଁସି- ଦେବୁ ମୋର ପିଠି

ଦେଖି ମୋ କାତର ବଦନ ।୨।

 

ଯେତେ ଦେଉଥିବୁ ମରମେ ପୀଡ଼ା,

ତେବେ ପାଦତଳେ ହୋଇବି ଛିଡ଼ା,

ମଉନେ ଘେନିବି ତୋ ବଚନ ଶିରେ

କୋଳେ ଟାଣିନେବୁ ବହନ ।୩।

 

ଭୈରବୀ – ଏକତାଳ

 

ସରବ ଭ୍ରାନ୍ତି ପରପାରେ ଘେନି

ସରସ ଶାନ୍ତି ନିବାର,

ଶାନ୍ତ କିରଣେ ଧ୍ୱାନ୍ତ ବିନାଶି

ପରମ-କାନ୍ତି ବିସ୍ତାର ।

ଦୂରେ ଯାଇ ମୋର ମଳିନ ବାସ,

ଘୁଞ୍ଚୁ ବେଦନା, ଛଳନା ବାସ,

ହର ଅବସାଦ ହୃଦ-ବିଷାଦ

ଶୁଭ ଶକତି ସଞ୍ଚାର ।୧।

 

ଫିଟାଇ ନିଅ ମୋ’ ମୋହ ଆବରଣ,

ବିନାଶ ସରବ ଅନ୍ୟ ଶରଣ,

(କର) ଧନ୍ୟ ଜୀବନ ନିତ୍ୟ ନବୀନ,

ସିଞ୍ଚ ସ୍ୱରଗ ଆସାର ।୨।

 

ବହୁ ସାଧନାର ପରେ ଯଦି ପ୍ରଭୁ

ଆସିଛ ହୃଦ-ସଦନେ,

ବସ ବସ ବନ୍ଧୁ ମୋ ହାତ ରଚିତ

ପ୍ରେମ-ଚନ୍ଦନ ଚର୍ଚ୍ଚିତ ଆସନେ ।

ଘେନ ହାତଗୁଚ୍ଛା ମଲ୍ଲୀଫୁଲ ହାର,

ତିନ୍ତିଛି ଯା’ ଝରି ଲୋଚନ ଆସାର,

ସୁପ୍ରୀତି-ତୁଳସୀ ଭକତି-ଥାଳିରେ,

ଘେନ ହୃଦୟଟି ଉପହାର ।୧।

 

ଆସ ମୋ ପ୍ରାଣର ପରମ ସୁନ୍ଦର,

ଘୁଞ୍ଚିଯାଉ ଦୁଃଖ, ଦୈନ୍ୟ ଅନ୍ଧାର,

ଉଦ ମୋ ଗଗନେ ପ୍ରେମ ନବଭାନୁ

ବିନାଶି ବିଷାଦ ଅବସାଦ ମନୁ,

ହୁଏଁ ମୁଁ ଉନ୍ନତ, ଚିର କର୍ମରତ

ପବିତ୍ର ପୟର ଦର୍ଶନେ ।

 

ବିଶ୍ୱ ଆଜିବନ୍ଦେ ଚରଣ

ଜନ-ମନ-ମୋହନ ।

ସୂର୍ଯ୍ୟ ଚନ୍ଦ୍ର ଗ୍ରହ ତାରା,

ବନ ଉପବନ ନୟନ କାରା,

ଶୁଭ୍ର ସ୍ୱଚ୍ଛ ସରିତ ଧାରା

ପାଦ ପୂଜନେ ନିମଗନ ।

 

ଗାଏ କୋକିଳ, ଗାଏ ଅଳି,

ଗାଏ ସାଗର ଲହରୀ ତୋଳି,

ଗାଏ ଗିରି ଶିଖର ଲତା-ମର୍ମ୍ମରେ,

ଗାଏ ମୃଦୁଳ ପବନ ।

 

ମୋ ହୃଦୟ ଆନନ୍ଦେ,

ଗାଏ ପୁଲକଛନ୍ଦେ

ପାଦ-ପଦ୍ମ ଗନ୍ଧ କୋଟି ବିଶ୍ୱରନ୍ଧ୍ର

ପୂର୍ଣ୍ଣ ଆଜି, ଛିନ୍ନ ଆଜି

ମାୟା ମୋହ ବନ୍ଧନ ।

 

ନିବୃତ୍ତ ଚିତ୍ତ କ୍ରନ୍ଦନ,

ହର୍ଷ ହୃଦ ସ୍ୱନ୍ଦନ

ମିଶେ ନନ୍ଦ-ନନ୍ଦନ

ମୁରଲୀ ତାନେ ମୋହନ ।

 

ଇମନ୍‌ କଲ୍ୟାଣ- ତେଓରା

 

ହୃଦୟମନ୍ଦିରେ ଚିର ସୁନ୍ଦର,

ରାଜ ଚିର ରାଜ ହେ ।

ପରାଣଛନ୍ଦେ ଗାଅ ଆନନ୍ଦେ,

ମାନସ-ମୁରଳେ ବାଜ ହେ ।ଧ୍ରୁ।

 

ନୀଳ ପୟୋଧି ଲୋଳ କଲ୍ଲୋଳେ,

ମନ୍ଦ ମାରୁତ ଗନ୍ଧ-ହିଲ୍ଲୋଳେ,

ପିକ ପଞ୍ଚମେ, ଅଳି ଗୁଞ୍ଜନେ,

ବୀଣା ବଂଶୀରେ ବାଜ ହେ ।୧।

 

ନୈଶ ଅମ୍ୱର ତାରକା-ଶଶୀ,

ପ୍ରଫୁଲ୍ଲ ପୁଷ୍ପ-ସୁଷମାରାଶି,

ଶତ ନିର୍ଝର ଗିରିପ୍ରାନ୍ତର-

ଶୋଭା-ବିଭାରେ ରାଜ ହେ ।୨।

 

ତବ ମଙ୍ଗଳ ପୁଣ୍ୟସ୍ପର୍ଶେ

ଜାଗୁ ଅନ୍ତର ଅମଳ ହର୍ଷେ,

ହଜୁ ସନ୍ତାନ ଦୁଃଖଦୈନ୍ୟ

ତୀବ୍ର ଯାତନ ଲାଜ ହେ ।୩।

 

ତବ ବିନା ବନ୍ଧୁ ନାହିଁ ଆନ ଭବେ

ହେ ଭବସିନ୍ଧୁତାରଣ !

ତବ ବିନା ଶୁଭ-ବରାଭୟ ଧାମ

ନାହିଁ ମୋ ଅନ୍ୟ ଶରଣ ।

ଗତି କି ହେବ ମୋର ମୁଁ ଅତି ପାତକୀ,

ତବ ଦୟାସନ ତଳେ ତନୁ ବିକି,

ମୋର ମାଗୁଣି ଏତିକି,

ମତି ନିତି ମୋର ଥାଉ ଅନୁସରି

କମଳକାନ୍ତି ଚରଣ ।୧।

 

ହର ମୋ ଦୂରିତ, ହରଷ ଏ ଚିତ୍ତ,

ଲଭୁ ଦୀପ୍ତି, ଶକ୍ତି, ମୁକ୍ତି, ଶାନ୍ତି ବିତ୍ତ,

ମୋର ଏ ଦୀନ ଜୀବନ

ପରମ କୃତାର୍ଥ ପିଇ ପଦସୁଧା

ହେବ ମରଣ ବାରଣ ।

 

ଅପରାଧୀ ବୋଲି ପ୍ରିୟତମ ତବ

ଯଦି ନ ପାଇବି କ୍ଷମା,

କଠିନ କରପରଶେ ପ୍ରଭୁ,

କର ମୋରେ ମାର୍ଜନା ।

 

ପାପ କଳଙ୍କରେ କଳଙ୍କିତ ଦେହ,

ହେରି ଊଣା ଯଦି ହୁଏ ତବ ସ୍ନେହ,

ପୂତ ପ୍ରେମବାରି ଢାଳି ଦିଅ ଧୋଇ,

କର ଦୂର ହୃଦ ଆବର୍ଜନା ।୧।

 

ଯଦି ମୁଁ ଅଧମ ଅସ୍ପୃଶ୍ୟ ତର,

ଯୋଗ୍ୟ ନୁହେଁ ତବ ଅଙ୍କ ଆସନର,

ନିଜ ଦୟାଗୁଣେ ହେ କରୁଣାକର

କର କଞ୍ଜଶ୍ରୀଚରଣୁଁ ବର୍ଜନା ।

 

କହି ଦେ କହି ଦେ ଆଜି

କେଉଁ ବାଟେ ଯିବି ହରି,

ବହି ନେ ବହି ନେ ମୋର

ବୋଝ ଭାରି ଏ ଗଣ୍ଠିରି ।

ପଥଶ୍ରାନ୍ତ ପାନ୍ଥ ପରା,

ଘେରିଲାଣି ଦୁଃଖ-ଜରା,

ଚାଲି ଚାଲି ଦରମରା,

ବସେ ମୁଁ ବାଟ ଅଧରେ

ନିରାଶେ ସରି ।

ଭାଙ୍ଗିଲାଣି ଆଶାବାଡ଼ି,

ଅନ୍ଧାର ଆସଇ ମାଡ଼ି,

କି କରିବି କି କରିବି,

କାନ୍ଦେ ନୟନ ଆବରି

ହତାଶେ ଭରି ।

ନାହ ଆଉ ଆଶା ଆନ,

ଆକୁଳେ ଡାକୁଛି ପ୍ରାଣ,

ଏ ବିପଦେ ଶ୍ରୀପଦେ,

ନ ରଖିଲେ ଯିବି ମରି,

ଶୁଣ ହେ ହରି ।

 

ମୋତେ ଯଦି ଆପଣାର କରିବ ଏଥର

ଖର୍ବ କର ମୋର ସର୍ବ ଗର୍ବ-ଆଡ଼ମ୍ୱର । ଧ୍ରୁ।

(୧)

ତୁମ ନାମ କାହିଁ କହିବି କାହାକୁ,

ନିଜ ନାମ ଗାଇ ବୁଲଇ ତୁଚ୍ଛାକୁ,

ନିଜ ବଡ଼ପଣ ପ୍ରଚାରି ପ୍ରଚାରି

ସାରିଲି ଆୟୁଷ ମୋହର ।

(୨)

କାହିଁ ଦେଖିବି ଶ୍ରୀପାଦ-ପଦ୍ମ ଶୋଭା,

ନିଜ ରୂପ ମୋର ହେଲା ମନୋଲୋଭା,

ମୋ ଶୋଭାପସରା ଘେନି ଦ୍ୱାରେ ଦ୍ୱାରେ

ବୁଲଇ ଯାମିନୀ-ବାସର ।

 

କୂଳେ ଲଗାଅ !

ଭାସିଗଲି ଭବାର୍ଣ୍ଣବେ କଟାକ୍ଷେ ଚାହଁ । ଧ୍ରୁ।

ଜୀର୍ଣ୍ଣ ତରୀ ଆଶ୍ରାକରି,

ହେଉଥିଲି ଭବ ପାରି,

ମଝି ସାଗରେ ବୁଡ଼ୁଛି, ନାହିଁ ସହାୟ ।୧।

 

ଏ ଦୁଃଖ ସମୟେ କି ହରି,

ରହିବ ହେ ଧୈର୍ଯ୍ୟ ଧରି ?

ଭାସିଲି, ଭାସିଲି ଡାକେ,

ପ୍ରାଣ ବଞ୍ଚାଅ ।୨।

 

ତରୀରେ ଭରା ପାତକ,

ବୋଝ ଯେ ମୋର ଅନେକ,

କି କରିବି, କି ମରିବି,

ବାରେ ଅନାଅ ।୩।

(କୂଳେ ଲଗାଅ)

 

ତୁମେ ଯଦି ଦେଖା ନ ଦେବ ଜୀବନେ

ଯିବି ମୁଁ ମରଣେ ହଜି,

ତୁମେ ଯଦି କଥା ନ କୁହ ମରମେ

ସରମେ ଯିବଟି ମଜ୍ଜି !

 

ତୁମ ପରିବାରେ ମୁଁ ସବୁଠୁଁ ସାନ,

ତଥାପି ତୁମରି କୋଳରେ ସନ୍ତାନ,

ରାଜସିଂହାସନ ନ ଥିଲେ କରମେ

ଲଭିବି ତ ପାଦେ ସ୍ଥାନ ।

 

ନ ପୂରିବି ଯଦି ମୋର ଆଶାରାଶି,

ମୋ କାମନା ମୋତେ ପକାଇବ ଗ୍ରାସି,

ମୋ ଆତ୍ମନିଗ୍ରହ ହରି ତବ ଶାନ୍ତି

ରଚିବ ଭବେ ଶ୍ମଶାନ ।

 

ରଖ ଯଦି ମୋତେ ବନ୍ଦୀକାରାଗାରେ,

ତିନ୍ତିବ ନିଜର ଉଷ୍ଣ ଅଶ୍ରୁଧାରେ,

ପଙ୍ଗୁ ମୋ ଜୀବନ ଭାଙ୍ଗିବ ତୁମରି

ସ୍ୱାଧିନତା ଅଭିମାନ ।

 

ସାରା ବିଶ୍ୱ ଯଦି ତୋଷିବ କୃପାରେ,

ମରୁଥିବି ମୁହିଁ ତୃଷାରେ କୃପାରେ,

ଆତ୍ମତୋଷ କେଭେ ନ ଜାଣିବ ପ୍ରଭୁ,

ବ୍ୟର୍ଥ ହେବ ସୃଷ୍ଟିମାନ ।

 

ଏଣିକି ବିଚାର କର ଦୟାମୟ,

ଦୟା ନୁହେଁ, ଦିଅ ତୁମରି ଅଭୟ,

ମୋ ମରଣେ ତବ ନାହିଁ ତ ଗୌରବ,

ସନାତନ ଅପମାନ ।

 

ସମ୍ୱର ସମ୍ୱର ଲୀଳା ଲୀଳାମୟ,

ଅଶ୍ରୁରେ କିପାଇଁ ହେଉଛି ଅଥୟ ?

ମୋ ପ୍ରହାରକ୍ଳେଶେ ବେଦନାଜର୍ଜର

କାନ୍ଦୁଛି ତୁମରି ପ୍ରାଣ ।

 

ଯଦିବା ସହୁଛି ମୋ ନିଜ ବେଦନା,

ଦେଖି ନ ପାରିବି ତବ ଏ ଯାତନା,

କି ହେବି ହେ କୁହ, ମୋତେ କିପାଁ ଚାହଁ,

କିପାଁ ନିମ୍ନେ ଅଭିଯାନ ?

 

ମୋ ଲାଗି କିପାଇଁ ଏତେ ଦୀର୍ଘଶ୍ୱାସ

ଫୁଲେ ଫୁଲେ ବାଜେ ପ୍ରାଣର ପରାସ,

ନୀଳାକାଶ ଛଳେ ନୀଳେନ୍ଦୀନୟନେ

ଘନୁଁ ଝରେ ଅଶ୍ରୁଦାମ ।

 

ଚଉଦଭୁବନ ଥିଲେ ହେଁ ତୁମର,

ମୋ ବିନା ପୂରିବ କାହିଁ କଳେବର,

କଣିକାଏ ଊଣା ହେଲେ କି ହେ ପ୍ରଭୁ,

ହେବ ପୂର୍ଣ୍ଣ ଭଗବାନ ?

 

କିଏ ବା ପୂଜଇ ମଣିମୁକୁତାରେ

ହୀରକ କନକ ହାରେ,

ଅଶ୍ରୁଫୁଲ ମୁଠା ଘେନି ମୁଁ ଗୁନ୍ଥୁଛି

ତୁମ ରାଜସଭାଦ୍ୱାରେ ।

 

ବହୁକାଳରୁ ମୁଁ ରହିଛି ଧାରୁଆ,

କି ଘେନି ଶୁଝିବି, ଶୂନ୍ୟ ମୋ ଫରୁଆ,

କରଚରଣ ମୋ କରଷିବ ତବ

କେଦାର ଶୀତ ଖରାରେ ।୧।

 

ଚିର ଦରିଦ୍ର ମୁଁ, ନାହିଁ ତହିଁ ଲାଜ,

ପିନ୍ଧାଅ ମୋ ଦେହେ ସେବକର ସାଜ,

ରାତି ପାହାନ୍ତିରୁ ଲାଗିବି, କରମେ

ସେବିବି ରୁଧିର ଧାରେ ।୨।

 

ଏତିକି ମାଗୁଣି, ବରଷାଅ ପାଣି,

ଦୟାଧାରାରୂପେ ପିଏଁ ମୁଁ ତା’ ପାଣି,

ବହି ତବ ବାୟୁ ପରଶୁ ମୋ ତନୁ

ଶୀତଳି ଦୀର୍ଘ ଦିବାରେ ।୩।

 

କୋଟି କଣ୍ଟା ପଛେ ବିନ୍ଧୁ ମୋ’ ଶରୀରେ,

ତିନ୍ତୁ ପଛେ ବାସ ତପତ ରୁଧିରେ,

ଅମୃତ ଶ୍ରୀକରେ ଛୁଇଁଯାଅ ବାରେ,

ହେବି ଅମର ଧରାରେ ।୪।

 

ରାତି ଅଧରେ,

ଯଦି ଜାଗେ ଅଧରେ,

ତବ ସ୍ୱରସୁଧା ମଧୁରେ ଧୀରେ,

ଉଠିବି ଶେଯ ଛାଡ଼ି,

ଗାଇବି ଗୀତ ଧାଡ଼ି –

ପୁରୁଣା ବୀଣାରେ ମୋର କ୍ଷୀଣ ଅଙ୍ଗୁଳିରେ

ପରଶିବ ନାଥ ତବ ମରମ ମଝିରେ ।୧।

 

ରାତି ଅଧରେ

ଯଦି ଡାକ ଦୁଆରେ,

ହାତ ମାରି ସଖା ମଧୁରେ ଧୀରେ,

ଉଠିବି ଶେଯ ଛାଡ଼ି,

କବାଟ କୀଳା କାଢି,

ଚାହିଁବି ସରାଗେ ପଥେ ନୀରବ ନିଶିରେ,

ଆସବି ମିଶିଯିବ ପ୍ରାଣେ ପଲକ ମଝିରେ ।୨।

 

Unknown

ଭକ୍ତକବି ଶ୍ରୀ ଯୁକ୍ତ ମଧୁସୂଦନ ରାଓ

ବାହାଦୁରଙ୍କ ଉଦ୍ଦେଶ୍ୟେ

 

(୧)

କହିବି କହିବି କଥା ନ ଆସଇ କଣ୍ଠେ,

ଶୁଣିବି କି ମର୍ମବାଣୀ ସୁନ୍ଦର ବୈକୁଣ୍ଠେ ?

 

କୁଣ୍ଠିତ ଅନ୍ତରେ କେତେ ଉଦେ ଭାବରାଶି,

ପ୍ରକାଶି ନ ପାରି ଝୁରେ ପତ୍ର, ଲେଖ, ମସୀ ।

 

ଅତି ଶୈଶବରୁ ତବ ଆଦର୍ଶେ ମୋହର

ବିତ୍ରିତ, ବିମ୍ୱିତ କ୍ଷୁଦ୍ର ଜୀବନମୁକୁର ।

 

ପଢ଼ି କ୍ଷୁଦ୍ର ‘‘ଛାନ୍ଦମାଳା’’ ଶିଶୁମନୋହରୀ

ଅମୃତ ଆନନ୍ଦେ ମୋର ଦିନ ନିଏ ହରି ।

 

ତବ ‘‘ବୋଧୋଦୟେ’’ ସୀତା ଶ୍ରୀରାମ ଚରିତ୍ର

ହୃଦୟେ ଆଦର୍ଶ ମମ ରଚିଲା ପବିତ୍ର ।

 

‘ସର୍ବଗୁଣ ଅଳଂକୃତା’ ଜାନକୀ ସୁନ୍ଦରୀ

ଧୀର କର୍ମ୍ମବୀର ରାମ ଦିବ୍ୟ ଶୋଭା ଧରି

 

ଉଦିଲେ ମୋ ଆଖିପଥେ ଆଦର୍ଶେ ମହାନ,

ସେ ଶୁଭ ପ୍ରେରଣା ଲାଗି ଜାଗିଲା ପରାଣ।

 

‘ବାଲ୍ୟକାଳୁ ଧର୍ମ୍ମଧନ କରିବି ସଞ୍ଚୟ’

ଏ ଅମର ବାଣୀ ତବ ଦେଲା ପରିଚୟ ।

 

ମଧୁର କବିତା-ମଧୁ- କବି-ଅରବିନ୍ଦ !

ନିରତେ ରତ କି ପାନେ ମୋ ମନ-ମିଳିନ୍ଦ !

 

ପଙ୍କେ ପଦ୍ମ ସରି ଆତ୍ମା ଫୁଟିଲା ଆନନ୍ଦେ,

ବାଜିଲା ମାନସ-ବୀଣା ନବ ନବ ଛନ୍ଦେ ।

 

(୨)

କେ ଆସେ କେ ଯାଏ ତାହା ଧରଣୀ ନ ଜାଣେ,

ଜାଗେ କିନ୍ତୁ ତବ ନାମ ସହସ୍ର ପରାଣେ ।

 

ତରୁଣ ଉତ୍କଳ ଯଦି ଧର୍ମ୍ମ କର୍ମ୍ମ ଲଭେ,

ସେ ତବ ପ୍ରସାଦେ ଦେବ! ତୁମରି ଗୌରବେ ।

 

ଘରେ ଘରେ ଶିଶୁ ତବ ପଞ୍ଚାମୃତ ସରି

କାବ୍ୟ, କବିତା ସାହିତ୍ୟ ପିଅନ୍ତି ଆଦରି ।

 

ଜ୍ୱଳନ୍ତ ଜୀବନ୍ତ ଏକ ପ୍ରମାଣ ଏ ତବ,

ମୋ କାବ୍ୟ-କବିତାମାଳି ତୁମରି ବିଭବ ।

 

ମୋ’ ହାତ ରଚିତ କ୍ଷୁଦ୍ର ଚମ୍ପାଫୁଲମାଳା

ଘେନି ମୁଁ ଅଇଲି ତେଣୁ କ୍ଷୁଦ୍ର ପୂଜାଡ଼ାଲା

 

ଉଦ୍ଦେଶେ ପ୍ରଣମି ତବ ଶ୍ରୀ ପାଦସୁନ୍ଦରେ

ଶରଧାର ଉପହାର ଦେଲି ଭକ୍ତିଭରେ ।

 

ଉର୍ଦ୍ଧ୍ୱୁଁ ଝାଡ଼ିଦିଅ ଧୂଳି, ହେବି ମୁଁ କୃତାର୍ଥ,

ଗୁରୁଦେବ ପଦ ସେବି ଲଭି ପରମାର୍ଥ

 

(୩)

ଆବାଲ୍ୟ ଦର୍ଶନ ଆଶା ନ ପୂରିଲା, ନାହିଁ,

ଯାପିବି ଜଗତେ ଦିନ ଆଦର୍ଶ ଧିଆଇ ।

 

ଅମର କବିତା ତବ ମୋ’ କୋମଳ ମନେ

ଆଙ୍କିଦେଲା କି ଆଦର୍ଶ କହିବି କେସନେ ?

 

ଆଜି କବିତାରେଣୁ କଲି ସମ୍ୱୋଧନ,

କବିକୁଳେ ‘‘ଗୁରୁ’’ ମମ ହେ ମଧୁସୂଦନ !

 

ସୁଦୂର ସ୍ୱରଗୁଁ ଦେବ, ଶୁଭାଶିଷ ଝରି

ସାର୍ଥକ କରୁ ଏ କ୍ଷୁଦ୍ର ଲେଖନୀ ମୋହରି ।

 

ଚମ୍ପାଦଳ

 

ଜାଗେ ଆଜ ମୋର ନବୀନ ପରାଣେ

ନବ ଜୀବନ ମୂର୍ଚ୍ଛନା,

ଅନନ୍ତ ଉଦାର ଆକାଶେ ଅନାଇ

ପ୍ରାଣେ ଚମକେ ଚେତନା ।

 

ଶିରା ଶିରାରେ ଖେଳେ ବିଜୁଳି,

ନେତ୍ରେ କର୍ମ୍ମକ୍ଷେତ୍ର ଉଠେ ଉଜ୍ଜଳି,

ଶୁଭେ ଶଙ୍ଖସ୍ୱନ କର୍ଣ୍ଣରସାୟନ,

ଜାଗେ ଶୁଭ କର୍ମ ପ୍ରେରଣା ।

 

ସେ କି ଆଲୋକ ! ସେ କି ଝଲକ !

ଜ୍ୱଳିଉଠେ ପରା ବ୍ୟୋମ ଭୁଲୋକ;

ଟାଣେ ମୋ’ ପ୍ରାଣ ବୁଡ଼େ ମୋ ଜ୍ଞାନ,

ଶୁଭଇ କେବଳ ‘‘ସାଧନା’’ ।

 

କିଏ କହେ ବଶ୍ୱ ବିରାଟ ଛଳନା,

ବୃଥା ମାୟାର ବନ୍ଧନ,

ମୁଁ ଦେଖେ ସୁନ୍ଦର ଏ ବିଶ୍ୱର ଉଦାର,

ଅନନ୍ତ ପ୍ରେମନନ୍ଦନ ।

 

ବିଶ୍ୱ ମୋର ଶୁଭକରମ ଭୁବନ,

କରମ ଲାଗି ମୁଁ ଲଭିଛି ଜନମ,

ମରଣ ନୁହେ ମୋ ଚିର ଅବସାନ,

ଆରମ୍ଭ ନବୀନ ଜୀବନ ।

 

ଏ ତ ନୁହେ ଶେଷ, ଏ ତ ନୁହେ କ୍ଳେଶ,

ଏ ନୁହେ ବିଦେଶ, ଏ ମୋ’ ପୁଣ୍ୟ ଦେଶ,

ହୋଇ କର୍ମ୍ମରତ ହେବି ମୁଁ ଉନ୍ନତ,

ଏ ନୁହେ ଅସାର ସ୍ୱପନ ।

 

 

ଜୀବନ ନୁହେ ମୋ ସ୍ୱପନ ଛଳନା,

ଜୀବନ ଆନନ୍ଦମୟ ହେ !

କରମଲାଗି ଜନମ ଲଭିଛି,

କରମେ ଲଭିବି ଜୟ ହେ ।ଧ୍ରୁ।

 

ମିଛେ ମିଛେ ମୋର ଚାରୁ ସଜବାଳ,

ଘୋଡ଼ାଏ କପଟେ ମଳିନତା ଲାଜ;

ହୃଦରାଜ ବିନା ଶୂନ୍ୟ ମୋ ମନ୍ଦିର,

କାହା ପଥ ତେବେ ଚାହିଁଛି ? ୧।

 

ମିଛେ ମିଛେ ମୋର ସୁନାମ ସଂସାର,

ଆକାଶ ପରଶି ଅହମିକାଭାର,

ତବ ପ୍ରେମ ବିନା ଚିତ୍ତ ମୁଁ ଦରିଦ୍ର,

ଅସାର କୁହୁକେ ମଜ୍ଜିଛି ।୨।

 

ମିଛେ ମିଛେ ମୋର ଜ୍ଞାନ ଅଭିମାନ,

ତୁମ ନାମ ଯଦି ନ କଲି ଧିଆନ,

ମିଛେ ବାଜେ ବୀଣା ମୋ’ ମନମନ୍ଦିରେ,

ଦେବତା ମୋ’ କାହିଁ ରହିଛି ? ୩।

 

ଆସ ଆସ ଆଜି ପ୍ରାଣପ୍ରିୟତମ,

ପ୍ରେମଜ୍ୟୋତି ଦାନେ ହର ହୃଦତମଃ,

ପାର ପ୍ରେମାସନ ମାନସ-ସୁମନେ,

ଘେନ ଯା’ ଭକତି ସଞ୍ଚିଛି ।୪।

 

କୀର୍ତ୍ତନ – ଏକତାଲା

 

ଆସ ମୋ ଦେବତା,

ମୋ ଚିତ୍ତସବିତା,

ଉଦ ମୋ ହୃଦୟେ ଆଜି;

ହର ମାନସ-ମହୀର କଳୁଷ-ତିମିର,

ଫୁଟୁ ପ୍ରେମଫୁଲରାଜି ।

 

ନୀଚ କ୍ଷୁଦ୍ର ଯାହା ଦେଖ ମୋ ଜୀବନେ

ହେଉ ଉଚ୍ଚ ସ୍ୱଚ୍ଛ କର-ମାରଜନେ,

ଯାଉ ଦୂରେ ଯାଉ ଦୂରିତ ଯନ୍ତ୍ରଣା,

ଆସୁ ପ୍ରାଣେ ଆସୁ ଆନନ୍ଦ ପ୍ରେରଣା,

ଉଠୁ ମାନସ- ମନ୍ଦିରେ ଧୀରେ

ମଧୁର ବାଜଣା ବାଜି ।

 

ତବ ଆନନ୍ଦ ମଞ୍ଜୁଳ ଜାଗେ,

ମୋର ପୁଲକ-ପ୍ରଫୁଲ୍ଲ ଆଖିଆଗେ ।

ଫୁଲ ପ୍ରସୂନ ଶୋଭାରେ,

ପୂର୍ଣ୍ଣଚନ୍ଦ୍ର ବିଭାରେ,

ତବ ପୂଣ୍ୟ ପରଶ ଲାଗେ;

ନୃତ୍ୟ କରେ ମୋ ସର୍ବ ହୃଦୟ

ଦୀପ୍ତ ଅନୁରାଗେ।

 

ପ୍ରାଣେ ତବ ହେ ପରମ ଶାନ୍ତି,

ଅଙ୍ଗେ ତବ ହେ ପୁଲକ କାନ୍ତି,

ବିଶ୍ୱ-ଭୁବନ ହର୍ଷ ଉଚ୍ଛୁଳେ

ନିତ୍ୟ ନୂତନ ରାଗେ ।

 

ପାରି ଦେ ମା ଧରଣୀରେ ତୋ ଶ୍ୟାମ ଅଞ୍ଚଳ,

ଓହ୍ଲାଇ ଆସ ମା ରବି-କିରଣେ ଚଞ୍ଚଳ !

ତୋ ନୂପୁର- ଶିଞ୍ଜିନୀରେ

ଉଠୁ ବାଜି ଅବନୀରେ

ନବ ସଞ୍ଜୀବନୀ ମନ୍ତ୍ରେ

ଶତ ପ୍ରାଣ-ବୀଣା-ବେଣୁ;

ଶତ ହୃଦ-ସଦ୍ମ ଉଲ୍ଲସିଉଠୁ

ଲଭି ତୋ ଚରଣ-ରେଣୁ ।

ମରଣ ହରଣ ଅମଳ ହସେ ତୋ

ଜାଗୁ ଜୀବନେ ହର୍ଷ ଉଜ୍ଜ୍ୱଳ ।

 

ଇମନ୍‌ କଲ୍ୟାଣ – ଏକତାଲା

 

ଆଜି ହେ ଚରଣେ କରୁଣାମୟ !

ଅରପିଛି ସର୍ବ ମାନ,

ତପ୍ତ ଅଶ୍ରୁସିକ୍ତ ବଦନ ଲୁପ୍ତ ଅଭିମାନ ।

କ୍ଷୁଦ୍ର ହୃଦୟେ, କ୍ଷୁଦ୍ର ପ୍ରେମ,

କ୍ଷୁଦ୍ର ମୋର ଭକ୍ତି,

ଅର୍ପେ ପୟରେ, ଅର୍ପେ ଆଦରେ,

ଦେଇ ସର୍ବ ଶକ୍ତି ।

 

ଧ୍ରୁ – ଗର୍ବ ଖର୍ବ କର ହେ ମୋର,

ଦର୍ପ ଦଳ ହେ ପାଦେ,

ଲୋଭ, ମୋହ, କ୍ରୋଧ, କାମନା,

ଜଡ଼ତା, ଅବସାଦେ ।

 

ଘୁଞ୍ଚୁ ଚିରସଞ୍ଚିତ ଦୈନ୍ୟ ପାପ ଅଭିଶାପ,

ଶାନ୍ତିସୁଧା ଶିଶିର ସିଞ୍ଚି ମୁଞ୍ଚ ଶୋକ ତାପ ।

ପୂର୍ଣ୍ଣ ପ୍ରେମେ, ପୂର୍ଣ୍ଣ ଆନନ୍ଦେ,

ଆସ ହେ ପ୍ରାଣେ ମୋର,

ଆସ ହେ ପ୍ରିୟ! ଆସ ହେ ଦେବ !

କୋଟି ଭୁବନେଶ୍ୱର !

 

ଧ୍ରୁ – ସର୍ବ ହୃଦୟେ ହର୍ଷେ ଶର୍ମେ

ଅର୍ଚ୍ଚିବି ପାଦ ବେନି,

ନେତ୍ର-ନୀର-ସିକ୍ତ ଶୁଭ୍ର

ପ୍ରୀତି-ପ୍ରସୂନ ଘେନି।

 

ହେ ନବଘନକାନ୍ତି ସୁନ୍ଦର,

ହେ ନନ୍ଦ-ନନ୍ଦନ ସୁମନ-ସୁହାର !

ହେ ଅନନ୍ତ ବସନ୍ତ, ଶରତ-ଶୋଭା,

ଚାନ୍ଦିନୀ ଚନ୍ଦନ, ତପନ ପ୍ରଭା,

କୋଟି-କାଞ୍ଚନ ତାରା-ହାର ଭାସ୍କର !

ହେ ଚିର-ଚିନ୍ମୟ ଦେବ,

ପରମ ପ୍ରେମମୟ ଶୁଭ,

ତବ ପୂଣ୍ୟ ଅମୃତମାଧୁରୀ,

ଜୀବନେ ଉଠୁ ଲହରୀ,

ହେ ସୁଧାନନ୍ଦ ସାଗର !

 

ଭୈରବୀ – ଏକତାଲା

 

ଆଜି କି ମୃଦୁଳେ ମଳୟ ଖେଳୁଛି

ଦୋଳାଇ ପ୍ରସୂନରାଜି,

ହୃଦକୁଞ୍ଜବନେ କା’ ମଞ୍ଜୁ ମୁରଲୀ

ଆକୁଳେ ଉଠଇ ବାଜି ?

 

ସାରା ମରମର ବେଦନା ମଧୁର

ନିତି ଲୁହଝରା ବିରହବିଧୂର,

ଠୁଳେ ଗଲା ସରି କିଏ ଅପସରି,

ନେଲା ସତେ ଛାୟାବାଜି!

 

ନ ଆସେ ପରତେ ପାହିଲା କି ସତେ,

ମୋ ଦୁଃଖଯାମିନୀ ଫୁଟିଲା ଉଷତେ,

ମାନସ-ସାରସ ପ୍ରେମେ ହସ ହସ

ରବି କରେ ମୁଖ ମାଜି ।

 

ମନୋକମଳ କମନୀୟ କାନନେ,

ବସିବେ ସେ ମହନୀୟ ମନୋଆସନେ ! ଧ୍ରୁ

 

ନବୀନ ନିର୍ମ୍ମଳ ବସନ୍ତ ପ୍ରାତେ,

ମଲ୍ଲୀବାସିତ ମଳୟ ବାତେ,

ଗଗନ-ଅଙ୍ଗନେ ହସିବ ତପନ

ରମ୍ୟ ରକତ କାଞ୍ଚନେ ।

 

ନିବେଦିବି ମୋର ପରାଣଢଳା

ଭକତି ପ୍ରୀତି ବେଦନାବୋଳା,

ଅଶ୍ରୁ ଆକାରେ ମୁକ୍ତା ମାଣିକ

ଝରିବ ପୟର ଚୁମ୍ୱନେ !

 

ବାଜିବ ବିଶ୍ୱ ବଂଶୀ ସ୍ୱରେ,

ମରମେ ମରମେ ଗୀତ ଲହରେ,

ଝରିବ ଆକାଶୁଁ ସ୍ୱରଗ ସୁଧା,

ନିଶାନ୍ତ-ନୀହାର ସଞ୍ଚନେ।

 

ମିଶ୍ର ଝିଞ୍ଜିଟ୍‌ - କାଓ୍ୟାଲି

 

ଆଜି ରାଜେ ନବ ସାଜେ,

ସୁନ୍ଦର ସୁଧା-ଆନନ୍ଦେ,

ଉଜ୍ଜ୍ୱଳ ଆଜି ସୂର୍ଯ୍ୟ ଚନ୍ଦ୍ର ତାରା,

ନିର୍ମ୍ମଳ ଆଜି ପୁଲକିତ ଧରା,

ଚଞ୍ଚଳ ଆଜି ନଦୀ ବନରାଜି,

ଫୁଲ କୁସୁମ ସଉରଭେ ସାଜି,

ବନ୍ଦେ କାହାର ପଦାରବିନ୍ଦେ

ସୁଧା-ଆନନ୍ଦେ ।୧।

 

ତୋଳେ କୋକିଳ ପଞ୍ଚମେ ତାନ,

ଦୋଳେ ସଧୀରେ ଲତା ବିତାନ,

ଗୁଞ୍ଜରେ ଅଳି ଫୁଲେ ଫୁଲେ ଢଳି,

ସୁଧାକର ଧାରା ଢାଳେ କରମାଳି,

ସଞ୍ଚରେ ସମୀର ମନ୍ଦେ

ମନ୍ଦେ, ସୁଧା-ଆନନ୍ଦେ ।୨।

 

କି ଦେଖେ ! ଏ ବିଶ୍ୱ କାହାର ରଚନା,

ପରମ ସୁନ୍ଦର କିଏ ସେ ?

ଫୁଲେ ଫୁଲେ ଝରିପଡ଼ଇ ମାଧୁରୀ

କା ପ୍ରେମ ମୋହନ ବିଳାସେ ? ଧ୍ରୁ।

 

ତରୁତୃଣଲତା ପ୍ରେମବ୍ୟାକୁଳତା,

ଉଚ୍ଛଳିତ ନଦୀ ପ୍ରୀତି ତରଳତା,

ଶିଶିରେ ଝରେ କି ସ୍ନେହ ଅଶ୍ରୁରାଜି,

ହୃଦତାପ ସୂଚେ ମଳୟ ନିଃଶ୍ୱାସ ।

 

ଶଶୀ ସ୍ନିଗ୍‌ଧ ହାସେ ହସେ କି ଆନନ୍ଦ,

ଝରଣା ପ୍ରଣୟ ପୁଲକିତ ଛନ୍ଦ,

ମଧୁ ମକରନ୍ଦ ପ୍ରେମପଦ୍ମ ଗନ୍ଧ

ଉଜ୍ଜ୍ୱଳେ ହରଷ ବିଜୁଳି ବିକାଶେ ।

 

ସଖା ! ତୋହରି ମାନସବୀଣା

କହ କେଉଁକ୍ଷଣେ ବାଜିଲା ପରାଣେ,

ନିମିଷେ ହୋଇଲି କିଣା । ଧ୍ରୁ।

 

ନିମିଷେ ହୋଇଲି ବଶ ତୋହରି,

ଦିଶେ ଦିଶେ ଦିଶେ ରୂପମାଧୁରୀ;

ତାରକା ତପନେ, ଗିରି-ଅପଘନେ

ଶଶୀ ସୁମନେଶ ଶୋଭାରେ,

ପଲ୍ଲବପାଟକ ପ୍ରଭାରେ,

ସରିତଦକ୍ଷେ ବିହଙ୍ଗପକ୍ଷେ,

ଧରଣୀ ଶ୍ୟାମଳ ଦିଭାରେ,

 

ଠାବେ ଠାବେ ଦେଖେଁ ମୁରତି,

ପରାଣେ ଉଚ୍ଛୁଳେ ପୀରତି,

ଦେବତା ମୋର ସର୍ବସୁଖାକର

ମନୋଜୀବନ କିଣା ।

 

ତୋ ବିନା ମୋ ମନ କାହିଁରେ ତୋଷିବ,

ନୀରଦ ବିନା କେ ନୀରେ ଚାତକ ରସିବ ?

 

ଶଶୀ ବିନା ହସିବ କି କୁମୁଦ କି ନୀରେ,

ରବି ବିନା ରାଜୀବ କି ବିକଶେ କାସାରେ ?

 

ବିଭାବରୀ ବିନା ତାରା ନଭେ କି ଫୁଟିବ,

(ତୋ ବିନା ମୋ ମନ କି ଉଲ୍ଲସି ଉଠିବ ?)

 

ନ ବହିଲେ ମୃଦୁଳେ ମଳୟ ମାରୁତ

କୋକିଳ ଗାଇବ କାହୁଁ ଲଳିତ ସଙ୍ଗୀତ ?

 

ଶୀତେ ପାଦପ ବପୁ କି ପଲ୍ଲବେ ଶୋଭିବ,

(ତୋ ବିନା ମୋ ମନ କି ଉଲ୍ଲସି ଉଠିବ?)

 

ପିପାସା ଶମିବ କି ମରୀଚିକା ନୀରେ,

ତମସ ବିନାଶ କାହିଁ ଖଦ୍ୟୋତ ଜ୍ୟୋତିରେ,

 

ପ୍ରାଣବନ୍ଧୁ ବିନା ପ୍ରାଣ ଆଶା କି ପୂରିବ ?

 

ଶାନ୍ତ ସୁନ୍ଦର ଛନ୍ଦେ

ନନ୍ଦେ, ନନ୍ଦେ, ନନ୍ଦେ,

ନିଖିଳ ବିଶ୍ୱ ନିବିଡ଼ ଆନନ୍ଦେ

ଚରଣ ବନ୍ଦେ ବନ୍ଦେ ।ଧ୍ରୁ।

 

ଶତ ଚିତ୍ତ ତରଙ୍ଗିତ ସଙ୍ଗୀତ,

ଶତ ଶୁଭ୍ର ସୁମନ ସୁବାସିତ,

ଶତ ସରିତ ନୀର ଅମୃତ

ବରଷେ ଶ୍ରୀପଦ ଅରବିନ୍ଦେ ।୧।

 

କୋଟି କନକତାରାମାଳି,

କାନ୍ତି କଳାକାର ଭାସ୍କର ଥାଳୀ,

ପୂଜା ଅଞ୍ଜଳି ପୟରେ ଢାଳି

ସ୍ତବ୍‌ଧ ହୃଦ ନିଷ୍ପନ୍ଦେ ।୨।

 

କାନନ ଗହନ ଗିରିଶ୍ରେଣୀ

ନୀଳ ନୀରଧି ତରଙ୍ଗବେଣୀ

ନୀଳ ନୀରଦ ନୀର ସମ୍ପଦ-

ମୁଗ୍‌ଧ ପରମ ଆନନ୍ଦେ ।୩।

 

ଆଲେୟା – ଏକତାଲା

 

ଶରତ ଚାନ୍ଦିନୀ ଗଗନେ ହସୁଛି

ହରଷେ ମଗନ ମନ,

ପ୍ରେମ କୁସୁମ କୁଞ୍ଜେ ମୋହନ

ଫୁଟିଛି ପୂଣ୍ୟ ସୁମନ ।

 

ଗାଏ କୋମଳ ଗୀତ ବିହଙ୍ଗ,

ଦୋଳେ ମୃଦୁଳେ କୁମୁଦ ଅଙ୍ଗ,

ପ୍ରୀତି-ସୁଗନ୍ଧେ ନନ୍ଦିତ

ଗଗନ ଗଗନ, ପବନ ।

 

ବାଏ କେ ରମ୍ୟ ଲଳିତ ବେଣୁ,

ପୁଲକେ ସ୍ତବ୍‌ଧ ଧରଣୀ ରେଣୁ,

ଅଣୁ ପରମାଣୁ ନିଷ୍ପନ୍ଦ,

ହଜିଛି ସର୍ବ ଚେତନ ।

 

ତବ ପୂର୍ଣ୍ଣ ମଙ୍ଗଳ ଅଙ୍ଗୁଳି ଚାଳନା

ତବ କରୁଣାକର ବିଧାନ,

ତବ ମହାନ ମଧୁର ରଚନା

ନିତ୍ୟ ବିଶ୍ୱେ ପ୍ରମାଣ ।

 

ଆକାଶେ ଶଶୀ, ସୂର୍ଯ୍ୟ, ତାରା,

ତବ ବିଶାଳ ଆନନ୍ଦଧାରା,

ତବ ଦୟାସାଗର ଉଚ୍ଛ୍ୱାସେ

ପ୍ରେମ ସରିତେ ବିକାଶେ,
ଶାନ୍ତି ହସେ ସୁମନେ ପ୍ରୀତିବାସ ବିତରେ ଚନ୍ଦନେ,

ମୁକ୍ତି ଗାଏ ପବନେ,

ଭକ୍ତି ପିକ-ପଞ୍ଚମେ,

ମହା ମହିମାରେ ଶୋଭେ ଅନନ୍ତ ବିମାନ ।

 

ହୃଦ-ହିରଣ୍ମୟ-ଆସନେ ବିରାଜ ବ୍ରହ୍ମ ନିଷ୍କଳମ୍‌,

ନୀଳ ଗଗନେ ଆଲୋକ ମେଳା,

ନୀଳ ନୀରବେ ଚପଳା ଖେଳା,

ଊର୍ମି-ଉଚ୍ଛଳିତ ଅର୍ଣ୍ଣବ-ବେଳା,

ତହିଁ ରାଜେ ରୂପ ଚିର ସୁନ୍ଦରମ୍‌ ।୧।

 

ତାରାମାଳେ ତବ ଜୀବନ-ଜ୍ୟୋତି,

ସୂର୍ଯ୍ୟ ଶଶାଙ୍କେ ଆନନ୍ଦ-ଦ୍ୟୋତି,

ଶ୍ୟାମ ଦୁର୍ବାଦଳେ ଶିଶିର-ମୋତି,

ତହିଁ ଭାତେ ପ୍ରେମ ଶାନ୍ତମନନ୍ତମ୍‌ ।୨।

 

ମନୋମନ୍ଦିରେ ରମ୍ୟ ମୂରତି,

ଚିତ୍ତ-ପୁଲକିତ ମୋହନ ପ୍ରୀତି,

ବିଶ୍ୱ-ବିନୋଦ ବୀଣାର ଗୀତି

ନିତି ବାଜେ ସତ୍ୟମ୍‌ ଶିବମ୍‌ ଅଦ୍ୱୈତମ୍‌ ।୩।

 

ବ୍ୟଥିତ ଚିତ୍ତ ବେଦନାଭାରେ

ଅବସାଦର ଘନ ଅନ୍ଧାରେ

ବହ୍ନି ବିପୁଳ-ଜ୍ୱାଳାମାଳାରେ

ଅଙ୍ଗିତ ଶୁଦ୍ଧମ୍‌ ଅପାପବିଦ୍ଧମ୍‌ ।୪।

 

ଆସ ମା ଜନନୀ, ମୋ’ ଦୁଃଖରଜନୀ

ଲଭୁ ଅବସାନ ଅଚିରେ

ଶ୍ରୀମୁଖ କରୁଣା-କନକ-ରବି କିରଣେ ରଚିରେ ।

 

ଅନ୍ଧାର ଅବସାଦେ ଏ ଚିତ୍ତ

ଅବଶ ଶରୀର, ପୀଡ଼ିତ, ବ୍ୟଥିତ,

ଆସ ବରାଭୟଦାୟିନୀ,

ଶାନ୍ତି-ଶର୍ମ୍ମ-ବାହିନୀ,

କାନ୍ଦେ କାତରେ ସନ୍ତାନ ତବ

ଶିର ଅବନତ ମହୀରେ ।

 

(୧)

ଆସ ଦୁଆରେ ଆସ ଦୁଆରେ

ଆସ ଚଞ୍ଚଳେ ମା ଗୋ,

ଘେନ ଆଦରେ ଘେନ ଆଦରେ

ରିକ୍ତ ଅଞ୍ଚଳେ ମା ଗୋ ।

 

ଆସ ଚମ୍ପାଚହଟ ବରଣେ,

ରଙ୍ଗ କମଳ ଚରଣେ,

ତବ ସୁନ୍ଦର ସୂର୍ଯ୍ୟ କନକ କିରଣେ,

ଉଜ୍ଜଳୁ ନୟନ ଅନଳେ ।

 

ଭାଷ ସାଦରେ, ଭାଷ ସାଦରେ

ଅମୃତଭାଷା କର୍ଣ୍ଣରେ ମୋର

ମୋହନ ମଧୁର କୋମଳେ ।

(୨)

ତବ ଶିରୀସମ୍ପଦେ ଆନନ୍ଦମୟୀ ଗୋ,

ନବ ବେଶେ ନବ ହସେ ଭୁବନ ରସଇ,

ଜାଗେ ଜୀବନ ନବ ସ୍ପନ୍ଦନ,

ନବ ଚେତନା ହୃଦୟେ ମୋହର,

ଖେଳେ ନବ ଜ୍ୟୋତି ଆଶା କମଳେ ।

 

ପ୍ରାଣଫୁଲ ମୋର ଉଠଇ ଫୁଟି,

ପାଦତଳେ ତନୁ ପଡ଼ଇ ଲୋଟି,

ଘେନ କୋଳେ ଘେନ କୋଳେ,

ଡାକଇ ଆକୁଳେ ମା ଗୋ ।

 

ଆଉ ନ ଧରେଟିଫୁଲ ମନ-ମାଳତୀ-ଲତିକା,

ଆଉ ନ ଗାଏ କୋକିଳ, ମୂକ ସାରିକା ।ଧ୍ରୁ।

କାହିଁ ସେ ଚୋରାଧୀର ଦକ୍ଷିଣା ପବନ,

ସଞ୍ଜେ ଫୁଟନ୍ତା ମଲ୍ଲୀ ମୋହନ,

ବୁଡ଼ିଛି ରବି, କୁସୁମଛବି

ପଡ଼ିଛି ଝଡ଼ି ଝଡ଼ିକା ।

ବସେ ଦୀନ ଦୁଆରେ,

ଅନ୍ଧ-ନୟନ-ଅନ୍ଧାରେ,

କେହି ନ ଚାହାନ୍ତି ଫେରି,

କେହି ନ ଯାଏ ପଚାରି,

ବସେ ମୁଖ ପୋତି ମଉନେ

ଲାଜେ ମରି ମରିକା ।

 

ଆଗୋ କି ଗୀତ ଗାଇଲୁ ପିକ

ଚୁତକୁଞ୍ଜେ କଳରୋଳେ,

ଉଛୁଳିଲା ମନେ ଅପାର ଆନନ୍ଦ,

ତହୁଁ ବଳି ଦୁଃଖଶୋକ,

ଦୁଃଖ ବାତାହତ ଦୋଳେ ।

 

(ଆଗୋ) ନବ ବସନ୍ତ ରସିକ !

ଭାସେ ମୁଁ ନୟନଜଳେ ।

କା’ ମନୋବସନ୍ତ ସୁରଭିଧାମେ

ଗାଆନ୍ତି ମୁଁ ଗାନ ପଞ୍ଚମତାନେ,

ତା’ ପ୍ରେମ-କୋମଳ-ବକୁଳ-ମୁକୁଳେ

ନବୀନ ରସାଳ କୁଞ୍ଜେ,

ବାନ୍ଧିଥାନ୍ତା ଆଗୋ ଛନ୍ଦିଥାନ୍ତା ମୋତେ,

ତା ଚିତ୍ତ-ସଙ୍ଗୀତ ପୁଞ୍ଜେ

ନିତି ନବ ନବ ଲୀଳା ଉଛୁଳି,

ପଞ୍ଚପ୍ରାଣ ଘେନି ପ୍ରୀତିବାତୁଳୀ

ଚୁମ୍ୱି ତା କମଳଚରଣର ଧୂଳି

ତାହାରି କୋମଳ କୋଳେ

ବାନ୍ଧି ମୁଁ ପୁଟୁଳି ଥୁଅନ୍ତି ଆକୁଳେ,

କାନ୍ଦଇ ତେଣୁ ନିରୋଳେ ।

 

ବସନ୍ତ ବାହାର- ଏକତାଲା

 

ସତେ କି ବସନ୍ତ-ସମୀର ବହୁଛି, ସତେ କି ଫୁଟିଛି ଫୁଲ,

ସତେ କି ଚୂତ କୁସୁମକୁଞ୍ଜେ ଶୁଭେ ପିକରୁତ ମଞ୍ଜୁଳ !

ଆକାଶରେ ଆଜି ନବ ଜ୍ୟୋତିଧାରା,

ନବୀନ ତପନ, ନବ ଚନ୍ଦ୍ରଧାରା,

ବନେ ବନେ ଆଜି ନବ ଫୁଲରାଜି,

ସୁଧାସୁଖାମୋଦେ ଆକୁଳ ।୧।

 

ନୀଳ ଗଗନ ତଳେ

ନୀଳ ସରସୀ-ଜଳେ

ଆନନ୍ଦର ଶତ ସ୍ରୋତ ଯାଏ ବହି,

ସବୁ ସୁଖଭରା ଦିଶଇ କି ମହୀ,

ହୃଦବାଜଣାରେ ନବ ସ୍ୱର ଦେଇ

ଗାଇ କେ କରେ ଉତ୍‌ଫୁଲ ? ୩।

 

ପ୍ରେମ-ହେମ ଘେନି ବେନି ପ୍ରିୟ ପଦ୍ମପୟରେ

ଦେବି ମୁଁ ଦିବସ ନିଶି ଆଶାନନ୍ଦ ହୃଦରେ ।

ସତ୍ୟ, ଶାନ୍ତି, କ୍ଷେମ, କ୍ଷମା,

ଶୁଭ ସ୍ୱରଗ-ସୁଷମା,

ଜାଗିବ ଜୀବନେ ପ୍ରୀତି ଜଗତଜିଣା,

ବାଜିବ ବ୍ୟାକୁଳେ ବିଶ୍ୱ-ବିନ୍ଧାଣି ବୀଣା;

ଉଠିବ ନାଚି ଚିତ୍ତ-ଚେତନା,

ବ୍ୟର୍ଥେ ବୁଡ଼ିବ ହୃଦବେଦନା,

ନବ ନିର୍ମଳପୁଣ୍ୟ ପ୍ରେମଛନ୍ଦେ

ବନ୍ଦିବି ଭୁବନେଶ୍ୱରେ ।

କୋଟିକନକ କିରଣେ ରବି

ଫୁଟାଇବ ଫୁଲ ପ୍ରଫୁଲ୍ଲ ଛବି,

ଅନନ୍ତ-ବସନ୍ତ-ଲଳିତ-କାନ୍ତି,

ହସିବ ହୃଦୟଦେଶରେ,

ମଧୁର ମୋହନ ବେଶରେ,

ଶତ ଶରତ-ଶଶାଙ୍କ ଶୋଭା

ଚୁମ୍ୱିବ ଶେଫାଳୀ କୁଞ୍ଜରେ ।

 

କାହିଁକି ରେ ଝୁରୁ ମନ ସେହି ସୁନ୍ଦର ଲାଗି ?

କୋଟିକନକ ତାରା ରୂପେ ଆଖି ରହିଛି ଜାଗି ।ଧ୍ରୁ।

 

ପଥେ ବସାଇ ଯେ ଯାଇଛି,

ଗୋପନେ ପ୍ରେମେ ସେ ଚାହିଁଛି,

ଦିବସ ନିଶି ତୋ ଅଶ୍ରୁ ଝରୁଛି

ସେହି ସୁନ୍ଦର ଲାଗି;

କାନ୍ତି କମଳ ସୌରଭରୂପେ

ପ୍ରେମ ରହିଛି ଜାଗି ।୧।

 

ଧୂଳିଧୂସର ତନୁଗୋଟି,

ପାଦତଳେ ଯିବୁଟି ଲୋଟି,

ଚରଣସ୍ପର୍ଶେ ନିବିଡ଼ ହର୍ଷେ ହେବୁ ସରବତ୍ୟାଗୀ,

ମଙ୍ଗଳ ଶାନ୍ତି ହରିବ ଶାନ୍ତି ଚିର ଆନନ୍ଦଭାଗୀ ।୨।

 

ପରମ ପ୍ରେମେ ଯିବୁ ମିଶି,

ଗାଇ ଗୀତି ଦିବସନିଶି

ଅନନ୍ତ ମିଳନେ ପ୍ରେମ ନନ୍ଦନେ ଭକ୍ତି ରହିବ ଜାଗି,

ମନୋବୀଣାରେ ମୃଦୁ ଝଙ୍କାରେ ସ୍ୱର ରହିବ ଜାଗି ।୩।

 

ମୋହର ବୋଲି ମୁଁ କିଛି ନ ଜାଣଇ,

ମୋହର କେ ଅଛି କାହିଁ ଗୋ ?

କେଉଁ ଦୂରାକାଶ କ୍ଷୀଣ ତାରକାଟି

ଅନ୍ଧାରେ ତ ଦେଖିନାହିଁ ଗୋ ।

 

ଅବା ସେହି ମାନ ବଙ୍କିମ ଚନ୍ଦ୍ରମା,

ତାମସ ତଳେ ତା ବଢ଼ଇ ସୁଷମା,

ଦେଖିବି ଦେଖିବି ଖୋଜି ନ ପାଉଛି

ସୁଦୂର ଅମ୍ୱର ଚାହିଁ ଗୋ ।୧।

 

ପ୍ରଭୁ ବୋଲି ମୁହିଁ ଡାକି ନ ପାରିଲି,

ସେ କିନ୍ତୁ ମୋହରି ପ୍ରଭୁ ହେ,

ସଖା ବୋଲି ଆହା କହି ନ ପାରିଲି,

ସେ କିନ୍ତୁ ମୋହରି ସବୁ ହେ!

 

କେତେ ଧନ ତା’ର ଅଛି ଗନ୍ତାଘରେ,

ସେ ଏକମାଣିକ ମୋ କୋଠଭଣ୍ଡାରେ,

ସେ ରତନଦୀପ ମୋ’ ହୃଦମନ୍ଦିରେ,

ସେ ମୋହରି ଚିତ୍ତସାଇଁ ହେ ।୨।

 

ଅକାରଣେ ବସେ ଅନାଇଁ ଅନାଇଁ

କାହାର ଆସିବା ଆଶାରେ

ଯୁଗଯୁଗାନ୍ତର ଗଲାଣି ଆକୁଳେ

ଜଗିଛି ମୁଁ ଦିବାନିଶାରେ ।

 

ହେଲିଣି ମୁଁ ଥକା, ବଢ଼େ ମୋର ଦକା,

ଆସିବ ନାହିଁ କି ମୋ ହୃଦୟସଖା ?

କଣ୍ଟ କରି ବସି ତଣ୍ଟି ଶୁଖିଲାଣି,

ବିଷମବାସନା ତୃଷାରେ ।

 

ସତ୍ୟ, ଶିବ, ନିତ୍ୟ, ସୁନ୍ଦର, ଉଦାର,

ତାର କି ଏସନ ପ୍ରେମ ବ୍ୟବହାର ?

ପରାଣେ ଜାଳି ସେ ପ୍ରଣୟ ଅନଳ

ଲିଭାଇବ ଦୁଃଖ-ଆସାରେ ?

ଛି, ଛି, ଏତ ମୋର ମିଛ ଅବିଶ୍ୱାସ,

ପ୍ରଭୁ କି ପରାଣ କରିବେ ନିରାଶ ?

ତା ଦତ୍ତ ଜୀବନେ ନାହିଁ ତା କରୁଣା,

ବଞ୍ଚିବ ତେବେ କେ ସଂସାରେ ?

 

ଜନନୀ ମୋହର କାହିଁ ?

ଦୁର୍ବଳ ପୀଡ଼ିତ ସନ୍ତାନର ଡାକ

କାନେ କି ପଶିବ ନାହିଁ ? ଧ୍ରୁ ।

 

ମୋ ନାମ ବହି ତୁ ହେବୁ କି କଠୋର,

କରୁଣା ଊଣା କି ହେବ ମୋ ଉପର ?

ପାପକଳଙ୍କରେ କଳଙ୍କିତ ବୋଲି

ଯିବ କି ଜୀବନ ମୋହର,

ବଞ୍ଚିବି କହ ମୁଁ କା ପଦ୍ମ-ପ୍ରସୂନ-

ପ୍ରସନ୍ନବଦନ ଚାହିଁ ?୧।

 

ସାରା ଶରୀରଟି ଧୂଳିରେ ମଳିନ,

ପୋଛିବ କି ହେଲେ ଶ୍ରୀକର-ନଳିନ ?

ଘୃଣା କରିବୁ କି ଛୁଇଁବାକୁ ମାତଃ,

ଚିତ୍ତେ ଦୋ ଦହିବ ଦହନ ।

ତୋ କୋଳେ ମା ଆଗୋ ନାହିଁ ଯହିଁ ସ୍ଥାନ

ଦେବୁ ତୋ ଚରଣ ଛାଇ ।୨।

 

କାହୁଁ ପାଇବି କନକଦୀପ, ଜୀବନଦୀପ ଜାଳିଛି,

କାହୁଁ ପାଇବି ଅରଘ ଚନ୍ଦନ, ଅଶ୍ରୁ ଶୋଣିତ ଜାଳିଛି ।

ନ ଜାଣେ ତନ୍ତ୍ର ମନ୍ତ୍ର କଥା,

ଗାଇଯିବି ମୋର ଜୀବନ ବ୍ୟଥା,

ସାରା ଦିନରାତି ଯେ ହୃଦ ଆରତି,

ଯେତେ ମୁଁ ଗୋପନେ ଜାଳିଛି ।

କେତେ ପଦବଳୀ ସହିଛି ନୀରବେ,

କେତେ ଚାହିଁଛନ୍ତି ଅବଜ୍ଞା ଗରବେ,

କହିବି ତା’ ଆଗେ, ଶୁଣିବ ସରାଗେ,

ମୋ’ କାନ୍ଦଣା ମନେ ଭାଳିଛି ।

 

ବହୁ ବରଷ ଭିକାରୀ ବେଶ

ବସିଛି ଦୁଆର ପାଶେ,

ଆକୁଳେ ବ୍ୟାକୁଳେ ଗଣେ ଦିନରାତି

ତାହାରି ମିଳନ ଆଶେ ।

ହେବ ବା ନ ହେବ ଦେଖା ଏ ଜନମେ,

କାନ୍ଦି ଚାଲିଯିବି ମରମେ ମରମେ,

ନ ଜାଣେ ମୁଁ କିଛି, ମିଛେ ପ୍ରେମ ସଞ୍ଚି

ଫୁଟାଏ ପାଷାଣ ନିଃଶ୍ୱାସେ ।

 

ନାନା ମୁନିଙ୍କର ନାନା ମତ କଥା,

ନାନା ପଣ୍ଡିତଙ୍କ ନବ ନବ ପନ୍ଥା,

ମୁଁ ଯିବି କାହିଁରେ ସେ ରାଜା ନାହିଁ ରେ,

ବୁଡ଼େଁ ମୁ ଭୀଷଣ ନିରାଶେ ।

 

ଚାହିଁଲାବେଳକୁ ଅନ୍ତର ଭିତରେ,

ଅସ୍ପଷ୍ଟ ଆକାର କା’ ରୂପ ସୁନ୍ଦର,

କ୍ଷଣେ ପ୍ରତିଫଳେ ନେତ୍ର ବେନି ଝଳେ,

ଚମକେ ମୋ ଚିତ୍ତ ଉଲ୍ଲାସେ

 

ସେ କି ଏକା ମୋର ପରାଣର ଧନ,

ହରିବେ କି ମୋର ବ୍ୟଥିତ ରୋଦନ,

କହିବି କିପରି, ରହିଚି ମୁଁ ମରି,

ବଞ୍ଚିଛି କେବଳ ବିଶ୍ୱାସେ ।

 

କିପାଁ କାନ୍ଦେ ଅବିଶ୍ୱାସେ

ଦିନ ଯାମିନୀ,

ଲୋତକ-କଳଙ୍କେ ଲେପି

ପରମ ପୂଣ୍ୟ ମେଦିନୀ ?

ସଫଳ ନ ହେଲା ମୋର ବାସନାରାଶି,

ମୋ ତୀବ୍ର କାମନା ମୋତେ ପକାଏ ଗ୍ରାସି,

ପାଞ୍ଚେ ଯାହା ମନେ ମନେ

ନ ପାଏ ତା’କ୍ଷଣେ କ୍ଷଣେ,

କହେ କି ନିଷ୍ଠୁର ଏଡ଼େ ବିଶ୍ୱବିନ୍ଧାଣି !

ତିଳେକ ବହିଣ ଜ୍ଞାନ

ସରବେ ମଣେଁ ମୁଁ ସାନ,

ସାରେ ମୋତେ ମୋ’ ଗୁମାନ,

ନ ବୁଝେଁ ମୁଁ କ୍ଷୁଦ୍ର ପ୍ରାଣୀ ।

 

ଅଭିଯୋଗ ବିନା ନାହିଁ କି ଚରଣେ

ଆଉ କିଛି ଆନ କଥା ହେ,

ବିପୁଳ କରୁଣା ଊଣା ନ ହେଉଣୁ

ଉଛୁଳି ପଡ଼ିଲା ବ୍ୟଥା ହେ !

ଖାଲି ନୟନରୁ ବୁହାଇଲି ଧାରା,

କଳଙ୍କେ ଲେପିଲି ନିରମଳ ଧରା;

କାନ୍ଦି ମିଛେ ମିଛେ ସଞ୍ଚିଲି ଯାତନା,

ଭୁଲିଲି ଆନନ୍ଦ ସୁନ୍ଦର ସାଧନା,

ଦୁଃଖ ମୁଁ ରଖିଲି ଗଚ୍ଛି,

ସୁଖକୁ ଦୂରରୁ ଜୁହାର କରିଣ

ହୃଦାନଳେ ଦହୁଅଛି ।

 

ଏ ତ ନ ଥିଲା ଆଗରୁ ଜଣା,

କୃପାରେ କଠୋର ହୁଏନାହିଁ କେହି,

ଶରଧାରେ ଦିଏ ଯନ୍ତ୍ରଣା ।ଧ୍ରୁ।

 

କତି କତି ଆସି କେ ପଳାଏ ଦୂରେ,

କନ୍ଦାଏ ପରାଣ ପ୍ରଣୟବିଧୁରେ,

ବିଷ ପୀୟୁଷରେ ପରଶେ କେ କାହିଁ

ବଢ଼ାଇ ମରଣ ଯାତନା ? ।୧।

 

ଯେତେ ପଛେ ପଛେ ଧାଇଁଗଲେ ତା’ର,

ଲଙ୍ଘିଲେ କାନନ ଗିରି ପାରାବାର,

ଯୁଗ ଯୁଗାନ୍ତର ଲୋକଲୋକାନ୍ତର,

କରୁଥିଲେ ଶତ ସାଧନା ।୨।

 

ମିଶି ପ୍ରାଣେ ପ୍ରାଣେ ନ ଦିଏ ସେ ଧରା,

କ୍ଷଣେ ଅତି କତି, କ୍ଷଣେ ଦୂରେ ପରା,

କ୍ଷଣେ ମୃଦୁଭାଷେ ହୃଦୟ ଆଶ୍ୱାସେ,

ପରକ୍ଷଣେ ଦିଏ ବେଦନା ।୩।

 

ଗଜମୁକୁତା ଲଭି କେ

ପକାଏ କାଇଁଚ ଭ୍ରମେ,

ପିତ୍ତଳ ଆଦରି କେ’ବା

ନ ରସେ ଦିବ୍ୟ କାଞ୍ଚନେ ?

 

ଲଭି ମୁଁ ମାଣିକ ସାରେ

ଦେବି କି ଫିଙ୍ଗି ବାହାରେ,

କାନ୍ଦିବି ବସି ଦୁଆରେ

ହଜାଇ ଗଣ୍ଠି-ରତନେ ?

 

ବେଳ ଥାଉଁ ଥାଉଁ ସଞ୍ଚି

ଯତନେ ପକାଇ କୁଞ୍ଚି

ରଖିବି ମୋ’ ପୁଞ୍ଜିଧନ

ସଙ୍ଖାଳି ଚିର ଜୀବନେ ।

 

ଶୁଖିଗଲା, ଶୁଖିଯାଉ ମନଫୁଲଟି !

ଅମୃତ-ଉଦ୍ୟାନେ ଦିନେ ସେ ଫୁଟିବଟି ।

ଯାତନା ଦୁଃଖ ଦହନ, ହରିଛି ବାସ ମୋହନ,

ଚିତ୍ତ-ତାପ-ତପନେ ଶୁଖିଛି ଦଳଟି,

ସତେଜ ହେବ ସେ ଦିନେ ସୁଧା ସଳିଳ ସିଞ୍ଚନେ,

ତା ମଞ୍ଜୁ ନିକୁଞ୍ଜବନେ ହସିବ ଫୁଟି,

ବାସେ ଚହଟି ।

 

ଶୁଖିଗଲା, ଶୁଖିଯାଉ ହୃଦ-ପଦ୍ମଟି,

ପୀୟୁଷ କାସାରେ ଦିନେ ସେ ଫୁଟିବଟି,

ନିବିଡ଼ ଲାଜ-କୁହୁଡ଼ି- ଅନ୍ଧାରେ ମରିଛି ବୁଡ଼ି,

ଅପମାନ-ହିମେ ହେଲା ହତଶିରୀଟି;

ହସିବ ସୁଆଗେ ଦିନେ ତା ରମ୍ୟ ରବି କିରଣେ

ତା ପ୍ରୀତି-ପଙ୍କଜବନେ ଶୋଭିତ ଫୁଟି,

ସୁବାସେ ଲୋଟି ।

 

ପିଲୁବାରୋଆଁ – ଏକତାଲା

 

କେବେ ହେବ ମମ ସଫଳ ଜୀବନ

ମଧୁର ମଙ୍ଗଳ ମିଳନେ,

ଭବାର୍ଣ୍ଣବ ତୀରେ ବସିଛି ଉଦାସୀ

(ଚାହିଁ) ସାନ୍ଧ୍ୟ ଧୂସର ଗଗନେ ।ଧ୍ରୁ।

 

ସେ ପାରିରେ କେବେ ଶୁଭ ନବ ପ୍ରାତ

ହରିବ ଅନ୍ତରବ୍ୟଥା ମୋ ଅନନ୍ତ,

ନବ ଜଗତେ ମୁଁ ନବକର୍ମ୍ମେ ଜାତ

ତେଜିବି ମଳିନ ବସନେ ।୧।

 

ନବ ସ୍ୱରେ ଗୀତ ଗାଇବ ରସନା,

ଆସିବ ଆନନ୍ଦ, ନବ ଉନ୍ମାଦନା,

ବୁଡ଼ିବ ବାସନା, ଛଳନା, ବେଦନା

ସୁଧା ପ୍ରେମସିନ୍ଧୁ ମଗନେ ।୨।

 

ପିଲୁବାରୋଆଁ – ଏକତାଲା

 

କେଉଁ ଦୂରାନ୍ତର ରାଇଜେ ମୋ ଘର

ମୁଁ ପରା ସୁଦୂର ପିପାସୀ,

ଜୀବନ-ସଞ୍ଚେ ନବୀନ ପ୍ରଭାତ

ହସିବ ସୁରସେ ଉଲ୍ଳାସୀ ।ଧ୍ରୁ।

 

ପରାଣେ ବାଜିବ ମଧୁର ବାଜଣା,

ଜୀବ ଅପସରି ଭବ-ଛଳନା,

ତନୁ ତେଜି ନବ ତେଜେ ସଞ୍ଜୀବିତ

ହୃଦ କୋକନଦ ବିକାଶି ।୧।

 

ଏ ପାରିର କେତେ କ୍ଷୁଦ୍ର ଦିନ !

କିପାଁ କାନ୍ଦି ହେବ ଏ ଦେହ କ୍ଷୀଣ ?

କରିବି କରମ, କରମେ ମୁକତି,

କରମେ ମୋ’ ଦୁଃଖ ବିନାଶି ।୨।

 

ଜାଳିଛି ଯେ ମୋର ଜୀବନଜ୍ୟୋତି,

ଦିନୁ ଦିନୁ ତାର ବଢ଼ାଇବ ଦ୍ୟୋତି,

ସରିବ ସଂସାର, ଉଠିବି ଭଚ୍ଚେ ମୁଁ

ଅନନ୍ତେ ଅନନ୍ତ ବିଳାସୀ ।୩।

 

ରାଜେ ରୁଚିରେ,

ଭବବାରିଧି ପରପାର ତୀରେ,

ପରମ ପବିତ୍ର ପୁରୀ ପ୍ରେମ ଭାତିରେ !

ଜିଣି ଜ୍ୟୋତି-କୋଟିକନକ ତାରା,

ଜିଣି ନିର୍ମ୍ମଳ ରକତ ଧାରା,

 

ଶତ ଅମୃତ ଝରଣା –

ଝରେ ଜୀବନ ମନୋମୋହନ

ଶ୍ରୁତ-ସୁବାସ-କୁସୁମ କାନ୍ତିରେ !

ବାଜେ ଶତ ମୁରଲୀ ମଧୁରେ

ଜିଣି କୋଟି କୋକିଳ କଳଗିରେ,

 

ଉଛୁଳେ ଗୀତ ଲଳିତ,

ବହେ ପୁଲକ ନଭୋଭୂଲୋକ

ଭାସେ ମଙ୍ଗଳ ଆନନ୍ଦ ଶାନ୍ତିରେ

 

କାହିଁ ଗଲେ ହେବ ଯାତନାର ଶେଷ,

କାହିଁ ସେ ଆନନ୍ଦଧାମ,

ଅଶ୍ରୁ, ତୁଚ୍ଛା ଅଶ୍ରୁ ଝରେ ଝର ଝର

ମର୍ମ୍ମ ଦହି ଅବିରାମ !

 

ନିତି ଭ୍ରମି ଭ୍ରମି ଆଶାଦଗ୍‌ଧ ପ୍ରାଣେ

ଭୁଲେ ମୁଁ ବିଷାଦେ ପରମ ପ୍ରାମାଣେ,

ଅନ୍ଧ ମୋ’ ନୟନ, ଜଡ଼ ମୋ’ ଜୀବନ,

ନୀତି ତୀବ୍ର ଅଭିମାନ ।୧।

 

କିମ୍ପା ଏ ଯନ୍ତ୍ରଣା, କିମ୍ପା ଏ କାନ୍ଦଣା,

ଜୀବନ କି ମୋର ଅସାର ଖେଳନା ?

ଧୂଳିଗଢ଼ା ପିଣ୍ଡ ହେବ ଖଣ୍ଡ ଖଣ୍ଡ,

ପଞ୍ଚଭୂତେ ଅବସାନ ।୨।

 

ଶିଖାଅ ହେ ମୋତେ ତବ ପୁଣ୍ୟାଦେଶ,

ତବ ପ୍ରେମପଥ କର ହେ ନିର୍ଦ୍ଦେଶ,

କେବେ ପୂଣ୍ୟପଦ ହୃଦ-କୋକନଦେ

ସ୍ଥାପି ଲଭିବି ବିଶ୍ରାମ ।୩।

 

ମିଳିବା ସକଳେ ଆନନ୍ଦ ମନେ

ସେହି ଉଜ୍ଜ୍ୱଳ ଭୁବନେ ।

 

ସକଳ ଭଗିନୀ, ସକଳ ଭ୍ରାତା

ପ୍ରେମାଲୋକେ ଆମେ କରୁଛୁଁ ଯାତ୍ରା

ନିତ୍ୟ ମଙ୍ଗଳ-ସଦନେ ।

 

ମାତିବା ଯହିଁ ମଙ୍ଗଳ ଗାନେ,

ନବୀନ ଜୀବନ ମୋତେ ତାନେ

ଅନନ୍ତ ଅମୃତ ଯୌବନେ ।

 

ଫୁଟିବ ମାନସକୁସୁମ-କଳି

ଆଲୋକେ, ପୁଲକେ, ଝଲକେ ଝଳି

ସେହି ଆନନ୍ଦ-ନନ୍ଦନେ ।

 

ଆଜି ଆସିଛନ୍ତି ପ୍ରାଣସାଇଁ,

ହୃଦୟେ ମୋହର ଆକୁଳ ପିଆସା

କେହି କେବେ ବୁଝିନାହିଁ ।ଧ୍ରୁ।

 

କେତେ ଦେଶେ ଦେଶେ ବୁଲି ଖୋଜି,

ପରାଣର ଧନ ଗଲେ କି ହଜି,

କି ସୁଖରେ ମଜ୍ଜି ଦେଲି କି ଗୋ ତେଜି,

ଏବେ ବସି ଭାବୁଥାଇଁ ।୧।

 

କେତେ ନୟନୁଁ ବହିଛି ଧାର,

କେତେ ହୃଦୟେପଡ଼ିଛି ଗାର,

ବଡ଼ ଉଦାସେ ବୁଲେ ସାରାବିଶ୍ୱେ,

ସେ ଧନ ମିଳଇ ନା ।୨।

 

ଏତେ ଦିନେ ଆଜି ପ୍ରସନ୍ନ ବେଶେ

ଆସିଛି କୁଟୀର ଦୁଆରେ ଶେଷେ,

ପାଦ ଧରି ଡାକେ, ଆସ ଦୟାମୟ,

ବସିଛି ମୁଁ ପଥ ଚାହିଁ ।୩।

 

ପ୍ରଭୁ, ମୋର ବୁଡ଼ିଲା ଭେଳା,

ନ କର ହେଳା ।

ଆରତେ ଡାକୁଛି ପାଦେ, ନାହିଁ ତ ବେଳା ।ଧ୍ରୁ।

 

ନିଜ ବୁଦ୍ଧିରେ ଭରସି,

ଦଦରା ବୋଇତେ ବସି,

ନିଜ ଅହମିକା ଘେନି ଯାଉଛି ସରି,

କୃପା କର କୃପାକାରୀ, ଶୁଣ ଆରତ ଗୁହାରି,

ନ ଶୁଣିଲେ ଗ୍ରାସିବ ଏ ତରଙ୍ଗମେଳା ।

 

ହେ ଭବସିନ୍ଧୁ କାଣ୍ଡାରି

ଦିଅ ତବ ପାଦତରୀ,

ହେଉ ଏ ଅଧମ ପାରି, ଜୀବନ ଧରି;

ଯଦି ସାଗରେ ବୁଡ଼ିଲି, କିମ୍ପା ଛାମୁରେ ଡାକିଲି,

ଜାଣେ ଦୟାମୟ ହରି, ତାର ଏ ବେଳା ।୨।

 

ଆରତ ଅନାଥ ନାଥ,

ରକତବତ୍ସଳ ତାତ,

ଉଦ୍ଧାର ଉଦ୍ଧାର ପ୍ରଭୁ, ବଢ଼ାଇ ହାତ,

ମୁଁ ହୀନ, ଦୋଷ ନ ଧର,

ଅଧମେ ରୋଷ ନ କର,

ମୁଁ ପରା ଛାମୁ କିଙ୍କର ମାଟିର ଟେକା ।

 

କେଡ଼େ ସୁଧାମୟ ଭକତ-ହୃଦୟ-

ରଞ୍ଜନ ସେ ପ୍ରଭୁ ନାମ,

ଡାକି ପ୍ରେମମୟେ ଆକୁଳ ହୃଦୟେ

ପୁର୍ଣ୍ଣ ମୋର ମନସ୍କାମ ।

 

ଶୁଣିଲେ ସେ ନାମ ବାଜିଉଠେ ମମ,

ହୃଦୟର ତନ୍ତ୍ରୀ ତାନ,

ଭୁଲିଯାଏ ଦୁଃଖ, ଭୁଲିଯାଏ ଶୋକ,

ଲଭେ ଶାନ୍ତି ମନପ୍ରାଣ ।୧।

 

ସଂସାରକାରାରେ ପଡ଼ି ମୋ’ ଅନ୍ତରେ

ନିତି ଜଳେ ହୁତାଶନ,

ଶୁଣିଲେ ସେ ନାମ ଦଗଧ ପରାଣ-

ଦାହ ହୁଏ ଉପଶମ ।୨।

 

ପ୍ରେମ ଛଳ ଛଳ ଲୋଚନାଯୁଗଳ

ଅଶ୍ରୁ କରେ ବରଷଣ,

ଅଧର ମୋହର ଭୁଲିଯାଏ ଗିର,

ସ୍ତବଧ ହୃଦ-ସ୍ପନ୍ଦନ ।୩।

 

ଶିରାରେ ଶିରାରେ ସଞ୍ଚରେ ଶକତି,

ବିକଶିତ ହୁଏ ଜ୍ଞାନ,

ଦେଖେଁ ସାରା ସୃଷ୍ଟି ମଙ୍ଗଳମୟ

ଜୟ କରୁଛନ୍ତି ଗାନ ।୪।

 

ହେ ମନୋମୋହନ ଚିତ୍ତବିନୋଦନ

ପ୍ରେମ ଘନଶ୍ୟାମ ହେ,

ମଙ୍ଗଳ ମୁରଲୀ ବାଜୁ ଅବିରଳ ହୃଦଅଭିରାମ ହେ ।

(ରାଜେ ପାଦତଳେ-)

ବିଶ୍ୱ ଶତଦଳ ଅରୁଣ ଉଜ୍ୱଳ-

ହେମରଶ୍ମି ଦାମ ହେ,

ସତ୍ୟ ସନାତନ ଶାନ୍ତି ନିକେତନ ପରଂବ୍ରହ୍ମ ନାମ ହେ ।୧।

 

(ବାଜେ ବଂଶୀସ୍ୱରେ-)

ଚିର ଶିବ ଚିର ସୁନ୍ଦର ମଧୁରବୁଦ୍ଧ ଶୁଦ୍ଧ ଜ୍ଞାନ ହେ,

କୋଟି ବିଶ୍ୱ-ବାସୀ ହୃଦ ଅଭିଳାଷ

ପୂର୍ଣ୍ଣ ପ୍ରାଣାରାମ ହେ ।୨।

 

(ସାଜେ ଶୋଭାମୟ)

ମାନସ-ତିମିର ପବିତ୍ର ମିହିର

ଶୁଭ ପ୍ରଭାବାନ ହେ,

ଚିର ପ୍ରିୟତମ ସୁଦୃଢ଼ ସୃଜନ କ୍ଷେମ-କ୍ଷମାଧାମ ହେ ।

 

(ସାଜେ ଶୋଭାମୟ)

ନିଖିଳରଞ୍ଜନ କଳୁଷଭଞ୍ଜନ କରୁଣାନିଧାନ ହେ,

ଶୁଭ୍ର ନିରଞ୍ଜନ ହୃଦୟବନ୍ଦନ

ନନ୍ଦନମହୀନ ହେ ।୪।

 

ବାଜ ବାଜ ବିଶ୍ୱବୀଣା ଅମୃତ ଗୀତବାହିନୀ,

ରାଜ ରାଜ ହୃଦପଦ୍ମେ ବିଦ୍ୟାନନ୍ଦ ଦାୟିନୀ,

ଜନମମୋହିନୀ

ଜନନୀ, ଜନନୀ ।ଧ୍ରୁ।

ବାଣୀ ବୀଣାପାଣି ଶୁଭସ୍ୟନ୍ଦିନୀ,

ଆସ ଶୁଭମନ୍ତ୍ର ପ୍ରଦାୟିନୀ-

ଜନନୀ, ଜନନୀ ।୧।

 

ଆସ କ୍ଷେମ କ୍ଷମା ଶାନ୍ତି ସୁଷମା,

ସ୍ନେହଶୋଭନା ଶ୍ୱେତବସନା,

ପ୍ରେମପୂତ ଛନ୍ଦେ ବିଶ୍ୱନନ୍ଦେ-

ଜନନୀ ଜନନୀ ।୨।

 

ବିଶ୍ୱସୁଖ-ସାଧନୀ ଜନନୀ, ଜନନୀ !

ପ୍ରଭୁ ପ୍ରାଣବଲ୍ଲଭ ପ୍ରିୟ ହେ

ଶୁଭ ଆନନ୍ଦମୟ,

(ପ୍ରଭୁ ହେ)

ରସିଛି ଶ୍ରୀପଦେ ନବ ଅନୁରାଗେ

ଢାଳି ଦେହ ଆତ୍ମା ହୃଦୟ ହେ,

ଚିର ମଙ୍ଗଳମୟ,

ପରାଣ-ପଲ୍ଲବେ ପ୍ରେମଫୁଲାସବେ

ମିଶାଇଛି ଅଶ୍ରୁ ଅମୀୟ ହେ ।

ଘେନ କରୁଣାମୟ

ତବ ମନୋହର ପୟରପୁଷ୍କର

ପୂଜେ ଆଜି ପ୍ରେମଆଳୟ ହେ ।

 

ହେ ସୁନ୍ଦର ମନୋହର

ପରମେଶ୍ୱର !

ହୃଦୟମନ୍ଦିରେ ମମ

ପାର ତବ ପ୍ରେମାସନ,

ବିରାଜ ଦିବସନିଶି ହେ ପ୍ରେମାକର ।୧।

 

ତୁମେ ମୋ ପରମପଦ,

ତୁମେ ମୋ’ ବିଶ୍ୱସମ୍ପଦ,

ତୁମେ ମୋ’ ସାଧନ ଧନ, ମୁକ୍ତି ମୋହର,

ତୁମେ ମୋ’ ଶାନ୍ତି ଶକତି,

ହରଷ, ବିଶ୍ୱାସ, ଆଶା ପୂର୍ଣ୍ଣ ସାଗର ।

 

(ପିଲ୍ଲୁ ପୋସ୍ତା)

 

ଆସୁ ଦୁଃଖ ଦୈନ୍ୟରାଶି ତୁମରି ନାମ ପ୍ରଚାରେ,

ସହିବ ଆନନ୍ଦେ ତାହା ସେବକ ତବ ସଂସାରେ ।

ଆସୁ ବିପଦ, ଲାଞ୍ଚନା, ଗଞ୍ଜନା, ମର୍ମ୍ମଯାତନା,

କୋଟି କ୍ଳେଶ, ଶ୍ଳେଷ, ଶାନ୍ତି, କାନ୍ଦଣା ନିତି ଅନ୍ଧାରେ ।

ତେଜନ୍ତୁ ସର୍ବ ଆତ୍ମୀୟ, କତିରେ ରୁହ ହେ ପ୍ରିୟ,

ତୋଷ ଦେଇ ପ୍ରେମସୁଧା, ସିଞ୍ଚ କରୁଣା ଆସାରେ ।

ଜଳିଦ ଯେବେ ମୋ’ ହିଆ, ହୋଇବ ତେତିକି ଠିଆ-

ଦୁର୍ବଳ ଚରଣ ମୋର, ତବ ଅପାର କୃପାରେ

ତୁମ ନାମ ଧର୍ମ୍ମ ଲାଗି ହେବି ମୁଁ ସର୍ବସ୍ୱତ୍ୟାଗୀ,

ଅନ୍ତିମେ ହୋଇବି ଭାଗୀ ତୁମରି ପ୍ରେମ ଦୟାରେ ।

 

 

ଇମନ୍‌ କଲ୍ୟାଣ – କାଓ୍ୟାଲି

 

ପରାଣବୀଣାରେ ଜାଗେ ଆଜି ସ୍ୱର

କାହାର ଅଭୟବାଣୀ,

ଲୁହ ଝର ଝର ଆଖିପତା ଭାର

ସମ୍ଭାଳି ନ ପାରେ ପାଣି । ଧ୍ରୁ।

(ଅସ୍ଥାୟୀ)

ଆନନ୍ଦ ମୂର୍ଚ୍ଛନା ଆନନ୍ଦ ସଙ୍ଗୀତ,

ଶୁଣେ ଆଜି ମୁଗ୍‌ଧ ସ୍ତବ୍‌ଧ ଭୀତ ଚିତ୍ତ,

ଦୂରେ ଯିବ ପାପ ଜଞ୍ଜାଳ ଯନ୍ତ୍ରଣା

ଶୁଣ ଶୁଣ ସର୍ବପ୍ରାଣୀ ।୧।

 

ମଙ୍ଗଳମୟ ମଙ୍ଗଳ ପରଶେ

ନାଚିବ ଏ ବିଶ୍ୱ ଅନ୍ତର ହରଷେ,

ଯିବ ଅବସାଦ, ଘୁଞ୍ଚିବ ବିଷାଦ,

ପାପ ତାପ ଦୁଃଖ ଗ୍ଳାନି ।୨।

 

ଅମୃତ ଉତ୍ସବେ ଆସ ନରନାରୀ,

ଦୁଃଖ ଦୈନ୍ୟ ଜ୍ୱାଳା ନ ରହୁ କାହାରି,

ଶୁଭେ ଶଙ୍ଖସ୍ୱନ ବିଶ୍ୱସମ୍ମିଳନ

ନବ ଆଶା ଦିଏ ଆଣି ।୩।

 

ଆଉ ନ ରହିବ ଜଡ଼ତା ଆଳସ୍ୟ,

କ୍ରୋଧ ହିଂସା ଦ୍ୱେଷ ଦୁଃଖ ନୈରାଶ୍ୟ,

ଏକ ପିତା ତବ ହେ ବିଶ୍ୱମାନବ

ପାରିବ ଅନ୍ତରେ ଜାଣି ।୪।

 

ଅସାର ନୁହେଁ ସଂସାର

ମିଛ ମାୟାର ଛାୟାବାଜି,

ଅଛି ପରମ କାରଣ

 

ଅଣୁରେ ଅଣୁରେ ବିରାଜି ।

ନୁହେଁ ଏ ଛଳନା ପ୍ରବଞ୍ଚନା,

ଅଳୀକ ଭବମାୟା ଖେଳନା,

ଏ କୃପାମୟର ରାଜ୍ୟ ପୂରିଛି

ବିବିଧ ଆନନ୍ଦରାଜି ।୧।

 

ଅନ୍ତରେ ଆଲୋକ ଯାଏ ଦିଶି,

ନୁହେ ଏ କେବଳ ଚିତ୍ତ ନିଶି,

ଦେଖ ଅମୃତ ଅରୁଣୋଦୟ

ନେତ୍ର ନିଦ୍ରାଜଡ଼ତା ଭଜି ।୨।

 

ଏ ପୂଣ୍ୟ କରମ ରମ୍ୟ ଧାମ,

ଅଳସର ଏଥି ନାହିଁ ସ୍ଥାନ,

ଉଠ ଉଠ ଆନନ୍ଦ ବିଶ୍ୱାସେ ବିଶ୍ୱବାସୀ

କରମ ବେଶେ ସାଜି ।୩।

 

ଦୂରେ ଯିବ ଦଳାଦଳି, ହିଂସା ଦ୍ୱେଷ,

ଜୀବନେ ଜାଗିବେ ଯେବେ ସେ ପରମେଶ,

ଜଗତର ମୂଳାଧାର ।ଧ୍ରୁ।

 

ଭାଇ ଭାଇ କାହିଁପାଇଁ ଭିନ୍ନଭାବ ମନେ ବହି

ଅସାର ସ୍ୱାର୍ଥ ସାଧନେ ହେଉଛି ଦହି ?

ଏକ ପିତା ଏକ ପ୍ରଭୁ, ଏକ ଧର୍ମଶାସ୍ତ୍ର ସବୁ,

ଭିନ୍ନ ଭିନ୍ନ ରୂପ ପାଇଁ,

ଏତେ ଅନର୍ଥ ଅହଙ୍କାର !

 

ଏ ବିଶାଳ ବିଶ୍ୱେ କେହି ନିଜ ଲାଗି ଜନ୍ମିନାହିଁ,

ଅଛି ମହତ ଉଦ୍ଦେଶ୍ୟ ମାନବ ପାଇଁ,

ଏକ ପ୍ରେମ, ଏକ ମାୟା, ଏକ ରକ୍ତ, ଏକ କାୟା

ଭିନ୍ନ ଭିନ୍ନ ରୂପ ପାଇଁ

ଏତେ ଅନର୍ଥ ଅବିଚାର !

 

ଅଳପ ଦିନ ଲାଗି, ପ୍ରେମେ ଜୀବନ ବିତିଯାଉ,

ହଣାହଣି ମରାମରି ଶୁଣା ନ ଯାଉ,

ଏକ ଆତ୍ମା, ଏକ ଆଶା

ଏକ ଆକାଙ୍‌କ୍ଷାର ଭାଷା,

ଭିନ୍ନ ଭିନ୍ନ ରୂପ ପାଇଁ

ଏଡ଼େ ଅନର୍ଥ, ଏ ଚିତ୍କାର !

 

ସଖା ହେ! ଆଜି କିମ୍ପା ଉଦାସ

କହ ମୋ’ ପ୍ରାଣଟି କିପାଁ ନିରାଶ ? ଧ୍ରୁ।

କାହିଁ ଥିଲ ଦୂରେ ଦୂର ସ୍ୱରଗରେ ଥିଲି ମୁଁ

ମହୀରେ ଶତ ଅନ୍ତରେ,

ଆସି ମୋର ପାଶେ ଟାଣିନେଲେ ପାଶେ,

ବାନ୍ଧିଦେଲ ତବ ପ୍ରେମର ପାଶ ।୧।

 

ସତେ କି ନିଷ୍ଠୁର କର ମୋତେ ଦୂର,

ପ୍ରାଣ କରି ଜୂର ପ୍ରେମବିଧୁର,

ଝରେ ଘନ ଘନ ମୋ’ ବେନି ନୟନ,

ଅବଶ ପରାଣେ କି ଅବିଶ୍ୱାସ ।୨।

 

ନ ମାନେ ପ୍ରବୋଧ ମୋ ମନ ଅବୋଧ,

ଘୋର ଅବସାଦ ଚିତ୍ତ ବିଷାଦ,

ଏ ଚିତ୍ତ ଯାତନା, ଏ ପ୍ରାଣ କାନ୍ଦଣା

କହ ଆଜି ସଖା କାହା ସକାଶ ? ।୩।

 

ଯେ ଦୀନ ଜୀବନ ସହଜ ହେବ ରେ

ନଥିବ ଏ କାରା ବନ୍ଧନ,

ଆପଣା ଗୋଡ଼ରେ ଚାଲିବି ମୁଁ ବାଟ,

ଚାହିଁବି ମେଲି ମୋ ଲୋଚନ,

ପ୍ରାଣ ଭିତରେ ମୋ’ କେତେ କେତେ କଥା,

ଲଭିବ ଆନନ୍ଦ ଚିର ସଫଳତା,

ଭାଙ୍ଗିବି ବାଧା- ବିପଦର ବନ୍ଧ,

କାଟି ପକାଇବି ବାଡ଼,

ଝମଝାଳେ ଦେହ- ଗୋଟାକ ବୁଡ଼ିବ,

ଦୃଢ଼ ହୋଇବ ମୋ ହାଡ଼,

ନଥିବ ଏ ଘନ କୁସଂସ୍କାରରାଶି,

ଅସ୍ଥି ମଜ୍ଜା ଯାହା ପକାଇଛି ଗ୍ରାସି,

ଶତ ଶାସ୍ତ୍ର ଫାଶ ଫିଟାଇବି ହେଳେ,

ଜଡ଼ତା ଛାଡ଼ିବ ତନୁ,

ଅକାରଣ ଭୟ ଦକା ଅବିଶ୍ୱାସ

ଦେଖ କ୍ଳେଶ ଯିବ ମନୁଁ;

ଆସିବେ ପରାଣେ ପରମଈଶ୍ୱର,

ଆନନ୍ଦେ ହୋଇବି ପୟର କିଙ୍କର,

ଚିରଦିନର ମୋ ଲୁହଝରାଟିକ

ପାଦେ ଦେବି ମୁଁ ଅଜାଡ଼ି,

ଯେତେ ପ୍ରୀତି ପ୍ରାଣେ ସଞ୍ଚିଛି ଯତନେ,

ପୂଜା ଲାଗି ଦେବି ସଜାଡ଼ି ।

ଅନନ୍ତ ବସ୍ତାର ମହାକାଶ ତଳେ,

ସ୍ୱାଧିନ କରମ ସାଧି ଆତ୍ମବଳେ,

ସାରା ଜଗତକୁ ଭାଇ ଭାଇ ବୋଲି

କୋଳେ ଘେନିବି ଆଦରେ,

ପରସ୍ପର ଦୋଷ ତ୍ରୁଟି ନ ଧରିଣ

କ୍ଷମିବି ମୁଁ ପରସ୍ପରେ;

ଆନ ଦୁଃଖେ ଦୁଃଖୀ, ଆନ ସୁଖେ ସୁଖୀ,

ଇଚ୍ଛା ହେବ ସଦା ଆନ ହିତ ସୁଖୀ,

ଆପଣାର ଲାଗି ହେବି ସର୍ବତ୍ୟାଗୀ,

ଆନ ଆନନ୍ଦେ ଆନନ୍ଦ,

ସ୍ୱାର୍ଥ ଜଞ୍ଜାଳ ହଜିବ ଜୀବନୁଁ

ଯିବ ଜୀବ ଭଳି ଶ୍ରୀପଦ,

 

ଖୋଜିବୁଲୁ କିମ୍ପା ଶାସ୍ତ୍ରପତ୍ରି,

ମୁଁ ପରା ଦୁଆରେ ଡ଼ାକୁଛି,

କିମ୍ପା ଅନାହାରେ ତପୁଛୁ ଅରଣ୍ୟେ

ମୁଁ ପରା ଉପାସୀ ବୁଲୁଛି ।

ଦୀନ ସଦନେ ମୁଁ ଜଠରଜ୍ୱାଳା,

ବିଧବା-ଲୋଚନେ ଲୋତକମାଳା,

ଅନାଥ ବେଶେ ମୁଁ ଶୁଏଁ ତରୁତଳେ,

ତ୍ରିତଳେ କିପରି ବସିଛୁ ?

ତିଳେ ତୋର ଲଜ୍ୱା ନାହିଁ କି ଭକତ ?

ଶୀତେ ଥରେ ତନୁ, ଶୁଖେ ମୋ’ଭକତ,

‘ହା ଅନ୍ନ ହା ଅନ୍ନ’ ନ ଶୁଭେ କି ସ୍ୱନ,

ମୋ କଥାରେ କାହିଁରେ ଖୋଜୁଛୁ ?

ସଜାଡ଼ିଛୁ କିମ୍ପା ଏ ସଜ ସୁମନ,

ଶିଳାରେ ଘଷୁଛୁ ସୁବାସ ଚନ୍ଦନ,

ସୁନାଦୀପ ଜାଳି ଥୋଇ ଅର୍ଘ୍ୟଥାଳି

କହ ଯେଉଁ ଦେବେ ବନ୍ଦୁଛୁ ?

ପଦାରେ ବୁଲେ ମୁଁ ପିନ୍ଧି ଛିଣ୍ଡା କନ୍ଥା,

କେବେ କି ଭୁଲେ ତୁ ଚାହିଁଛୁ ?

କହ ରେ ସାଧକ, ମାଗୁ କି ମୁକତି,

ବିଶ୍ୱ ବନ୍ଧୁ ନେତ ବନ୍ଧା ମୋ ଶକତି,

କିପାଁ ତୋ’ ଆରତି, କି ହେବ ବିଭୂତି,

ଦିନେ କି କା ଦୁଃଖ ଦେଖିଛୁ,

ଦିନେ ପରପାଇଁ ନୟନରୁ ତୋର

ଉଷ୍ଣ ଅଶ୍ରୁରାଶି ଢାଳିଛୁ ?

 

ଦେଖିନାହୁଁ ଯଦି ପ୍ରାଣ ବଲ୍ଲଭକୁ

ଅନାଥ ଅନାଥ ଆଜି,

ଏ ଭିକାରୀ ବେଶେ ତୋର ଦ୍ୱାରଦେଶେ

ଅଙ୍ଗେ ଛିନ୍ନ ଚୀର ସାଜି;

 

ନ କୁହ ନ କୁହ କର୍କଶ ବଚନ,

ଦିଅ ଦିଅ ତୋର ହୃଦୟଟି ଦାନ,

ଅରପ ଶ୍ରୀପଦ ତୋ’ ଧନ ସମ୍ମାନ,

ସେ ପରା ଭୁବନେଶ୍ୱର,

ନୟନର ନୀରେ ନମ ନତଶିରେ

ଚୁମ୍ବ ସାଦରେ ପୟର ।

 

କରିବୁ କି ସେବା ପ୍ରାଣରତନର

ଯତନେ ଭାବିଛୁ ମନେ ?

ରୋଗଶେଯେ ପଡ଼ି କାନ୍ଦନ୍ତି କାତରେ,

ଡାକୁଛନ୍ତି ଘନେ ଘନେ;

 

ଶୁଣ ଶୁଣ ଆଜି କାତର ଆହ୍ୱାନ,

କର କର ପାଶେ ରାତ୍ରିଜାଗରଣ,

ତୋ କମଳ କରେ ପୋଛ ଅଶ୍ରୁଧାର,

ସେ ପରା ସ୍ନେହାଭିଳାଷୀ,

ଆପଣାର ଜନେ କୋଳେ ଘେନି ବସ

ତୋ ଅଳସପଣ ନାଶି ।

 

ବୀଣା ବଇଁଶୀର ସ୍ୱରେ ଯେ ବାଜଇ

ସେ କି ନ ଝରଇ ନୟନୀରେ ?

ଆନନ୍ଦ-ମନ୍ଦରେ ଯା’ରପୂଜାଦେବୀ

ସେ ତ ବସେ ମୃତ୍ୟୁସରିତତୀରେ ।

 

ଶିଶୁ ବଦନର ଯେ ମଧୁର ହାସ,

ଭିକାରୀ କରୁଣ କଣ୍ଠେ,

ଶ୍ମଶାନ ଚିତାରେ ତାହାରି ଦହନ,

ବଇରାଗି ବେଶେ ମଠେ ।

ଦୁଃଖ ହତାଶ୍ୱାସେ, ହରଷେ ସେ ହରି,

ସେ ପ୍ରେମ ମୋହନ ମହାନ,

କି ଦେବୁ ଆଜି ତା’ ଚରଣେ ସୁଦାନ !

କର ତୋ’ ହୃଦଟି ଦାନ ।

 

ଝରେ ଝରେ ଝର ପ୍ରେମର ନିର୍ଝର

ମୋ ମନ-ଗିରିକନ୍ଦରେ,

ନଦୀ ପରି ପରା ଧରାରେ ବହି ସେ

ମିଶିବ ଯାଇ ସାଗରେ ।

 

ବିପୁଳ ବିସ୍ତାର ପ୍ରେମ ପାରାବାରେ,

ମିଶି ମୋ ସରିତ ହେବ ଏକାକାର,

ଭୁଲିବ ଦୁର୍ବଳ ସତ୍ତା,

ପ୍ରବଳ ପ୍ରବାହ ପୁଲକ ଉଚ୍ଛ୍ୱାସେ

ହେବ ସେଗଭୀର ଉଦାର ।

 

ଶତଦୀନ ହୃଦକେଦାର,

ସିଞ୍ଚୁ ଶୁଭ୍ର ଆସାର,

ଶମିବ ଶତ ପିପାସା, ବାରୁଣ ତୀବ୍ର ନିରାଶା,

ତୀରେ, ନୀରେ ଅର୍ଜି ଆନନ୍ଦେ,

ଶତ ଜୀବନତରୁ ଆଦରେ,

ଶତ ମରୁଭୂମି ଫୁଲଫଳେ ରମି

ଗାଇବ ଶାନ୍ତି ଛନ୍ଦରେ ।

 

ଆସିଥିଲେ ଯେବେ ଦୀନହୀନ ବେଶେ

ପ୍ରାଣସଖା ତୋ ଦୁଆରେ,

କିମ୍ପା ଫେରାଇଲୁ ତୁଚ୍ଛ ଅନାଦରେ

ଭିକାରୀ ଭାବି ମନରେ ।

 

ଆସିଥିଲେ ଯେବେ ପିନ୍ଧି ଛିଣ୍ଡା କନ୍ଥା

କିମ୍ପା ତୁ କରିଛୁ ଛି ଛି?

ତଣ୍ଡୁଳ ଗଣ୍ଡାଳ ମାଗିଥିଲେ ଯେବେ

କହିଥିଲୁ ନାହିଁ କିଛି ।

 

ରାଜା ମହାରାଜା ବେଶେ ଆସିଥିଲେ

କରିଥାନ୍ତୁ କି ଆଦର,

ନୟନର ନୀର ଏବେ ତୁ ଢାଳିଲେ

କହ କି କ୍ଷତି କାହାର ?

 

ଶ୍ମଶାନେ ଫୁଟିଛି ପ୍ରୀତି-ମଲ୍ଲିକାଟି

ବ୍ୟଥିତ ହୃଦୟ ମଝିରେ,

ହୃଦ-ଭରା–ହିମ- କାନ୍ଦଣା ଘେନି କି

ଫୁଟିଛି ଗୋଧୂଳି ତିମିରେ !

 

ଦରଫୁଟା ତାର ଅଧରପାଖୁଡ଼ା,

କେତେ ପ୍ରେମ ତହିଁ ରହିଅଛି ମୋଡ଼ା,

କିଏ ଜାଣେ, କିଏ ଜାଣେ ରେ,

ସେ ତ ଧୀରେ ଧୀରେ ଦିଏ ଅଜାଡ଼ି,

ଶିଶୁରବିନ୍ଦୁଟି ସଜାଡ଼ି,

ତରୁତଳ ଫଟା ପାଷାଣ ଉପରେ

କହ କିଏ ବସି ଗଣେ ରେ ?

 

ଆଜି ସିନା ହସେ ପୂର୍ଣ୍ଣିମା ଶଶୀ

ନୈଶ ଆକାଶେ ଭାସି,

ଆଜି ସିନା ଫୁଟେ ମଧୁଚାନ୍ଦିନୀ,

ଲୋଟେ ଧରଣୀ ହସି;

ଆଜି ସିନା ସରେ ହାସରସରେ

ଭାସେ କୁମୁଦ ହେରି,

ଆସିବ ସେ ଦିନ ଶଶୀ ଯେ ଦିନେ

ସରବେ ହେବେଟି ଝୁରି ।

 

କୁଞ୍ଜ-କାନନ ପୁଞ୍ଜପ୍ରସୂନ ନୀଳ ଗଗନ ସାରା !

ନୀର ବିତାନ ନୀଳ କଲ୍ଲୋଳେ

ଖେଳୁଛି ରକତଧାରା;

ଧରିଛି ଧରଣୀ କାନ୍ତ କିରଣେ

ମଧୁର ମୋହନ ଶିରୀ,

ଆସିବ ସେ ଦିନ ଶଶୀ ଯେ ଦିନେ

ସରବେ ହେବେଟି ଝୁରି ।

 

କାନ୍ଦିବ ଆକାଶ, କାନ୍ଦିବ ଧରଣୀ,

କାନ୍ଦିବ ଅନ୍ଧାର ନିଶି,

କୁଞ୍ଜ-କାନନ ପୁଞ୍ଜ ପ୍ରସୂନ ନୀଳ କଲ୍ଲୋଳ ରାଶି,

କାନ୍ଦିବ କୁମୁଦ ମ୍ଳାନ ଆନନ୍ଦେ, କାନ୍ଦିବ ହୃଦୟ ସ୍ମରି,

ଆସିବ ସେ ଦିନ ଶଶୀ ଯେ ଦିନେ

ସରବେ ହେବେଟି ଝୁରି ।

 

ହେଲ ଅବା ନୀଚ ହୀନ କ୍ଷୁଦ୍ର ପ୍ରଜାପତି,

ତବ ପ୍ରୀତିଫୁଲଦଳ ମୋ’ ପ୍ରିୟ ବସତି ;

ତବ ମଧୁର ସୁନ୍ଦର ରବି କିରଣରେ

ବୁଲେ ମୁଁ ଆସବ-ସେବୀ ଅତି ହରଷରେ ।

 

ପରାଣେ ପରାଣେ ପ୍ରେମମିଳନେ

ବିଶ୍ୱ ମୋହୁଛି ।

ଗାଉଛି କୋକିଳ ପଞ୍ଚମ କଣ୍ଠେ,

ଭ୍ରମର ଗାଉଛି,

କୁଞ୍ଜକାନନେ ସଞ୍ଚରି ଧୀରେ

ସମୀର ବଢ଼ୁଛି

ସରସୀର ନୀରେ ସରୋଜ ଲାଜରେ

ମୃଦୁଳେ ଦୋଳୁଛି,

ନୂତନ ତପନ ନବୀନ ନଳୀନେ

ଧୀରେ ଡାକୁଛି ।

ଲାଜେ ଫୁଟିଉଠି ଫୁଲକଳିକା

ହରଷେ ହସୁଛି,

ପାଦପ ଅଙ୍ଗରେ ନବ ସୁଆଗରେ

ଢଳି ପଡ଼ୁଛି ।

ନାଚି ନାଚି ରଙ୍ଗେ ବୀଚମାଳି ଭଙ୍ଗେ

ତଟିନୀ ଧାଉଛି,

ଲମ୍ୱାଇ ଲହରୀହାର ପାରାବାର

ଗଲାରେ ଅର୍ପୁଛି ।

ଶୋଭି ପ୍ରେମ-ଜଳ ଯୁଗଳ କମଳ

ସୁକ୍ଷଣେ ଫୁଟିଛି,

ସାଦରେ ଚରଣତଳେ ମୁଁ ଗ୍ରହଣ

କାମନା କରୁଛି ।

 

ଜୀବନସରସେ ମୋର ନବ ଫୁଲ ଫୁଟିଲା,

ପ୍ରେମ ମନ-ଅଳି ତହିଁ ହରଷରେ ଲୋଟିଲା ।

 

ନବୀନ ମୋହର ରାଗେ,

ନବ ବର୍ଷ ଅନୁରାଗେ,

ଉଭାହୋଇ ମୋର ଆଗେ,

ନବ ବର୍ଷ ହସିଲା ।୧।

 

ନବୀନ ହୃଦ-ମନ୍ଦିରେ,

ପ୍ରଭୁଙ୍କୁ ଡାକି ଆଦରେ,

ନବ ଭକ୍ତିହାରେ ମନ

କୁତୂହଳେ ପୂଜିଲା ।୨।

 

ଏ ନବ ବାସରେ ନବ ଆନନ୍ଦରେ

ସୁନ୍ଦରେ ସୁନ୍ଦରେ ମଧୂର ମିଳନ,

ବିଶ୍ୱ-ପରିବାରେ ବିଶ୍ୱର ସେବାରେ

ମିଳିଲେ କି ଆଜି ଯୁଗଳ ଜୀବନ !

ଶତ ସ୍ନେହରାଶି ହୃଦୟେ ବରଷି

ଉଦିଲେ କି ନଭେ ନବ ରବି ଶଶୀ,

ପ୍ରେମ ପାରାବାରେ ପ୍ରେମର ତଟିନୀ

ମିଳନେ କି ଆଜି ମୋହିଲା ଭୁବନ ।୧।

 

ଫୁଟିଲା ପ୍ରସୂନ ସୁହାସ ମୋହନ

ସାଜି ଉପବନ ମନୋବିନୋଦନ,

ନବୀନ ଯୌବନେ ଆଶାପୂର୍ଣ୍ଣ ପ୍ରାଣେ

ପ୍ରେମର ଅଚ୍ଛେଦ୍ୟ ଅଭେଦ୍ୟ ବନ୍ଧନ ।୨।

 

ନବ ଅନୁରାଗେ, ନବୀନ ସୁଆଗେ,

ମିଳିଲେ କି ବେନି ନବପ୍ରେମ ଯୋଗେ,

ସାଜି ଫୁଲଡ଼ାଲା ଭକ୍ତି-ପ୍ରୀତିମାଳା

ସାଦରେ କରିବେ ବନ୍ଦନ ।୩।

 

ଶୁଭ ପ୍ରଭାତେ ମଧୁ ମିଳନେ

ପୟରତଳେ ଆଜି ଯୁଗଳ ଅନ୍ତର ।

 

ପ୍ରାଣ-କୁଞ୍ଜବନେ ପ୍ରୀତିମଞ୍ଜରୀ

ମୁଞ୍ଜରେ ଆହା କି ଶୋଭା ଧରି,

ମଣିକାଞ୍ଚନର ହୋଇଛି ମେଳ,

ମିଶିଯାଇଛି କି କ୍ଷୀରରେ ନୀର !୧।

 

କୁହରେ କୋକିଳ କାନନକୁଞ୍ଜେ,

ଗୁଞ୍ଜରେ ଅଳିକୁଳ ବକୁଳପଞ୍ଜେ,

ସଞ୍ଚରେ ଧୀରେ ଧୀରେ ସମୀର,

ନଚାଇ ନଦୀନୀର ସରସୀ ସର ।୨।

 

ତଡ଼ାଗ-ତରଙ୍ଗ ଭଙ୍ଗ ବିଭଙ୍ଗେ

ଭାସ୍କର-କରେ ନାଚେ ପୁଷ୍କର ରଙ୍ଗେ,

ଦେଇଛି ଫେଇ କି ସୁଧାସମ୍ଭାର,

ଦମ୍ପତି ମନମୋହୀ କିବା ସୁନ୍ଦର !୩।

 

ଢାଳ ଆଶିଷ ଏ ମଧୁ ମିଳନେ,

ବାନ୍ଧ ହେ ପ୍ରାଣେ ପ୍ରାଣେ ପ୍ରେମ ବନ୍ଧନେ,

ବେନି ମାନସ-ସୁମନ-ଆସନେ

ବିରାଜ ବିଶ୍ୱ-ପ୍ରଭୁ ପରମେଶ୍ୱର ।୪।

 

ନବୀନ ବାସରେ ଆଜି ନବ ଶୁଭ ଆମୋଦେ,

ଏ ଦୀନ ହୃଦ-ମନ୍ଦିରେ ରଖ ପଦ-ଇନ୍ଦୀବରେ,

ସ୍ନେହ ଭକ୍ତି ସମାଦରେ ପୂଜିବି ପ୍ରଭୁ ଆନନ୍ଦେ !

ଦେହ ମନ ହେବ ନୂଆ,

ହେବ ହେବ ହୃଦ ଲୁହା,

ପଦ-ସାରସ ପରଶେ

ଗାଇବି ନବୀନ ଛନ୍ଦେ ।

 

ଦୁଆରେ ଆସି ମୋର ହସୁ ଆଜି

ଆଗୋ ନୂତନ ବନ୍ଧୁ ମୋର ନୂତନ ସାଜେ ସାଜି ।

 

କି ଦେବି କହ ମୋତେ ନବବନ୍ଧୁ,

ଅଛି ମାତ୍ର ମୋର ନେତ୍ର-ନୀରବିନ୍ଦୁ,

କିଛି ନାହିଁ ନୂଆ ମୋର, ହୃଦୟେ ପଡ଼ିଛି ଗାର,

ଅତୀତ ସ୍ମୃତିଟି ପ୍ରାଣେ ଯାଇଛି ବାଜି ।୧।

 

ଯାଉଛି ଭାସି କହ କେଉଁ ଦେଶେ,

ଦୀଗହୀନ ଅନ୍ଧକାର ମରୁ କି ସେ !

ନ ଜାଣେ ନ ଜାଣେ ବନ୍ଧୁ, ଏ ଭୀଷଣ ଭବସିନ୍ଧୁ,

ତରିବାକୁ ନାହିଁ ବଳ, ଭାବେ ଆଜି ।୨।

 

ବଳ ନାହିଁ ମୋର ସିନା, ଅଛି ଆଶା,

ଅଛି ମାତ୍ର ପାଦେ ପାଦେ ପାଦଖସା,

କେତେ ସୁଦ୍ଧା ପ୍ରାଣପଣେ ଧାଏଁ ଏ ଦିଜନ ଦନେ,

ସେ ଦିଭୁ ଅଭୟ ପଦ ହୃଦୟେ ହେଜି ।୩।

 

ଇମନ କଲ୍ୟାଣ – ଏକତାଲା

 

ଆଜି ଶୁଭକ୍ଷଣେ ଏ ବିଶ୍ୱସଦନେ

ମଙ୍ଗଳ ମୁକୁଟ ଶିରେ,

ଫୁଲ୍ଲ କୁସୁମଚାରୁ ପରିମଳ-

ସ୍ନେହ ସମୀରେ ଧୀରେ,

ସୁଧା-ହସିତ ସ୍ନିଗ୍‌ଧ ବଦନେ

ମଧୁର ମୋହନ ହର୍ଷ,

ଆସିଛି ଦୁଆରେ ନବବର୍ଷ !

 

ଆସିଛି ନବବର୍ଷ!

ଶୂନ୍ୟ ହୃଦୟ ପୂର୍ଣ୍ଣ କରି ସେ ଢାଳି

ପ୍ରେମ-ଅଶ୍ରୁବାରି,

ହସାଇ, ରସାଇ, ଶତ ଜନ ମନ

ନବ ଶୋଭା ସାଜ ଧରି,

ଶତ ଆଶାସ୍ୱପ୍ନ ଆଙ୍କି ହୃଦପଟେ

ଶତ ଭାବି ମହୋତ୍କର୍ଷେ,

ଆସିଛି ଦୁଆରେ ନବବର୍ଷ !

 

ଆସିଛି ନବବର୍ଷ !

ବେଦନା ଯାତନା ସାରା

ଜୀବନର ତପ୍ତ ଲୋତକଧାର,

ମର୍ମ୍ମଭେଦୀ ଶତ ଦୀର୍ଘଶ୍ୱାସ; ଶତ କଷ୍ଟହାହାକାର;

ହରିବ ନିମିଷେ କୋମଳ ଶ୍ରୀକରେ

ବିମଳ ପ୍ରେମସ୍ପର୍ଶ !

ଆସିଛି ଦୁଆରେ ନବବର୍ଷ !

ଆସିଛି ନବବର୍ଷ !

 

ଶତଦଳ

ଶିଶୁ

 

 

ଅମଳକମଳଦଳ ଜିଣି ସୁକୋମଳ

ଶଶାଙ୍କ-ସୁଷମାନିତ୍ୟ ବଦନ-ମଣ୍ଡଳ,

ଶମ୍ପା-ଶୋଭା ଜିଣି ନେତ୍ର ଚଞ୍ଚଳ ସୁନ୍ଦର,

ବିଲୋଳ କଟାକ୍ଷ, ହାସ ଦୀପ୍ତିରେ ଭାସ୍ୱର ।

ଆହା କି ସୁନ୍ଦର ଶିଶୁ ଭାବନାବିହୀନ,

ସୁଧାରସସିକ୍ତ ତବ ଏ ନବ ଜୀବନ,

ପ୍ରାତଃ ସମ ସୁମଧୁର ପ୍ରଶାନ୍ତ ଉଜ୍ଜ୍ୱଳ,

ଏନବ ଜୀବନେ ନାହିଁ ସଂସାର ଜଞ୍ଜାଳ ।

ପଡ଼ିନାହିଁ ଦୁଃଖଛାୟା ଏ ଜୀବନପଥେ,

ଦୁଃଖ ସୁଖର ପ୍ରଭେଦ ଜାଣିବୁ କେମନ୍ତେ ?

ପାପ ପୂଣ୍ୟ ନ ଜାଣୁ ତୁ ନିର୍ଦ୍ଦୋଶ ସୁନ୍ଦର,

କି ଶଙ୍କାରେ ଚିତ୍ତ ତୋର ହେବଟି କାତର ?

ବେଢ଼ିନାହିଁ ମାୟାଜାଲ କ୍ଷୁଦ୍ର ମନୋମୀନ,

ବିମଳ ଆମୋଦେ ତୋର ବହିଯାଏ ଦିନ;

ପଶିନାହିଁ ତୋ’ ଅନ୍ତରେ ସଂସାର ଗରଳ,

ଚିନ୍ତାରେଖାଶୂନ୍ୟ ତୋର ଆନନ ଅମଳ ।

ନୈରାଶ୍ୟ ବିଷମ ବିଷେ ନୋହିଛୁ ଜର୍ଜ୍ଜର,

ଆଶାଶୂନ୍ୟ, କି ଜାଣୁ ତୁ ଭାର ନୈରାଶ୍ୟର ?

ନାହିଁ ଲୋଭ, ନାହିଁ କ୍ରୋଧ, ନାହିଁ ଅହଂକାର,

ଉଚ୍ଚପଦ ଅଭିଳାଷ ନାହିଁ ତୋ’ ଦୁର୍ବାର ।

ବାସନାବିହୀନ ଶିଶୁ ସନ୍ତୋଷ ଅନ୍ତର,

ପ୍ରେମମୟ ନମ୍ରଚିତ୍ତ ନିର୍ମଳ, ମଧୁର;

ଉଚ୍ଚନୀଚ ଭେଦଜ୍ଞାନ ନାହିଁ ତୋହଠାରେ,

ସ୍ୱାର୍ଥକୀଟ ପଶିନାହିଁ ଚିତ୍ତ ସୁକୁମାରେ

ଅମୃତ ନିର୍ମିତ ତୁହି ଚିର ପ୍ରଫୁଲ୍ଲିତ,

ପ୍ରଫୁଲ୍ଲତାଗୁଣେ ସର୍ବେ କରୁ ବିମୋହିତ;

ନିର୍ଦ୍ଦୋଷ ସୌନ୍ଦର୍ଯ୍ୟ ତୋର କି ମନୋମାହନୂ,

ଅସ୍ଥାୟୀ କିନ୍ତୁ ରେ ଦାୟ ଏ ମଧୁଜୀବନ !

ସରଳ ସ୍ୱଭାବ ହେତୁ ଚିର ସୁଖୀ ତୁହି,

ସଂସାରେ ତୋ’ ସୁଖ ତୁଳା କାହୁଁ ଦେବି ମୁହିଁ ?

ତୋ’ ପରି ସ୍ୱଭାବ ଯଦି ମିଳନ୍ତାରେ ମୋତେ,

ସମ୍ଭବିଥାଆନ୍ତା ସ୍ୱର୍ଗଭୁବନ ମରତେ ।

ସ୍ମରିଲେ ମୋହରି ମଧୁ ଶୈଶବ ଜୀବନ

କି ଦୁଃଖ ବିଦରେ କ୍ଷଣେ ତାପିତ ମରମ !

ଫେରି ଆସିବ କି ଆହା ସେ ସୁଖର ଦିନ,

ଆକୁଳେ କାନ୍ଦିବି ଯେବେ ନେତ୍ର କରି କ୍ଷୀଣ ?

ତଥାପି ଆସିବ ଫେରି ସେ ସୁଖର ଦିନ

ପରାର୍ଥେ ସମ୍ପିରେ ପ୍ରାଣ ବାସନାବିହୀନ ।

 

ବିଶ୍ୱରୂପ ଓ ପ୍ରେମସ୍ୱରୂପ

 

ଚାହେଁ ନା ଝଞ୍ଜା, ବଜ୍ର, ବିଦ୍ୟୁତ୍‌,

କରାଳ ନିବିଡ଼ ଜଳଦମାଳା,

ଚାହେଁ ନା ଅଗ୍ନି-ଗିରି ଉଦ୍‌ଗୀରଣ

ନ ଶମିବ ମୋର ପରାଣଜ୍ୱାଳା;

 

ଚାହେଁ ମୁଁ ସୁନ୍ଦର ମଧୁର ବେଣୁର

ବାଜଣା ତଟିନୀ ବନାନ୍ତରାଳେ

ଚାହେଁ ମୁଁ ଶିଶିର-ସିକ୍ତ ସୁନ୍ଦର

କୋମଳ-କମଳ-କୁସୁମ-ମାଳେ ।୧।

 

ଚାହେଁ ନା ଅଭ୍ର-ଭେଦୀ ଉଚ୍ଚତା ହେ,

ତୁଷାର ଆବୋରା ତୁଙ୍ଗ ଶୃଙ୍ଗ,

ଚାହେଁ ମୁଁ ଶ୍ୟାମଳ ନବ ଦୁର୍ବାଦଳ,

କିଶଳୟ ଅଙ୍ଗେ ନୀଳ ତରଙ୍ଗ ।

 

ଚାହେଁ ନା ପ୍ରଚଣ୍ଡ ପ୍ରତାପୀ ମାର୍ତ୍ତଣ୍ଡ

କିରଣ ଅନଳଜ୍ୱାଳା-ବିକାଶୀ,

ଚାହେଁ ମୁଁ ଶାରଦ ସ୍ନିଗ୍‌ଧ ଆକାଶେ

ଶିଶିର ମୋହନ ସୁଷମାରାଶି ।

 

ବିଭୂତି-ଭୂଷିତ ବିଶ୍ୱରୂପ ତବ

ମହାମହିମାର ମୂର୍ତ୍ତ ବିକାଶ,

କୋଟି ରବି ଶଶୀ ନକ୍ଷତ୍ର ମଣ୍ଡଳେ

ଆନନ୍ଦ ଉଜ୍ଜ୍ୱଳ ଜ୍ୟୋତି ଉଦ୍ଭାସ ।

 

ଚାହେଁ ନା ଅନନ୍ତ ଦିଗନ୍ତ ବିସ୍ତାର

ମହା ପାରାବାର ଅତଳ ତଳ,

ଚାହେଁ ମୁଁ ସ୍ୱଚ୍ଛ ସ୍ୱର୍ଣ୍ଣ ଝରଣା

ତୀର ତରୁବୀଥି ତାଳ ତମାଳ ।

 

ଚାହେଁ ନା ଭୀଷଣ ମଧ୍ୟ ନିଶୀଥେ

ଉଲ୍‌କାପତନ ଅନଳକଣା,

ଚାହେଁ ମୁଁ ବସନ୍ତ ନିଶାନ୍ତେ ଫୁଟନ୍ତା

ଫୁଲର କୋମଳ ହିମକାନ୍ଦଣା ।

 

ଚାହେଁ ନା ହେ ତବ ସଂହାର ରୂପ

ମୁଣ୍ଡମାଳା ଗଳେ ରୁଦ୍ର ଯତି,

ଚାହେଁ ମୁଁ ଜନନୀ ଅନ୍ନପୂର୍ଣ୍ଣା

ବାତ୍ସଲ୍ୟ-ମଧୁର ମାତୃ ମୂରତି ।

 

ଚାହେଁ ନା ରତନ- ଶେଯ ଶୟନ ମୁଁ,

ଚାହେଁ ପ୍ରେମବୋଳା କୋମଳ କୋଳ

ସନ୍ତାନ ସରି ହସି ମୁଖେ ଚାହିଁ

ବକ୍ଷସୁଧା ପିଇ ହୋଇବି ଭୋଳ।

 

ମଧୁର ଚୁମ୍ୱନେ ପ୍ରେମ ଆଲିଙ୍ଗନେ

ଛନ୍ଦି ଗଳା ତୋର କରିବି ଆଦର,

ଅଜ୍ଞାନ ଶିଶୁକୁ ଚୁମ୍ୱି ପ୍ରତିଦାନେ

ମୋ’ ଦେହରୁ ଧୂଳି ଝାଡ଼ିବ ଶ୍ରୀକର ।

 

ଅନନ୍ତ ଜୀବନ ଅନନ୍ତ ମୁକତି

ପୂର୍ଣ୍ଣ ସଫଳତା ଅସୀମ ନିର୍ଭର,

ପ୍ରେମ-ସ୍ୱରୂପ ତୋ’ ପାଦତଳେ ମୋର

ବହିବ ଜୀବନ ଅମୀୟ ନିର୍ଝର ।

 

କ୍ଷୋଭେ

 

ଆଜ ଦୀନର-କୁଟୀର ଦୁଆରେ,

ଆସି ଛିଡ଼ା ହୋଇ ହେ ମହାମହିମ

ବୁଡ଼ାଇଲ ବଡ଼ ଲଜ୍ଜାରେ ।

 

ସ୍ଥାନ ଦେବି କାହିଁ ଭାବନା ଭାରି,

ମାନସ-ଶେଯଟି ଦେବି କି ପାରି ?

ଜୀର୍ଣ୍ଣ ପୁରାତନ, ସେ ଛିନ୍ନ ମଳିନ,

ସଙ୍କୋଚେ ପାରେ ନାହିଁ,

କହିବାକୁ ଲାଜ ‘ଆସ ବସ’ ବୋଲି

ହେ କୋଟିଭୁବନ ସାଇଁ !

 

ସରୁଛି ଗୋପନେ ସରମେ

ଆହା, ଅତିଥିର ସେବା ଧରମେ

ଚିତ୍ତ ମୁଁ ଅକ୍ଷମ, ଚିର ମୁଁ ଅଧମ,

ବଡ଼ କ୍ଷୋଭ ମୋର ମରମେ

 

ଧୋଇବି ଶ୍ରୀପଦ ମୁଁ କେଉଁ ନୀରେ,

ଭାବୁଛି ଅଥୟ ଚିତ୍ତେ ଅଧୀରେ,

ସହସ୍ର ସାଗର- ସରିଚ ନିର୍ଝର

ନିରତ ପୂର୍ଣ୍ଣ ଆସାରେ

 

ପଖାଳିବି ମୁଁ କି ପୟର ଯୁଗଳ

ଲୋଚନ ଲୋତକଧାରେ !

ମରୁଛି ଆକୁଳ ହୃଦରେ,

ଆହା, ଅତିଥିର ଯତ୍ନ-ଆଦରେ

 

ଚିର ମୁଁ ଅଯୋଗ୍ୟ, ଚିର ମୁଁ ଦୁର୍ଭାଗ୍ୟ

ଭାବି ମୋ ପରାଣ ବିଦରେ ।

କି ଘେନି ରଖିବି ଅରଘଥାଳୀ,

ନଭୋଥାଳେ ଇନ୍ଦୁ, ମରୀଚିମାଳୀ,

ନକ୍ଷତ୍ରମଣ୍ଡଳୀ- ପୂଜାଦୀପ ଜାଳି

ସଜାଡ଼େ ପ୍ରକୃତିରାଣୀ,

ହୃଦୟର ଶ୍ରଦ୍ଧା ଆଦର ଅଜାଡ଼ି

ଦେବି କି ହେ ଦେବ ଆଣି ?

 

ବଡ଼ ବ୍ୟଥା ମୋର ଅନ୍ତରେ,

ଆହା, ଅତିଥିର ପାଦପ୍ରାନ୍ତରେ

ଚିର ମୁଁ ସୁଦୀନ, ଚିର ନୀଚ ହୀନ,

କି ଦେବି ଭାଳଇ କାତରେ ।

 

ଅରପିବି କିବା ବିଶ୍ୱ-ବନ୍ଦନ ।

ମୁକୁତା ମାଣିକ ଫୁଲ ଚନ୍ଦନ,

ଶୋଭେ ସୁଷମାରେ ଗିରି ପାରାବାରେ

କୋଟି କାନନ ଉଜ୍ୱଳି,

ତୁଚ୍ଛ ମୁଁ ଥୋଇଛି ସ୍ୱଚ୍ଛ ସୁମନର

କ୍ଷୁଦ୍ର ଭକତି ଅଞ୍ଜଳି ।

 

ମଳିନ ମୁଁ ଲାଜତରାସେ,

ଆହା, ଅତିଥି ଅର୍ଚ୍ଚନା ସକାଶେ

ଚିର ମୁଁ ଦରିଦ୍ର, ଚିର ଅକିଞ୍ଚନ

ଦହଇ ପରାଶ ନିରାଶେ ।

 

କି ଅନ୍ନ ଦେବି ମୁଁ ଛାମୁରେ ଆଣି,

ନାହିଁ ତ ମୋ ଘରେ ବାସି ତୋରାଣି,

ଦେବି କି ପରଷି ପ୍ରେମସୁଧାରାଶି,

ଭରସି ନ ପାରେ ପ୍ରଭୁ ।

 

ରହିଛି ମଉନେ ନିଊନତା ଜାଣି

ନିଜ ଗୁଣେ ବୁଝ ସବୁ ।

ଆହେ ଅପାର କୃପା ସାଗର ।

କଣିକାଟି ଦାନେ କିଣିନିଅ ମୋତେ,

ମାଗୁଣି ଚରଣେ ମୋହର ।

 

କିପାଁ

 

କିପାଁ ଡାଳେ ଡାଳେ ଫୁଟିଅଛି ଫୁଲ,

କିପାଇଁ ପଞ୍ଚମେ ଗାଉଛି କୋକିଳ ?

କିପାଇଁ ସାଗର ଲହରୀ ବ୍ୟାକୁଳ,

କିପାଁ ନୀଳାକାଶେ ଚାନ୍ଦିନୀ ସୁନ୍ଦର ?

ସୋରକରେ କିପାଁ ଦୀପିତ ଅମ୍ୱର,

କିପାଁ ଇନ୍ଦ୍ରଧନୁ ସୁରଙ୍ଗେ ଭାସ୍ୱର ?

କିପାଁ ହୃଦକୋଣେ ଆକୁଳ କ୍ରନ୍ଦନ,

ବାସନାବ୍ୟଥିତ ହୃଦ ଉଚ୍ଚାଟନ ?

କିପାଁଇ ନୟନେ ମୋହ ଆବରଣ,

କିପାଁ ହିତବ୍ରତେ ଆତ୍ମବଳିଦାନ ?

ପରାର୍ଥ-ସାଧନେ ନିବେଦିତ ପ୍ରାଣ,

ଭବ ଶେଷ ସୀମା ଯଦି ଗୋ ଶ୍ମଶାନ ?

ଅଛି ଯାହା ଉର୍ଦ୍ଧ୍ୱେ, ଅଛି ବହୁଦୂର,

ଆଶା ବିଶ୍ୱାସର ଆକାଙ୍‌କ୍ଷା ମଧୁର

ପୂରିବ ସେଠାରେ, ଅଛି ତ ସେ ପୁର ।

 

ବନଫୁଲ ଉଦ୍ୟାନକୁସୁମ

 

ଏ ତ ବନଫୁଲ, ଚିର ଅନାଦରେ

ଫୁଟିଛି କଣ୍ଟକ ବେଢ଼ାରେ,

ଆନ ଗୋଟିକ ତ ଉଦ୍ୟାନକୁସୁମ,

ବଢ଼ିଛି କେତେ ସେ ଶ୍ରଦ୍ଧାରେ ।

 

ସାନ ଚାରାକାଳୁଁ ଅତି ଯତନରେ

ମାଳିର ସିଞ୍ଚିଲା ସଲିଳେ

ବଢ଼ିଲା ଗଛଟି ଆନନ୍ଦରେ ଅତି

ଦୋହଲି ବସନ୍ତ ଅନିଳେ ।

 

ଚାହୁଁ ଚାହୁଁ ଫୁଲ ଫୁଟିଲା ସୁନ୍ଦର,

ବିତରିଲା ବାସ ମୋହନ,

ଲୋକେ ତ ରସିଲେ ଆଦରେ ଅନାଇଁ,

ସେ ପରା ଉଦ୍ୟାନ-ସୁମନ ।

 

ଏ ତ ବନଫୁଲ, ଗହନ ଅନ୍ଧାରେ

ଘନ ପଞ୍ଚ ଲତାକୁଞ୍ଜରେ

ଫୁଟିଣ ମନକୁ ବାସ ବିତରିଲା,

କେହି ନ ଦେଖିଲେ ନେତ୍ରରେ ।

 

ଲୋକ ଆଖି ସିନା ଦେଖି ନ ପାରିଲା,

ନ ବୁଝିଲା ଗୁଣ ତାହାର,

ଅଳିତ ଚିହ୍ନିଲା ଫୁଲଯୁଗଳକୁ

କେତେ ରୂପଗୁଣ କାହାର !

 

ଯଉବନ

 

ଦେଖୁଛ ସରବେ ପଲାଶ ଫୁଲଟି,

ତାର କି ରକତ ଶିରୀ,

ସଉରଭ ବିନା ତୋରା ତନୁ ସିନା,

ଯଉବନ ସେହିପରି ।

 

ଯଉବନ ଦେଖି ନ ଭୁଲା ତୋ’ ଆଖି,

ଦୁନିଆର ଦୁଇଦିନିଆ ଖେଳ,

ମୁକୁତା ନୁହେଁ ଏ ଶିଶିରବିନ୍ଦୁ,

ଜଡ଼ ଅନ୍ଧାର ଏ ପୂର୍ଣ୍ଣିମା ଇନ୍ଦୁ,

କାଞ୍ଚନ ନୁହଇ ଭେଲ,

ଏ ତ ମହାକାଳଫଳ ।

 

ଦୁଇଦିନ ପାଇଁ କିପାଁ ଉଷତ,

ବନ୍ଧୁ ନୁହେଁ ଏ ତ ବଇରୀ ସତ;

ମଣି ଦେଖି ଯଦି ବରିବୁ ଫଣୀକୁ

ସାର ହେବ ହଳାହଳ ।

 

ଗୋଲାପ

 

ସଜ ସୁରଭିତ ଯୌବନ କାନ୍ତି

ଦରଦରହାସୀ ଗୋଲାପ,

ନବ ବସନ୍ତେ ଶାନ୍ତ ସୁନ୍ଦର

ଝରଝର ଆଖି ଯୋଡ଼ିକ ।

 

କୋମଳ ମଞ୍ଜୁଳ ଦଳୁଁ ଝଲମଲ

ନୀରବ ନୀହାର ଝରଣା,

ସଲାଜ ସୁନ୍ଦର ନେତ୍ର ଟଳମଳ

ହସ ମିଶା ହର୍ଷ କାନ୍ଦଣା ।

 

ତହିଁ ରସ ବାସ ହୃଦୟ ଉଚ୍ଛ୍ୱାସ

ପ୍ରବଳ ଆକୁଳ ପୁଲକ,

ମିଶାଣ ସେ କି ଗୋ ଖରା ବରଷାର,

ଆଲୋକ ମୋହନ ଝଲକ ?

 

(ଆରେ) ଗୋଲାପ ସୁନ୍ଦର ଜନମନୋହର

ଚିର ଯୌବନଶୋଭନ,

ଶତ ହାହାକାର-କାରା ବନ୍ଧନେ

ପରାଣର ଟାଣ ଉଦ୍ୟମ !

ଅସରନ୍ତି ତୋର ବାସନା,

ଅସରନ୍ତି ତୋର ବେଦନା,

ଅସରନ୍ତି ତୋର ଅମୃତ ହସ,

ଅସରନ୍ତି ତୋର ସାନ୍ତ୍ୱନା ।

 

ଡାଳେ ଡାଳେ କୋଟି କଣ୍ଟକ ବହି

ଆଣ୍ଟେ ଚାହିଁଛୁ ଆକାଶେ,

ଆସୁ ବାଧାବିଘ୍ନ, ଝଞ୍ଜା ପବନ,

ବଞ୍ଚିଛୁ ଦୃଢ଼ ବିଶ୍ୱାସେ,

ନିଜ ପାଇଁ ତୋର ସଞ୍ଚିତ କାହିଁ,

ଆନର ଆଦରେ ଅଛୁ ଅନାଇ,

ତୋର ହାସ ବାସ ରସ ଆନ ଲାଗି,

ନିଜ ଗନ୍ତାଘର କାହିଁ,

ନିଜ ଭଣ୍ଡାରଟି ନାହିଁ।

 

ରୂପ ଦେଖି ଆଖି ଆନନ୍ଦ-ଅଧୀର,

ସଉରଭଟିକ ଚୋରାଏ ସମୀର,

ଅତର ତୋହର ମୋହେ ଶତପୁର,

କେ ପିନ୍ଧେ ତୋତେ ଛିଣ୍ଡାଇ ?

 

ହସି ସଭିଙ୍କର ବଦନ ଚାହୁଁ,

ନୀରବ ସ୍ୱରେ କି କଥା ଶୁଣାଉଁ ?

ପରପାଇଁ ପୂରା ବଞ୍ଚିଛୁ ବୋଲି

ଜଗତେ ଆଦର ପାଉରେ,

ଜଗତେ ଆଦର ପାଉ ।

 

ଗୋଟାଯାକ ତୋର କି ସ୍ନେହ ଗଢ଼ା,

କିସ ଘେନି ରଙ୍ଗାଇଲୁ ପାଖୁଡ଼ା ?

ମନଜ୍ଞାନ ହୁଡ଼ା, ପ୍ରେମେ ପ୍ରାଣ ବୁଡ଼ା,

ସୃଷ୍ଟି ରାଇଜ ଛଡ଼ା ରେ !

 

ଆଗୋ ! ନବୀନ ମୋହନ ଯୌବନ !

ଆଗୋ ସ୍ୱରୁପ ସୁନ୍ଦର ଯୌବନ !

ଲଳିତ ବସନ୍ତ ବିଳାସୀ,

ତୁ କିଃ ପିକ ପଞ୍ଚମ ଲାଳସୀ ?

କୁଞ୍ଜ କୁଟୀର - ଦୁଆର-ସରାଗୀ

ମୃଦୁଳ ମଳୟ ଉଲ୍ଲାସୀ ।

 

ନୀଳ ଗଗନ କିରଣ ଛଳନେ

ଦିଏ ରୌଦ୍ରଜ୍ଜ୍ୱାଳା ବରଷି,

ଚୁମ୍ୱି ତୁ ଘେନୁ ତା’ ଆଶିଷ ଆଦରେ

ଆଗୋ! ଅମ୍ଳାନ ସ୍ନେହ ସ୍ନହାସୀ !

 

ଫୁଲତୋଡ଼ା

 

ସ୍ନେହଗଢ଼ା ତୋରା ତନୁଟି ବହିଣ

ପାଖୁଡ଼ା ପେଡ଼ି ଫିଟାଇ

ଆରେ ଫୁଲତୋଡ଼ା, ସଉରଭ ଭାର

ଭବେ ତୁ ଦେଲୁ ପଠାଇ ।

 

ମନ ସଉରଭ ମନେ ଗୋପନେ

ସଞ୍ଚି ରଖିଛି ମୁଁ ବିନା କାରଣେ,

ବିଧି ବର ଦାନେ ହେଲା,

ସରିଗଲେ ଦିନ ମିଶିବ ମାଟିରେ

ଛାର ପିଣ୍ଡ ମାଟି ଟେଳା ।

 

ଗୁଣେ ତୋ’ ଭ୍ରମର ଆସୁଛି ଉଡ଼ି,

ମୋ’ ଗୁଣ ସଭିଙ୍କି ଦିଏ ଘଉଡ଼ି,

ରହି ଯେ ଘଡ଼ିକେ ଯାଏ ସେ ବାହୁଡ଼ି,

ବହିଣ ମନେ ଯାତନା,

ତୋ’ ସରି କାହୁଁ ମୁଁ ହେବିରେ କୁସୁମ,

ନୀଚ ଦେହେ ଉଚ୍ଚମନା ?

 

ଛୋଟ ବଡ଼

 

ଛୋଟର ଆଦର କରିଥାଏ ଛୋଟ,

ବଡ଼ର ଆଦର ବଡ଼,

ଫୁଟିଥିଲା ଫୁଲ ସଙ୍ଗେ ସରି କିବା

ହେବ କେବେ ଫୁଲକଢ଼ !

 

ବଡ଼ ହୁଏ ଯଦି ପୂର୍ଣ୍ଣ ଚନ୍ଦ୍ର ପରି

ଆଉ ନ ପାରିବ ବଢ଼ି,

ଫୁଟିଲା ଫୁଲ କ ଫୁଟେ ଆଉ ଥରେ,

ଫୁଟେ ସିନା ଫୁଲକଢ଼ି !

 

ମୁଁ ତ ଛୋଟ, ମୁଁ ତ କ୍ଷୁଦ୍ର ଅତିଶୟ,

ବଡ଼ କିନ୍ତୁ ଦିନେ ହେବି ମୁଁ ନିଶ୍ଚୟ,

 

ସାନ ହୁଏ ବଡ଼, ଭଙ୍ଗା ହୁଏ ବଡ଼,

ପଛ ଲୋକ ହୁଏ ଆଗ,

ସେଥିପାଇଁ ସଦା ସାନ ମଣି ଆପେ

ଲୋଡ଼ୁଥିବି ପଛଭାଗ

 

ହେଲେ ସାନ ନାହିଁ ଲାଜ ଅପମାନ

ଯଦି ମୁଁ ପାରିବି ବଢ଼ି,

ଫୁଟିଲା ଫୁଲ କି ଫୁଟେ ଆଉ ଥରେ,

ଫୁଟେ ପରା ଫୁଲକଢ଼ି !

 

ମେଘର ଗର୍ବ

 

(୧)

ମେଘ ତ ହରିଲା ଜଳଧି-ଜଳ,

ବରଷିଲା ପୁଣି ତାହା ଉପର,

ଏବେ ମେଘ ଗର୍ବେ ହୋଇ ଚଞ୍ଚଳ

କହେ, କରଇ ମୁଁ ପୂର୍ଣ୍ଣ ସାଗର ।

 

(୨)

ଅଞ୍ଜଳିଏ ପାଣି ଘେନି ସାଗରୁ

କରିପାରେ କିଏ ସାଗର ମରୁ ?

ମେଘ ତୁ ଢାଳି ଦେ ସବୁ ତୋ’ ନୀର,

ହ୍ରାସ ବୃଦ୍ଧି ନାହିଁ ପୟୋନିଧିର ।

 

‘‘ହସ କାନ୍ଦ’’

 

(୧)

ହସେ ଚାନ୍ଦ କିପାଁ ଆଲୋକେ ସୁନ୍ଦର,

କାନ୍ଦେ କିପାଁ କହ ନୀରବେ ଯାମିନୀ ?

ବରଷାଏ ଅଶ୍ରୁ କିପାଁ ଜଳଧର,

ଝଟକି ଉଠଇ କିପାଁ ସୌଦାମିନୀ ?

 

(୨)

ବେନି ପରସ୍ପରେ ଜଡ଼ିତ ନିୟତ,

ଏକ କାନ୍ଦେ, ଅନ୍ୟ ହସଇ ଉଲ୍ଲସେ;

ଏକ ନୟନରେ ଆନନ୍ଦ ବ୍ୟକତ,

ଆନ ସୂଚେ ଦୁଃଖ ଦୀର୍ଘ ହତାଶ୍ୱାସେ ।

 

(୩)

କାନ୍ଦେ ଜଣେ ଦୁଃଖେ, ହସଇ ଆରେକ,

ବେନି ପ୍ରାଣ ତେଣୁ ରହି ପାଶେ ପାଶେ,

ବାନ୍ଧେ ଜଣେ ହିଆ, ହରାଏ ବିବେକ-

ବୁଦ୍ଧି ଆର ଜଣ ନିତି ଉଷ୍ଣଶ୍ୱାସେ ।

 

(୪)

ବିଧାତାର ଏ କି ଗୁଢ଼ ଅଭିପ୍ରାୟ,

ହସ କାନ୍ଦ ବେନି ପାଖ ପାଖ ରଖି,

ପାଖ ପାଖ ଦିବା ବିଭାବରୀ ପ୍ରାୟ

ପ୍ରଭାବ ବେନିର ନିଅନ୍ତି ପରଖି ।

 

କୁସୁମ

 

(୧)

କୁସୁମ-କଞ୍ଜ-କାନନେ ମୋହର

ଫୁଟିଛି ଗୋ ଫୁଲ ଫୁଟିଛି,

ବର୍ଣ୍ଣବିଭାଗରେ ପର୍ଣ୍ଣପଟଳ ଆଖି ମେଲି ହସି ଉଠିଛି;

ଗୁପ୍ତ ହୃଦୟ ସୁପ୍ତ ବେଦନା ଗନ୍ଧେ ମହକି ଉଠୁଛି,

ଆକୁଳ ଅନ୍ତର ଅଶ୍ରୁ-ଶିଶିର-ଧରା

ଧର ତଳେ ଲୋଟୁଛି ।

 

(୨)

ମତ୍ତ ମଧୁପ ମଧୁ ଆହରଣେ

ଆସୁଅଛି ତେଣୁ ଧାଇଁ ଗୋ

ବୁଲି ବୁଲିଯାଏ ଚଞ୍ଚଳ ସମୀର

ଆଦରେ ସଧୀରେ ଛୁଇଁଗୋ,

ଘଡ଼ିକ ସକାଶ ସୁବାସ ଚିହ୍ନଟ,

ତେଣୁ ଏଡ଼େ ତୋରା ଫୁଲଟି,

ଦେବତା ଶୀର୍ଷେ ଆସନ ଲଭେ ସେ,

 

(୩)

କ୍ଷୁଦ୍ର ସୁଦୀନ ଜୀବନେ ତବ ହେ

ନାହିଁ ଅପମାନ ଲାଜ,

କ୍ଷୁଦ୍ର କୁସୁମ ସମ ଯଦି ତବ

ଅଛି ଗୁଣ ଶୋଭା ସାଜ,

 

କ୍ଷୁଦ୍ର କୁଟୀରେ ବିମଳ ପ୍ରତିଭା

ଫୁଟି ତ ଉଠିବ ହେଳେ,

ଲାଜ ଅପମାନ ଘୁଞ୍ଚିବ

ଦେବତା-ଆସନ ଲଭିବାବେଳେ ।

 

ଆସେ ସିନା ମଧୁକର ଖୋଜି ପୁଷ୍ପରାଶି,

ଉଦେ ସିନା ଶଶଧର ଅନ୍ଧକାର ନାଶି,

 

ଗାଏ ସିନା ପରଭୃତ,

ମୃକୁଳ ଧରିଲେ ଚୂତ,

ସେ ଯାହାର ସେ ତାହାର,

ନାହିଁ ଏଥି ଅଦିଚାର,

 

ମୋ’ ମାନସ ଲୋଡ଼େ

ଯାହା ନ ଦିଏ ସଂସାର,

ସେଥିପାଇଁ କିପାଁ

ମୁହିଁ କାନ୍ଦେ ଅନିବାର ?

 

ଖୋଜି ମୁଁ ଆଣିବି ତାହା,

ନିଜେ କରି ନିଜ ରାହା,

ମୁକ୍ତ ସକଳଙ୍କ ହେତୁ ଅମୃତ-ଭଣ୍ଡାର,

ନିଜେ ନ ଆଣିଲେ କେବେ ନ ଦେବ ସଂସାର ।

 

ସ୍ୱପ୍ନ

 

ପ୍ରଥମ ଜୀବନେ ମେଲିଲି ଲୋଚନ,

ଦେଖିଲି ଯେ ଶୋଭା ବଳିଲା ବଚନ ।

ସମସ୍ତ ଜଗତ ପୁଣ୍ୟ ପ୍ରେମେ ଭରା,

ନାହିଁ କାହିଁ ଦୁଃଖ ଶୋକ ମୃତ୍ୟୁ ଜରା ।

ସକଳ ସୁନ୍ଦର ମଧୂର ରଚନା,

କରେ ଚରାଚର ବିଭୁ ଅରଚନା

ବିସ୍ମୟେ ମଗନ ଦେଖିଲି ଉଷତେ,

ସ୍ମରଗ ଶୋଭଇ ଅବନୀରେ ସତେ ।

ଆଜି ନେତ୍ର ମେଲି ଦେଖୁଛି ସଂସାର,

ଚାରିଆଡ଼େ ମୃତ୍ୟୁ ଶୋକ ହାହାକାର ।

ଦେଖୁଥିଲି କିବା ଜାଗ୍ରତ ସ୍ୱପନ,

ଅଜ୍ଞାନ ମୁଁ ତେବେ ମଜ୍ଜାଇଣ ମନ।

ପ୍ରେମ ସଜଫୁଲ ସୁବାସରେ ଭରା,

ସ୍ୱାର୍ଥକୀଟ କିନ୍ତୁ ନଷ୍ଟ କରେ ତ୍ୱରା ।

ସୁବର୍ଣ୍ଣ ସମାନ କରେ ଝକ ଝକ

ନୀଳ ନୀରଦରେ ଚପଳା ଚମକ

ମୁକ୍ତା ନୁହେ କିନ୍ତୁ ଶିଶିର କଣିକା,

ଚଉଦିଗେ ଦେଖ ନର ଅହମିକା ।

ଭାବିଥିଲି ଯାହା ଦେବତ୍ୱ ମହତ୍ତ୍ୱ,

ବୁଝିଲି ବୁଝିଲି ଆଜି ସବୁ ତତ୍ତ୍ୱ।

ଉପରେ ସୁନ୍ଦର ମହାକାଳ ଫଳ,

ବୁଝିଲି ଆଜି ମୁଁ ଢାଳି ନେତ୍ରଜଳ ।

ଆହା କାହିଁ ସେହି ଶାନ୍ତିର ସ୍ୱପନ

କ୍ଷଣ ପରେ ଆଜି ହୋଇଲା ଭଞ୍ଜନ !

 

ଆଶା

 

(୧)

ଦେଖିଥିଲ ପରା ସ୍ୱପନେ ତା’ମୁଖ,

ଅଚେତ ଅବଶ, ତଥାପି କି ସୁଖ !

 

ନଥିଲା ତ ଜ୍ଞାନ, ନ ଥିଲା ଚେତନା,

ଅନ୍ତରେ ତ ପୂରିଥିଲା ମୋ’ କଳ୍ପନା !

 

ମୁଦ୍ରିତ ନୟନେ ଛାଡ଼ି ଭବଦେଶ

ବିହରୁଥିଲି କି ଅନ୍ତର ପ୍ରଦେଶ,

 

ଚାରିଆଡ଼େ ପରା ଫୁଟିଥିଲା ଫୁଲ,

କରିଥିଲା ଚାନ୍ଦ ନଭ କି ଉଜ୍ଜ୍ୱଳ !

 

ସୁଲୁ ସୁଲୁ ପରା ବହୁଥିଲା ବାତ,

ପ୍ରାଣକୁ ଆକୁଳ ସେ କରୁଥିଲା ତ ।

 

ଏକ ସଙ୍ଗେ ପରା ଲଳିତ ତାନରେ

ଶତ ଶତ ବୀଣା ମୋହନ ଲହରେ

 

ବାଜି ଉଠୁଥିଲେ ଗମ୍ଭୀରେ ମଧୁରେ,

ଶୁଣିଥିଲି ପରା ରହି ଦୂରେ ଦୂରେ;

 

ଫୁଲ କୁଞ୍ଜବନେ ଚାନ୍ଦିନୀ ନିଶାରେ

ବୁଲୁଥିଲି ପରା ପ୍ରେମ ପିପାସାରେ ।

 

(୨)

ସ୍ୱପନେ ଅନାଇଁ ଦେଖିଲି କା’ ମୁଖ,

ଅଚେତ ଅବଶ, ତଥାପି କି ସୁଖ !

 

ଶତ ଶତ ଫୁଲ ଫୁଟି ଉଠିଲା କି,

ସହସା କୋକିଳ କୁହୁ ଡାକିଲା କି !

 

ସହସା ବସନ୍ତ ଆସିଲା କି ମାଡ଼ି,

ଶୀତ ଜରା ସତେ ଅଙ୍ଗୁ ଗଲା ଛାଡ଼ି !

 

ଫୁଲ ପରିମଳ ବିଞ୍ଚିଦେଲା କି ସେ,

ଚହଟିଗଲା ତା’ ବାତେ ଦିଶେ ଦିଶେ !

 

ମିଶିଲା ଆସି ତା’ ପ୍ରାଣରେ ମୋହରି

ଅନ୍ଧ ଅଜ୍ଞନତା ଦକା ଦୂର କରି ।

 

ବଳଦ ଔଷଧି ସମ କଳେବରେ

ଦେଲା ନବଦଳ ଧୃତି ହୃଦୟରେ ।

 

ମାନସ-ନୟନେ ଅନାଇ ମୁଁ ଦେଖେ,

ଦେଖି ବାରମ୍ବାର ତଥାପି ନିରେଖେ,

 

କି ସୁନ୍ଦର ରୂପ କି ସୁନ୍ଦର ଶିରୀ

ସତେ କି ସେ ଦେବବାଳୀ ଅଶରୀରୀ !

 

ସ୍ୱରଗୁଁ ଓହ୍ଲାଇ ଆସିଛି କି ସେହି,

ନବ ପ୍ରେମବାର୍ତ୍ତା ନରଲୋକେ ନେଇ ?

 

ଶାନ୍ତି, କ୍ଷେମ, ଦୟା, ପବିତ୍ରତା, ସ୍ନେହ,

ଏ ଆଦି ଘେନି କି ଗଠିତ ତା ଦେହ ?

 

ଶତ ଶତ ଫୁଲ ମେଦୁର, ମଞ୍ଜୁଳ,

ଅପୂର୍ବ କୌଶଳେ ଏକାଧାରେ ଠୁଳ,

 

ମଧୁର, ଲଳିତ ସୁଷମ-ବିଭବେ

ଗଠିତ, କର୍କଶ ନାହିଁ କାହିଁ ଲବେ ।

 

(୩)

ସ୍ୱପନେ ଅନାଇଁ ଦେଖିଲି ସେ ମୁଖ,

ଅଚେତ ଅବଶ, ତଥାପି କି ସୁଖ !

 

କି ମୋହିନୀ ଶକ୍ତି ପୂର୍ଣ୍ଣ ପ୍ରତି ଅଙ୍ଗ,

ବହିଯାଉଥିଲା ସୌନ୍ଦର୍ଯ୍ୟ ତରଙ୍ଗ ।

 

ସେ ତରଙ୍ଗେ ଆତ୍ମା ଭାସିଗଲା ପରା,

ଏକାବେଳେ ଛାଡ଼ିଗଲି ମର୍ତ୍ତ୍ୟ ଧରା ।

 

କାହିଁ ମୁଁ ବୁଲିଲି ନୟନ ପଲକେ

ଶତ ଶତ ବିଶ୍ୱେ ଏକା ନିମିଷକେ ।

 

ନିଜକୁ ପାସୋରି କରିଲି ମୁଁ ପ୍ରେମ,

ଲଭିଲି କି ପ୍ରାଣେ ଶାନ୍ତି ପୂଣ୍ୟ କ୍ଷେମ !

 

କୋଟି ଚନ୍ଦ୍ର ସୂର୍ଯ୍ୟ ଆଲୋକମଣ୍ଡିତା,

କୋଟି ଫୁଲ ପରିମଳ ସୁବାସିତା,

 

କୋମଳ, ଲଳିତ, ରୁଚିର, ମଧୁର,

ଶାନ୍ତ ସୌମ୍ୟ ଦୀପ୍ତ କରୁଣ ବିଧୁର

 

ଦୂରେ ଦୂରେ ରହି ଦେଖିଲି ତା’ ମୁଖ,

ଅବଶ ବିମୁଗ୍‌ଧ ତଥାପି କି ସୁଖ !

 

ସହସା ଚାହିଁଲା ବଦନ ଉଠାଇ,

ସହସା ହୃଦୟ ଦେଲା କି ଫିଟାଇ ?

 

ଭୂଇଁ ଚାହିଁ ମୁଁତ ରହିଲି ଅନାଇଁ,

କି କହିବି କଥା ମୁଖେ ଆସେ ନାହିଁ ।

 

ଅନ୍ତରେ ଆକୁଳ ନ ଫୁଟଇ ବାଣୀ,

ଜଡ଼ିତ ସରମେ, ନେତ୍ରୁ ବହେ ପାଣି ।

 

ତଥାପି ତା’ ପ୍ରାଣେ ପ୍ରାଣ ଗଲା ମିଶି,

କି ମୋହନ ମନ୍ତ୍ରେ ନେଲା ଆକରଷି;

 

ବହୁକାଳୁ ଯେହ୍ନେ ଥିଲା ପରିଚୟ,

ହୃଦୟ ସଙ୍ଗେ କି ମିଶିଲା ହୃଦୟ !

 

ଦେହ ଛାଡ଼ି ଆତ୍ମା ମିଶିଲା ତା’ ସଙ୍ଗେ,

ବିଜୁଳି ମିଶିଲା ଅବା ମେଘ ଅଙ୍ଗେ,

 

ତଟିନୀ ମିଶଇ ଯଥା ପାରାବାରେ,

ଲୋତକ ମିଶଇ ଯଥା ହାହାକାରେ,

 

ବୀଣାତାନ ସତେ ମିଶିଲା ପବନେ,

ମିଶିଲି ତା ସଙ୍ଗେ ହୃଦୟେ ଗୋପନେ ।

 

କ୍ଷଣକେ ସହସା ଏ କି ମୋ’ କରଣି !

କାହୁଁ ଆସିଲା ଏ ହୃଦୟଚୋରଣୀ ?

 

ନ କହୁଣୁ ମୋର ହରିନେଲା ମନ,

ମନା କରିବାକୁ ନ ଫୁଟେ ବଚନ ।

 

କେଉଁ ଦୂରବେଶେ ଥିଲା ତ ସୁନ୍ଦରୀ,

କାହୁଁ ଆସିଲା ସେ ପରା ବେଶ ଧରି !

 

ଜାଣି ମୁଁ ପାରିଲି ନାହିଁ ତତକ୍ଷଣେ

ମୋହିନୀ ମନ୍ତର ମାୟା ସେ କି ଜାଣେ !

 

ସତେ କି ମୋହିନୀ ଲଗାଇ ଲୋଚନେ

ପ୍ରେମରାଶି ହୃଦେ ଢାଳିଲା ବହନେ ।

 

ହୃଦେ ଆଙ୍କିଦେଲା ତା’ ଶୋଭା ବିଚିତ୍ର,

ହୃଦୟ ମନ୍ଦିର କଲା କି ପବିତ୍ର,

 

ସହସା ଅନ୍ଧାର ବିଜୁଳି ଆଲୋକେ

ଘୁଞ୍ଚିଗଲା ପରା ନୟନ ପଲକେ

 

କ୍ଷଣପ୍ରଭା ନୁହେ, ସ୍ଥିର ସୌଦାମିନୀ,

ତା’ ଆଲୋକ ଶତ ଦୀପାଲୋକ ଜିଣି ।

 

ହୃଦୟର ମରୁପ୍ରାନ୍ତର ଉରସେ

ପ୍ରେମମନ୍ଦାକିନୀ ବହିଲା ହରଷେ ।

 

ଫୁଟିଲା କି ଫୁଲ ଶୁଷ୍କେ ତରୁ ଅଙ୍ଗେ,

ମାନସ-କାନନ ଶୋଭିଲା ସୁରଙ୍ଗେ ।

 

ସବୁ ସୁଖ ମୋର ହୋଇଲା ସମ୍ପୂର୍ଣ୍ଣ,

ଆନନ୍ଦେ ଆବେଗେ ହୃଦ ହେଲା ପୂର୍ଣ୍ଣ

 

(୪)

ସ୍ୱପନେ ଅନାଇଁ ଦେଖିଲି ସେ ମୁଖ,

ଅଚେତ ଅବଶ, ତଥାପି କି ସୁଖ !

 

ଥରି ତ ଉଠିଲି ପ୍ରେମ ଆବେଶରେ,

ମନେ ହେଲା ଭୁଜବଲ୍ଲରୀ ପାଶରେ

 

ବାନ୍ଧନ୍ତି ଆଣି ସେ ଅପୂର୍ବ ମୂରତି,

ଆଣନ୍ତି କ୍ଷଣକେ ହୃଦୟର କତି,

 

ନିବିଡ଼ ଚୁମ୍ୱନେ ଅଧର ପରଶି

ପ୍ରେମସୁଧା ମୋର ଦିଅନ୍ତି ବରଷି;

 

ନୟନେ ନୟନ ସ୍ଥାପିଅନିମେଷେ

ଚାହୁଁଥାନ୍ତି ମୁଖପଲକେ ଆବେଶେ ।

 

ମନକଥା ମନେ ରହିଲା ମୋହର,

ଫିଟାଇ ପାରିଲି ନାହିଁ ଓଷ୍ଠାଧାର ।

 

ମାନସ-ନୟନେ ଅନାଇ ମୁଁ ଦେଖେଁ,

ଅତୃପ୍ତ ବାସନା, ଆକୁଳେ ନିରେଖେଁ,

 

ଦେଖୁଥିଲି ଚାହିଁ ସ୍ୱପନରେ ପରା,

ସହସା ଉଭେଇଗଲା ସେ ଅପ୍‌ସରା;

 

ସହସା ଅନ୍ଧାର ଆସିଲା କି ମାଡ଼ି,

ସହସା ଅଙ୍ଗୁକି ଜୀବ ଗଲା ଛାଡ଼ି !

 

ଚାହିଁଲି ତଳକୁ, ଚାହିଁଲି ଉପରେ

ଦେଖିଲି ଏ ବିଶ୍ୱ ପୂର୍ଣ୍ଣ ତା’ ରୂପରେ ।

 

ଦେଖିଲି ଆକାଶ-ନୀଳିମା-ବିସ୍ତାରେ,

ଦେଖିଲି ତପନ ଚନ୍ଦ୍ର ତାରକାରେ,

 

ଦେଖିଲି ଅମ୍ୱୁଧି ଅମ୍ୱୁରାଶି ସଙ୍ଗେ

ତା’ ରୂପ ମିଶିଛି ତରଙ୍ଗେ ତରଙ୍ଗେ ।

 

ଦେଖିଲି କୁସୁମ-ହସିତ ଆନନେ

ମୃଦୁ ମୃଦୁ ହସେ, ବାସିତ ପବନେ

 

ତା’ ଦେହ ସୁବାସ ରହିଅଛି ଭରି,

ପ୍ରକୃତି ଶରୀରେ ତା’ ରୂପଲହରୀ

 

ଖେଳୁଛି, ବୁଲୁଛି, ଯାଉଅଛି ଭାସି,

ଦେଖିଲି, ଭାବିଲି ଚିନ୍ତା ଦକା ନାଶି ।

 

(୫)

ସ୍ୱପନେ ଅନାଇଁ ଦେଖିଲି ତା’ ଶିରୀ

ବିଶ୍ୱ ସ୍ତରେ ସ୍ତରେ ପଡ଼ୁଅଛି ଝରି ।

 

ଯେଉଁଆଡ଼େ ଚାହେଁ ସେ ତ ବିରାଜିତ,

ଦେଖି ଦେଖି ପ୍ରାଣ ହୋଇଲା ମୋହିତ ।

 

କିଏ ସେ ସୁନ୍ଦରୀ ସେ ଅପରିଚି,

ଜାଣିବା ଲାଗି ମୋ’ ହୃଦ ଉତ୍କଣ୍ଠିତ ।

 

ଭୂଇଁରେ ଲୋଟି ମୋ ନେତ୍ରୁ ବହେ ପାଣି,

ସହସା ଆକାଶେ ହେଲା ଦୈବବାଣୀ;

 

‘‘ଆଶା’’ ନାମ ତାର, ସେ ଆଶାସୁନ୍ଦରୀ,

ମାନବ ଅନ୍ତରେ ରହିଛି ଅମରୀ ।’’

 

‘‘ଆଶା’’ ‘‘ଆଶା’’ ବୋଲି କଲି ମୁଁ ଆବୃତ୍ତି,

ନାଶିଲି ବାସନା, ଶିଖିଲି ନିବୃତ୍ତି ।

 

ଆଶା ଆଶା ସେ ତ ରହିଛି ଜୀବିତା,

ମୋ’ ହୃଦମନ୍ଦିରେ ନିତି ବରାଜିତା ।

 

ନିତି ପ୍ରେମଫୁଲେ ପୂଜା କରେ ପଦ,

ଏ ଜଗତେ ଏକା ସେ ମୋର ସମ୍ପଦ ।

 

କି ଆଣିଛି ସଙ୍ଗେ କି ନେବି ମୁଁ ବହି,

ତଥାପି ହୃଦୟେ ଅଛି ଆଶା ରହି ।

 

ମୁଁ ମର୍ତ୍ତ୍ୟମାନବ, ଆଗପଛ ମୋର

କିଛି ଜଣାନାହିଁ, ଅନ୍ଧକାର ଘୋର;

 

ତଥାପି ଆଶା ମୋ’ ରହିଛି ଜୀବିତ,

କର୍ତ୍ତବ୍ୟେ ମୋ’ ପ୍ରାଣ କରି ଉତ୍ତେଜିତ ।

 

ଆଶା ସେ ତ ମୋର ହୃଦୟର ମାଳି,

ଆଶା ସେ ତ ମୋର ଜୀବନ ସଙ୍ଖାଳି;

 

କରମେ, ବଚନେ, ଜୀବନେ ମୋହର

ଆଶାକୁ ନେଇ ମୁଁ କରୁଅଛି ଘର ।

 

ତା’ ବିନା ଶୂନ୍ୟ ମୋ’ ସମସ୍ତ ଜୀବନ,

ସେ ତ ଯେହ୍ନେ ଦେହେ ନିଃଶ୍ୱାସ ପବନ ।

 

ଯହିଁ ଯାଏ ତହିଁ ଆଶା ଯାଏ ସଙ୍ଗେ,

ଛାୟା ଯଥା ନିତି ଲାଗିଥାଏ ଅଙ୍ଗେ ।

 

ଆଶାକୁ ଧରି ମୁଁ ପରମ ବିଶ୍ୱାସେ

କାଳ କାଟୁଅଛି ଜଗତେ ଉଲ୍ଲାସେ ।

 

ଆଶା ନୁହେ କ୍ଷୁଦ୍ର ମର୍ତ୍ତ୍ୟର ମାନବୀ,

ଆଶା ଦେବୀ, ଆଶା ପୂତ ପ୍ରେମଛବି ।

 

ତା’ ରୂପ ସୁନ୍ଦର ଆତ୍ମାରେ ଜଡ଼ିତ,

ହୃଦ ଅନ୍ତସ୍ଥଳେ ସେ ପରା ନିହିତ ।

 

ଆଶା ମହା ଶ୍ରେଷ୍ଠ ବିଧାତାର ଦାନ,

ଆଶା ପୂର୍ଣ୍ଣ କରେ ସିନା ପ୍ରେମଜ୍ଞାନ ।

 

ସର୍ବଶ୍ରେଷ୍ଠ ସୁଖ ଆଶା ତ ଜୀବନେ,

ଆଶା ବିନା ପ୍ରାଣ ବଞ୍ଚିବ କି କ୍ଷଣେ ?

 

ସେ ଆଶା ସୁନ୍ଦର ଚରଣ କମଳ

ମର୍ତ୍ତ୍ୟ ନିକେତନେ ମୋ’ ପ୍ରିୟ ସମ୍ୱଳ ।

 

ଆଶ ସେ ତ ମୋର ହୃଦୟର ରାଣୀ,

ବୃଥା ମୋ’ ବର୍ଣ୍ଣନା, ପରାଜିତ ବାଣୀ ।

 

ଦର୍ଶନେ ଆଲୋକ, ଶ୍ରବଣେ ସଙ୍ଗୀତ,

ଶୋକରେ ସାନ୍ତ୍ୱନା, ପ୍ରାଣପ୍ରିୟ ମିତ ।

 

ଆଶା ସେ ତ ମୋର ପରାଣର ସାଥୀ,

ତାକୁ ଘେନି ମୁଁ ତ ବଞ୍ଚେ ଦିନରାତି ।

 

ସ୍ୱପନରେ ଦେଖିଅଛି ଆଶାମୁଖ,

ସୁଖ କାହିଁ ଭବେ, ସେହି ତ ମୋ’ ସୁଖ ।

 

ସୁଖ ସୁଖ ବୋଲି ଖୋଲି ଲୋଡ଼ି ବୁଲେ,

ସୁଖ ନାହିଁ, ସୁଖ ଅଛି ଆଶା ଦୂରେ ।

 

ଆଶାରେ ବାଜୁଛି ନିତି ମର୍ମବୀଣା,

ଆଶା ପଦପ୍ରାନ୍ତେ ନିତି ମୁହିଁ କିାଣା ।

 

ଅଦ୍ଭୁତ

 

ଦୂରେ ସହକାର କୁଞ୍ଜେ ଶୁଣି ପିକତାନ

ମୋ’ ମନକୋକିଳ କିମ୍ପା ଗାଇଉଠେ ଗାନ ?

କାହିଁ ସେ କୋକିଳ, ମାତ୍ର ଶୁଭେ କୁହୁତାନ,

ସେ କୁହୁତାନ କି ମୋର ଟାଣିନିଏ ପ୍ରାଣ ।

 

ଶ୍ରବଣେ ବାଜଇ ସ୍ୱର

ଭେଦି ହୃଦ ଅଭ୍ୟନ୍ତର,

ଉଚ୍ଛ୍ୱସି ଉଠଇ ଧୀରେ ଗୋପନେ, ସରମେ,

କରୁଣ ସଙ୍ଗୀତ ଧାରା ମରମେ ମରମେ ।

 

କାହିଁ ସେ କାନନକୁଞ୍ଜେ ଫୁଟିଛି ସୁମନ,

ସୁଧା ପରିମଳଧାରା, ବହାଇ ପବନ,

ପରଶି ହରଇ କିମ୍ପା ଅନ୍ତର ସୁରଭି ?

କ୍ଷଣକେ ମୋହିତ ଚିତ୍ତ ସ୍ନେହ ଯାଏ ଦ୍ରବି ।

 

ବୁଝି ମୁଁ ବୁଝେ ତ ନାହିଁ,

ଘଟେ ଏହା କାହିଁପାଇଁ,

ବହିଯାଏ ନଦୀ ଯଥା ସାଗର ସଦନେ,

ସେ ନଦୀ ସଙ୍ଗେ କି ବହେ ପ୍ରେମନଦୀ ମନେ ?

 

ସେ କେଉଁ ଅମୃତାର୍ଣ୍ଣବେ ମିଶିବା କାରଣ

ଅନନ୍ତ ପ୍ରେମର ଧାରା ବହେ ପ୍ରତିକ୍ଷଣ,

ଏଥୁଁ ବଳି କି ଅଦ୍ଭୁତ ଅଛି କିଛି ଭବେ ?

ବୁଝି ମୁଁ ନିଜକୁ ଯାହା ବୁଝିନାହିଁ ଲବେ ।

 

ଦେଖି ଯାହା ନିତି ଭୁଲେ,

ମୋ’ ମୂରତି ଖୋଜି ବୁଲେ

ବିମ୍ୱିତ କା’ ହୃଦୟରେ ଚନ୍ଦ୍ରବିମ୍ୱ ସରି,

କେ ଅଛି ଧରାରେ ମୋର ଗୁଣ ପ୍ରାଣେ ଧରି ?

 

କିପାଇଁ କମଳ ଫୁଟେ ପଙ୍କିତ କାସାରେ,

କିପାଇଁ ଶୀତଳ ସୁଧା ଜଡ଼ ଇନ୍ଦୁ ଢାଳେ ?

କିପାଇଁ କଣ୍ଟକ ବନେ ଫୁଟେ କିଆଫୁଲ,

ଛାର ଶାମୂକା ଗରଭେ ମୁକୁତା ମଞ୍ଜୁଳ ?

 

ଲବଣାମ୍ଭୁ ସିନ୍ଧୁଜଳ-

ତଳେ ରତନ ଉଜ୍ଜ୍ୱଳ

କିପାଇଁ ଖଦ୍ୟୋତ ଅଙ୍ଗେ ଆଲେକ ଝଲକ,

କିପାଇଁ ଖଣିର ତମ ଗରରେ ହୀରକ ?

 

ବିଭୁ ହେ ବିଚିତ୍ର ତବ ଏ ଅଦ୍ଭୁତ ଲୀଳା

ହୀନ ମହତ ବେନିର ମିଳନ ସାଧିଲା,

ଜଡ଼େ ଆତ୍ମା ସମାବେଶ,

ନରହୃଦେ ପରମେଶ,

 

ମାନବ-ମାନସେ କରି ଦେବତ୍ୱ ବିକାଶ

କ୍ଷୁଦ୍ର ନୀଚତାର ଯାହା ସାଧିଲା ବିନାଶ ।

 

ଏ ଆତ୍ମାରେ ଥାଉ ତବ ସେ ପ୍ରେମଅମୃତ,

ନୀଚତ୍ୱ କ୍ଷୁଦ୍ରତ୍ୱ ନାଶି କରୁ ମୋତେ ପୂତ ।

 

ଆନର

 

ଅନ୍ଧାରେ ଆଲୋକେ ଗୋଧୂଳି ମିଳନ

ହୁଏ କି ମୋ’ହୃଦେ ନିତି,

ମୋ’ ହୃଦେ ଉଦେ କି ସଦା ଦିବାକର

ହୁଅଇ ଦିବସ ରାତି?

 

ପୂର୍ଣ୍ଣିମାର ଚାନ୍ଦ ଉଦେ କି ସେ ନଭେ,

ଦେଖାଦିଏ ଅମାନିଶା,

କ୍ଷୁଦ୍ର ତାରାଶତ ଫୁଟେ କି ଗରବେ,

ଉଜ୍ୱଳେ ମଧୁର ମିଶା ?

 

ଦେଖଁ ତ ଅନନ୍ତ ମୋ’ ହୃଦୟରାଜ୍ୟ

ସାନ୍ତ ଘେନି କିପାଁ ଘେରା,

ଏ ସ୍ୱାଧୀନ ଜୀବ ନିବସେ କିପାଇଁ

ମର କଳେବର-କାରା ?

 

ଅସୀମେ ସସୀମେ ଏ ଶୁଭ ମିଳନ

ଅନନନ୍ତରେ ସାନ୍ତ ମିଶା,

ଜଡ଼ ଆତ୍ମା ବେନି ମିଳନେ ମଧୁରେ

ମିଳିଛନ୍ତି ଦିବାନିଶା

 

ଚିର ପରାଧୀନ ଥାଉ କିପାଁ କହ

ଭ୍ରମୁଥାଏ ଦେଶ ଦେଶ,

ଅନନ୍ତ ପଥରେ ଅନନ୍ତ ଭ୍ରମଣେ

ନାହିଁ କିପାଁ ଶ୍ରାନ୍ତି ଲେଶ ?

 

ମୁଁ ମୋହର କିପାଁ ଖୋଜି ବୁଲୁଥାଏ

ମୋ ସୌନ୍ଦର୍ଯ୍ୟ ପ୍ରତି ଅନ୍ଧ,

ବିଶ୍ୱସାରା କିପାଁ ଖୋଳେ ମୋର ସରି

ଲଭିଲେ ପରମାନନ୍ଦ-

 

ଜନମେ କିପାଇଁ ମୋ’ ହୃଦ ଭିତରେ ?

ମୁଁ ତ ବୁଝି ପାରେ ନାହିଁ,

ନିଜର ନିଜତ୍ୱ ଭୁଲି କିପାଁ ଅନ୍ୟେ

ଆନତ୍ୱକୁ ଥାଏ ଚାହିଁ ?

 

ନିଜ ଶୋଭା ଶିରୀ ନ ଦେଖି ନୟନ

ମୁଗ୍‌ଧ ଦେଖି ଆନ ଶୋଭା,

ଆନର ସୌନ୍ଦର୍ଯ୍ୟ ପିପାସୀ କିପାଁ ମୁଁ

ଆନ ମୋର ମନଲୋଭା ?

 

ନିଜର ଭିତରେ ଅଛି ଯେ ମାଧୁରୀ

ନ ବୁଝେ ତାହାରି ସ୍ୱାଦ

ଆନର ଲଳିତ ମାଧୁରୀ ପରାଣେ

ଜନମାଏ ମହାହ୍ଲାଦ ।

 

ବୁଝି ପାରେନାହିଁ ଉଚ୍ଛତ୍ୱ ନିଜର

ଆନର ଦେବତ୍ୱ ଦେଖି,

ଆନର ମଧୁର ମୋହନ ମୂରତି

ହୃଦୟେ ଦିଏଁ ମୁଁ ଲେଖି ।

 

ନିଜ ଅଙ୍ଗେ ଦେଖେଁ ଘୋର ମଳିନତା,

ଆନ ଅଙ୍ଗେ ଜ୍ୟୋତିରାଶି,

ନିଜ ମୁଖେ ଦେଖେଁ ଅମା ଅନ୍ଧକାର

ଆନ ମୁଖେ ପୂର୍ଣ୍ଣଶଶୀ ।

 

ନିଜେ ସତେ ଯେହ୍ନେ ପତ୍ରହୀନ ତରୁ,

ଆନ ଦରଫୁଟା ଫୁଲ,

ଆନର ମହତ୍ତ୍ୱ ଦେଖି ଏ ହୃଦୟ

ହୁଲ ନିତି ଶ୍ରଦ୍ଧାକୁଳ ।

 

ଗରବିତ ନୋହି ନିଜ ଗଉରବେ

ପ୍ରତିଭା ଆନର ଶୁଣି

ନିଜଠାରୁ ବଡ଼ କରିଣ ତାହାକୁ

ହେଉଥାଏଁ ଗୁଣ ଶୁଣି ।

ନିଜ ମୁଖ ଯଦି ଦେଖନ୍ତି ନୟନେ

ଦରପଣ, ଜଳ ବିନା,

ନିଜର ନିଜତ୍ୱ ଯାଇଥାନ୍ତା ହଜି,

ନିଜେ ମୁଁ ନୁହନ୍ତି ଚିହ୍ନା ।

 

ବିଶ୍ୱର ଅସୀମ ବନପଥେ ସତେ

ହୋଇଥାନ୍ତି ଦିଶାହରା,

ସେଥିପାଇଁ ପ୍ରଭୁ କଲେ କି ଏପରି

ଆନକୁ ଦେଖାଇ ପରା !

 

ନିଜକୁ ଲୁଚାଇ ନିଜ ମୂରତିଟି

ଆନରେ ଦେଖେଁ ମୁଁ ଯେବେ,

ସ୍ୱତଃ ସ୍ନେହାବର। ଅର୍ଚ୍ଚନା ଆକାଙ୍‌କ୍ଷା

ପରାଣରେ ଜାଗେ ତେବେ ।

 

ଦେଖି ସୁଦ୍ଧା କିପାଁ ନ ଦେଖେ ନୟନ

 

(୧)

ତବ ରୂପ ରାଜେ ଭୁବନେ ଭୁବନେ,

ଦେଖି ସୁଦ୍ଧା କିପାଁ ନ ଦେଖେଁ ନୟନେ ?

କିପାଁ ଫିଟୁନାହିଁ ଅନ୍ଧ ଲୋଚନ

ଦେଖିବାକୁ ତବ ରୂପ ବିମୋହନ ?

ନୀଳାଚଳ ମୂଳେ, ନୀଳ ନଭୋତଳେ,

ଶାନ୍ତି ସରସୀର ସୁନୀଳ ସଲିଳେ,

କଳ-ନିନାଦିନୀ ସୁନୀଳା ତଟିନୀ

କଲ୍ଲୋଳିନୀ ଜଳ-ଦରପଣ-କୋଳେ

ରାଜେ ତ ତୁମ୍ଭର ମୂରତି ସୁନ୍ଦର,

ଦେଖି ସୁଦ୍ଧା କିପାଁ ନଦେଖେ ନୟନ ?

 

(୨)

ତବ ମୁଖଜ୍ୟୋତି ବିକାଶେ ଅରୁଣ

ପ୍ରସାରି ଭୁବନେ ବିମଳ କିରଣ,

ତବ ସୃଷ୍ଟି ତାତ, ଏଡ଼େ ସେ ସୁନ୍ଦର !

ହୋଇଥିବ ତୁମ୍ଭେ କିତେଳେ ଭାସ୍କର !

ସେ ବିଶାଳ ବିଭା, ହେମୋଜ୍ଜ୍ୱଳ ଆଭା,

ଦେଖି ସୁଦ୍ଧା କିପାଁ ନ ଦେଖେ ନୟନ ?

 

(୩)

ତିମିରବସନା ଶାନ୍ତ ବିଭାବରୀ

ତବ ଶାନ୍ତିଭାବ ଗମ୍ଭୀରେ ପ୍ରଚାରି

ହସଇ ମଧୁରେ ତାରାହସଚ୍ଛଳେ,

ତବ ନେତ୍ରେ କିବା ସେ ଜ୍ୟୋତି ଉଜ୍ଜ୍ୱଳେ !

ମଧୁରେ ଉଜ୍ଜ୍ୱଳେ ଶାନ୍ତ ସମାବେଶ,

ଦେଖି ସୁଦ୍ଧା କିପାଁ ନ ଦେଖେ ନୟନ ?

 

(୪)

ଦିଗନ୍ତପ୍ରସାର ଅନନ୍ତ ଅମ୍ୱର,

ତା’ କୋଳ ଉଜ୍ଜ୍ୱଳେ ପୂର୍ଣ୍ଣ ଶଶଧର,

କି ଶୋଭା ମୋହନ ! କି ସୁଧାବର୍ଷଣ,

ଥରେ ଦେଖିଲେ ତ ନ ଫେରେ ଦର୍ଶନ,

ସେହି କି ତୁମ୍ଭର ପୂର୍ଣ୍ଣ ମୁଖଛବି,

(ଆହା) ଦେଖି ସୁଦ୍ଧା କିପାଁ ନେଦେଖେ ନୟନ ?

 

(୫)

ଧୀରେ ଧୀରେ ଯେବେ ମାରୁତ ମୃଦୁଳ

କାନନେ ସଞ୍ଚରେ, ପୁଷ୍ପଗନ୍ଧ ହରେ,

ପୁଲକେ ଚଞ୍ଚଳି ପରାଣ ଆକୁଳି,

ଦେହ ସୁବାସ କି ଥାଏ ତହିଁ ଭରି ?

(ଆହା) ଦେଖି ସୁଦ୍ଧା କିପାଁ ନଦେଖେ ନୟନ ?

 

(୬)

ବିଜନ ଗହନେ, ପୁଷ୍ପକୁଞ୍ଜବନେ,

ଶ୍ୟାମଳ ପ୍ରାନ୍ତରେ, ସରସୀ ସଦନେ

ହସେ ଯେଉଁ ତାରୁ ସୁରଭି ସୁମନ,

ସେହି କି ସୁନ୍ଦର ହାସ ଅନୁପମ ?

କି ପରାଣହାରୀ ! କି ଶୋଭା ମାଧୁରୀ !

(ନିତି) ଦେଖି ସୁଦ୍ଧା କିପାଁ ନ ଦେଖେ ନୟନ ?

 

(୭)

ସୂର୍ଯ୍ୟ ପ୍ରତିମୁଖେ ଝଲସେ ଭାସ୍କର

ଚିତ୍ରଗାତ୍ର ମେଘଧନୁ ମନୋହର,

ଭାବେ ଶଇଶବେଯାହା ଦେଖି ଚିତ୍ତେ

ସ୍ୱରଗ ସୋପାନ ସେହି କି ମରତେ ?

ଛାୟାମାତ୍ର ଯଦିଏଡ଼େ ସେ ସୁନ୍ଦର,

ହୋଇଥିବ ତୁମେ କି ସୁନ୍ଦରତର !

ଦେଖି ସୁଦ୍ଧା କିପାଁ ନ ଦେଖେ ନୟନ ?

 

(୮)

କି ଅସୀମ ଜ୍ଞାନେ ଜଗତ ରଚନା

କରିଅଛ ପ୍ରଭୁ ତୁମ୍ଭଙ୍କୁ ତା’ ଜଣା,

କି କୌଶଳ-କଳା ସ୍ୱଭାବେ ପୂରିତ,

ଭାବିଲେ ଅବଶ ବିମୁଗ୍‌ଧ ଏ ଚିତ୍ତ,

ଛାଡ଼ି ବିଜ୍ଞାନର ନୀରସ ମନ୍ଦିର

ଉର୍ଦ୍ଧ୍ୱେ ଉଠେ ଆତ୍ମା ଆନନ୍ଦ-ଅଧୀର,

ଭାବେ ମୁଁ କି ଅନ୍ଧ, ଅଜ୍ଞାନ ମାନବ,

(ଆହା) ଦେଖି ସୁଦ୍ଧା ମୋର ନ ଦେଖେ ନୟନ !

 

(୯)

ଯେବେ ପଡ଼େ ନେତ୍ର ଏ ନେତ୍ରୁ ଶୋଭାରେ,

ବିମୁଗ୍‌ଧ ଚକିତ ହୃଦୟ ମୋହର,

କି କୌଶଳ-କଳା ପୂର୍ଣ୍ଣ ମହିମାରେ

ଦୀପ୍ତ ପ୍ରତି ଅଙ୍ଗେ ତବ ଅଙ୍ଗୁଳିର,

(ଏତେ) ଦେଖି ସୁଦ୍ଧା କିପାଁ ନ ଦେଖେ ନୟନ ?

 

(୧୦)

ବିଶ୍ୱ ଚରାଚର କରଇ ପ୍ରଚାର

ଜ୍ଞାନତୀତ ତବ ଆଶ୍ଚର୍ଯ୍ୟ ବିଭବ,

କି ଛାର ମାନବ କରେ ଅସ୍ୱୀକାର

ବିଶ୍ୱସ୍ରଷ୍ଟା କେହି ନାହିଁ ଭବ ଭବ !

ଏହି କି ଅସାର ଜ୍ଞାନର ପ୍ରଭାବ !

(ନିତି) ଦେଖି ସୁଦ୍ଧା ଅନ୍ଧ ନ ଦେଖେ ନୟନ !

 

(୧୧)

ଦିଅ ଜ୍ଞାନ ପ୍ରଭୁ ମାଗେଁ ଶ୍ରୀଚରଣେ,

ତବ ଧ୍ୟାନେ ଯେହ୍ନେ ଯିବ ଏ ପରାଣ,

ପରହିତ ବ୍ରତ ସାଧିଣ ଜୀବନେ

ଲଭିବି ଶାଶ୍ୱତ ଅନନ୍ତ କଲ୍ୟାଣ,

ଫିଟିବ ଲୋଚନ ମୋର,

(ସଦା) ତବ ରୂପ ଯେହ୍ନେ ଦେଖିବ ନୟନ !

 

ପ୍ରଭାତ

 

ଧୀରେ ଧୀରେ ବହେ ପବନ, ତରୁପତ୍ର କମ୍ପିତ,

ଧୀରେ ଧୀରେ ଝରେ ଶିଶିର ସ୍ୱଚ୍ଛ ମୁକ୍ତା ନିହିତ,

ଧୀରେ ଧୀରେ ଉଇଁ ଆସିଲା ନଭେ ଅମଳ ରବି,

ପୂର୍ବାଶା ସିନ୍ଦୂର ପଟେ କି ରମ୍ୟ ସୁବର୍ଣ୍ଣ ଛବି !

ଅଥବା ପୂର୍ବାଶା ସୁନ୍ଦରୀ ଭାଲେ ସିନ୍ଦୂର ବିନ୍ଦୁ,

ପ୍ରବାଳର ସ୍ତରେ ଅଥବା ଚିତ୍ର ସୁନୀଳ ସିନ୍ଧୁ !

ଅନ୍ଧାର ଆଲୋକ ବେନିର ଶୁଭ ମିଳନକାଳେ

ମ୍ଳାନ ଆସି ଦିଶିଗଲାଣି ଶୁକ୍ର ପ୍ରତୀଚୀ ଭାଲେ ।

ମ୍ଳାନ କ୍ଷୀଣ ରେଖା ପରାଏ ଲୁଚିଗଲାଣି ଶଶୀ,

ତମ-ଯବନିକା ଅମ୍ୱରୁ କ୍ରମେ ଗଲାଣି ଖସି ।

ତା’ର ପଛପଟୁଁ ସ୍ଫୁରଇ ରମ୍ୟ ଦିବା ଆଲୋକ,

ରଞ୍ଜି ଜଳସ୍ଥଳ ଉଜ୍ୱଳି ହେମ କରେ ଦ୍ୟୁଲୋକ ।

ଅବା ସେ ଆକାଶ କୋଣରେ ପ୍ରାଚୀ ଅଙ୍ଗନା ଧନୀ

ସଜାଡ଼ିଛି ପୂଜାସାଗର, ମୋହ କରି ଅବନୀ

ରବି ହେମଥାଳୀ ଘେନିଣ ଅର୍ଘ୍ୟ ରଖିଛି ସିଞ୍ଚି,

ଅମୃତ ଉଦକ ପରାଏ ହିମ ହେଉଛି ବିଞ୍ଚି ।

ଫୁଲେ ଫୁଲେ ପଡ଼ି ଅମୃତ ଫିଟିଲାଣି ପାଖୁଡ଼ା,

ସୁବାସ ସଞ୍ଚରେ ସମୀରେ, ସତେ ବାନ୍ଧିଛି ଜୁଡ଼ା

ଧରାଧନୀ ଅତି ସକାଳୁ କରି ଅତି ଯତନ,

ଖସିପଡ଼େ ଫୁଲ ଗଭାରୁ ପରଶିଲେ ପବନ ।

ବିଞ୍ଚିହୋଇ ପଡ଼ିରହିଛି ତରୁତଳେ ଶେଫାଳୀ,

ବାହାରଟା ସବୁ ଧବଳ, ପଛଭାଗଟା ଲାଲି;

ସରମେ ଝରି ସେ ପଡ଼ିଛି ଦିବାଲୋକ ପରଶେ,

ସୃଷ୍ଟ ନୋହେ ଭୋଗ ବିଳାସ ବ୍ୟସନର ସକାଶେ ।

ବାପୀ ନୀଳଜଳ ଉଜ୍ଜ୍ୱଳି ଫୁଟିଲେଣି କମଳ,

ମକରନ୍ଦ ସ୍ଫୁରି ଆକର୍ଷି ଆଣେ ମିଳିନ୍ଦଦଳ ।

ଗୁଣ ଯାହାଠାରେ ତାହାକୁ ସର୍ବେ କରି ଆଦର

ସ୍ଥାପନ କରନ୍ତି ନେଇ ସେ ନିଜ ଉଚ୍ଛ ଶିଖର ।

ଗୁଣ ଯାହାଠାରେ ତାହାଠି ସର୍ବେ ରସନ୍ତି ନିଜେ,

ଲାଗିଯାନ୍ତି ଅଳି ପରାଏ ତା’ର ମନୋବାରିଜେ ।

ଅତିରଙ୍ଗ ଅତି ସୁନ୍ଦର ଦୂରୁଁ ପଳାଶ ବନ,

ତଥାପି ନ ତୋଷେ ତହିଁରେ କ୍ଷଣେ ଭ୍ରମର ମନ ।

ଗୁଣମଧୁ ସିନା ଆକର୍ଷେ ଶତ ମାନସ-ଅଳି,

କେହି ନ ଲଭଇ ସମ୍ମାନ ବୃଥା କରିଲେ କଳି ।

ଧରିଲେଣି ଗାନ ପକ୍ଷୀଏ ବୈତାଳିକ ସମାନ,

ପ୍ରଭାତ ବନ୍ଦନା ସତେ କି ବିଭୁ ଅର୍ଚ୍ଚନା ଗାନ ?

ସେହି ସଙ୍ଗେ ମୋର ମାନସ ବିଭୁ ଉଦ୍ଦେଶେ ନମେ ।

ହେଉ ଶୁଭଯୋଗ ମନର ନିତି ଶୁଭ କରମେ ।

ଜୀବନପ୍ରଭାତେ ଯେସନ ନୋହି ଆଳସ୍ୟରତ

କରୁଥିବି ମୋର କର୍ତ୍ତବ୍ୟ ଦିବାନିଶି ନିରତ ।

 

ଚିନ୍ତା

 

ବିଶ୍ୱ ଯେବେ ନିଦ୍ରାମଗ୍ନ ଗଭୀର ନିଶୀଥେ,

ଅନ୍ଧକାର ସମାବୃତ ସର୍ବ ଚରାଚର,

ଅନନ୍ତ ଆକାଶ ବକ୍ଷ ପ୍ରଶାନ୍ତ, ଉଜ୍ଜ୍ୱଳ,

ସୁଧା ଧବଳିତ ପରା ଜ୍ୟୋସ୍ନା ବିଲେପନେ !

ଖଚିତ ଅନନ୍ତ ଚାରୁ ତାରକାର ଶ୍ରେଣୀ

ପ୍ରଶାନ୍ତ, ସୁନ୍ଦର, ନୀଳ ଅନମ୍ୱର ତଳେ;

ସତେ ଅବା ଶତ ରତ୍ନ ଖଚିତ ଦୁକୂଳେ !

ଅବା ଶତ ଦୀପାବଳୀ ଦେବତା ଉଦ୍ଦେଶେ

ପ୍ରଜ୍ୱଳିତ ଭକ୍ତିଭରେ, ଅବା ଶତଫୁଲ

ଫୁଟି ରହିଛି କିନୀଳ ଜଳ ବିତାନରେ !

ଧୀରେ ବହେ ନୈଶ ବାୟୁ, ଶବ୍ଦହୀନ, ସୁପ୍ତ

ସମଗ୍ର ପ୍ରକୃତି, ମହାଘୋର ନିସ୍ତବ୍‌ଧତା

କାହାର ଆଦେଶେ ପୂଣ୍ୟ ଅବଧାନ ଲାଗି

ବିରାଜିତ ଧରଣୀରେ, ଅବା ମୋହ ମନ୍ତ୍ର

ପଢ଼ାଇ କେ କରିଅଛି ଅବଶ ଅଚେତ

ସମସ୍ତଙ୍କୁ, ଏହି କାଳେ ସହସା ମୋହର

ଗୋପନେ ଉଠିଲା ବାଜି ଭଗ୍ନ ହୃଦ-ବୀଣା

ପୁରାତନ ଛିନ୍ନ, ତାର ଆଶ୍ଚର୍ଯ୍ୟ ପରଶେ

ଲଳିତ କୋମଳ କା’ର ପୂତ ଅଙ୍ଗୁଳିର ।

ସହସା ଚମକି ମୁହିଁ ଉଠିଲି ଉଦ୍‌ବେଗେ,

ଶିହରିଗଲାଟି ତନୁ, ଘନ ବହି ଶ୍ୱାସ,

ରୋମାଞ୍ଚିତ, ସ୍ୱେଦସିକ୍ତ, ଅବା ବିଦ୍ୟୁଦ୍ଦାମ

ଶିରାରେଶିରାରେ ବହିଗଲା କି ମୋହର !

ସହସା ଉନ୍ମୀଳି ଆଖି ନ ଦେଖିଲି କିଛି,

ନ ଶୁଣିଲା କର୍ଣ୍ଣ, ବୁଝି ନ ପାରିଲି,

ଅବଶ ଅଚେତ ପୁଣି ହୋଇଲି କ୍ଷଣକେ ।

ପୁଣି ତ ଉଠିଲା ବାଜି ଗମ୍ଭୀର ଝଙ୍କାରେ

ହୃଦୟ-ବିପଞ୍ଚୀ ତାନ, ବୁଝିଲି ଏଥର

କାହାର ଶବଦ ପରା ଶୁଭୁଛି ଅନ୍ତରେ ।

ସହସା ମୋହନ ମନ୍ତ୍ରେ ମୁଗ୍‌ଧ, ଅଚେତନ,

କଳ୍ପନା ଅତୀତ ସୁଖେ ବୁଡ଼ିଗଲି ଅବା,

କ୍ଷଣକେ ଚନ୍ଦନ ବନେ ପହଞ୍ଚିଲି ପରା,

ଶତ ଶତ ପାରିଜାତ ଗନ୍ଧେ ଆକୁଳିତ,

ସୁରଭି-ମଳୟସ୍ପର୍ଶେ ଶୀତଳ ପରାଣ,

ସର୍ବଶ୍ରମ, କ୍ଳାନ୍ତି, ବ୍ୟଥା ବିଦୂରି ସହସା

ଜନ୍ମାଇଲା ପ୍ରାଣେ ଯେହ୍ନେ ଅପୂର୍ବ ସାନ୍ତ୍ୱନା ।

ଅନୁଭବେ ବୁଝିଲି କି କାହା ଆବିର୍ଭାବ

କେଉଁ ଦେବତାର ପରା ହୋଇଅଛି ପ୍ରାଣେ,

ନ ଚିହ୍ନେ ତାହାକୁ, କିନ୍ତୁ ଚିହ୍ନଇ ସେ ମୋତେ,

ହେବ ପରା ବନ୍ଧୁ ମୋର, ଅବା ଦୟାମୟ

ଦେବଲୋକବାସୀ ଦୟା ବହି ମର୍ତ୍ତ୍ୟ ନରେ

ଆସିଅଛି ଧରଣୀକୁ ପୋଛିଦେବ ପରା

ତପ୍ତ ଅଶ୍ରୁଧାର ମୋର ବହେ ଯା’ ଗୋପନେ,

ପୋଛିଦେବ ପରା ମୋର ହୃଦୟର ଗାର,

ଶୁଖାଇଦେବ ବା ମୋର ହୃଦକ୍ଷତ ରାଶି,

ତୀକ୍ଷ୍‌ଣ ସ୍ୱାର୍ଥ-ଖଡ଼୍‌ଗାଘାତେ ବିଦୀର୍ଣ୍ଣ ପୀଡ଼ିତ;

ଯୋଡ଼ିଦେବ ପରା ମୋର ଉଗ୍ନ ବୀଣା ତାର

ହୃଦୟର, ହୃଦ-ମରୁରାଜ୍ୟେ ବର୍ଷାବାରି

ସୁଶୀତଳ ବରଷାଇ, ହରଷାଇ କ୍ଷଣେ ।

ହରିତ କୁସୁମ ପର୍ଣ୍ଣେ ସାଜି ହୃଦଧରା

ଆଣିବ ଅମୃତ ରାଜ୍ୟ ଅବା ବସନ୍ତର,

ମଞ୍ଜୁଳ କସୁମରାଶି, ସୁରଭି ମଳୟ,

କୋକିଳର କଳଗିର, ରସାଳ ବକୁଳ

ପୁଞ୍ଜ-ମଞ୍ଜୁ ଗୁଞ୍ଜରଣ-ପ୍ରିୟ ନୀଳ ଅଳି-

ଦଳ ଆସି ମଧୁଭାର ଲୁଟିଣ ହୃଦୟ

କୁସୁମିତ କୁଞ୍ଜବନେ, କରି ପ୍ରଫୁଲ୍ଲିତ

ନବୀନ ହୃଦୟ-ଧାରା କରିବ ମୋହର!

ଅଥବା ଶରତ ନିଶା ଚାନ୍ଦିନୀ-ଅମୃତ,

ତହିଁ ପୁଣି ପକ୍ୱଶାଳି ମିଷ୍ଟ ଗନ୍ଧରାଶି

ଧୀର ପବନରେ ଆଣି ସଞ୍ଚାରିବ ହୃଦେ

କ୍ଷଣକେ ସକଳ ବ୍ୟଥା ଗଲା ମୋର ହରି,

ଚିନ୍ତା କରୁ କରୁ କ୍ଷଣେ ଭଦ୍ଭାସିଲା ପରା

ଉଜ୍ଜ୍ୱଳ ମୋହନ ଚିତ୍ରପଟ ପରି ମୁଗ୍‌ଧ

ନୟନସମୀପେ ମୋର, ନ ପାରିଲି ଚାହିଁ,

ତଥାପି ଦର୍ଶନ ଲୋଭ ବଢ଼ିଲା ଆକୁଳେ ।

ନିସ୍ତବ୍‌ଧତା ଭାଙ୍ଗି କ୍ଷଣେ ଶୁଭିଲା କି ବାଣୀ,

‘‘ମାନବଜୀବନ ନୁହେଁ ମାଟିର ଖେଳନା,

‘‘ନୁହେଁ ତାର ପରିଣାମ ଧୂଳି ହେବା ପାଇଁ.

‘’ନୁହେଁ କର୍ମ୍ମ ଭବେ ଅସାର କାନ୍ଦଣା,

‘‘ନିତି ଶତ ରୋଗ, ଶୋକ, ଯାତନା ପୀଡ଼ିତ,

‘‘ବହୁ କ୍ଳେଶ, ବହୁ କଷ୍ଟ, ଆୟାସ, ବେଦନା-

‘‘ବିଧୁରତା, ଦିବାନିଶି ଭଗ୍ନମନୋରଥ,

‘‘ଶତଚେଷ୍ଟା ବିଫଳିତ, ନୈରାଶ୍ୟ ଅନ୍ଧାରେ

‘‘ରହି ଚିର ନିମଜ୍ଜିତ ମରବ ସେ ପଚି;

‘‘ତଥାପି ମୋହିତ ଉଷାଆଲୋକ ଦର୍ଶନ

‘‘ତାହାର ହୃଦୟାକାଶେ ଆଶା ବିଶ୍ୱାସର,

‘‘ନୁହେ, ନୁହେ କେଉଁକାଳେ; ଶୁଣ ବିଶ୍ୱବାସୀ !

‘‘ଗୋଲାପ-ମଲ୍ଲିକାବୃତ ନୁହେ ନରପଥ,

‘‘କର୍ତ୍ତବ୍ୟର, ସମାଚ୍ଛନ୍ନ ସୁତୀକ୍ଷ୍‌ଣ କଣ୍ଟକେ,

‘‘ବନ୍ଧୁର ସେ ଅପ୍ରଶସ୍ତ, ଘୋର ଅନ୍ଧକାର,

‘‘ତଥାପି ସେ ଯେଉଁ ନର ସାହସୀ, ବିଶ୍ୱାସୀ,

‘‘ପ୍ରଭୁର ବିମଳ ପୁଣ୍ୟ ଆଦେଶ-ଆଲୋକ

‘‘ଧରି ସେ କଠିନ ବର୍ତ୍ତ୍ମ ହୋଇବ ସେ ପାରି,

‘‘ଗଭୀର ଆକାଙ୍‌କ୍ଷା ହୃଦେ ଧରିଣ ସୁଦୃଢ଼େ

‘‘ଲକ୍ଷ୍ୟ ଜିଣି ଭାଗ୍ୟବାନ ହେବ ସେ ଯଶସ୍ୱୀ

‘‘ଇହ ପରକାଳେ ବେନି, ଅମର ଅକ୍ଷରେ

‘‘ଉଜ୍ଜ୍ୱଳ ସୁବର୍ଣ୍ଣ ବର୍ଣ୍ଣେ ଲେଖିବ ତା’ ନାମ

‘‘ଦେଶ ଇତିହାସ ଅଙ୍ଗେ, ଅବା ଶତ ହୃଦ-

ଶତଦଳ ଆସନରେ ପାତିବ ଆସନ !’’

ନିସ୍ତବ୍‌ଧ ହୋଇଲା ସ୍ୱର, ହେଲା ଅନ୍ତର୍ହିତ

ସେ ଦେବତା ମୂର୍ତ୍ତି କାହିଁ, ତୁଟିଲା ମୋହିନୀ,

ଅନାଇ ଦେଖିଲି ପୁନଃ ଅଛି ମୁଁ ଜଗତେ,

କିନ୍ତୁ ପୁନଃପୁନଃ ହୃଦେ ଜାଗିଲା ମୋହର,

‘‘ମାନବଜୀବନ ନୁହେ ଅସାର ଖେଳନା ।’’

 

ଚାହେଁ

 

କହି ନ ପାରଇ କଥା ଆଉ କିଛି,

ଲଜ୍ଜା ପୂରିତ ମରମେ,

ଚାଲି ନ ପାରଇ ଆଉ ପାଦେ ପଥ,

ଚରଣ ଜଡ଼ିତ ସରମେ ।

 

ଜୀବନର ଉଷ-ଶିଶିର-ବିଧୌତ

ମୃଦୁଳ ମଳୟ ପବନେ

କାହିଁ ଶାନ୍ତି, ଜ୍ୱାଳା ପୂରିତ ଅନ୍ତର,

ମର୍ମ୍ମ ଦହୁଛି ଗୋପନେ ।

 

ନିଦାରୁଣ ଅଭିମାନ ରୋଷ ବହି

କାନ୍ଦେ ବିଫଳ କାନ୍ଦଣା,

କେହି ନ ବୁଝେ ମୋ ଅନ୍ତର ଯାତନା,

ବ୍ୟଙ୍ଗେ କରନ୍ତି ଛଳନା ।

 

କିପାଇଁ ଅନ୍ତର ନିଭୃତ ପ୍ରଦେଶେ

ତୀବ୍ର ପିପାସା-ଅନଳ

ଜଳୁଛି ନିୟତ ବୁଝିପାରେ ନାହିଁ,

କାନ୍ଦି କାନ୍ଦି ଚିତ୍ତ ବିକଳ ।

 

ମୁଁ ତ ଚାହେଁ ଫୁଲ ପରାଏ ହସିବି,

ଗାଇବି ଯେସନେ କୋକିଳ

ଧରିବି ସୁକାନ୍ତ ବସନ୍ତ ସୁଷମା,

ସ୍ନିଗ୍‌ଧ ଯେସନ ସଲିଳ ।

 

ମୁଁ ତ ଚାହେଁ ନଦୀ ପରାଏ ବହିବି,

ଗଭୀର ଯେସନ ସାଗର,

ଅସୀମ ବିସ୍ତାରେ ପୂରିବ ଅନ୍ତର,

ଉଦାର ଯେସନ ଅମ୍ୱର ।

 

ମୁଁ ଚ ଚାହେଁ ଧରା ପରାଏ ସହିବି,

ଦୀପ୍ତ ଯେସନ ମିହିର,

ମୁଁ ତ ଚାହେଁ ପଦ୍ମପରାଏ ଫୁଟିବି,

ଶୀତଳ ଯେସନ ଶିଶିର ।

 

ମୁଁ ତ ଚାହେଁ ତାରା ଆଲୋକ ପରାଏ

ଜଳିବି ଅନ୍ଧାର ଉଜ୍ଜ୍ୱଳି,

କଳା ନବଘନ ପଟଳେ ଅଥବା

ଝଟକେ ଯେସନ ବିଜୁଳି ।

 

ମୁଁ ତ ଚାହେଁ ଗାଢ଼ ହେବି ତମଃ ସମ,

ସ୍ତବ୍‌ଧ ଯେସନ ତ୍ରିଯାମା,

ଅଥବା ବିମଳ ଶାରଦ ଗଗନେ

ସୌମ୍ୟ ଯେସନ ଚନ୍ଦ୍ରମା ।

 

ମୁଁ ତ ଚାହେଁ ଅଦ୍ରି ପରାଏ ଉଠିବି,

ଶକ୍ତ ଯେସନ ପାଷାଣ,

ମୁଁ ତ ଚାହେଁ ବୃକ୍ଷ ପରାଏ ସହିବି

ରୌଦ୍ର ବରଷା ସମାନ ।

 

ମୁଁ ତ ଚାହେଁ ହେବି ନୀରଦ ସମାନ

ବରଷି କରୁଣା ଆସାରେ,

ମୁଁ ତ ଚାହେଁ ତୃଣ ପରାଏ ବିରାଜି

ଅକିଞ୍ଜନ ହେବି ସଂସାରେ ।

 

କେତେ ପଥ ମୁହିଁ ବୁଲି ଆସିଅଛି,

କଳ୍ପନା ହୁଏ ବଣା କି,

ତଥାପି ଶିକ୍ଷା ତ ନୋହିଲା ସମ୍ପୂର୍ଣ୍ଣ,

ମୁର୍ଖ ମଧ୍ୟେ ମୁହିଁ ଗଣା କି ?

 

ତଥାପି ମୋ ଦିନ ବହିଯାଏ ଘେନି

ଅନ୍ତରେ ବିଶ୍ୱାସ ହରଷ,

ଆଶାଦୀପ ଜାଳି ଜୀବନ ଅନ୍ଧାରେ

କାଟଇ ଯାମିନୀ ଦିବସ ।

 

ସ୍ତବ

 

ଦ୍ୟୁଲୋକ-ଭୂଲୋକ-ପାଳକ-ଶାସକ

କଳୁଷ-କଳଙ୍କ-ନାଶକ-ପାବକ,

ନିଖିଳ-ରଚକ,

ତିମିରେ ଆଲୋକ, ଶାନ୍ତିବିଧାୟକ

ନରକ-ତାରକ ନାଥ ହେ,

ହେ ପ୍ରେମମୟ ।୧।

 

ଜଗତ-ଜୀବନ-ଶାନ୍ତି-ସରସୀଜ,

ଚିତ୍ତ-ଚିର-ଜ୍ୟୋତିଃ ହୃଦରାଜ୍ୟ-ରାଜ

ସଜ ପଦକଞ୍ଜ

ଜପିବି ଜାଗ୍ରତେ ଜପମାଳା ସମ

ଜୀବ ଯିବାଯାଏ ନାଥ ହେ,

ହେ ପ୍ରେମମୟ ।୨।

 

ଧରଣୀ କାରଣ ! ଧରଣୀ-ତାରଣ

ଶୋକନିବାରଣ, ଶାନ୍ତି-ପ୍ରସ୍ରବଣ,

ଦୂରିତ-ବାରଣ,

ପରମ ଶରଣ କରୁଣା କାରଣ,

ହୃଦୟହରଣ ନାଥ ହେ,

ହେ ପ୍ରେମମୟ ।୩।

 

ଅଶ୍ରୁତ, ଅଦ୍ଭୁତ, ଅୟୁତ ସେବିତ,

ଭବତାତ ପୂତ ନିତ୍ୟ, ସତ୍ୟ-ଯୁତ,

ସତତ ଶୋଭିତ

ସ୍ୱରଗ ଶୋଭାରେ, ସ୍ୱରଗ ସଭାରେ

ସତତ ପୂଜିତ ନାଥ ହେ,

ହେ ପ୍ରେମମୟ ।୪।

 

ଦମ୍ଭ-ହର-ଦୈତ୍ୟ-ଦରପଦଳନ,

ଦିବେ ଦେବଦଳେ ଦିନେଶ ସମାନ,

ଚନ୍ଦନ, ନନ୍ଦନ,

ଦୟାରେ ଉଦାର, ଦୀନେ ଦୟାକର,

ଦୁଷ୍ଟ ଦଣ୍ଡଧର ନାଥ ହେ,

ହେ ପ୍ରେମମୟ ।୫।

 

ନଳିନଚରଣ ସୁମନୋମୋହନ,

ନୟନଲୋଭନ, ଭକ୍ତବିନୋଦନ,

ପ୍ରଭୁ ଭଗବାନ

ସତ୍ୟ ସନାତନ, ଶାନ୍ତି ନିକେତନ,

ପତିତପାବନ ନାଥ ହେ,

ହେ ପ୍ରେମମୟ ।୬।